ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି (୧୯୨୩–୧୯୭୩) ଲେଖନୀ ଚାଳନା ହିଁ ମାନସିଂହଙ୍କ ସମସ୍ତ ରଚନାର ପରିପ୍ରକାଶ। ଅଠର ବର୍ଷ ବୟସରେ ପ୍ରଥମ କବିତା ସୃଷ୍ଟି ହୋଇଥିଲେ ମଧ୍ୟ ତାହା ପ୍ରକାଶିତ ହୋଇଥିଲା ୧୯୨୮ ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାର ବୈଶାଖ ସଂଖ୍ୟାରେ। କବିତା ଥିଲା “ତରୁଣ କବିର ଆଶା” । ପରବର୍ତ୍ତୀ ସମୟରେ ପ୍ରଗତି ସଂଘ, କଟକ ଦ୍ୱାରା ପ୍ରକାଶିତ ହେଲା ଧୂପ ନାମକ ପୁସ୍ତକ ୧୯୩୧ ମସିହାରେ ୩୨ ଗୋଟି କବିତାକୁ ନେଇ। ସେତେବେଳକୁ ମାନସିଂହୀୟ ପ୍ରେମ କବିତା ଗୁଡ଼ିକର ବାସ୍ନା କ୍ରମଶଃ ଆଘ୍ରାଣ କରିବାକୁ କିଶୋର, ଯୁବପିଢ଼ି ଉତ୍ସାହିତ ହୋଇ ଉଠିଲେଣି । ମର୍ଯ୍ୟାଦାବନ୍ତ ସାରସ୍ଵତ ପତ୍ରିକା ସହକାରରେ ସ୍ଥାନ ପାଇଥିବା ଗୋଟିଏ ସ୍ଵତନ୍ତ୍ର କାଗଜରେ ବିଜ୍ଞାପନଟିଏ ଆହୁରି ଟାଣି ନେଇ ଆସିଲା ଅଗଣିତ ଶ୍ରଦ୍ଧାଶୀଳ ପାଠକଙ୍କୁ: “ମାନସିଂହଙ୍କ ପ୍ରଥମ କବିତା ଗ୍ରନ୍ଥ ଧୂପ ଶୀଘ୍ର ପ୍ରକାଶିତ ହେବ । ପ୍ରାଣସ୍ପର୍ଶୀ ପ୍ରେମ କବିତାର ସଂଗ୍ରହ। ପ୍ରାୟ ସମସ୍ତ କବିତା ଅପ୍ରକାଶିତ ଥିଲା। ଆଗାମୀ ପୂର୍ଣ୍ଣିମାକୁ ଅପେକ୍ଷା କରନ୍ତୁ। ସୁନ୍ଦର ଛାପା, ଶସ୍ତା ଦାମ୍, ଉପହାରର ଶ୍ରେଷ୍ଠ ସାମଗ୍ରୀ”।
ଏମିତି କେତେ ଜଣ କବିଙ୍କ ଭାଗ୍ୟରେ ଜୁଟେ ? ଛାପା କାଳିରେ ଲେଖା ପୁସ୍ତକ ପ୍ରକାଶିତ ହେବା ପୂର୍ବରୁ, ସହକାର ପରି ମର୍ଯ୍ୟାଦାବନ୍ତ ସାହିତ୍ୟ ପତ୍ରିକା ବିଜ୍ଞାପନ ଦେଇ ପାରନ୍ତି ପୁସ୍ତକ ପାଠକାର୍ପଣ ହେବା ପୂର୍ବରୁ ! ଏହାହିଁ ତ କବିର ପୁରସ୍କାର !
ଏଇଠି ଆଉ ଗୋଟିଏ କଥା କହିଦେବା ଉଚିତ ହେବ। ପ୍ରେମ ଓ ପ୍ରଣୟର କବିତା/କାବ୍ୟ ବୋଲାଉଥିବା ଧୂପ, ହେମପୁଷ୍ପ ଓ ହେମଶସ୍ୟ ପାଠକ ହୃଦୟରେ ସୌନ୍ଦର୍ଯ୍ୟପୂର୍ଣ୍ଣ ଛାପ ସୃଷ୍ଟି କରିସାରିବା ବେଳକୁ ତରୁଣ କବି ମାନସିଂହଙ୍କ ମନରେ ଆଉ ଗୋଟିଏ ଧାରାର ଉନ୍ମେଷ ଘଟି ସାରିଲାଣି। ପୁନଶ୍ଚ, କ୍ରମେ କ୍ରମେ ନିଷ୍ପ୍ରଭ ହୋଇ ଆସୁଥିଲା ପ୍ରେମ ଗାଥାର କବିତା ସମୂହ। ଏକ ଭିନ୍ନ ମୋଡ଼ ନେଇଥିଲା ମାନସିଂହଙ୍କ ଚିନ୍ତନ । ତିରିଶି ବର୍ଷ ବେଳକୁ ବୌଦ୍ଧଧର୍ମ ପ୍ରତି ଆସକ୍ତି, ଗଭୀର ଅଧ୍ୟୟନ, ଇଂରାଜୀ ଭାଷା ପ୍ରତି ଅନୁରକ୍ତି, ବହୁ ଭାଷାରେ ପାଣ୍ଡିତ୍ୟ, ସମାଜକୁ ନିରିଖେଇ ଦେଖିବାର ଅଭିପ୍ସା ମନ ଓ ହୃଦୟ ଭିତରେ ସକାରାତ୍ମକ କାୟା ବିସ୍ତାର କରି ଆସିଥିଲା। ବାଲ୍ୟ କାଳରେ ଅଭାବକ୍ଳିଷ୍ଟ ଜୀବନଯାତ୍ରା, ପରେ ପରେ ରେଭେନ୍ସା କଲେଜରେ ଅଧ୍ୟୟନର ସୁଫଳ, ପାଶ୍ଚାତ୍ୟ ସାହିତ୍ୟ, ବିଶେଷ କରି ଇଂରେଜ କବିମାନଙ୍କ ରଚନାରେ ଅନୁପ୍ରାଣିତ, ସାଲିସ ହୀନ କର୍ତ୍ତବ୍ୟ: ଏ ସମସ୍ତର ଆତ୍ମପ୍ରକାଶ ଘଟିବାକୁ ଲାଗିଲା ତାଙ୍କ କବିତା ମାନଙ୍କରେ। ଆମର ମହାନ କବି ମହୋଦୟ ନିଜେ ସ୍ବୀକାର କରନ୍ତି: “କାବ୍ୟପଯୋଗୀ ଅନୁଭୂତି ଲେଖକ ଜୀବନରେ ଘଟିଥିଲେ ହେଁ, ଇଂରେଜ କବିମାନଙ୍କ ସଙ୍ଗେ ପରିଚୟ ଘଟିନଥିଲେ ସେ ଅନୁଭୂତି ଏ ପ୍ରକାର ଆତ୍ମପ୍ରକାଶ କରିନଥାନ୍ତା । ଆମ ସାହିତ୍ୟରେ ପ୍ରେମ କବିତାର ଅରଣ୍ୟ ରହିଛି — କିନ୍ତୁ ସେଥିରେ ବିଚିତ୍ରତା ନାହିଁ। ସେ ଜଙ୍ଗଲ ଯେପରି ଗୋଟିଏ ଗଛର ଜଙ୍ଗଲ। କିନ୍ତୁ ଇଂରେଜୀ ସାହିତ୍ୟ ପ୍ରତ୍ୟେକ କବିର ବ୍ୟକ୍ତିଗତ ବିଭିନ୍ନ ଅଭିଜ୍ଞତାରେ କବଳିତ । ତାହା ଦେଖି ହିଁ ନିଜର ଅଭିଜ୍ଞତାକୁ ନିଜର ସ୍ଵତନ୍ତ୍ର ରୀତିରେ ପ୍ରକାଶ କରିବାକୁ ଲେଖକର ସାହସ ହେଲା। ଅନେକ କବିତା ଇଂରାଜୀ ଛନ୍ଦର ଅନୁକରଣରେ ରଚିତ”।
ମାନସିଂହଙ୍କ ରଚିତ ସମସ୍ତ କାବ୍ୟ, କବିତା ବିଚାରକୁ ନେଲେ ଏହି ନିଷ୍କର୍ଷରେ ପହଂଚିବାକୁ ହେବ ଯେ, ତାଙ୍କ କବିତାର ମୂଳ ଭିତ୍ତି ହେଉଛି, ଇହଜଗତ ପ୍ରତି ଆସକ୍ତି, ଅତ୍ୟଧିକ ମାନବ ପ୍ରୀତି, ଆଧିଭୌତିକ ଚେତନା, ଦାର୍ଶନିକ ଚିନ୍ତନ, ଶରୀର ଅପେକ୍ଷା ଆତ୍ମାରେ ଆସ୍ଥା ପ୍ରକଟ, ଦେଶପ୍ରେମ, ଅନୁଭବୀ ମନର ଚିତ୍ରକଳ୍ପ, ମାନବବାଦୀ ଦୃଷ୍ଟିକୋଣ, ମାଟିର କଥା ଇତ୍ୟାଦି। ତାଙ୍କରି ଭାଷାରେ — “ଜଗତର ଶ୍ରେଷ୍ଠ କବିଗଣଙ୍କ କାବ୍ୟ କବିତାରେ ଏହାହିଁ ଦେଖିବାକୁ ମିଳେ। ସେମାନଙ୍କର ମୁକୁଟ ଆକାଶ ସ୍ପର୍ଶ କରିଥିଲେ ହେଁ, ସେମାନଙ୍କ ପାଦ ତାଙ୍କର ନିଜ ଦେଶ ମାଟି ଉପରେ। ସେମାନେ ନିଜ ମାଟିରୁ ରସ ସଂଗ୍ରହ କରି, ନିଜର ପ୍ରତିଭା ବଳରେ ହିଁ ତାକୁ ସବୁ ଦେଶର ସମ୍ପତ୍ତି କରିଯାଇଛନ୍ତି” ।
ଅତୀତରେ ଓଡ଼ିଆ ପ୍ରାଚୀନ ସାହିତ୍ୟ ଥିଲା ଅତି ଗରୀୟାନ । ବର୍ଣ୍ଣନା ପାଟବ, ଶବ୍ଦଚାତୁର୍ଯ୍ୟ, ଅଳଙ୍କାରଯୁକ୍ତ ଥିଲେ ହେଁ ଭାବ ଦୃଷ୍ଟିରୁ କିନ୍ତୁ ଥିଲା ଦୁର୍ବଳ। ତେବେ ସାରା ଦେଶରେ ନବଜାଗରଣ ଉଦ୍ରେକ ହେତୁ ସାହିତ୍ୟରେ ସ୍ଥାନ ପାଇଲା ମାଟିର କଥା, ଜନଜୀବନର ଗାଥା। ଓଡ଼ିଆ ସାହିତ୍ୟରେ ଏହି ନବଜାଗରଣର ସ୍ପର୍ଶ ଅନୁଭୂତ ହେଲା ରାଧାନାଥଙ୍କ ଉତ୍କଳ ଜନମାନସରୁ ପୋଛି ହୋଇଯାଇଥିବା ସ୍ଥାନ, ପ୍ରକୃତିର ମନୋରମ ଚିତ୍ର, ଫକୀରମୋହନଙ୍କ କଥା ସାହିତ୍ୟରେ ସାଧାରଣ ମଣିଷର ଗାଥା, ସମାଜର ନିଖୁଣ ଚିତ୍ର। ଓଡ଼ିଆ ସାହିତ୍ୟର ଏହି ଦୁଇ ପ୍ରଥିତଯଶା ସାହିତ୍ୟରଥିଙ୍କ ଲେଖାର ଛାପ ଅନୁଭୂତ ହୋଇଥିଲା ମାନସିଂହୀୟ ସୃଷ୍ଟିରେ । ଅଭାବୀ ମନ, କୁଟୀର ବାସିନୀ ତରୁଣୀର କାହାଣୀ, ତଳିଆ ଜୀବର ବିଳାପ, କୃଷକ, ବଢ଼େଇ, କିରାଣୀର ମନ ବେଦନା ଓ ତତ୍ସହିତ ଦେଶ ମା’ର ଆହ୍ବାନ, ମାଟିଆ ବୁରୁଜରେ ପ୍ରାଣହୀନ ନିରୀହ ଓଡ଼ିଆର କରୁଣ କୀର୍ତ୍ତି, ମା’ ଓଡ଼ିଶା — ଏ ସବୁ ରୂପ ନେଲେ ତାଙ୍କ ସର୍ଜନାରେ ।
କାବ୍ୟ କବିତାର କଥାବସ୍ତୁ ଓ ଗଠନ ରୀତି ଅନୁସାରେ ଏ ମାଟିକୁ ନିର୍ଭର କରିଛନ୍ତି ଡ. ମାନସିଂହ ତାଙ୍କର ଅନେକ କାବ୍ୟ ମଧ୍ୟରେ। ମାନବିକ ଅନୁଭୂତିର ପରିପ୍ରକାଶ ସକାଶେ ଯଥାସାଧ୍ୟ ଉଦ୍ୟମ ହିଁ ତାଙ୍କୁ ଆମ ସାହିତ୍ୟରେ ଅନ୍ୟାନ୍ୟ କବିମାନଙ୍କ ଠାରୁ ଭିନ୍ନ କରି ବା ଏକ ସ୍ଵତନ୍ତ୍ର ଆସନ ଦେଇ ଉଭା କରିଛି ଅଗଣିତ ସାରସ୍ଵତ ପ୍ରେମୀ ମାନଙ୍କ ସମ୍ମୁଖରେ। ଏଠାରେ ରାଜପ୍ରସାଦ ବାସିନୀ ରାଜନନ୍ଦିନୀ ପରିବର୍ତ୍ତେ ଆସନ ଦେଇଛନ୍ତି କୁଟୀର ବାସିନୀ ପଲ୍ଲୀବାଳା, ଉତ୍କଳୀୟ ଐତିହ୍ୟ ଗୌରବମୟ ତତ୍ତ୍ଵକୁ ଆଧାର କରି ରୋମାଣ୍ଟିସିଜିମ୍ର ପୁଟ ଦେଇ, କେଉଁ ଏକ କବିତାରେ ନିଜେ କବି ହିଁ ନାୟକ, ନିପଟ ମଫସଲର ଦୁଃଖ ଜର୍ଜରିତ କନ୍ୟାର ହୃଦୟ ଭରା କାହାଣୀର ବାସ୍ତବ ଚିତ୍ର, ପୁଣି କେଉଁ କେଉଁ କାବ୍ୟରେ ରୂପାୟିତ ହୋଇଛି ସ୍ଵ ଜୀବନାଭୂତିର ନିର୍ଯ୍ୟାସ — ଏ ସମସ୍ତ ହିଁ ମାନସିଂହୀୟ ଶୈଳୀ ବା ମାନସିଂହ କାବ୍ୟ ପ୍ରତିଭା।
ମାନସିଂହଙ୍କ ସୃଷ୍ଟିରେ ତାଙ୍କର ବିଭିନ୍ନ କବିତା ଯଥା, ପ୍ରେମ, ପ୍ରଣୟ, ସନେଟ୍, ଦେଶପ୍ରେମ, ସମାଜ ଓ ରାଜନୈତିକ ଚିତ୍ର, ବିଭୁ ପ୍ରେମ, ଗୀତିକବିତା, କିଶୋର କବିତା, ପ୍ରକୃତି ସୌନ୍ଦର୍ଯ୍ୟ, ମହାମାନବଙ୍କ ଗାଥା, ସମାଜର ବିଭିନ୍ନ ବର୍ଗ, କ୍ଷୁଦ୍ର କବିତା ଆଦିକୁ ବାଦ ଦେଇ ଖଣ୍ଡକାବ୍ୟ, ମହାକାବ୍ୟ, କାବ୍ୟ ଏମିତି ଛଅଗୋଟି ରଚନା ଉପଲବ୍ଧ । ୧୯୨୭ ମସିହାରୁ ୧୯୫୭ ମସିହା ମଧ୍ୟରେ ନାନା ଖଣ୍ଡନ ମଣ୍ଡନ ମଧ୍ୟରେ ଏ କାବ୍ୟଗୁଡି଼କ ଲିଖିତ ଓ ପ୍ରକାଶିତ, ଯାହା ସବୁ ବିଶିଷ୍ଟ ସଙ୍କଳକ ଡ. ଶ୍ରୀଚରଣ ମହାନ୍ତି ମହୋଦୟ ଗ୍ରନ୍ଥମନ୍ଦିର କର୍ତ୍ତୃକ ମାନସିଂହ ଗ୍ରନ୍ଥାବଳୀ ୫ମ ଖଣ୍ଡରେ ସ୍ଥାନିତ। ଏହି ଛ’ଗୋଟି ରଚନା ସ୍ଵୟଂସମ୍ପୂର୍ଣ୍ଣ। ମାନସିଂହଙ୍କ ମୂଲ୍ୟାୟନ ଏହି ଛଅଗୋଟି ରଚନା ବ୍ୟତିରକେ କଦାପି ପୂର୍ଣ୍ଣାଙ୍ଗ ହୋଇନପାରେ। ପର୍ଯ୍ୟାୟ କ୍ରମେ ଏହି କାବ୍ୟ, ମହାକାବ୍ୟ, ଖଣ୍ଡକାବ୍ୟମାନଙ୍କର ଆଲୋଚନା ନିମ୍ନମତେ:
~ ଉପେକ୍ଷିତା ~
ରାମାୟଣର ବିଭିନ୍ନ ଚରିତ୍ରମାନଙ୍କ ମଧ୍ୟରେ ସୂର୍ପଣଖା ମଧ୍ୟ ଏକ ଚରିତ୍ର, ଯିଏକି ଗୋଟେ ମାୟାବୀ ଆସୁରିକ ପ୍ରକୃତିର ନାରୀ। ସାଧାରଣ ପାଠକ ମହଲରେ ଗୋଟିଏ ନିନ୍ଦିତ ଚରିତ୍ର ! ହେଲେ ବି ସେ ଜଣେ ନାରୀ, ଅପୂର୍ବ ସୁନ୍ଦରୀ, ବିଶ୍ରବାନନ୍ଦିନୀ, ଜ୍ଞାନୀ ତଥା ପଣ୍ଡିତ ରାବଣଙ୍କ ଭଗିନୀ। ତାଙ୍କ ମନରେ ବି ନାରୀସୁଲଭ ଗୁଣ ରହିବା ସ୍ବାଭାବିକ। ସେ ବି ପ୍ରେମ କରିପାରନ୍ତି ! ସଂସାର ପ୍ରତି ଆସକ୍ତି ମଧ୍ୟ ହୃଦୟରେ ବ୍ୟାକୁଳତା ଜାଗିଉଠିବା ନିଃସନ୍ଦେହ ! ଯୌବନ କାଳରେ ମନର ମଣିଷକୁ ପ୍ରେମ ଓ ପ୍ରଣୟରେ ବାନ୍ଧି ରଖିବା ମଧ୍ୟ ତାଙ୍କ ମନରେ ରହିବା ସ୍ବାଭାବିକ, ନହେଲେ ତ ନାରୀ ପଦବାଚ୍ୟ ହୋଇ ପାରିବେ କି ? ଶିକ୍ଷା ସକାଶେ ଆଶ୍ରମରେ ଥିବା ସମୟରେ ଜଣେ ସହପାଠୀଙ୍କୁ ଭଲ ପାଇବା ଓ ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ମନର ଭାବ ପ୍ରକାଶ କରିବା ବେଳକୁ, ପ୍ରତ୍ୟାଖ୍ୟାନ କରିଛନ୍ତି ସହପାଠୀ ବନ୍ଧୁ ! ତେଣୁ ବିଶ୍ରବାନନ୍ଦିନୀଙ୍କ ମନରେ ଆସିଛି ସଂସାର ପ୍ରତି ଉଦାସୀନ ଭାବ ଓ ବୈରାଗ୍ୟ । ପ୍ରକାରାନ୍ତରେ ଉପେକ୍ଷିତା ହୋଇ ଆଲୁଳାୟିତ କେଶ, ଛିନ୍ନବସ୍ତ୍ର ଧାରଣ କରି ବନଚାରିଣୀ ହୋଇଛନ୍ତି ସୂର୍ପଣଖା । ବନ ମଧ୍ୟରେ ଭ୍ରମି ଭ୍ରମି ଦୂରରୁ ଦେଖିଛନ୍ତି ଅଭିରାମ ରୂପକାନ୍ତି ଯୁକ୍ତ ଶ୍ରୀରାମଙ୍କୁ । ତାଙ୍କ ସମ୍ମୁଖରେ ଭାସି ଆସିଛି, ଅତୀତର ସେହି ପ୍ରେମିକଙ୍କ ରୂପ। ତେଣୁ ପାଗଳିନୀ ହୋଇ ଉଠିଛନ୍ତି ସୂର୍ପଣଖା ! ଶ୍ରୀରାମଙ୍କ ବେଶଭୂଷା, ଅସହାୟ ଦଶା ଦେଖି ଧିକ୍କାର କରିଛନ୍ତି ସାରା ସଂସାରକୁ, ସମାଜକୁ ଏବଂ ଅଯୋଧ୍ୟା ରାଜକୁଳକୁ। ତାଙ୍କ ମନର ମଣିଷକୁ ଖୋଜିଛନ୍ତି ଓ ଏବେ ବି ଖୋଜି ଚାଲିଛନ୍ତି, କିନ୍ତୁ . .
“ଏ ଅରଣ୍ୟେ, ପୁଣି କେତେ ଋଷି ତପୋବନେ
ବୁଲିଲି ଆକାଂକ୍ଷା ଭରେ, ନ ପାଇଲି କିନ୍ତୁ
ସେ ରୂପ ଲାବଣ୍ୟମୟ ଯୁବା ମୁଖ କାହିଁ ?
ସ୍ମୃତିକି କେବଳ ସଖି ସାଇତି ଏ ବକ୍ଷେ
ଯାପିଲି ବହୁତ କାଳ, କରିଥିଲି ଇଚ୍ଛା
ସେହିପରି ଯାଇଥାନ୍ତା ବହି ଏ ଜୀବନ
କଳ୍ପିତ ଆମୋଦେ ଭୋଗି ସ୍ଵପ୍ନେ ଭାସି ଭାସି,
କିନ୍ତୁ ହାୟ ! ପୁଣି ବିଧି ଛେଚିଲା କଠୋରେ
ବାସ୍ତବତା ରୁକ୍ଷ ଅଙ୍ଗେ, ଚଖାଇ ମଧୁର
ଦେଇଛି ଅଜାଡ଼ି ଶେଷେ ହଳାହଳ ରାଶି” !
ଏକ ନିଆରା ନୂତନ ସ୍ୱାଦର କାବ୍ୟ ଉପେକ୍ଷିତା। ସୂର୍ପଣଖା ହୃଦୟ ମଧ୍ୟରେ ଦେଖିଛନ୍ତି କବି ମହୋଦୟ ନାରୀର ସୁକୁମାର ହୃଦୟ, ନାରୀର ପ୍ରେମ ଓ ବିବାହ ବାସନା, ତଥାକଥିତ ସମାଜର ଅନ୍ୟାୟ ବିରୁଦ୍ଧରେ ନାରୀର ଧିକ୍କାର । ଏହା ହିଁ ଏକ ବୈପ୍ଳବିକ ଚିନ୍ତାଧାରା ଯାହା କେବଳ #ସାହିତ୍ୟଭାସ୍କର ମାନସିଂହଙ୍କ ଶୈଳୀ, “ଅମଡ଼ାରେ ମାଡ଼ି ଯାଇ ଅପଥରେ ପଥ ତିଆରିବାର ଦୃଢ଼ ମାନସିକତା” !
~ ନିକ୍ଵଣ ~
ନିକ୍ଵଣ କାବ୍ୟ ମାନସିଂହଙ୍କ ହୃଦୟର ଝଙ୍କାର ନୁହେଁ କେବଳ, ପ୍ରତି ତରୁଣର ପ୍ରାଣର ଝଙ୍କାର । କବି ନିଜେ ଏଇଠି ନାୟକ, ଗୋଟିଏ ଅଜ୍ଞାତ ରାଜକନ୍ୟା ନାୟିକା ।୧୯୨୭ ମସିହା ମାର୍ଚ୍ଚ ୨୦ ତାରିଖରୁ ୩୦ ତାରିଖ ମଧ୍ୟରେ ବସନ୍ତର ସ୍ବପ୍ନିଳ ମୂହୁର୍ତ୍ତରେ ଏହି କାବ୍ୟ ରଚିତ। କାବ୍ୟମାଳାରେ ଗ୍ରଥିତ ୧୬ ଗୋଟି ସ୍ତବକ ଗୋଟିଏ ଗୋଟିଏ ସ୍ଵତନ୍ତ୍ର କବିତା, ଷୋହଳଟି ବସନ୍ତର ସ୍ବପ୍ନିଳ ଛାଇ ଯେମିତି ଧରାପୃଷ୍ଠରେ ଆତଯାତ ! ଯେଉଁ କବି ‘ଜୀବନ ଗୀତ’ ଗାଇପାରେ, ସେ ହିଁ ରାଜକବି ଭାବରେ ସମ୍ମାନିତ ହୋଇପାରେ ! ତରୁଣ ବୟସର କବିଙ୍କ ମନରେ ଥିବା ଭାବନା ହିଁ #ନିକ୍ଵଣ ମାଧ୍ୟମରେ ପ୍ରସ୍ଫୁଟିତ:
“ତୁମେ କାହିଁକି ମୋ ପାଶେ ଚାହଁ ପ୍ରେୟସୀ
ହୃଦୁ ଏତେ କଥା ଖୋଲିଦିଅ ଭରସି।
ପ୍ରାଣ ଢାଳିଦିଅ ମୋ ଚରଣ ତଳରେ
ଅନୁରାଗ ଗୋ ଦେଖାଅ ଏତେ ଛଳରେ ।”
ଏବଂ ପ୍ରତ୍ୟୁତ୍ତରରେ :
“ଆଜି ଠାରୁ ନୁହେଁ ମୁହିଁ
‘ପୂଜନୀୟା’, ‘ଶ୍ରୀମତୀ’ ବା ‘ଦେବୀ’,
କହ ଖାଲି ‘ସଖୀ’ ବୋଲି
ସେହି ବର ଶିରେ ବହିନେବି।
ତୁମେ ମଧ୍ୟ ଆଜିଠାରୁ
ନୁହଁ ଆଉ ‘କବି’, ‘କବିବର’
ତୁମେ ମୋ ପରମଧନ
‘ସବୁ’ ଏଇ କ୍ଷୁଦ୍ର ଜୀବନର।”
~ ଶୁଭଦୃଷ୍ଟି ~
ମହାଭାରତର ଏକ କିମ୍ବଦନ୍ତୀକୁ ନେଇ ଏହି କାବ୍ୟଟିର ସୃଷ୍ଟି। ନାଗ ରାଜକନ୍ୟା ଉଲୁପୀ ଏବଂ ଧନଞ୍ଜୟଙ୍କ ମଧ୍ୟରେ ପ୍ରେମ, କଥୋପକଥନ ଆଦିର ଚିତ୍ର । ଟିକେ ନିରୀକ୍ଷଣ କଲେ ଅବଶ୍ୟ ଓଡ଼ିଆ ରମଣୀ ଓ ଓଡ଼ିଆ ପାଇକର ସମ୍ବନ୍ଧ ଏଠାରେ ପ୍ରତିଫଳିତ। ମାନସିଂହ ଏହି କବିତା ମାଧ୍ୟମରେ ଉତ୍କଳୀୟ କନ୍ୟା ଓ ଶୌର୍ଯ୍ୟବନ୍ତ ଓଡ଼ିଆ ପାଇକର ଚିତ୍ର ଅତି ନିଖୁଣ ଭାବରେ ଉତ୍ତୋଳନ କରିଛନ୍ତି । ନାରୀ ଅବଳା ନୁହେଁ, ସେ ବୀରା, ସେ ଭଲପାଏ ତା’ର ଦେଶକୁ, ମାଟିକୁ। ନାରୀ ଜୀବନର ସର୍ବଶ୍ରେଷ୍ଠ ଧନକୁ ସେ ହସିହସି ଉତ୍ସର୍ଗ କରିଦିଏ ଦେଶମାତୃକାର ସେବା ପାଇଁ। ଦେଶ ମା’ର ଆହ୍ବାନ କ୍ରମେ ସେ ବିଦାୟ ଦିଏ ପ୍ରିୟତମକୁ, ତା ମନରେ ଗୁଞ୍ଜରିତ ହୁଏ:
“ପ୍ରିୟହୀନ ଏ ଭୁବନେ, ତାଙ୍କ ସ୍ମୃତି ଧରି
ନୟନ-ତରଳ-ବାଷ୍ପ ନେତ୍ରେ ଦେଇ ମାରି
କରିବି ତାଙ୍କର ପୂଜା। ଯାଆନ୍ତୁ ମୋ ପ୍ରିୟ
ବିଦାୟର ଦଣ୍ଡ ତାଙ୍କ ହେଉ ଜୟଶୀଳ;
ବାରଣ କରି ମୁଁ କିମ୍ପା ହେବି ଅମଙ୍ଗଳ
ତାଙ୍କର ବିଜୟ-ପଥେ-ଯାଆନ୍ତୁ ସେ ସୁଖେ,
ନାରୀ ଚରିତ୍ର ତ ଏହି, — ପ୍ରିୟରେ ତାହାର
ପିନ୍ଧାଇ ମୁକୁଟ ଶିରେ, ଖଞ୍ଜାଇ ତୁଣୀର,
ବନ୍ଧାଇ କଠିନ ବର୍ମ କାନ୍ତ ଶାନ୍ତ କରେ,
ନଚାଇ ତା ବୀର ରକ୍ତ କଙ୍କଣ-ରୁଷିତେ
ପଠାଇବ ରଣଭୂମେ; ତା ପରେ କୁଟୀରେ
ସତୀତ୍ୱ-ପ୍ରଦୀପ ଜାଳି ପ୍ରିୟ ଯଶ ଲାଗି
ପୂଜିବ ତା ଇଷ୍ଟଦେବ ।
ତାହା ହିଁ ମୁଁ କରେ ।”
କାହିଁ, ନାରୀ ତ ଏଠି ଅବଳା ନୁହେଁ ! ଅଭିସାରିକା ସାଜିବାର ପୁତ୍ତଳିକା ନୁହେଁ ! ଦେଶମାତୃକାର ସୁରକ୍ଷା ପାଇଁ ଆପଣାର ‘ଧନ’କୁ ଉତ୍ସର୍ଗ କରି ଦେଇଥିବା ଓଡ଼ିଆ ରମଣୀ ତ ୟେ ! ଲତାକୁଞ୍ଜ ମଧ୍ୟରେ ଥିବା ପ୍ରିୟତମର କୋଳମଣ୍ଡନ କରି ନିଜକୁ ସଅଁପି ଦେବା ନାରୀ ତ ଏଠି ନାହାଁନ୍ତି ! ଏଠି ନାହାଁନ୍ତି ପ୍ରେମ ଓ ପ୍ରଣୟର ମଧୁଝରା ଜହ୍ନର ଜ୍ୟୋତ୍ସ୍ନାରେ ଦୁଇଟି ପ୍ରାଣୀ ଆପଣାକୁ ଏକାକାର କରି ସପନ ରାଇଜରେ ମଜ୍ଜି ଯିବା ପାଇଁ ! ଅବା ଗାଇ ଗାଇ,
“ଶୁଣିବ ଯେବେ ପ୍ରିୟା ଗୋ ମୋର
ପ୍ରଣୟୀ ତବ ଜଗତେ ନାହିଁ,
ଆସିବ ମୋର ଭସ୍ମ ପାଶେ
ଦେବ ହେ ତାରେ ଦେହର ଛାଇ”
ଏ ଉତ୍କଳୀୟ ରମଣୀ, ବୀରା, ଏ ମାଟିର ଧାରା ! ସହୃଦୟତାର ସହ ବିଚାର କରିବେ କି ପାଠକେ ? ଚପଳ ମନ ମଧ୍ୟରେ ଉଙ୍କି ମାରିଥିବା, କିଶୋର ବୟସରେ ପ୍ରଥମ ପ୍ରଥମ କବିତା ସର୍ଜନା ସମୟର କବିତା କ’ଣ ଜଣେ ବିଶିଷ୍ଟ କବିଙ୍କୁ ମାପିବାର ମାନଦଣ୍ଡ ? ତେବେ ମାନସିଂହେ କେମିତି ହେଲେ କେବଳ ଜଣେ ପ୍ରେମ ଓ ପ୍ରଣୟର କବି ?
~ ଜେମା ~
ଉତ୍କଳ ମାଟିର ସାଧାରଣ କନ୍ୟା ଜେମା। ଧୂଳି ମାଟିର ଚରିତ୍ର, ଅଖ୍ୟାତ ପଲ୍ଲୀ ନନ୍ଦଳା ଗାଆଁର (ମାନସିଂହଙ୍କ ଗାଁ) । ଏକ ସତ୍ୟ ଘଟଣା ଆଧାରିତ, ଯାହାର ଦୁଃଖ, ମାନବତାବାଦୀ ମାନସିଂହଙ୍କ ହୃଦୟରେ ଗଭୀର ରେଖାପାତ କରିଥିଲା। ଦୁଃଖିନୀ ଝିଅର ଜୀବନରେ ଘଟିଯାଇଥିବା ଦୁଃଖ, ଦୈନ୍ୟ, ପ୍ରତାରଣା, ବିବାହିତ ହୋଇ ମଧ୍ୟ ସ୍ଵାମୀ ସୌଖ୍ୟରୁ ବଞ୍ଚିତ ଏବଂ ଶେଷରେ ଅପ୍ରଶମିତ ଝଡ଼ ମଧ୍ୟରେ ଜୀବନ ନିର୍ବାହ ସହ ପରିସମାପ୍ତି । ‘ଜେମା’ ଚରିତ୍ର କବିତାଟିରେ ସମସ୍ତ ପ୍ରାଧାନ୍ୟ ପାଇବା ସମୟରେ ନୀଳ ସାଗର, ଅପରୂପ ସୌନ୍ଦର୍ଯ୍ୟ ଶାଳିନୀ ଚିଲିକା, ନନ୍ଦଳା ଗାଆଁର ପ୍ରାକୃତିକ ସବୁଜିମା କବିତାଟିକୁ ଏକ ଚମତ୍କାର ଭଙ୍ଗୀରେ ଆଙ୍କି ଦେଇଛନ୍ତି ମାନସିଂହ, ବହୁ ଆଦୃତ ରାଗ ଚୋଖି, ଶଙ୍କରାଭରଣ ଓ ଅନ୍ୟ କେତେକ ରାଗରେ। ପୁରାତନ ଶୈଳୀ ଓ ଆଧୁନିକତାର ସ୍ପର୍ଶ ପ୍ରତି ପଦ ମଧ୍ୟରେ ଗୁଞ୍ଜରିତ। ମାନସିଂହୀୟ ସୃଷ୍ଟିରେ ଏକ ସ୍ବତନ୍ତ୍ର ଅନନ୍ୟ ସୃଷ୍ଟି ହିଁ #ଜେମା ! ଏଠାରେ ଦୀନ ଦୁଃଖିନୀ ଝିଅର ପ୍ରେମରେ ଆସିଛି ଦୈନ୍ୟ, ବଞ୍ଚିବାର ରାହା ! ଏ ତ ପ୍ରେମ ଓ ପ୍ରଣୟର ମଧୁଝରା କଥା ! ତେବେ ପାଠକୀୟ ମନ୍ତବ୍ୟ କିମିତି ହେଲା, “ମାନସିଂହ ଜଣେ ପ୍ରେମ ଓ ପ୍ରଣୟର କବି “?
~ ସାଧବଝିଅ ~
ଉତ୍କଳଖଣ୍ଡର ନୌବାଣିଜ୍ୟର ଗୌରବ ଗାଥା, ଓଡ଼ିଆ ବଣିକର ଦୁଃସାହସିକ ଜୟଯାତ୍ରା ସର୍ବତ୍ର ବିଦିତ। ଏ କିମ୍ବଦନ୍ତୀ ଏବେ ବି ଅଧୁନା ଉତ୍କଳୀୟ ମାନଙ୍କର ହୃଦୟ ମଧ୍ୟରେ ରାଜୁତି କରେ । ସେହି କିମ୍ବଦନ୍ତୀକୁ ନେଇ ରଚିତ ଏହି କାବ୍ୟ। ତେବେ ଏ ସଂକ୍ରାନ୍ତରେ ମାନସିଂହ କହନ୍ତି: “କାବ୍ୟର ଗଳ୍ପ ଓ ପରିକଳ୍ପନା ନୂତନ। କାବ୍ୟର କାଳ ବହୁ ପ୍ରାଚୀନ। ନାୟକ-ନାୟିକା ଜୀବନ ଇତିହାସ ଅସ୍ପଷ୍ଟ। ଏ ସବୁ ଘେନି ଜୀବନ୍ତ ଓ ସରସ କଥା ଲେଖିବା ମୋ’ ପରି ଅଧମ ପକ୍ଷରେ ଏକ ପରମ ଚେଷ୍ଟା ବୋଲିବାକୁ ହେବ । ଉତ୍ତମ କବିର କଲମରେ ଯାହା ଉତ୍କୃଷ୍ଟ ସନ୍ଦେଶ ହୋଇ ଥାଆନ୍ତା, ମୋ ହାତରେ ତାହା କେବଳ ଛେନା-ଚିନିର ସମ୍ମିଶ୍ରଣ ମାତ୍ର । ତେବେ ଉତ୍କଳ ସରସ୍ଵତୀଙ୍କ ଭୋଗଡାଲାରେ କେବଳ ନୁଖୁରା ଲିଆ ଛଡ଼ା ଯେତେବେଳେ ଅଧିକାଂଶ ସମୟରେ ଅନ୍ୟ କିଛି ଯୋଗାଡ଼ କରାଯାଇ ପାରୁନି, ସେତେବେଳେ ମୋର ଛେନା-ଚିନି ପୂଜକ ମାନଂକ ଦ୍ୱାରା ଅଗ୍ରାହ୍ୟ ହେବ ନାହିଁ ବୋଲି ମୋର ଆଶା” ।
~ କମଳାୟନ ~
ମାନସିଂହଙ୍କ ଆତ୍ମଚିନ୍ତନ ହିଁ କମଳାୟନ କାବ୍ୟ। ଏଇ କାବ୍ୟ କଥାବସ୍ତୁର ସମୟସୀମା ୧୯୧୯ ମସିହାରୁ ୧୯୫୬ ମସିହା ପର୍ଯ୍ୟନ୍ତ। ଏଠାରେ କମଳଲୋଚନ ମହାପାତ୍ର କାବ୍ୟ ନାୟକ। ମୋଟ ୨୧ଟି ସର୍ଗ ବିଶିଷ୍ଟ ଏହି କାବ୍ୟ, ଯାହାର ଗଠନ ଶୈଳୀ, ପରିକଳ୍ପନା ଓ ଉପସ୍ଥାପନା ତାଙ୍କର ଅନ୍ୟ କାବ୍ୟ ଠାରୁ ଭିନ୍ନ। ତନ୍ନ ତନ୍ନ କରି ନିରୀକ୍ଷଣ କଲେ ଜଣାଯାଏ ଯେ, କାବ୍ୟର ନାୟକ କମଳ ହିଁ ନିଜେ ସ୍ଵୟଂ ଲେଖକ ଓ ଏହା ତାଙ୍କର ଆତ୍ମଲିପି । ଏଇଠି କହିରଖେ ଯେ ମାନସିଂହଙ୍କର ଆଦର୍ଶ ପୁରୁଷ ଥିଲେ ଦୀନ ଦରିଦ୍ରଙ୍କ ସଖା ଗୋପବନ୍ଧୁ । ଯଦିଓ ସତ୍ୟବାଦୀ ବନବିଦ୍ୟାଳୟରେ ଛାତ୍ରଟିଏ ହେବାକୁ ସୁଯୋଗ ପାଇ ନଥିଲେ, ତଥାପି ଆଦର୍ଶ ଗୁରୁ ଭାବରେ ସେ ମାନି ନେଇଥିଲେ ଗୋପବନ୍ଧୁଙ୍କୁ । ବିଡ଼ମ୍ବନା ଏହି ଯେ, ସେହି ଆଦର୍ଶକୁ ଭିତ୍ତି କରି ସେ ଯାହା ହେବାକୁ ଚାହିଁଥିଲେ, ତାହା ହୋଇ ପାରିଲା ନାହିଁ। ଏକଲବ୍ୟ ସମ ଦୂରରେ ରହି ଗୋପବନ୍ଧୁଙ୍କୁ ଦ୍ରୋଣାଚାର୍ଯ୍ୟ ବୋଲି ମାନି ନେଇଥିବା ମାନସିଂହ ତେଣୁ ସେହି ଆଦର୍ଶକୁ ଭିତ୍ତି କରି ଏହି କାବ୍ୟ ରଚନା କରିଥିଲେ। ଏଠାରେ ପୁରୀର ଦୁର୍ଭିକ୍ଷ ସମୟରେ ଗୋପବନ୍ଧୁଙ୍କ ସେବାକାର୍ଯ୍ୟରେ କମଳଲୋଚନ (ମାନସିଂହଂକ ଛାୟା !)ର ଯୋଗଦାନ ହେତୁ ଜଣେ ଗ୍ରାମ୍ୟ ମୁଖିଆ ଦୁର୍ଭିକ୍ଷ ପ୍ରପୀଡି଼ତ ବୁଭୁକ୍ଷୁ ମାନଙ୍କ ଖାଦ୍ୟ ଆତ୍ମସାତ କରୁଥିବା ଯୋଗୁଁ ହୋଇଛନ୍ତି ତିରସ୍କୃତ କମଳଲୋଚନ ଠାରୁ। ଏ କଥା ଶୁଣି ଉପଦେଶ ଛଳରେ ଗୋପବନ୍ଧୁ ଯାହା କହିଛନ୍ତି, ତାହା ହିଁ ଆଣି ଦେଇଛି କମଳଲୋଚନ ମନରେ ଘୋର ପ୍ରଭାବ। ସେ ଦେଶସେବା ବ୍ରତ ନେଇଛି। ଏହା ପରେ କାବ୍ୟର କାହାଣୀ ଅସହଯୋଗ ଆନ୍ଦୋଳନ, ବଞ୍ଚିବା ପାଇଁ ଶିକ୍ଷକତା, ମିଥ୍ୟା ହତ୍ୟା ଅଭିଯୋଗ, କାରାଦଣ୍ଡ, ଯୁଦ୍ଧରେ ଯୋଗଦାନ ଇତ୍ୟାଦି ଜଣେ ସଚ୍ଚା ସଂଗ୍ରାମୀ ଜୀବନରେ ସଂଘଟିତ, ଯାହା ଅତି ଚମତ୍କାର ଓ ପ୍ରାଣସ୍ପର୍ଶୀ। ଏଇଠି କାବ୍ୟର ପ୍ରଥମ ଖଣ୍ଡର ସମାପ୍ତି।
~ କମଳାୟନ କାବ୍ୟର ଉତ୍ତର ଖଣ୍ଡ (୨ୟ ଭାଗ ) ~
ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାର ଚିତ୍ର। ଜୀବନରେ ଯୁଝି ଯୁଝି ବହୁ ଘାତପ୍ରତିଘାତ ପରେ ଅବସନ୍ନ କମଳଲୋଚନ ଚିଲିକା କୂଳରେ ନିର୍ମାଣ କରିଛନ୍ତି ଏକ ଆଶ୍ରମ, “ଏ ବସୁଧା ଗୋଟିଏ ପରିବାର” ଭାବନା ନେଇ। ଯୋଗ ଦେଇଛନ୍ତି ଜଣେ ଋଷୀୟ ଓ ଆଉଜଣେ ଇଂରେଜ ମଣିଷ। ଗୋପବନ୍ଧୁଙ୍କ ବିଶ୍ଵଭ୍ରାତୃତ୍ୱ ବାଣୀରେ ଉଦ୍ବୁଦ୍ଧ ଆମର କବି ମାନସିଂହଙ୍କ #କମଳାୟନ କାବ୍ୟର ଉତ୍ତର ଖଣ୍ଡ ସମ୍ପୂର୍ଣ୍ଣ ପ୍ରଭାବିତ।
କାବ୍ୟ କବିତା କ୍ଷେତ୍ରରେ ଡ. ମାନସିଂହ ଜଣେ ଅନୁଭବୀ ସ୍ରଷ୍ଟା। କିଶୋର ବୟସରେ ପ୍ରେମ ସମ୍ବଳିତ କବିତା, କିଶୋରାବସ୍ଥା ପରେ ପରେ ସହରତଳି ଓ ଗ୍ରାମ୍ୟଜୀବନର ନିଚ୍ଛକ ଚିତ୍ର, ମଧ୍ୟବର୍ତ୍ତୀ ସମୟରେ ଆଧିଭୌତିକ ଚେତନା ଓ ଦାର୍ଶନିକ ଚିନ୍ତନ, ପରେ ପୁନଶ୍ଚ କାବ୍ୟ ରଚନା ଇତ୍ୟାଦି। ଆଲୋଚ୍ୟ କାବ୍ୟସମୂହ ଯଥା — ଉପେକ୍ଷିତା, ନିକ୍ଵଣ, ଶୁଭଦୃଷ୍ଟି, ଜେମା, ସାଧବଝିଅ, କମଳାୟନ ମଧ୍ୟରେ କବି ମହୋଦୟ ଅତୀତକୁ ଭୁଲି ନାହାଁନ୍ତି ! ତେଣୁ ତ ଓଡ଼ିଆ ସାହିତ୍ୟରେ ବହୁ ଆଦୃତ ରାଗ ଚୋଖି, ରାମକେରୀ, କାଳୀ ବଙ୍ଗଳାଶ୍ରୀ ଆଦି ପ୍ରୟୋଗ କରିଛନ୍ତି । ତେବେ ପୁରାତନ ଓ ନୂତନ ଧାରାର ସମନ୍ୱୟ ହିଁ ଏହି ଛଅ ଗୋଟି କାବ୍ୟ ଓ ମହାକାବ୍ୟ !
ପୁନଶ୍ଚ, ଏହି କାବ୍ୟ ମାନଙ୍କ ସମ୍ପର୍କରେ ଆଲୋଚନା କରି ଡ. ମାନସିଂହ କହନ୍ତି: “ଲେଖକ ମନେକରେ ଯେ, ଆମର ଦୈନନ୍ଦିନ ସାଧାରଣ ଜୀବନ ହିଁ କାବ୍ୟର ପ୍ରକୃଷ୍ଟ ଓ ପ୍ରକୃତ ଉପାଦାନ। ଏହି ଜୀବନର ନିରାଟ ବାସ୍ତବତାକୁ ଆମେ କଳ୍ପନାର ବୋଳ ଦେଇ ଯେତିକି ଅଳଙ୍କୃତ କରିବାକୁ ଯିବା, ତାହା ସେତିକି ପରିମାଣରେ ସମାଜର କ୍ଷତିକାରକ। ରାମ-ଲକ୍ଷ୍ମଣଙ୍କୁ ଆମେ ପୂଜା କରୁଁ; କିନ୍ତୁ ଭ୍ରାତୃବିବାଦରେ ଭାରତବର୍ଷର ପ୍ରତି ଘର କ୍ଷତବିକ୍ଷତ। କାରଣ, ‘ରାମଲକ୍ଷ୍ମଣ’ର ଆଦର୍ଶ ଅସ୍ବାଭାବିକ ବା ଅସ୍ବାଭାବିକ ନ ହେଲେ ବି ଦୁଷ୍କରଣୀୟ” ।
ଏ ସମସ୍ତ ବିଚାରକୁ ନିଆଯାଇ ଜଣେ ସତ୍କବି ଭାବରେ ମୂଲ୍ୟାୟନ ଜରୁରୀ ଡ. ମାନସିଂହଙ୍କୁ । କାବ୍ୟକବିତାର କଥାବସ୍ତୁ, ଲୋକପ୍ରିୟତା, ଚେତନା, ସମାଜର ନିଚ୍ଛକ ଚିତ୍ର, ପ୍ରକୃତି ବର୍ଣ୍ଣନା, ସଂସ୍କୃତିର ପ୍ରଚାର ପ୍ରସାର, ଦେଶପ୍ରେମ, ଦର୍ଶନତତ୍ତ୍ଵ, ସର୍ବୋପରି ଓଡ଼ିଆ ଅସ୍ମିତାର ଗାଥା ମଧ୍ୟରେ ମାନସିଂହୀୟ ସୃଷ୍ଟିର ପଟାନ୍ତର ନାହିଁ। ସେଇଥିପାଇଁ ତ ସେ ବିଚିତ୍ରବର୍ଣ୍ଣା ତୂଳୀକାର ! ଏବଂ କେବଳ ପ୍ରେମ ଓ ପ୍ରଣୟର କବି ହେଲେ କିମିତି ?
ଋଣୀ ରହିଲି: ଡ. ମାନସିଂହ ଗ୍ରନ୍ଥାବଳୀ, ସମାଲୋଚକ ଡ. ଶ୍ରୀଚରଣ ମହାନ୍ତିଙ୍କ ପ୍ରବନ୍ଧ
Sahitya Bhaskar Dr. Mayadhar Mansingh Dhupa Sadhabajhia Niranjan Sahu
~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…