ଲେଖା: ନିରଞ୍ଜନ ସାହୁ

~ ସତ୍ୟନାରାୟଣ ପାଲା ~
ଓଡ଼ିଶାର ପାଲା ବହୁ ପ୍ରାଚୀନ । ପରବର୍ତ୍ତୀ ସମୟରେ ସତ୍ୟପୀର ପାଲା ଓଡ଼ିଶାରେ ପ୍ରବେଶ କରିଥିବା ସହଜେ ଅନୁମେୟ । କିନ୍ତୁ ସତ୍ୟନାରାୟଣ ପାଲା , ଯାହା ଓଡ଼ିଶାର ଆତ୍ମା, ତାହାର ଉଦ୍ଭବ ଗଂଗବଂଶ ରାଜୁତି ସମୟର । ଗବେଷକ ନୀଳମଣି ମିଶ୍ରଙ୍କ ଏହି ଉକ୍ତିକୁ ଟିକେ ଧ୍ୟାନ ଦେବା ବିଧେୟ – “ଗଙ୍ଗମାନଙ୍କ ସମୟରୁ ପୁରୀ – ବୈଷ୍ଣବକ୍ଷେତ୍ର, ଭୁବନେଶ୍ୱର – ଶୈବକ୍ଷେତ୍ର, ଯାଜପୁରଶାକ୍ତକ୍ଷେତ୍ର ଓ ମହାବିନାୟକ – ଗଣପତିକ୍ଷେତ୍ର ରୂପେ ପ୍ରସିଦ୍ଧି ଅର୍ଜନ କଲା । ପଞ୍ଚଦେବତାଙ୍କ ଉପାସନା ରାଜଧର୍ମ ରୂପେ ସ୍ଵୀକୃତ ହେବାରୁ ଓଡ଼ିଶାର ପ୍ରତ୍ୟେକ ପୂଜା ପାର୍ବଣରେ ପଞ୍ଚଦେବତାଙ୍କ ଉପାସନା ଉପରେ ଗୁରୁତ୍ବ ଆରୋପ କରାଗଲା । ଏହି ପଞ୍ଚୋପସନାର ପରିକଳ୍ପନାରୁ ଓଡ଼ିଶାରେ ସତ୍ୟନାରାୟଣ ପାଲାର ସୃଷ୍ଟି ।”
ଗଙ୍ଗବଂଶର ପ୍ରତିଷ୍ଠା ୫୦୦ ଖ୍ରୀଷ୍ଟାବ୍ଦରେ । ଅତଏବ ଯଦି ପଣ୍ଡିତ ନୀଳମଣି ମିଶ୍ରଙ୍କ ଉକ୍ତିକୁ ଧରାଯାଏ, ତେବେ ସତ୍ୟନାରାୟଣ ପୂଜା ସେ ବେଳର । ଦ୍ବିତୀୟତଃ ସତ୍ୟନାରାୟଣ ପୂଜା/ବ୍ରତ ସ୍କନ୍ଧପୁରାଣରେ ବର୍ଣ୍ଣିତ, ହିନ୍ଦୁ ଧର୍ମର ଆଚାର ବ୍ୟବହାରରେ ପ୍ରତିଷ୍ଠିତ। ଏ ସମ୍ପର୍କରେ #ଓଡି଼ଶାର #ପାଲା ର ବିଶିଷ୍ଟ ଗବେଷକ ଡ. ସନ୍ତୋଷ କୁମାର ମହାପାତ୍ର କହନ୍ତି, “ଓଡ଼ିଆ ନାଟ୍ୟକଳାରେ ପାଲା ଏକ ବିଶିଷ୍ଟ ଅନୁଷ୍ଠାନ । ଏହା ଓଡ଼ିଆ ସଂସ୍କୃତିକୁ ବିଭିନ୍ନ ଭାବରେ ପ୍ରଭାବିତ କରି ଆସିଛି । ସତ୍ୟନାରାୟଣ ବ୍ରତ ସହିତ ଏହା ବିଶେଷ ଭାବରେ ଜଡ଼ିତ । ସ୍କନ୍ଧ ପୁରାଣର ରେବା ଖଣ୍ଡରେ ସତ୍ୟନାରାୟଣଙ୍କ ପୂଜନ ବର୍ଣ୍ଣନ ହୋଇଛି । ଓଡ଼ିଶାର ପାଲା ପରମ୍ପରାର ପ୍ରାଚୀନତା ସମ୍ପର୍କରେ ଏହା ଏକ ଜ୍ଵଳନ୍ତ ପ୍ରମାଣ । ସତ୍ୟନାରାୟଣ ବ୍ରତରୁ ପୂଜା ବା କଥାବାଚନର ପରମ୍ପରା ଆରମ୍ଭ ହୋଇଛି ଏବଂ ବର୍ତ୍ତମାନର ପ୍ରଚଳିତ ‘ଠିଆ ପାଲା‘ ତା’ର ଏକ ଅନୁଭାବ ।”
~ ସତ୍ୟନାରାୟଣ ପୂଜା ~
ସ୍କନ୍ଧ ପୁରାଣର ବର୍ଣ୍ଣନା ଅନୁଯାୟୀ ଭାରତବର୍ଷରେ ସତ୍ୟନାରାୟଣ ପୂଜା ସର୍ବତ୍ର ପ୍ରଚଳିତ ଥିଲା । କାଳକ୍ରମେ ବଙ୍ଗଳା ଓ ଓଡ଼ିଶାରେ ସତ୍ୟନାରାୟଣ ସତ୍ୟପୀର ଭାବରେ ପରିବର୍ତ୍ତିତ ହେଲେ ଯାହା ହିନ୍ଦୁ ମୁସଲମାନ ଦୁଇ ସମ୍ପ୍ରଦାୟର ସମନ୍ୱୟ ପାଇଁ ହିଁ ଆରମ୍ଭ ହୋଇଛି ଏବଂ ଏହା ବିଶେଷ ଭାବରେ ବଙ୍ଗଦେଶରୁ ଆନୀତ । ଐତିହାସିକ କୃପାସିନ୍ଧୁ ମିଶ୍ର ତାଙ୍କର #ଉତ୍କଳ #ଇତିହାସ ଗ୍ରନ୍ଥରେ ଏହି ସତ୍ୟପୀର ପୂଜା ୧୭୧୬ ମସିହାରେ ଓଡ଼ିଶାରେ ପ୍ରଚଳିତ ହେଲା ନଵାଵ ସୁଜାଉଦ୍ଦିନଙ୍କ ଅମଳରେ, ଯାହାକି କଟକର କଦମ୍ ରସୁଲ୍ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ।
ଅନ୍ୟ ସମାଲୋଚକମାନେ ମଧ୍ୟ ସେହି ଭଳି ବିଭିନ୍ନ ମତ ପୋଷଣ କରିଛନ୍ତି ଅତି ସାଧାରଣ ଭାବରେ । ଆମ ଓଡ଼ିଶାର ସତ୍ୟନାରାୟଣ ପୂଜା ଉପରେ ଅଧିକ ଆଲୋକପାତ ନ କରି ଅତି ହାଲୁକା ଭାବେ ସତ୍ୟପୀର ପୂଜା ଉପରେ ଗୁରୁତ୍ବ ଦେବା ଅତ୍ୟନ୍ତ ଦୁଃଖଦ । ସେ ଯାହା ହେଉ ନା କାହିଁକି, ଏହି ସତ୍ୟନାରାୟଣ ପୂଜା ବା ବ୍ରତ ଓଡିଶାର ସ୍ୱତନ୍ତ୍ର। ଅତିବଡ଼ି ଜଗନ୍ନାଥ ଦାସ ଭାଗବତ ରଚନା ଆରମ୍ଭ କରିବା ପରେ ଚୈତନ୍ୟ ପଦାର୍ପଣ କରିଥିଲେ ଓଡ଼ିଶାରେ । ସେହି ସମୟରେ ଅତିବଡ଼ି ରଚନା କରି ସାରିଥିଲେ #ଶ୍ରୀ #ସତ୍ୟନାରାୟଣ (ନବାକ୍ଷରୀ ଭାଗବତ ପାଲା) ବୃତ୍ତରେ । ସମସ୍ତ ସାହିତ୍ୟ ଉପଭୋକ୍ତାଙ୍କ ଜ୍ଞାତାର୍ଥେ ଏହି ଅମୂଲ୍ୟ ପାଲାର କିୟଦଂଶ ଉଦ୍ଧାର କରିବା —
ମୋହର ଦୋଷ ଯେ ନ ଘେନ ।
ସର୍ବ ସଭାଜନେ ଶରଣ ।।
କଳି ଯୁଗରେ ଉତପନ ।
ହୋଇଲେ ସତ୍ୟନାରାୟଣ ।।
× × ×
ନିଜ ଭୁବନେ ଅବଧାନ ।
ହୋଇଲା କଳି ଆଗମନ ।।
ବଉଧ ରୂପେ ନରହରି ।
ବିଜୟ କଲେ ନୀଳଗିରି ।।
ସେ କାଳେ ସତ୍ୟନାରାୟଣ ।
ହୋଇଲେ ପ୍ରଭୁ ଭଗବାନ ।।
ସୁଜନେ ସାବଧାନେ ଶୁଣ ।
ବ୍ରାହ୍ମଣ ଦେବଶର୍ମା ନାମ ।।
କାଶୀ ଭୁବନେ ସେହୁ ଥାଇ ।
ଭିକ୍ଷା ମାଗିଣ ଦିନ ନେଇ ।।
ଦିନେକ ଯାନ୍ତେ ଭିକ୍ଷା ଅର୍ଥେ ।
ପ୍ରଭୁ ଦେଖିଲେ ତାକୁ ପଥେ ।।
ତାହାର ଭାବେ ଦୟା ବହି ।
ବୃଦ୍ଧ ବ୍ରାହ୍ମଣ ରୂପ ହୋଇ ।।
ବୋଇଲେ ଦ୍ଵିଜବର ଶୁଣ ।
ସେବ ତୁ ସତ୍ୟନାରାୟଣ ।।
× × ×
ବାସୁକି ନାରଦ ସମ୍ବାଦେ ।
ମୋ ଚିତ୍ତ ରହୁ ଅପ୍ରମାଦେ ।।
ଏମନ୍ତେ ସଧବାର ନାରୀ ।
ଆନନ୍ଦେ ଦେଲେ ହୁଳହୁଳି ।।
ଶ୍ରୀ ଭାଗବତ ପାଲା ରସ ।
ଜଗନ୍ନାଥ ଦାସ ପ୍ରକାଶ ।।
ତିନି ଶତ ଯେ ଅଣତ୍ରିଂଶ ।
ପାଲା ପଦ ମନ ମାନସ ।।
~ ଆମ ଚଳଣିରେ ସତ୍ୟନାରାୟଣ ପୂଜା ~
ଓଡ଼ିଶାର ପୁରପଲ୍ଲୀରେ ଏବେ ସତ୍ୟନାରାୟଣ ପୂଜା ପ୍ରବର୍ତ୍ତିତ । ଏଥିରେ ପଞ୍ଚଦେବତାଙ୍କ ପୂଜା ଏକ ସାଧାରଣ ନିୟମ । ଗୋଟିଏ ଆସ୍ଥାନରେ ପୂଜିତ ହୁଅନ୍ତି ଗଣେଶ, ନାରାୟଣ, ଶିବ, ଦୁର୍ଗା ଓ ସୂର୍ଯ୍ୟ ଦେବତା । ଏଥିରେ ନ ଥାଏ କୌଣସି ଭିନ୍ନତା । ପୂଜା ପ୍ରାରମ୍ଭରେ ଆବୃତ୍ତି ହୁଏ —
“ଗଣେ, ନାରାୟଣେ, ରୁଦ୍ରେ, ଅମ୍ବିକେ ଭାସ୍କରେ ତଥା
ଭିନ୍ନାଭିନ୍ନ ନ କର୍ତ୍ତବ୍ୟମ୍ ପଞ୍ଚଦେବ ନମୋସ୍ତୁତେ”
ଏବେ ଆସନ୍ତୁ ଆମର ପ୍ରିୟ ଭୂମି କଳିଙ୍ଗକୁ ଟିକେ ଦୃଷ୍ଟି ଦେବା । ଖ୍ରୀ.ପୂ. ୨୦୦ ଶତାବ୍ଦୀ ବେଳକୁ । ଅଶୋକଙ୍କ କଳିଙ୍ଗ ଆକ୍ରମଣ/ ବିଜୟ ପରେ ଆବିର୍ଭୁତ ହେଲେ ଐର ଖାରବେଳ । କଳିଙ୍ଗର ହୃତଗୌରବ ଫେରାଇ ଆଣିଲେ ମାତ୍ର କେଇ ବର୍ଷ ମଧ୍ୟରେ । ଅଶୋକଙ୍କ ସମୟରେ ପ୍ରବର୍ତ୍ତିତ ବୌଦ୍ଧଧର୍ମ ମୁଣ୍ଡ ଟେକି ଉଠୁଥିବା ସମୟରେ ମଧ୍ୟ ସନାତନ ଧର୍ମର ପ୍ରଚାର କାର୍ଯ୍ୟ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଅବ୍ୟାହତ ରହିଥିଲା । ତଥାପି ଟିକେ ଟିକେ କନ୍ଦଳ ରହିଥିଲା ସମ୍ପ୍ରଦାୟ ମାନଙ୍କ ମଧ୍ୟରେ । ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ହିନ୍ଦୁ ମାନଙ୍କୁ ଏକତ୍ରିତ କରିବା ପାଇଁ ଚେଷ୍ଟିତ ହୋଇଥିଲେ ସମ୍ରାଟ ଖାରବେଳ । କାରଣ ସମ୍ରାଟ ଖାରବେଳ ଚାହୁଁଥିଲେ ଶାନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଓ ଗୋଟିଏ କଳିଙ୍ଗ । ସମ୍ରାଟଙ୍କ ଏହି ସକାରାତ୍ମକ ମନୋଭାବ ହେତୁ ଏକ ନୂତନ ଦୃଷ୍ଟିଭଙ୍ଗୀରେ ସ୍ଥାନିତ ହେଲେ #ପଞ୍ଚ #ଦେବତା — ଗଣେଶ, ନାରାୟଣ, ଶିବ, ଦୁର୍ଗା ଓ ସୂର୍ଯ୍ୟ । ଏହି ପଞ୍ଚଦେବତାଙ୍କ ପ୍ରତୀକ ଭାବେ ଉଭା ହେଲେ #ସତ୍ୟନାରାୟଣ
ସେହି ସତ୍ୟନାରାୟଣ ହେଲେ ସର୍ବମୟ କର୍ତ୍ତା, ହର୍ତ୍ତା ଓ ଦୈବବିଧାତା ! ପୁନଃ ଦଶମ ଶତାବ୍ଦୀ ବେଳକୁ ଗଂଗବଂଶ ପ୍ରତିଷ୍ଠା ପରେ ଏହି ସତ୍ୟନାରାୟଣ ପୂଜା ଓଡ଼ିଶାର ଜନଜୀବନ, ସଂସ୍କୃତିରେ ନିଜର ପ୍ରତିଷ୍ଠା ଅର୍ଜନ କରି ସାରିଥିଲା । ମାଦଳାପାଞ୍ଜି (୧୦୭୭) ମଧ୍ୟ ଏହା ଉପରେ ଆଲୋକପାତ କରେ । ସ୍କନ୍ଧ ପୁରାଣର ୨୪୩ ଅଧ୍ୟାୟରେ ସତ୍ୟନାରାୟଣ ପୂଜାର ଲକ୍ଷ୍ୟ ନିମ୍ନମତେ ବର୍ଣ୍ଣିତ —
ଦୁଃଖ ଶୋକାଦି ଶମନଂ
ଧନଧାନ୍ୟ ବିବର୍ଦ୍ଧନଂ
ସୌଭାଗ୍ୟ ସନ୍ତତିକରଂ
ସର୍ବତ୍ର ବିଜୟପ୍ରଦଂ
ଯସ୍ମିନ୍ କସ୍ମିନ୍ ଦିନେ
ମର୍ତ୍ତ୍ୟୋ ଭକ୍ତି ଶ୍ରଦ୍ଧା ସମନ୍ଵିତଃ
ସତ୍ୟନାରାୟଣଂ ଦେବଂ
ଯଜେତ୍ ତୁଷ୍ଟୋ ନିଶାମୁଖେ ।
ଗବେଷକ ଡ. ସନ୍ତୋଷ ମହାପାତ୍ର କହନ୍ତି — “ସତ୍ୟନାରାୟଣ ବ୍ରତ ପୂଜାର ମୂଳ ତତ୍ତ୍ୱ ହେଲା, ପରମାତ୍ମା ଏକ ମାତ୍ର ସତ୍ୟ, ଅନ୍ୟ ସବୁ ମାୟା । ଭାଗବତରେ ସେହି ସତ୍ୟନାରାୟଣ ବ୍ରହ୍ମାଙ୍କ ଦ୍ଵାରା ଏହି ଭାବରେ ବନ୍ଦିତ:–
ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟମ୍
ସତ୍ୟସ୍ୟ ୟୋନିଂ ନିହିତଂ ଚ ସତ୍ୟେ ।
ସତ୍ୟସ୍ୟ ସତ୍ୟଂ ଋତ ସତ୍ୟନେତ୍ରମ୍
ସତ୍ୟାତ୍ମକଂ ତ୍ଵଂ ଶରଣଂ ପ୍ରପନ୍ନାଃ ।।
ଅତଏବ କଳିଯୁଗରେ ସତ୍ୟନାରାୟଣ ପ୍ରତ୍ୟକ୍ଷ ଫଳ ଦିଅନ୍ତି, ଏହାହିଁ ସ୍କନ୍ଧ ପୁରାଣର ରେବା ଖଣ୍ଡରେ ବର୍ଣ୍ଣିତ । ସତ୍ୟନାରାୟଣ ବ୍ରତ ସମସ୍ତ ଦୁଃଖ ଶୋକରୁ ତ୍ରାହି କରିଥାଏ ଯାହା ନାରଦ ଓ ଭଗବାନଙ୍କ କଥୋପକଥନ ଭିତରେ ଉଲ୍ଲିଖିତ ।
କଳିଯୁଗରେ ସତ୍ୟନାରାୟଣ ବ୍ରତ ବାଞ୍ଚାସିଦ୍ଧିର ସର୍ବଶ୍ରେଷ୍ଠ ପୂଜା ବୋଲି ଜନମାନସରେ ପ୍ରଚଳିତ । ପୂଜା କଲେ ଅଭିଷ୍ଟ ପୂରଣ, ଧନରତ୍ନ ଲାଭ, ପୁତ୍ରପୌତ୍ରାଦି, ଯଶଗୌରବ, ଖ୍ୟାତି ଅର୍ଜନ ଏବଂ ଏହା ନ କଲେ ପ୍ରତିଶୋଧ ପ୍ରିୟ ଠାକୁର ସତ୍ୟନାରାୟଣ କୁଆଡ଼େ ରୋଗ, ଶୋକ, ଆପଦ ବିପଦ ଓଜାଡ଼ି ଦେବା ନିଶ୍ଚିତ !! ଏହି ଧାରଣା ସୃଷ୍ଟି କରା ଯାଇଥିଲା ପୂଜା ପ୍ରଚଳନ ପ୍ରାରମ୍ଭରେ । ଯାହା ପରବର୍ତ୍ତୀ ସମୟରେ ଓଡ଼ିଶାର ପୁରପଲ୍ଲୀରେ ପ୍ରଚଳିତ ପଞ୍ଚାନନ ମେଳା, ତ୍ରିନାଥ ମେଳା, ସୋମନାଥ ବ୍ରତ ଇତ୍ୟାଦିରେ ସୂଚିତ ହୋଇଛି । ଏଭଳି ଅନ୍ଧବିଶ୍ୱାସ ଅବଶ୍ୟ ରୁନ୍ଧି ହୋଇଯାଇଛି ଆମର ଏହି ସ୍ଵକୀୟ ସଂସ୍କୃତି ପାଲା ମାନଙ୍କରେ, ଯାହା ଅଧିକ ପ୍ରତିଫଳିତ ହୁଏ ଆମ ଓଡ଼ିଶାର #ସତ୍ୟପୀର #ପୂଜା /#ପାଲା ମାନଙ୍କରେ ।
~ ଏକ ସଂସ୍କରଣ ~
ସତ୍ୟନାରାୟଣ ବ୍ରତ/ପୂଜାର ଏକ ମୁସଲମାନୀ ସଂସ୍କରଣ ତିଆରି କରିବାରେ ଏକ ଉଦାର ପ୍ରୟାସ ହେଉଛି ସତ୍ୟପୀର ପାଲା/ ପୂଜା । ଏହା ସତ୍ୟନାରାୟଣ ପୂଜାର ଏକ ଅନୁସୃଜନ ମାତ୍ର ! କିନ୍ତୁ ହିନ୍ଦୁ ମୁସଲମାନ ସମନ୍ୱୟ ନିମିତ୍ତ ହିଁ ସୃଷ୍ଟ ଏହି ସତ୍ୟପୀର ପୂଜା । ଏହା ମୌଳିକ ନୁହେଁ ଯେପରି ହିନ୍ଦୁ ଆଚାରରେ ସତ୍ୟନାରାୟଣ ବ୍ରତ । ତେଣୁ ସତ୍ୟନାରାୟଣ ପୂଜା/ବ୍ରତ/ପାଲା ଓ ସତ୍ୟପୀର ପୂଜା/ପାଲା ମଧ୍ୟରେ ପ୍ରଭେଦ ଅନେକ ।
ଆଧାର: ଡ. କୁଞ୍ଜବିହାରୀ ଦାଶ, ଡ. ସନ୍ତୋଷ କୁମାର ମହାପାତ୍ର, ଡ. ନିରଞ୍ଜନ ପଣ୍ଡା, ଶ୍ରୀ ଧୀରେନ ଦାଶ ଓ ଗାୟକ ତୋଫାନ କୁମାର ସାହୁ
admin

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

1 week ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

1 week ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

1 week ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago