ଜଣା ଅଜଣା

ତାକରଡ଼ା ଗୁଳିକାଣ୍ଡ

ଲେଖା: ଅମ୍ବିକା ପଟ୍ଟନାୟକ
~ ବିସ୍ମୃତପ୍ରାୟ ତାକରଡ଼ା ଗୁଳିକାଣ୍ଡ ~
“ଏଡିକି ସେ ଅମାନିଆ ପିଲା
ଫଉଜର ଗୁଳି ଗୋଳା, ରଜା
ଝଡ଼ କିଛି ନ ମାନିଲା
ଧୂଳି ଖେଳ ଛାଡ଼ି
ଗୁଳି ଆଗେ ଜୀବନକୁ
ହସି ହସି ଦେଲାସିନା ବାଢ଼ି” l
ନା . . ତା ପାଇଁ କୌଣସି ସଚି ରାଉତରାୟ ଏମିତି କାଳଜୟୀ ଅଗ୍ନିଗର୍ଭା କବିତା ଲେଖି ନ ଥିଲେ . . କେବଳ ମନୋଜ ଦାସ ଏକ କ୍ଷୁଦ୍ର ଜ୍ୱାଳାମୟୀ କବିତା ଲେଖିଥିଲେ . . ବର୍ତମାନ ଦୁଷ୍ପ୍ରାପ୍ୟ l ସେ ବାରବର୍ଷୀୟା ହେମ ବାଡ଼ତ୍ୟା . . କିଏ ଏଇ ହେମ ??
ଅପର୍ତ୍ତି ସ୍ପଷ୍ଟ ଭାବେ ବୁଝିପାରେନି, ଦେଶର କି ପରିବର୍ତ୍ତନ ହେଲା – ଗାଁଟା ତ ଠିକ ଯେମିତି ଥିଲା ସେମିତି ଅଛି l ତା ଗୁରେଇ ତ ସେମିତି ଛିଣ୍ଡାକନା ପିନ୍ଧୁଚି . . ଅପର୍ତ୍ତି ପରି ସେ ଗ୍ରାମବାସୀମାନେ ମଧ୍ୟ ଭାବୁଥିଲେ, ଦେଶ ତ ସ୍ୱାଧୀନ ହେଲା କିନ୍ତୁ କିଅଣ ଟା ବଦଳିଲା ହେ . . କିଏ ସେ ଗ୍ରାମବାସୀମାନେ??
୧୯୪୭ ୧୫ ଅଗଷ୍ଟ ୧୫ ଦୀର୍ଘଦିନର ଇଂରେଜ ଶାସିତ ପରାଧୀନ ଭାରତ ସ୍ୱାଧୀନତାର ନୂତନ ସୂର୍ଯ୍ୟକିରଣ ସ୍ପର୍ଶରେ ଉତଫୁଲ୍ଲ l ଆଖିରେ ନୂତନ ଆଶା ଓ ବିଶ୍ୱାସ l କିନ୍ତୁ ସେ ସମୟର ଭାରତ ଅଲଗା ପ୍ରକାରର ଥିଲା l ଶହ ଶହ ଦେଶୀୟ ରାଜ୍ୟ l ହାଇଦ୍ରାବାଦ ପରି ବିଶାଳ ରାଜ୍ୟ ଠାରୁ ଆରମ୍ଭ କରି ତିଗିରିଆ ପରି ଅତ୍ୟନ୍ତ କ୍ଷୁଦ୍ର l ଶାସକମାନେ ରାଜା, ମହାରାଜା, ନବାବ, ସୁଲତାନ, ନିଜାମ ଇତ୍ୟାଦି l ସେମାନେ ଆଞ୍ଚଳିକ ଭାଷାରେ ଲେଖୁଥିଲେ ‘ମହାରାଜାଧିରାଜ’, ‘ବିରାଧିବୀରବର’, ‘ଶ୍ରୀମନ୍ତ’ ! କିନ୍ତୁ ଇଂରେଜ ମାନଙ୍କ ଆଖିରେ “Zamindar’ ବା “Ruling Chief’, ‘King’ ଶବ୍ଦ ଆଦୌ ନୁହେଁ କାରଣ ତାହା ଇଂଲଣ୍ତ ରାଜାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ଏବଂ ଏହି ‘ରାଜା’, ‘ମହାରାଜା’, ‘ନବାବ’ ଇତ୍ୟାଦି ପଦବୀ ସମ୍ପୂର୍ଣ୍ଣ ଇଂରେଜ ବଡ଼ଲାଟଙ୍କ ଦୟା ଉପରେ ନିର୍ଭର ଥିଲା l ଏମିତିକି ବଡ଼ ବଡ଼ ରାଜ୍ୟର ମହାରାଜା ବା ନବାବମାନେ କାହାକୁ ବିବାହ କରିବେ ତାହା ମଧ୍ୟ ViceRoyଙ୍କ ଇଚ୍ଛାଧୀନ l କାରଣ “ମହାରାଣୀ”, “ରାଣୀ”, ‘ବେଗମ’ ଘୋଷଣା ମଧ୍ୟ ବଡ଼ଲାଟଙ୍କ ଇଚ୍ଛାଧୀନ କୋଟାରେ ଥିଲା l ViceRoy ଲର୍ଡ଼ ମାଉଣ୍ଟବ୍ୟାଟେନଙ୍କ ଶେଷ ସ୍ଵାକ୍ଷର ଥିଲା ପାଲନପୁରର “ବେଗମ”ଙ୍କୁ ସ୍ୱୀକୃତିଦାନ l
ତେବେ ଏ ରାଜା ମହାରାଜାଙ୍କ ମଧ୍ୟରୁ କ୍ଵଚିତ ଜଣେ ଜଣେ ରାଧାଶ୍ୟାମ ନରେନ୍ଦ୍ର, ବାସୁଦେବ ସୁଢ଼ଳଦେବ, ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବା କୃଷ୍ଣଚନ୍ଦ୍ର ଗଜପତି ଥିଲେ l ବହୁଳାଂଶ ଥିଲେ “ସର୍ପକୂଳରେ କଲୁ ଜାତ, ସ୍ଵଭାଵ ଛାଡ଼ିବି କେମନ୍ତ” ପରି ଅତ୍ୟାଚାରୀ, ଭୋଗବିଳାସୀ ଓ ପ୍ରଜାପୀଡ଼କ l ଅନୁରକ୍ତ ରହି ଇଂରେଜମାନଙ୍କୁ ନିର୍ଦ୍ଧାରିତ ପେଶକିସ ଦେଇଦେଲେ କାମ ଶେଷ l ଇଂରେଜମାନେ ଆପରାଧିକ ବିଚାର ଛଡ଼ା ବାକି ସବୁ ରାଜାଙ୍କ ଉପରେ ଛାଡ଼ି ଦେଇଥିଲେ l
ଆଦର୍ଶ ରାଜା ପାଇଁ ଆଦିକବି ସାରଳା ଦାସ ଲେଖିଥିଲେ
“ମାଣକରେ ଚିନାଏ ଯେ ନେଉଥିଲେ ସଞ୍ଜା
ଆମ୍ଭ ଆୟୁ ଘେନି ବର୍ତ୍ତ ବୋଲିବେଟି ପ୍ରଜା” ll
ଶେରଗଡ଼ ବା ଶରଦୁର୍ଗ ଗଞ୍ଜାମର ଏକ କ୍ଷୁଦ୍ର ଜମିଦାରୀ l ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ରାଜା ଅଦ୍ୱୈତ ସିଂହ ଫରାସୀ ମାନଙ୍କ ବିରୁଦ୍ଧରେ ଲଢ଼ି ପ୍ରାଣ ହରାଇଥିଲେ l ଜମିଦାରୀର ସିଂହଭାଗ ପ୍ରଜା ଥିଲେ ରୟତ/ରଇତ ବା ଚାଷୀ l କିଛି ଜମିମାଲିକ ଥିଲେ, ବାକି ସବୁ ଭାଗଚାଷୀ l ଉତ୍ପନ୍ନ ଶସ୍ୟର ଅଧାରୁ ବେଶୀ ଥିଲା ରାଜାଙ୍କ ପ୍ରାପ୍ୟ l ଭାଗଚାଷୀ ଅବସ୍ଥା ଆହୁରି ଶୋଚନୀୟ ଥିଲା l ରାଜା ନେବାପରେ ଯାହା ରହିଲା ତାର ଅଧା ଜମିର ମାଲିକ l ୟା ଉପରେ ବିଭିନ୍ନ ପ୍ରକାର ରାଜକର ଯଥା ପୁଅ ଜନ୍ମ ହୋଇଛି, ଝିଅ ବାହାଘର, ରାଜଘରେ ଉତ୍ସବ ହେବ, ପ୍ରଜାଏ ଦିଅ ଟିକସ l ସୂର୍ଯ୍ୟଙ୍କ ଠାରୁ ମରୁଭୂମିର ବାଲି ପଥୁକିକୁ ବେଶୀ କଷ୍ଟ ଦେଲାପରି, ରାଜ କର୍ମଚାରୀଙ୍କ ବ୍ୟବହାର ବେଶୀ କଷ୍ଟଦାୟକ ଥିଲା l ତାଙ୍କ ବିନା ଉପସ୍ଥିତିରେ ଧାନ କଟା ହୋଇପାରୁ ନଥିଲା, ସେ ହଉ ପଛେ ମେ ମାସ l ଏ ଅତ୍ୟାଚାରରେ ଲୋକେ ସାହୁକାରଠାରୁ ଧାର କରିବାକୁ ବାଧ୍ୟ ହେଉଥିଲେ l ସେ ପୁଣି “ତୁ ନେଲୁ ଟଙ୍କାଏ, ମୁଁ ପାଇବି ଟଙ୍କାଏ ଆଉ କଳନ୍ତର ଟଙ୍କାଏ, ସବୁ ତିନି ଟଙ୍କା ତୁ ଦେବୁ” l ଲୋକଙ୍କ ଆର୍ଥିକ ପରିସ୍ଥିତି ଶୋଚନୀୟ l
୧୯୪୩ର ପ୍ରଥମଭାଗରେ ଶ୍ରୀ ଭଗବତୀ ଚରଣ ପାଣିଗ୍ରାହୀ ଶେରଗଡ଼ ଆସି ଗଞ୍ଜାମ ଜିଲ୍ଲା କମ୍ୟୁନିଷ୍ଟ ପାର୍ଟିର ଶୁଭାରମ୍ଭ କରିଥିଲେ l ଅନତି ବିଳମ୍ବେ ଶେରଗଡ଼ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଖେଳିଗଲା “ଲଙ୍ଗଳ ଯାର ଜମି ତାର, ଜମିଦାରୀ ମୁସ୍ତାଦାରୀ ବାତିଲ ହେଉ” ଇତ୍ୟାଦି ସ୍ଲୋଗାନ ଲୋକଙ୍କୁ ଖୁଵ ପ୍ରଭାବିତ କଲା l ଶେରଗଡ଼ ନିକଟସ୍ଥ ତାକରଡ଼ା ପରି “ଛୋଟ ମୋର ଗାଁଆଟି, ଭୂଗୋଳ ପୋଥି ପତରେ ପଛେ ନ ଥାଉ ତାର ନାଆଁଟି”ର ଶ୍ରୀଯୁକ୍ତ ଗୋବିନ୍ଦ ପ୍ରଧାନ ଓ ଶ୍ରୀ ହରିହର ଦାଶଙ୍କ ସମ୍ମିଳିତ ଉଦ୍ୟମ ଫଳରେ ଶେରଗଡ଼ ଓ ନିକଟସ୍ଥ ଅଞ୍ଚଳର ହଜାର ହଜାର ଚାଷୀ ମୂଳିଆ ବିକ୍ଷୋଭ କରିବା ଆରମ୍ଭ କଲେ l ତତ୍କାଳୀନ କଂଗ୍ରେସ ସରକାର କମ୍ୟୁନିଷ୍ଟମାନଙ୍କୁ ଦମନ କରିବା ପାଇଁ ଲାଗିପଡ଼ିଲେ l ଭାରତ ସ୍ୱାଧୀନ ହେବାପରେ ୧୯୪୮ ଆରମ୍ଭରୁ ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିକୁ ବେଆଇନ ଘୋଷଣା କରାଗଲା l
୧୯୪୮ ମେ ମାସରେ ଶ୍ରୀ ଗୋବିନ୍ଦ ପ୍ରଧାନଙ୍କ ଆହ୍ୱାନକ୍ରମେ ହଜାର ହଜାର ଲୋକ ତାକରଡ଼ା ଗ୍ରାମରେ ଶେରଗଡ଼ ରାଜା ଉଦୟ ପ୍ରତାପ ସିଂହଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଥିଲେ l ଉଦୟ ପ୍ରତାପ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ ଓ ତତ୍କାଳୀନ ଗଞ୍ଜାମ କଲେକ୍ଟର ଗୋପୀନାଥ ବେହେରାଙ୍କ ଶରଣ ପଶିଲେ l
ମୁଖ୍ୟମନ୍ତ୍ରୀ ଓ କଲେକ୍ଟର ରାଜାଙ୍କ ପ୍ରତି ସହାନୁଭୂତିଶୀଳ ଥିଲେ l ଏଣୁ ୨୩ ମେ ୧୯୪୮ରେ ପୁଲିସ ବାହିନୀ ବିକ୍ଷୋଭ ଦମନ କରିବାପାଇଁ ତାକରଡ଼ା ଗ୍ରାମ ଚାଲିଲେ l ଯାଇ ଦେଖିଲେ ରାସ୍ତା ଉପରେ ମାଟି ଚେକା ପଥର ସବୁ ଗଦା ହୋଇ ବାଟ ବନ୍ଦ, ଶହ ଶହ ସ୍ତ୍ରୀ ଲୋକ ହାତରେ ପନିକି, ଦାଆ, ପହଁରା ଧରି ପୁଲିସ ମୁକାବିଲା ପାଇଁ ପ୍ରସ୍ତୁତ l ପୋଲିସ ବାହିନୀର ସାହସ ଅଣ୍ଟିଲା ନାହିଁ l ନୀରବରେ ସେମାନେ ଫେରି ଗଲେ l ଲୋକେ ଭାବିଲେ ଯା ହଉ ଆମେ ଜିତିଲୁ l
ହାୟ, ତା ପରଦିନ ଯଥେଷ୍ଟ ବିଶାଳ ପୋଲିସ ବାହିନୀ ଆସି ଆରମ୍ଭ କରିଥିଲେ ସ୍ୱାଧୀନ ଭାରତର ପ୍ରଥମ ଗୁଳିକାଣ୍ଡ – ତାକରଡ଼ା ଗୁଳିକାଣ୍ଡ l ପ୍ରାଣ ହରେଇ ଥିଲେ ଛ ଜଣ ! ବାର ବର୍ଷୀୟା ହେମ ବାଡ଼ତ୍ୟା, କନ୍ଧୁଣ ଡାକୁଆ, ୫୦ ବର୍ଷ, ସୂବେଇନୀ ବେହେରା ୪୫ ବର୍ଷ, ରାହାସ ଦାସ ୩୦, ଅର୍ଜୁନ ବରଡ଼ ୨୧ ବର୍ଷ ଓ ବାଉରି ବରଡ଼ ୫୨ ବର୍ଷ l ଆହତ ହୋଇଥିଲେ ପ୍ରାୟ ପଚାଶ ଜଣ l ଗିରଫ ହୋଇଥିଲେ ଶହ ଶହ ଚାଷୀ l ବର୍ତମାନ ସୁଦ୍ଧା ସେହି ବିପ୍ଲବୀମାନଙ୍କ ରକ୍ତରେ ରଞ୍ଜିତ ଏକ ଘରର ଚଟାଣ ସେମିତି ଅଛି l ସେଇ ଘରର ଜଣେ ସଦସ୍ୟ ଶ୍ରୀ ସମୀର ପ୍ରଧାନଙ୍କ କଥା ଅନୁସାରେ ରକ୍ତରଞ୍ଜିତ ସେଇ ଅଂଶ ସଫା କରାହୋଇନି, ସେମିତି ହିଁ ଅଛି l
ତେବେ ସେମାନଙ୍କ ବଳିଦାନ ବ୍ୟର୍ଥ ଯାଇନି l ସେଇ ଯେ ଜମିଦାର ବିରୋଧୀ ଆନ୍ଦୋଳନ, ‘ଲଙ୍ଗଳ ଯାର ଭୂମି ତାର’ ଆହ୍ୱାନ ଦ୍ଵାରା ୧୯୫୩ରେ ଓଡ଼ିଶାରେ ଜମିଦାରୀ ବିଲୋପ ଆଇନ ଲାଗୁହେଲା l
ହୁଏତ ଆଜି ଆମେ ସ୍ୱାଧୀନ ଭାରତର ଏଇ ପ୍ରଥମ ପୋଲିସ ଗୁଳିକାଣ୍ଡ ତାକରଡ଼ା ଗୁଳିକାଣ୍ଡ ଭୁଲିଯାଇଛୁ l ମହାନ ତ୍ୟାଗୀ ସଂଗ୍ରାମୀ ଗୋବିନ୍ଦ ପ୍ରଧାନଙ୍କୁ ଭୁଲିଯାଇଛୁ କିନ୍ତୁ ସେ ଅଞ୍ଚଳର ଲୋକମାନେ ଭୁଲି ନାହାନ୍ତି l ଅପରିଚିତ କେହି ବି ଯାଇ ଏ ତାକରଡ଼ା ଗୁଳିକାଣ୍ଡ ବିଷୟରେ ପଚାରିଲେ ସେମାନେ ଆଗ୍ରହର ସହ ବୁଝେଇ ଦେବେ, ଶହୀଦ ସ୍ମୃତିସ୍ତମ୍ଭ ଓ ଶ୍ରୀ ଗୋବିନ୍ଦ ପ୍ରଧାନଙ୍କ ପ୍ରତିମୂର୍ତ୍ତି ଦେଖେଇ ଦେବେ l କହିଉଠିବେ,
“ଧାନ ବିଲ ଖସ ଖସ
ପୁଲିସ ଗୁଳିରେ ରଇତ ନାଶ
କିସ ହେବ ମୋର ଦେଶ . . “
Takarada Gulikanda Ganjam Ambika Patnaik
Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

3 hours ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago