ଲେଖା: ଶ୍ରୀକାନ୍ତ ସିଂହ
~ ଶ୍ରୀ ସୋମନାଥ ମନ୍ଦିର ~
ସୋମନାଥ ମନ୍ଦିର, ତ୍ରୟୋଦଶରୁ ଚତୁର୍ଦ୍ଦଶ ଶତାବ୍ଦୀ ମଧ୍ୟରେ ନିର୍ମାଣ ହୋଇଥିବା କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏକ କାରୁକାର୍ଯ୍ୟପୂର୍ଣ୍ଣ ପ୍ରାଚୀନ ମନ୍ଦିର l ଏହି ମନ୍ଦିରଟି ନିମାପଡ଼ା ବଜାର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ବିଷ୍ଣୁପୁର ଗ୍ରାମର କରଞ୍ଜି ସାହିରେ ଅବସ୍ଥିତ l
ମନ୍ଦିରଟି ପ୍ରାୟତଃ ଭଗ୍ନ l ଏହାର ନାଟମଣ୍ଡପ, ଜଗମୋହନ ଆଦି ସମ୍ପୂର୍ଣ୍ଣ ଧ୍ବଂସ ପାଇଥିବା ବେଳେ, କେବଳ ଗର୍ଭଗୃହର କିଛି ଅଂଶ ଯାହା ବଞ୍ଚି ରହିଛି l କଳା ପାହାଡ଼ ଆକ୍ରମଣରେ ମନ୍ଦିରଟି ଭଗ୍ନ ଓ ଜରାଜୀର୍ଣ୍ଣ l ଏହି ପ୍ରାଚୀନ ମନ୍ଦିରଟି କଳିଙ୍ଗ ବାସ୍ତୁକଳା ଅନୁସାରେ ପଞ୍ଚରଥ ଶୈଳୀରେ ନିର୍ମାଣ ହୋଇଥିବାର ଜଣାପଡ଼େ l କାରଣ ମନ୍ଦିରର ଉତ୍ତର, ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱରେ ଗର୍ଭଗୃହକୁ ଲାଗି ଆଉ ତିନିଗୋଟି ପିଣ୍ଡି ରହିଛି l ଏହି ପିଣ୍ଡି ଉପରେ କୌଣସି ସମୟରେ ତିନୋଟି ମନ୍ଦିର ଥିବା ଅନୁମାନ କରିହୁଏ l
ସୋମନାଥ ମନ୍ଦିର ଗାତ୍ରରେ ଥିବା ସୁକ୍ଷ୍ମ କାରୁକାର୍ଯ୍ୟ ଗୁଡ଼ିକ ପ୍ରାୟତଃ ଘୋରି ହୋଇଗଲାଣି l ମନ୍ଦିର ଗାତ୍ରରେ ନାଗ, ନାଗକନ୍ୟା, ସଖୀ, ନର୍ତ୍ତକୀ, ଦିଗପାଳଙ୍କ ମୂର୍ତ୍ତି ଓ କେତେକ ରେଖମୁଣ୍ଡି ଆଦି ଦେଖିବାକୁ ମିଳେ l ଭୂମିକୁ ସ୍ପର୍ଶ କରୁଥିବା ମନ୍ଦିର ନିମ୍ନ ଅଂଶରେ ଧାଡ଼ି ଧାଡ଼ି ହୋଇ ଗଜ, ହରିଣ ଆଦି ଜୀବଜନ୍ତୁଙ୍କ କମନୀୟ ସୁକ୍ଷ୍ମ ମୂର୍ତ୍ତି ଆଦି ଦେଖିବାକୁ ମିଳେ l
ଅନ୍ୟ ଅନେକ ଶିବ ମନ୍ଦିର ପରି ଏହିସୋମନାଥ ମନ୍ଦିର ଗାତ୍ରରେ ପାର୍ଶ୍ଵ ଦେବଦେବୀ ରୂପେ ଗଣେଶ, କାର୍ତ୍ତିକେୟ ଓ ଦେବୀ ପାର୍ବତୀଙ୍କ ପ୍ରତିମା ରହିଛି l ଗର୍ଭ ଗୃହକୁ ପ୍ରବେଶ ପଥର ମଧ୍ୟଭାଗରେ ବୃଷଭ ପ୍ରତିମା, ବାମପାର୍ଶ୍ୱରେ ଗଣେଶ ଓ ଦକ୍ଷିଣପାର୍ଶ୍ୱରେ ମନସା ଦେବୀଙ୍କ ଏକ ପ୍ରତିମା ରହିଛି l
ସୋମନାଥ ମନ୍ଦିରର ବିଶେଷତ୍ୱ ହେଲା ଏଠାରେ କୋଣାର୍କ ଚକ୍ରାକୃତିର ଏକ ସ୍ୱତନ୍ତ୍ର କଳାକୃତି ରହିଛି, ଯାହାକି କଳିଙ୍ଗ ବାସ୍ତୁକଳାର ଏକ ଦୁର୍ଲଭ କାରୁକାର୍ଯ୍ୟପୂର୍ଣ୍ଣ କଳାକୃତି l ଏହି ଚକ୍ରାକୃତି କଳାକୃତିର ମଧ୍ୟ ଭାଗରେ ନୃତ୍ୟରତ ଏକ ମୂର୍ତ୍ତି ରହିଥିବାବେଳେ ଏହାର ଚତୁଃପାର୍ଶ୍ୱରେ ଆଉ ଆଠ ଗୋଟି ପ୍ରତିମା ରହିଛି l ଏହି ମୂର୍ତ୍ତି ଗୁଡ଼ିକରେ ବିଭିନ୍ନ ବାଦ୍ୟଯନ୍ତ୍ର ତଥା ବଂଶୀବାଦନ କରୁଥିବା ରୂପ ଖୋଦିତ ହୋଇଛି l
ଶହ ଶହ ବର୍ଷ ପୂର୍ବେ ଉତ୍କଳର କୁଶଳୀ କାରିଗରମାନେ ନିର୍ମାଣ କରିଯାଇଥିବା ଦେଉଳ, ମଠ ଓ ମନ୍ଦିର ଆଦି ବିଧର୍ମୀ କଳାପାହାଡ଼ ଦ୍ୱାରା ଖଣ୍ଡବିଖଣ୍ଡିତ ହୋଇ ଧ୍ବଂସ ପ୍ରାପ୍ତ ହୋଇଥିଲା l ତାହା ଥିଲା ତତ୍କାଳୀନ ସମୟରେ ନିୟତିର ଏକ ନିଷ୍ଠୁର ପ୍ରହାର l ମାତ୍ର ବିଡମ୍ବନାର ବିଷୟ ହେଲା, ବର୍ତ୍ତମାନ ସମୟରେ ଏହିସୋମନାଥ ମନ୍ଦିର ରାଜ୍ୟ ପର୍ଯ୍ୟଟନ ବିଭାଗ ଅଧୀନରେ ଥାଇ ମଧ୍ୟ ଉପଯୁକ୍ତ ରକ୍ଷାଣା ବେକ୍ଷଣ ଅଭାବରୁ ଅବହେଳିତ ହୋଇ ପଡ଼ି ରହିଛି ଏବଂ ଅନେକ କଳାକୃତି ନଷ୍ଟ ହେବାକୁ ବସିଲାଣି l
କାରୁକାର୍ଯ୍ୟପୂର୍ଣ୍ଣ ଅନେକ ପଥର ଖଣ୍ଡମାନ ମନ୍ଦିର ପରିସରରେ ଏଣେ ତେଣେ ବିକ୍ଷିପ୍ତ ହୋଇ ପଡ଼ିରହିଥିବା ଦେଖିବାକୁ ମିଳେ l ଯଦ୍ୱାରା ମନ୍ଦିର ପ୍ରତି ଥିବା ସରକାରୀ ଉଦାସୀନତା ଏଠାରେ ସ୍ପଷ୍ଟ ରୂପେ ବାରି ହୋଇପଡ଼େ l ମନେହୁଏ ଭଗ୍ନ, ଜରାଜୀର୍ଣ୍ଣ ପାଷାଣ କୀର୍ତ୍ତିରାଜି ତଳେ ସତେ ଯେମିତି ନିରୁଦ୍ଧିଷ୍ଟ ଆଜି ଇତିହାସ l
Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

6 minutes ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago