ଲେଖା: ବନ୍ଧନ ଦଳାଇ

ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରିସିଦ୍ଧ ରଥଯାତ୍ରାର ଅନ୍ତିମପର୍ବ ହେଉଛି “ନୀଳାଦ୍ରିବିଜେ” । ଗୁଣ୍ଡିଚା ମନ୍ଦିରରେ ନବଦିନାତ୍ମକ ଯାତ୍ରା ସାରି ବାହୁଡା ଦଶମୀ ଦିନ ଠାକୁର ମାନେ ଶ୍ରୀମନ୍ଦିରର ସିଂହଦ୍ୱାରକୁ ଫେରନ୍ତି ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ସାରି ପରିଶେଷରେ ଠାକୁରମାନେ ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରନ୍ତି, ଏଣୁ ଏହାକୁ ‘ନୀଳାଦ୍ରି ବିଜୟ’ ବା ‘ନୀଳାଦ୍ରିବିଜେ’ କୁହାଯାଏ।

ଏହିଦିନ ପ୍ରଥମେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରାମକୃଷ୍ଣ ପରେ ଚକ୍ରରାଜ ସୁଦର୍ଶନ ତା’ପରେ ବଡଠାକୁର ଏବଂ ମା ସୁଭଦ୍ରାଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ନିଆଯାଇଥାଏ ଶେଷରେ ମହାପ୍ରଭୁ ଜଗନ୍ନାଥ ରଥରୁ ରତ୍ନସିଂହାସନକୁ ବିଜେ କଲାବେଳେ ଅନ୍ୟ ଏକ ମହାନାଟକ ଅଭିନୀତ ହୁଏ।

ଲକ୍ଷ୍ମୀଦେବୀ ଦାସଦାସୀଙ୍କ ଗହଣରେ ଆସି ସିଂହଦ୍ୱାରର ଦକ୍ଷିଣରେ ଅବସ୍ଥିତ ଚାହାଣି ମଣ୍ଡପରୁ ନନ୍ଦିଘୋଷ ରଥର ଚାରମାଳ ଉପରେ ଥିବା ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି ସେଠାରେ ମହାଲକ୍ଷ୍ମୀଙ୍କ ତରଫରୁ ଭିତରଛ୍ଛୁ ମହାପାତ୍ରେଙ୍କ ଦ୍ୱାରା ଜଗନ୍ନାଥଙ୍କୁ ବନ୍ଦାପନା ଘଷାଜଳ ଲାଗି ହୋଇଥାଏ ଏବଂ ଏପଟେ ମହାପ୍ରଭୁଙ୍କ ତରଫରୁ ପତି ମହାପାତ୍ରେଙ୍କ ଦ୍ୱାରା ବନ୍ଦାପନା ହୋଇଥାଏ ।

ଏହି ଅବସରରେ ମହାଲକ୍ଷ୍ମୀ ଅଭିମାନରେ ଶ୍ରୀମନ୍ଦିର ସିଂହଦ୍ୱାର ବନ୍ଦ କରିଦେବା ପାଇଁ ନିଜର ସେବିକାମାନଙ୍କୁ ନିର୍ଦ୍ଦେଶ ଦିଅନ୍ତି। ମହାପ୍ରଭୁ କାକୁସ୍ଥ ହୋଇ ବଡଦାଣ୍ଡ ଉପରେ ଠିଆହୋଇ ରୁହନ୍ତି ମହାପ୍ରଭୁଙ୍କୁ ଶାସ୍ତି ଦେବାପାଇଁ ଇନ୍ଦ୍ରଙ୍କୁ ପ୍ରାର୍ଥନା କରି ଦେବୀ ବର୍ଷା କରାନ୍ତି।

ବର୍ଷାରେ ଭିଜିଭିଜି ଶ୍ରୀ ଜଗନ୍ନାଥ ବହୁ କାକୁତି ମିନତି କରିବା ପରେ ସିଂହଦ୍ୱାର ଖୋଲେ, ହେଲେ ଅଭିମାନିନୀ ଲକ୍ଷ୍ମୀଙ୍କର ଅଭିମାନ ସରିନଥାଏ ମହାପ୍ରଭୁ ସାତପାହାଚ ଦେଇ ଭିତରକୁ ପ୍ରବେଶ କଲାପରେ ପୁନଶ୍ଚ ସେବକମାନଙ୍କ ଦ୍ୱାରା ଜୟବିଜୟ ଦ୍ୱାର ବନ୍ଦକରିଦିଅନ୍ତି ସେ।

ଆରମ୍ଭ ହୁଏ “ଲକ୍ଷ୍ମୀନାରାୟଣ କଳି” ଦେବଦାସୀମାନେ ମହାଲକ୍ଷ୍ମୀଙ୍କ ପ୍ରତିନିଧିତ୍ୱ କରିଥିବା ବେଳେ ଶ୍ରୀଜଗନ୍ନାଥଙ୍କ ପାଇଁ ଦଇତାପତିମାନେ ପକ୍ଷ ବାଢିଥାନ୍ତି ଦୁହିଁଙ୍କ ମଧ୍ୟରେ ବଚନିକା ଆରମ୍ଭ ହୁଏ।

ଆଷାଢ ଶୁକ୍ଳ ଦଶମୀର ଦିନ ରଥୁଁ ବିଜେ ଚକ୍ରପାଣି
ଦେଉଳେ ପଶିଣ ଶ୍ରୀମୁଖେ ଡାକନ୍ତି-
‘କବାଟୁ ହିଟା କିଳଣି ଗୋ ସଖୀ’
***    ***   ***
ସିନ୍ଧୁର ଦୁଳଣୀ ତ୍ରିଲୋକ ମୋହିନୀ ଦାସିଙ୍କୀ କହନ୍ତି ବାଣୀ-
‘କଳମୁଖ ପ୍ରାୟ ତୁଣ୍ଡ ତ ଶୁଭୁଛି କବାଟ ଦିଅ କିଳଣି ଲୋ ଦାସୀ।

ତାଙ୍କୁ ଭିତରେ ନଦିଅ ପଶିଲୋ ଦାସୀ,
ଘେନିଯା’ନ୍ତୁ  ଭଉଣୀ ନିବେଶୀ ଲୋ ଦାସୀ’

ମହାପ୍ରଭୁ ବାହାରେ ରହି ଡାକଛାଡନ୍ତି:
କୋମଳ କରିଣ କମଳ ନୟନ ଭାଷନ୍ତି –
“ରେ ପ୍ରାଣପ୍ରିୟା କବାଟ ଫିଟାଅ,
ମୋ ଦୁଃଖ ତୁଟାଅ, ଦେଖାଅ ବଦନ ଇନ୍ଦୁ।”

ସେହି ଡାକରାକୁ ମହାଲକ୍ଷ୍ମୀ କର୍ଣ୍ଣପାତ ନକରି କହନ୍ତି:
“ଯାଅ ଯାଅ ଫେରି ନୀଳାଦ୍ରି ବିହାରୀ,
ଭଉଣୀଙ୍କି ସଙ୍ଗେ ନିଅ;
ଛାଡି କରିଗଲେ ଦୁଃଖ କରିବଟି ନନ୍ଦରାଜାଙ୍କର ଝିଅ।”

“ସ୍ତୀରି ଜନ୍ମ ହୋଇ ଟିକିଏ ତାହାର ମୁଖରେ ନଥାଇ ଲାଜ,
ତୁମ୍ଭେ ନ ଯାଉ ସେ ରଥରେ ଚଢିଣ, ଆଗେ ହୋଇଥାଏ ସଜ”।

“ଭାଇ ଯେମନ୍ତକୁ ଭଉଣୀ ତେମନ୍ତ କେ କାହାକୁ ନୁହେଁ ଉଣା,
ଗୋପପୁରେ ରହି ଶିଖିଛ ଗୋସାଇଁ ଗଉଡିଆ ବୁଝାମଣା”।

“ତୁମ୍ଭ ଶ୍ରୀମୁଖକୁ ନିତ୍ୟ ଆସିଥାନ୍ତି ଦରଶନ କରିବାକୁ,
ଆପଣେ ଗୁଣ୍ଡିଚା ବାଠି ଯାଇଥିଲେ; କେଉଁ ଦିଅଁ ଦେଖିବାକୁ”।

ଏହାପରେ ଦୁହିଁଙ୍କ ବିତରେ ଦାମ୍ପତ୍ୟ କଳି ବଢେ ! ବାହାରେ ବ୍ରହ୍ମାଣ୍ଡଠାକୁର ଯେଠେ ସରାଗରେ ଗେହ୍ଲେଇ ହୋଇ କହିଲେ ସୁଦ୍ଧା ମହାଲକ୍ଷ୍ମୀଙ୍କ ମନ ତରଳେ ନାହିଁ, ସମସ୍ତ ଚାଟୁ ବଚନ ନିଷ୍ଫଳ ହୋଇଯାଏ, ଓଲଟି ମହାଲକ୍ଷ୍ମୀ ଭୀଷଣ ଭର୍ସନା କରନ୍ତି ମଣିମାଙ୍କୁ । ମହାପ୍ରଭୁ ବୁଝାନ୍ତି ବଡଭାଇ ସଙ୍ଗରେ ଥିବାବେଳେ ଭାଇବୋହୂ ସହଯାତ୍ରିଣୀ ହେବା କିପରି ସଂସ୍କୃତି ବିରୋଧୀ ଏବଂ ଅସୁନ୍ଦର କାର୍ଯ୍ୟ:
“ଜ୍ୟେଷ୍ଠ ସହୋଦର ତୋର ଦେଢଶୁର, ସେ ସଙ୍ଗତେ ଥିଲେ ଯେଣୁ,
ଏସିକଥା ଚିତ୍ତେ ବିଚାରିଣ ତତେ ସଙ୍ଗତେ ନ ନେଲି ତେଣୁ”।

ପୁଣି ନାନା ଆଭୂଷଣ ବସ୍ତ୍ର ଅଳଙ୍କାର ଦେଇ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ ପାଇଁ ଉଦ୍ୟମ କରନ୍ତି।
“ଫେଡଫେଡ କମଳିନୀ ଫେଡ ଗୋ କବାଟ
ତୁମ ପାଇଁ ଆଣିଅଛି କଳାମେଘୀ ପାଟ“

ତଥାପି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତିନାହିଁ । ଉପହାର ସାମଗ୍ରୀମାନ ଫେରାଇ ନେଇ ଯାହାଙ୍କ ପାଖରେ ସାତଦିନ ବିତାଇଥିଲେ ତାଙ୍କୁ ଦେବାଲାଗି  କହନ୍ତି ।

ପ୍ରଭୁ ଖୋଲିଦେଇଛନ୍ତି ତାଙ୍କର ଭାବର ପୁସ୍ତିକା ! କେବଳ ଭକ୍ତକୁ ପ୍ରାଧାନ୍ୟ ଦେବାପାଇଁ ହିଁ ମୋର ନବଦିନାତ୍ମକ ଯାତ୍ରା !
“ମୁଁ ଏ ସଂସାରେ ଅଛି ଛନ୍ଦି
ଭକତ ପାରେ ମୋତେ ବାନ୍ଧି”

ଏହାପରେ ବଡଠାକୁର ବଳଭଦ୍ର ହସ୍ତକ୍ଷେପ କରନ୍ତି । କୁଳବଧୂ ପ୍ରତି କଟୁକ୍ତି ଅନୁଚିତ କହିବା ସହ ମା’ ସାଆନ୍ତାଣୀଙ୍କୁ ଶାନ୍ତ ହେବା ନିମନ୍ତେ ଉପଦେଶ ଦିଅନ୍ତି । ଦେଢଶୁର ହଳପାଣିଙ୍କ କଥା ଅବା କିପରି କାଟିପାରନ୍ତେ ମା’ ଲକ୍ଷ୍ମୀ ସା’ନ୍ତାଣୀ ।

ଶେଷରେ ସରିଥାଏ  ପତୀପତ୍ନୀଙ୍କର ଅଭିମାନପର୍ବ, ବାଜିଉଠେ ଘଣ୍ଟଘଣ୍ଟା, ମର୍ଦଳ, ଶଙ୍ଖ ହୁଳହୁଳି ହାସରୋଳ କରତାଳରେ କମ୍ପିଉଠେ ଚତୁର୍ଦିଗ, ମା’ ମହାଲକ୍ଷ୍ମୀ ନିଜର ଅଭିମାନ ଛାଡି ବନ୍ଦାପନା କରି ସ୍ୱାମୀଙ୍କୁ ବଡଦେଉଳକୁ ପାଛୋଟି ନିଅନ୍ତି, ଏବଂ ଶେଷରେ ମହାପ୍ରଭୁ ଆଣିଥିବା ରସଗୋଲା ଖାଇବାକୁ ଦେଇ ମହାଲକ୍ଷ୍ମୀଙ୍କର ମାନଭଞ୍ଜନ କରନ୍ତି । ଏହା ହିଁ ହେଉଛି “ନୀଳାଦ୍ରିବିଜେ”।

ଜୟ ମା’ ମହାଲକ୍ଷ୍ମୀ I
ଜୟ ଜଗନ୍ନାଥ II

Images: SriJagannath and other FB Page 

#ମଣିମା #ନୀଳାଦ୍ରିବିଜେ

Spread the love
admin

View Comments

  • ବହୁତ ସୁନ୍ଦର ଲେଖାଟିଏ । ଜୟ ଜଗନ୍ନାଥ ।

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago