ଇତିହାସ

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~
ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ
ପ୍ରତି ବର୍ଷ 29 ଜୁନରେ ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ମହାପ୍ରତାପୀ କପିଳେନ୍ଦ୍ର ଦେବଙ୍କ 591 ତମ ସିଂହାସନ ଆରୋହଣ ଦିବସ “ଗଜପତି ଦିବସ” ପାଳିତ ହେଉଅଛି l
ପଞ୍ଚଦଶ ଶତାବ୍ଦୀର ଏହି ମହାନାୟକଙ୍କ ରାଜତ୍ୱ ସମୟ ମୋଟାମୋଟି 1435ରୁ 1465 ବୋଲି ଅନେକ ଐତିହାସିକ ଗବେଷକ ମତ ପ୍ରକାଶ କରିଛନ୍ତି l କେହି କେହି 1467/68 ବୋଲି ମଧ୍ୟ କହିଥାନ୍ତି l 29 ଜୁନ 1435ରେ ଭୁବନେଶ୍ୱର କପାଳୀ ମଠରେ ଗଜପତି କପିଳେନ୍ଦ୍ର ଦେବଙ୍କ ରାଜ୍ୟାଭିଷେକ ହୋଇଥିଲା l 1465 ରେ ଦକ୍ଷିଣ ସାମ୍ରାଜ୍ୟ ପରିଦର୍ଶନ ସମୟରେ କୃଷ୍ଣା ନଦୀ ତୀରରେ ମୃତ୍ୟୁ ହୋଇଥିଲା l ବାହ୍ମନୀ ଇତିହାସକାର ଲେଖିଛନ୍ତି 1470ରେ ବାହ୍ମନୀ ସୁଲତାନଙ୍କ ଦରବାରରେ ଓଡିଶା ରାୟାଙ୍କ ମୃତ୍ୟୁ ଖବର ପହଂଚି ଥିଲା l
ମାଦଳାପାଞ୍ଜିରେ ତିନି ପ୍ରକାର କଥା ଅଛି l ଜଗନ୍ନାଥ ମନ୍ଦିର ଦେଉଳକରଣ ଓ ତଢ଼ାଉକରଣ ଲିଖିତ ମାଦଳା ପାଞ୍ଜିର ତିନୋଟି ପ୍ରତିଲିପି ଥିଲା l ଗୋଟିଏ ଜଗନ୍ନାଥ ମନ୍ଦିର, ଦ୍ଵିତୀୟ ଗଜପତିଙ୍କ ଶ୍ରୀନହର ଓ ତୃତୀୟ ଲେଖାଳି କରଣଙ୍କ ବାସଗୃହରେ ସଂରକ୍ଷିତ ହୋଇ ରହୁଥିଲା l ମାଦଳା ପାଞ୍ଜିରେ ମୁଖ୍ୟତଃ ଶ୍ରୀଜଗନ୍ନାଥ ମନ୍ଦିର ଆୟ ବ୍ୟୟ ଓ ପର୍ବ ପର୍ବାଣୀ ଇତ୍ୟାଦି ଲିପିବଦ୍ଧ ହେଲାବେଳେ ସମ୍ପୃକ୍ତ ଶାସକ ଏବଂ ରାଜ୍ୟ ପରିସ୍ଥିତି ସମ୍ପର୍କରେ ଵି କିଛି କିଛି ଉଲ୍ଲେଖ ରହିଛି l ଡକ୍ଟର ଆର୍ତ୍ତ ବଲ୍ଲଭ ମହାନ୍ତି ସଂକଳିତ ମାଦଳା ପାଞ୍ଜିରେ ରାଜାଙ୍କ ମୃତ୍ୟୁକୁ “ଆବାହନ” ହୋଇଲେ ବୋଲି ବର୍ଣନା ଅଛି l ଗଜପତି କପିଳେନ୍ଦ୍ରଙ୍କ ମୃତ୍ୟୁ ବିଷୟରେ ତିନୋଟି ପାଞ୍ଜିର ବିବରଣୀ ଆଲୋଚନା କରାଯାଉ l
ପ୍ରଥମ ପାଞ୍ଜି – 37 ଅଙ୍କ ପୁଷ ମାସ କୃଷ୍ଣ ତୃତୀୟା ମଙ୍ଗଳ ବାର ଦିବସେ କୃଷ୍ଣବେଣୀ ନଦୀକୂଳେ ଆବାହନ ହୋଇଲେ l ଏ ରାଜା ଭୋଗ କଲେ 32 ବର୍ଷ ଅର୍ଥ ମୃତ୍ୟୁ 1467 l କିନ୍ତୁ 37 ଅଙ୍କ ଅର୍ଥ 29 ବର୍ଷ ଧରିଲେ ମୃତ୍ୟୁ ସମୟ 1464 ହେବା କଥା l
ଦ୍ଵିତୀୟ ପାଞ୍ଜି ମତେ -ଆପଣ ଆବାହନ ହୋଇଲେ ଏ ରାଜା ଭୋଗ କଲେ 39 ଅଙ୍କ 30 ବର୍ଷ l ଏଇଠି ଅଙ୍କ କୁ ବର୍ଷ ଅମେଳ ରହୁଛି କାରଣ 39 ଅଙ୍କ ଅର୍ଥ 31 ବର୍ଷ ହେଲେ ସମୟ 1466କିନ୍ତୁ 30 ବର୍ଷ ରାଜୁତି ହେଲେ 1465 l ସମ୍ଭବତଃ ଐତିହାସିକ ଗଣ ଏହି ତଥ୍ୟ ଭିତ୍ତିରେ କପିଳେନ୍ଦ୍ର ଦେବଙ୍କ ମୃତ୍ୟୁ 1465 ରେ ହୋଇଥିଲା ବୋଲି ଲେଖିଛନ୍ତି l
ତୃତୀୟ ପାଞ୍ଜି ମତେ – ଏ ରାଜା ରାଜ୍ୟ କଲେ 23 ବର୍ଷ ଶକାବ୍ଦ 1374 l ଶକାବ୍ଦ 1374 ଅର୍ଥ 1462 l ପୁନଶ୍ଚ ତୃତୀୟ ପାଞ୍ଜି ମତେ – ଏ ରାଜା (କପିଳେନ୍ଦ୍ର) ଭୋଗ କଲେ 27 ବର୍ଷ ଶକାବ୍ଦ 1401 ଅର୍ଥାତ 1489 ପର୍ଯ୍ୟନ୍ତ l ମାଦଳା ପାଞ୍ଜିର ତିନି ପ୍ରକାର ବିବରଣୀ ଭିନ୍ନ ଭିନ୍ନ ବର୍ଣ୍ଣନା ମିଳେ l ଏଣୁ କୌଣସି ସହମତି ମିଳୁନାହିଁ l
ଗଜପତିଙ୍କ ଅଙ୍କ ଗଣନା ନିମ୍ନ ପ୍ରକାରେ ହୁଏ l ଅଭିଷେକ ସମୟରେ 2 ଅଙ୍କ ଗଣନା ହୁଏ l ସେ ବର୍ଷ ଭାଦ୍ର ଶୁକ୍ଳ ଦ୍ୱାଦଶୀ ବାମନ ଜନ୍ମ ଦିନରେ ସୁନିଆ ବା ନୂତନ ମୁଦ୍ରା ପ୍ରଚଳନ ହୋଇ ତୃତୀୟ ଅଙ୍କ ହୁଏ l ସେମିତି ଦଶ ଅଙ୍କ ପୂର୍ଣ୍ଣହେବା ପରେ ପରବର୍ତୀ 6 କିମ୍ବା 0 ଅଙ୍କ ରହେନାହିଁ l ଏଣୁ ଅଙ୍କ ଗଣନାରେ 15 ଅଙ୍କ ପରେ 17 ବା 19 ଅଙ୍କ ପରେ 21, 25 ପରେ 27 ଏବଂ 29 ପରେ 31 ଅଙ୍କ ରହେ l ତେବେ ଶ୍ରୀମନ୍ଦିରସ୍ଥ ଜୟ ବିଜୟ ଦ୍ଵାରରେ ଖୋଦିତ ଏକ ଲିପି ଗଜପତି କପିଳେନ୍ଦ୍ରଙ୍କ ସମୟ ସାରଣୀ ଉପରେ କିଞ୍ଚିତ ଆଲୋକ ପାତ କରିପାରେ l ଏହି ଲିପି ମଧ୍ୟ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଉପରେ ଏକ ନିର୍ଦିଷ୍ଟ ସୂଚନା ପ୍ରଦାନ କରେ – “ଶ୍ରୀ ଵୀର ପ୍ରତାପ କପିଳେସର ନବକୋଟ କର୍ଣ୍ଣାଟ କଳବରଗେଶ୍ୱର ଗଜପ୍ତି ଗୌଡ଼େଶ୍ୱର ଦେବ ମହାରାଜଙ୍କ ବିଜେ ରାଇଜେ ସମସ୍ତ 42 ଶ୍ରାହୀ ଧନୁ ସୁକଳ ସପ୍ତମୀ ରବିବାରେ ଶ୍ରୀ ଜଗନ୍ନାଥ ଦେବଙ୍କ ପଦ୍ମପାଦକୁ ଭକ୍ତି ନିମିତ୍ୟେ କପିଳେଶ୍ୱର ରଜାଏ ସେବା କରିଦିଲେ ରତ୍ନ ତୋଡ଼ରମାଳା ଶ୍ରୀଭୁଜର ରତ୍ନ ଶଙ୍ଖ ଚକ୍ର ଦୁଇ ପ୍ରମେଶ୍ୱରଙ୍କ ମଣହିଁକି ସୁନା ଯୋଗାଡ଼ ଏମାନ ଆଣି ପ୍ରବେଶ କଲେ ହାସିକ ମହାପାତ୍ର ଜମସର ମହାପାତ୍ର ବିଶେଶ୍ୱର ମହାପାତ୍ର କରମୁ ମହାପାତ୍ର ନାଥ ମହାପାତ୍ର ଏତେ ଲୋକ ପ୍ରବେଶ କଲେ ନନ୍ଦି ମହାପାତ୍ର ଅଧିକାରେ ମାଜଣା ମଣ୍ଡପ ଚଉଦ ଶତ ପ୍ରକରଣ ଭୋଗରାଗର ସମସ୍ତନ୍ତୀ ଖୋଇଦେଲି l
ପ୍ରମାଣେ ଲାଗି କରାଇଲେ ରତ୍ନ ମୁକୁଟ 8 କାଣଫୁଲ ଯୋଡ଼ା ତୁଙ୍ଗଲ 4 ବୋଡ଼କା ନିର୍ସଦା କରି ଯୋଡ଼ 84 ହୀରା ମାଣିକ ବିଚିତ୍ର ମାଳ 2 ନନା ନାଏକ ମୁଦି 12 ମୁକୁତା ଜାଉଳି 8 ମୁକୁତା ବଡ଼ କଣ୍ଠି ମାଳ 4 ମାଣିକ ସୁତା ମା 8 ମରକତ ଜାଉଳି 8 ମରକତ ମୁକୁତା ମା 5 ନାନା ରତ୍ନ କୁପଦ୍ରକ 4 ମରକ୍ତ ନିସରସରେ ମାନିକସୁଆ ପଦସରି 4 ମୁକୁତା ତୀସରା ଭତୁରି 2 ଏକା ରତ୍ନହାରେ ଏକ ମୁକୁତା ତୋଢ଼ର 2 ପାଦପଲବ 2 ନାନା ନାଏକ ବାଉଟି ଯୋଡ଼ା 1ହୀରାମାନିକି ବଳା ଜୋ 3 ଜାଲି ତୋଢ଼ର . . . (କୃତଜ୍ଞତା – ଶ୍ରୀ ସୁରେନ୍ଦ୍ର ମହାନ୍ତିଓଡ଼ିଆ ସାହିତ୍ୟର ଆଦିପର୍ବ’)
ଏହି ଶିଳାଲିପି ଗଜପତି କପିଳେନ୍ଦ୍ରଙ୍କ ରାଜତ୍ୱର 42 ଅଙ୍କରେ ଖୋଦିତ ହୋଇଥିଲା l 1435ରେ ଗଜପତି କପିଳେନ୍ଦ୍ର ଦେବଙ୍କ 2 ଅଙ୍କ ଓ 3 ଅଙ୍କ ହୋଇଥିଲା l ଗଣନା କଲେ 42 ଅଙ୍କ ଧନୁମାସ 1468 ଡିସେମ୍ବର 14 ରୁ 1469 ଜାନୁଆରୀ 14ହେବା ସମ୍ଭବ l ଅର୍ଥାତ ସେ ପର୍ଯ୍ୟନ୍ତ ଗଜପତି କପିଳେନ୍ଦ୍ର ଜୀବିତ ଥିଲେ l 1469 ଜାନୁଆରୀ କିଛି ଦିନ ପରେ ସେ ଦକ୍ଷିଣ ଦିଗ ଯାଇଥିବେ l ଯିବାକୁ ପ୍ରାୟ ଦୁଇ ତିନିମାସ ଲାଗିଥିବ l ଶାରୀରିକ ଅସୁସ୍ଥତା ହେତୁ କୃଷ୍ଣା ନଦୀ ତୀରରୁ ଆଉ ଫେରି ପାରିନାହାନ୍ତି ଏବଂ ସେଇଠି ଇହଧାମ ତ୍ୟାଗ କରିଛନ୍ତି l ତେଣୁ 1469 ମଧ୍ୟ ଭାଗରେ ସେ ହୁଏତ ପ୍ରାଣ ତ୍ୟାଗ କରିଛନ୍ତି l ଆଉ ଏ ସମ୍ବାଦ ତାର କିଛି ମାସ ପରେ 1470 ରେ ବାହ୍ମନୀ ରାଜଧାନୀରେ ପହଁଚିଛି l
Estimation of the Time of Demise of Gajapati Kapilendra Deva
Ambika Patnaik
Spread the love
Antaranga Kalinga

Recent Posts

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 days ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 days ago

ବଗା ପୂଜାରୀ

~ ବଗା ପୂଜାରୀ ~ ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ…

3 weeks ago

ସାହିତ୍ୟ ଭାସ୍କର ମାୟାଧର ମାନସିଂହ

ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି…

3 weeks ago

ଆମ ଚଳଣି

~ ଆମ ଚଳଣି ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆ ଘରର କଥା ନିଆରା। ଆମ ଚଳଣି ଅନନ୍ୟ।…

2 months ago

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

5 months ago