~ ବଗା ପୂଜାରୀ ~

ଲେଖା: ନିରଞ୍ଜନ ସାହୁ

ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ ସ୍ଵାଧୀନତା ହାସଲ ପାଇଁ । ସତ୍ୟ, ଅହିଂସା, ଅସହଯୋଗ ପନ୍ଥାରେ ବିଦେଶୀ ଶାସନ ହାତରୁ ହଜିଯାଇଥିବା ସ୍ଵାଧୀନତା ଛଡ଼ାଇ ଆଣିବା ପାଇଁ ସଂଗ୍ରାମର କ୍ଷେତ୍ର ଥିଲା ଦିଲ୍ଲୀ ଠାରୁ ପଲ୍ଲୀ ଯାଏଁ। ସମଗ୍ର ଦେଶର ଛୋଟବଡ଼ ଜନପଦ ବମ୍ବେ, କଲିକତା, ମାନ୍ଦ୍ରାଜ, କରାଚୀ, ଲାହୋର, ଢାକ୍କା ଭଳି ମହାନଗରୀରେ ବସବାସ କରୁଥିବା ସବୁ ଭାରତୀୟମାନେ ଯେତେବେଳେ ସାମିଲ ହୋଇଥିଲେ ଏହି ସଂଗ୍ରାମରେ, ସେତେବେଳେ ଓଡ଼ିଶା ବା ବାଦ ଯିବ କେମିତି ? ପୁଣି ସ୍ଵାଧୀନତାର ପ୍ରଥମ ଆନ୍ଦୋଳନ ତ ଏଇ ମାଟିରୁ ! ସାବରମତୀ ହେଉ ବା ସେବାଗ୍ରାମ ହେଉ ଚଳଚଞ୍ଚଳ ହୋଇ ଉଠିଥିଲା ଏହି ସଂଗ୍ରାମରେ ଯୋଗ ଦେଇ । ଆଉ ବ୍ୟାପି ଯାଇଥିଲା ଆମ ଓଡ଼ିଶାର ପୁରପଲ୍ଲୀରେ, ବ୍ୟାପି ଯାଇଥିଲା ମାଥିଲି, ପାପଡା଼ହାଣ୍ଡି, ତେନ୍ତୁଳିଗୁମ୍ମା, ବାଟିବେଡ଼ା ବା ବଡ଼ଭରଣ୍ଡି ଭଳି ବନାଞ୍ଚଳ ଗ୍ରାମମାନଙ୍କୁ ।

ସ୍ଵାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣ କରିଥିବା ଅଗଣିତ ଗ୍ରାମ ମଧ୍ୟରୁ ଅନ୍ୟତମ ଗ୍ରାମ ନବରଙ୍ଗପୁର ଜିଲ୍ଲାର ବଡ଼ଭରଣ୍ଡି। ଅଳ୍ପ କେତେଶହ ବର୍ଷ ତଳେ ଏ ସ୍ଥାନର ଅସାମାନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟର ଆକର୍ଷଣରେ ଆକର୍ଷିତ ହୋଇ ଏ ଗ୍ରାମ ବସା ଯାଇଥିଲା । ସଂଭବତଃ ସ୍ଵାଧୀନତା ସଂଗ୍ରାମୀ ବଗା ପୂଜାରୀଙ୍କ ପୂର୍ବପୁରୁଷଙ୍କ ମଧ୍ୟରୁ କୌଣସି ଜଣେ ମହାନ ବ୍ୟକ୍ତିଙ୍କ ଦ୍ବାରା ଏ ବସିଥିଲା । ଏଇ କ୍ଷୁଦ୍ର ପଲ୍ଲୀର ବହୁ ସାଧୁସନ୍ଥ, ସଂଗ୍ରାମୀ, କବିଙ୍କ ସମାଗମ ହୋଇଛି । ବହୁ ଦେବାଦେବୀଙ୍କର ଏହା ଏକ ପବିତ୍ର ପୀଠ । ପୂଜାରୀ ବଂଶର ଇଷ୍ଟଦେବୀ ପେଣ୍ଡ୍ରାଣୀ, ଭଦ୍ରାଙ୍କ ଇଷ୍ଟଦେବୀ ସୁନାଦେଇମାତା, ମହିମା, ମାଉଳୀ, କଙ୍କାରୁଣୀ ଠାକୁରାଣୀଙ୍କ ମନ୍ଦିର, କବୀରପନ୍ଥୀ ସାଧୁ ଫକୀର ଦାସଙ୍କ ସମାଧି ପ୍ରଭୃତି ଏ ପଲ୍ଲୀ ଆଧ୍ୟାତ୍ମିକ ଜୀବନର ସାଧନାସ୍ଥଳୀ । ଏଠାରେ ରାଜାଙ୍କର ମୁସ୍ତାଦାର ଏବଂ ଭତ୍ରାକୁଳର ଭାତନାୟକ ଶ୍ରୀ ବଗା ପୂଜାରୀ ଏକ ପ୍ରଭାବଶାଳୀ ବ୍ୟକ୍ତିତ୍ବର ଅଧିକାରୀ ଥିଲେ । ଛ’ ଫୁଟର ଦୀର୍ଘ ଚେହେରା, ଗୌରବର୍ଣ୍ଣ, ବପୁବନ୍ତ, ଧୀରସ୍ଥିର, ନମ୍ର, ଭଦ୍ର, ସଂସ୍କୃତିସମ୍ପନ୍ନ, ଈଶ୍ବରବିଶ୍ବାସୀ ଓ ସମ୍ବେଦନଶୀଳ ମାନବବାଦୀ ମଣିଷ ସେ

ରାଜକର୍ମଚାରୀ ଓ ସରକାରୀ କର୍ମଚାରୀ, ରିବିନି, ପୋଲିସ, ଫରେଷ୍ଟଗାର୍ଡଙ୍କ ଅନୀତି ଓ ଅତ୍ୟାଚାର ଶୋଷଣପେଷଣର ସେ ଘୋର ବିରୋଧୀ ଥିଲେ ଏବଂ ସାଧାରଣ ଲୋକଙ୍କ ପ୍ରତି ସହାନୁଭୂତିଶୀଳ ଥିଲେ । ଜଣେ ମୁଠାଦାର ଓ ଭାତନାୟକ ହିସାବରେ ଗାଁରେ ସେ ବିପୁଳ କ୍ଷମତା ପାଇଲେ ମଧ୍ୟ ତା’ର କେବେ ଅସତ୍ ବ୍ୟବହାର କରୁନଲେ । ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା ପାଇଁ ସେ ସଦାଜାଗ୍ରତ ଥିଲେ ।

୧୯୩୬ ବେଳକୁ ବଡ଼ଭରଣ୍ଡିରେ ଗାନ୍ଧୀବିଚାର ଓ କଂଗ୍ରେସ ବାର୍ତ୍ତାର ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଥିଲା । ଶ୍ରୀ ବଗା ପୂଜାରୀ ଏ ମହାଭାରତୀୟ ବାର୍ତ୍ତା ଓ ଗାନ୍ଧି ବିଚାରର ମହାନ ଉଦ୍ଦେଶ୍ୟକୁ ହୃଦୟଙ୍ଗମ କରି ସ୍ୱାଧୀନତା ସଂଗ୍ରାମ ପ୍ରତି ଆକୃଷ୍ଟ ହୋଇପଡ଼ିଲେ ।

ଜିଲ୍ଲାର ତତ୍କାଳୀନ କଂଗ୍ରେସ ନେତା ଓ କର୍ମୀଙ୍କୁ କହିଲେ “ମୁଁ ମଧ୍ୟ ଭତ୍ରାମାନଙ୍କର ଭାତନାୟକ ହୋଇଛି । ମୋର ପାଲ୍ଲୀ ଝୁଲି ବଡ଼ସାନକେ ପଚାର। ମୁଁ କେମିତି ଲୋକ୍, ସେମାନେ ତମ୍ କେ ସାଂଗବେ । ମୁଁ କଂଗ୍ରେସରେ ମିଶିବି ଆକା । ରଜାଘର ମୁସ୍ତାଦାର ପାଇଟି ଛାଡ଼ିବି, ଭାତନାୟକ ଛାଡବି, ମୋତେ ଗୋଟେ କର୍ମୀ କରିଦିଅ ।”

କଂଗ୍ରେସର ଚାରିଜଣିଆ ସଭ୍ୟ ହୋଇ ସେ ବଡ଼ ଉତ୍ସାହରେ ସ୍ବରାଜ୍ୟ ଆନ୍ଦୋଳନରେ ଝାସ ଦେଲେ । ନାନା ସଂସ୍କାରମୂଳକ ଓ ରଚନାତ୍ମକ କର୍ମରେ ସକ୍ରିୟ ହୋଇ ଜନସାଧାରଣଙ୍କୁ ଆନ୍ଦୋଳନରେ ସାମିଲ କଲେ । ଆଦିବାସୀ ଗୃହପ୍ରାଙ୍ଗଣରେ ତୁଳସୀ ଚଉରା ସହ ତ୍ରିରଙ୍ଗା ପତାକାର ପୂଜା ଆରାଧନା, ଘରେ ପୁରାଣପାଠ, ରାମଧୁନ୍ ଗାନ, ସୂତାକଟା, ଖଦିବସ୍ତ୍ର  ଓ ଟ୍ରେଂଚ ପାଇଖାନା ବ୍ୟବହାର, ବିଦେଶୀ ଦ୍ରବ୍ୟ ବର୍ଜନ ଓ ସ୍ବଦେଶୀ ପଦାର୍ଥ ବ୍ୟବହାର ପାଇଁ ଆହ୍ବାନ ଦେବା ତାଙ୍କ ଜୀବନର ଦୈନନ୍ଦିନ କର୍ମ ହୋଇଗଲା ।

ଅଖ୍ୟାତ ବଡ଼ଭରଣ୍ଡିର ଶ୍ରୀ ମୁକୁନ୍ଦ ପୂଜାରୀ ଓ ଶ୍ରୀମତୀ ମୁରୀ ପୂଜାରୀଙ୍କ ପୁତ୍ର ଶ୍ରୀ ବଗା ପୂଜାରୀ ରାଜାଙ୍କ ମୁସ୍ତାଦାର ପାଇଟି ଛାଡ଼ି, କୁଳର ଭାତନାୟକ ସମ୍ମାନକୁ ପଛରେ ପକାଇ ଦେଶର ତଥା ଜାତିର ସଂକଟ କାଳରେ ପ୍ରୌଢ଼ ବୟସରେ ଭଦ୍ଦାମ ହୋଇ ଦେଶମାତୃକା ପାଇଁ କଠୋର ସଂଗ୍ରାମ କଲେ। ସେ କେବଳ ଜଣେ ବିଖ୍ୟାତ ଜନନେତା ହେଲେନି, ବିଦେଶୀ ଅତ୍ୟାଚାରୀ କର୍ତ୍ତୃପକ୍ଷଙ୍କ ପାଇଁ ଆତଙ୍କ ମଧ୍ୟ ବନିଗଲେ ।

ବଗା ପୂଜାରୀଙ୍କ ବ୍ୟକ୍ତିତ୍ବରେ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ  ଦେଖାଦେଲା। ଆଗରୁ ବଡ଼ଭରଣ୍ଡିରେ ଠକ୍କର ବାପାଙ୍କ ଆଶ୍ରମ କ୍ରିୟାଶୀଳ ଥିଲା ।ସେଠାରେ ଶ୍ରୀଧର ରେଡ଼୍ଡି, ଲକ୍ଷ୍ମଣ ସାହୁ, ମହମ୍ମଦ ବାଜୀ ନାନାବିଧ ସଂସ୍କାରମୂଳକ ରଚନାତ୍ମକ କାମ କରୁଥିଲେ। ଶ୍ରୀ ବଗାଙ୍କ ସକ୍ରିୟ ଯୋଗଦାନ ଯୋଗୁଁ ବଡ଼ଭରଣ୍ଡି କଂଗ୍ରେସର ଏକ ପ୍ରମୁଖ କେନ୍ଦ୍ର ହୋଇଗଲା । ବହୁନେତା ଓ କର୍ମୀଙ୍କ ଘନଘନ ସମାଗମ ହେଲା, ଗ୍ରାମାଞ୍ଚଳର ଅସଂଖ୍ୟ ଲୋକ ସ୍ବରାଜ ଆନ୍ଦୋଳନ  ପ୍ରତି ଆକୃଷ୍ଟ ହେଲେ ।

ବଗା ପୂଜାରୀଙ୍କ ଦେଶପ୍ରୀତି, ସାହସ, ଧୈର୍ଯ୍ୟ, ତ୍ୟାଗ ସହ ତାଙ୍କର ଓ ତାଙ୍କ ସ୍ତ୍ରୀଙ୍କ ଆତିଥ୍ୟ ସମସ୍ତଙ୍କୁ ମୁଗଧ କରିଥିଲା । ନିଜ ବେଡ଼ା ଧାନର ଚାଉଳ ଓ ବାଡ଼ିବଗିଚାର ପରିବା ଅତିଥିମାନଙ୍କ ସେବାସତ୍କାରରେ ସର୍ବଦା ଲାଗୁଥିଲା ।

ଗାନ୍ଧୀଙ୍କ ମହନୀୟ ବ୍ୟକ୍ତିତ୍ଵ ପ୍ରତି ବଗା ପୂଜାରୀଙ୍କ ମୁଗ୍ଧ ଆକର୍ଷଣ ଏବଂ ତାଙ୍କ ଭାବବିହ୍ବଳ ବକ୍ତବ୍ୟ ଅବଶ୍ୟ ସ୍ମରଣୀୟ – “ଗାନ୍ଧୀ ମହାପ୍ରୁ ଲଢୁଛି । କା’କୁ ହେଲେ ମିଶା ନାଇଁ ଡରେ । ପୋଲିସର କେତେ ଗୁଳିବାରୁଦ୍ ମିଲଟେରୀ କା’କୁ ମିଶା ନାଇଁ ଡରେ-ସମସ୍ତଙ୍କୁ ଡରେଇ ରଖିଲାଇଚେ । ମା’ପ୍ରୁ  ନହେଲେ ତାକେ ସାଇବମାନେ ରଖତେକି । ଗୋଟେ ଲୋକ ଏଡ଼ବଡ଼୍ ସାଇବ ମାନକେ ଯା’ର ହାତରେ ଗୁଳି ଆଛେ, ମିଲିଟାରୀ ଆଛେ , ଯା’ର ତଳେ ରାଜା ମହାରାଳା ଅଛତ୍ ସବକେ ଡରେ କରି ରଖିଲା ଅଛଥ୍ । ଗାନ୍ଧୀ ମହାପ୍ରୁ ହାତେ କାଇଟା ନାଇଁ, ନଳୀ ନାଇଁ, ଗୁଳି ନାଇଁ, ଖଦିପଟା ମିଶା ପିନ୍ଧିବାକୁ ନାଇଁ । ହାଇ ଲୋକ୍ ମା’ପ୍ରୁ ନାଇ ହେଲେ ୟାକେ କିମତେ ଡରତେ ?”

ଗାନ୍ଧୀଙ୍କର ଏ ନୂତନ ସଚ୍ଚାଭକ୍ତ ୧୯୪୨ର ଭାରତଛାଡ଼ ଆନ୍ଦୋଳନ ଡାକରାରେ ବଡ଼ଭରଣ୍ଡି ଅଞ୍ଚଳରେ ଅଗ୍ରଣୀ ଭୂମିକା ନେଲେ । ବେହରଣ/ମେଳଣର ଆୟୋଜନ କଲେ – ମାଥିଲି, ତେନ୍ତୁଳିଗୁମ୍ମା ଅଞ୍ଚଳରେ ଲକ୍ଷ୍ମଣ ନାୟକଙ୍କ ଭଳି ପ୍ରସିଦ୍ଧ ହେଲେ ଓ ପ୍ରତିଷ୍ଠା ଅର୍ଜନ କଲେ । ବ୍ରିଟିଶ ସରକାର ତାଙ୍କୁ ଗିରଫ କରି ନେଇ ନବରଙ୍ଗପୁର ଜେଲ ହାଜତରେ ରଖିଲେ । ସେ ଅଞ୍ଚଳର ନେତା ଥିଲେ ବୋଲି ତାଙ୍କୁ ଅତ୍ୟଧିକ ଶାରୀରିକ ନିର୍ଯ୍ୟାତନା ଦେଲେ । ନବରଙ୍ଗପୁର ସବଡ଼ିଭିଜନାଲ ମାଜିଷ୍ଟ୍ରେଟ୍ ୧୯୪୨ ମସିହା ନଭେମ୍ବର ୧୪ ତାରିଖରେ ତାଙ୍କୁ ୪ମାସ ଜେଲଦଣ୍ଡ ଓ ଟ୩୨/- ଆର୍ଥକ ଜୋରିମାନା ଆଦେଶ କଲେ । ନଭେମ୍ବର ୨୨ ତାରିଖରେ ସେ କାଳର ତରୁଣ ସଂଗ୍ରାମୀ ଶ୍ରୀ ସୀମାଞ୍ଚଳ ବେହେରାଙ୍କ ସହ ତାଙ୍କୁ ହାତକଡ଼ି ପକାଇ କୋରାପୁଟକୁ ସ୍ଥାନାନ୍ତରିତ କରାଗଲା ।

ଶ୍ରୀ ପୂଜାରୀ କୋରାପୁଟ କେନ୍ଦ୍ରୀୟ ଜେଲର ୩୬୬୬ ନମ୍ବର କଇଦୀ ହେଲେ । ଯୌବନରେ ଅୟସରେ ଜୀବନ କଟାଇଥିବା ମୁସ୍ତାଦାର ଭାତନାୟକ ପ୍ରୌଢ଼ ଜୀବନରେ ଦେଶର ସ୍ଵରାଜ ଆନ୍ଦୋଳନରେ ଯୋଗ ଦେଇ ଦୁଃସହ ଦୁଃଖଦ ଜୀବନ ଆଦରି ନେଲେ । ଜେଲର ଅପରିଷ୍କାର ପରିବେଶ, ଅବ୍ୟବସ୍ଥା, ଅଖାଦ୍ୟ ଯୋଗୁଁ ତାଙ୍କ ସ୍ବାସ୍ଥ୍ୟ ଭାଙ୍ଗି ପଡ଼ିଲା । ସମୁଚିତ ଚିକିତ୍ସାର ଅଭାବ, ଅସହ୍ୟ ମାନସିକ ଯନ୍ତ୍ରଣାରେ କାତରିତ ଏ ମହାନ ଯୋଦ୍ଧାଙ୍କ ଜୀବନଦୀପ ନିର୍ବାପିତ ହୋଇଗଲା, ୧୯୪୩ ମସିହା ଫେବୃୟାରୀ ମାସ ୧୦ ତାରିଖ ରାତିରେ, ଜେଲ କୋଠରୀ ଭିତରେ । କିନ୍ତୁ ଜେଲ କର୍ତ୍ତୁପକ୍ଷ ପରଦିନ ପୂର୍ବାହ୍ନ ୧୧ଟା ବେଳେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଘୋଷଣା କଲେ । ଶ୍ରୀ ବଗା ଆଉ ତିନିଦିନ ଗଲେ ଜେଲରୁ ମୁକ୍ତି ପାଇଥାନ୍ତେ ଏବଂ ଆଉ ସାଢ଼େ ଚାରିବର୍ଷ ପରେ ସ୍ୱରାଜର ସ୍ୱାଦ ଚାଖିଥାନ୍ତେ । ତାଙ୍କ ଜୀବନର ସ୍ଵପ୍ନ, ସାଧନା, ସଂଗ୍ରାମ ସଫଳ ହୋଇଥାନ୍ତା । ସେ ସୌଭାଗ୍ୟରୁ ସେ ବଞ୍ଚିତ ହେଲେ। ଦେଶବାସୀ ଅକାଳରେ ଜଣେ ମହାନ ସଂଗ୍ରାମୀ ପୁରୁଷଙ୍କୁ ହରାଇଲେ ।

ମୁକ୍ତିସଂଗ୍ରାମୀ ଶହୀଦ ବଗା ପୂଜାରୀଙ୍କ ତ୍ୟାଗପୂତ ଜୀବନର ସଂଗ୍ରାମୀ ଗାଥା ମାନବଜାତି ପାଇଁ ସ୍ମରଣୀୟ, ଅବଶ୍ୟ ବନ୍ଦନୀୟ । ଯୁଗେ ଯୁଗେ ଶହୀଦର ମୃତ୍ୟୁ ନାହିଁ – ଇତିହାସର ଭଗତ ସିଂ, ଗାନ୍ଧୀ, ଜୟୀ ରାଜଗୁରୁ ହୁଅନ୍ତୁ କି ବୀର ବିର୍ସାମୁଣ୍ଡା, ଲକ୍ଷ୍ମଣ ନାୟକ, ବଗା ପୂଜାରୀ ହୁଅନ୍ତୁ, ସେମାନେ ମୃତ୍ୟୁଞ୍ଜୟୀ । ସେମାନଙ୍କ ମୃତ୍ୟୁରେ ଅଗଣିତ ବୀରଙ୍କ ଜନ୍ମ । ସେମାନେ ଚିର ଅମର, ମାନବ ସମାଜର ନମସ୍ୟ ।

ଆଧାର: ଶ୍ରୀ ଶିବରାମ ପାତ୍ର;
ଆମେ ଓଡ଼ିଆ, ଶ୍ରୀ ନୃସିଂହ ଚରଣ ସାହୁ

Baga Pujari Bada Bharandi Mathili Quit India Movement Mahatma Gandhiji © Niranjan Sahu
Spread the love
Antaranga Kalinga

Recent Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

5 days ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 weeks ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

2 weeks ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 weeks ago