ଆଲେଖ୍ୟ: ଶିଶିର ମନୋଜ ସାହୁ

ଆଗେ ଶ୍ରାଵଣ ମାସରେ ଲୋକେ ଅନେକ ପର୍ଵ ପାଳୁଥିଲେ କିନ୍ତୁ ଯୋଉ ଦିନଠୁଁ ଉତ୍ତର ଭାରତର କାଉଡି ଯାତ୍ରାର ଧାରା ପଶିଆସିଛି ସେବେଠାରୁ ଶ୍ରାଵଣମାସର ପର୍ଵପର୍ଵାଣୀ ପାଳନ ଅନେକାଂଶରେ କମିଯାଇଛି ।ଶ୍ରାଵଣମାସର ପର୍ଵପର୍ଵାଣୀ ଗୁଡ଼ିକର ନାମୋଲ୍ଲେଖ କରାଗଲା ।
୧. ଅନ୍ନଦାନ ଏକାଦଶୀ: ଶ୍ରାଵଣ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଦରିଦ୍ର ଜନଙ୍କୁ ଅନ୍ନଦାନ ଦେଵାର ମହନୀୟ ଵ୍ରତ ପାଳନ ହେଉଥିଲା । ଏହାକୁ ଗାନ୍ଧାରୀ ଏକାଦଶୀ ମଧ୍ୟ କୁହାଯାଏ । ଓଡ଼ିଶାରେ ଏହି ଏକାଦଶୀକୁ ଚକ୍ରବୁଲା ଏକାଦଶୀ କୁହାଯାଇଥାଏ କାରଣ ଏ ଦିନ ଜଗନ୍ନାଥଙ୍କ ପ୍ରତିନିଧିସ୍ବରୂପ ସୁଦର୍ଶନଚକ୍ରକୁ ଵିମାନରେ ପୁରୀର ସାତ ସାହିରେ ବୁଲାଯାଏ । ତେଵେ ଆଜି ପ୍ରୋକ୍ତ ଅଧିକାଂଶ ଉପଯୋଗୀ ପର୍ଵ ଲୁପ୍ତ ହୋଇଅଛି ।

୨. ଆଖେଟକ ପର୍ଵ: ଶ୍ରାଵଣ ଶୁକ୍ଳ ତ୍ରଯୋଦଶୀ ଦିନ ଆଖେଟେକ ପର୍ଵ ପାଳନ କରାଯାଉଥିଲା । ଏହି ଦିନ କ୍ଷତ୍ରିୟ ଓ କାରିଗରମାନେ ଅସ୍ତ୍ରଶସ୍ତ୍ରାଦିର ପୂଜା କରୁଥିଲେ । ଆଜି ଏ ପର୍ଵ ମଧ୍ୟ ଲୁପ୍ତ ହୋଇ ସାରିଛି ।

୩. ପଵିତ୍ରାରୋପଣ ଚତୁର୍ଦ୍ଦଶୀ: ଶ୍ରାଵଣ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଶ୍ରୀଲିଙ୍ଗରାଜଙ୍କ ଯାତ୍ରା ହେଉଥିଲା । ଶ୍ରାବଣ ଶୁକ୍ଳ ଦ୍ବାଦଶୀ ତିଥିରେ ଵିଷ୍ଣୁ ପ୍ରଭୃତି ଦେଵତାଙ୍କୁ ପଇତା ପିନ୍ଧାଯାଏ । ତେଵେ ଯେଉଁ ଦିନଠୁଁ ପ୍ରଭୁଙ୍କ ଭକ୍ତ ପ୍ରାଚୀନ ପର୍ଵ ଛାଡ଼ି ବାହାରିଆ ଅର୍ଵାଚୀନ ପରଵ ପଛରେ ଗୋଡ଼େଇଛନ୍ତି ସେଇଦିନଠୁଁ ଏହାଙ୍କର ଅନେକ ପର୍ଵ ଏଵଂ ଏହି ପ୍ରଭୁ ନିଜେ ଅଵହେଳିତ ଅଛନ୍ତି ।

୪. ଜାଗୁଳାଈ ପଞ୍ଚମୀ: ଶ୍ରାବଣ ଶୁକ୍ଳ ପଞ୍ଚମୀଦିନ ଏହି ପର୍ଵ ପାଳନ ହେଉଥିଲା । ଆଗେ ଏ ଦିନ ରାତିରେ ଗ୍ରାମର ଭଣ୍ଡାରି ଗୋଟିଏ ମାଟିର ଜାଗୁଆଳି ମୂର୍ତ୍ତି ନିର୍ମାଣ କରି ଗ୍ରାମର ଦ୍ବାରେ ଦ୍ବାରେ ନେଇ ବୁଲାଉଥିଲା ଓ ଗୃହସ୍ଥମାନଙ୍କୁ ଦ୍ବାରରେ ଉକ୍ତ ଠାକୁରାଣୀଙ୍କୁ ଚକୁଳି ପୂଜା ଦିଆଯିଵା ପରେ ଉକ୍ତ ପ୍ରତିମାକୁ ନେଇ ପାଣିରେ ପକାଇ ଦେଉଥିଲା । କିନ୍ତୁ ବାହାରିଆ ପର୍ଵଟେ ପାଳୁ ପାଳୁ ଦେଖାଶିଖା ଓଡ଼ିଆ ଜାତି ନିଜ ପର୍ଵଟିକୁ ଗୋଟାପଣେ ପାଶୋରି ଦେଲା ।

୫. ଝୁଲଣଯାତ୍ରା: ଆଗେ ଝୁଲଣ ଯାତ୍ରା ଓଡ଼ିଶାର ଘରେ ଘରେ ପ୍ରସିଦ୍ଧ ଥିଲା । ଏବେକୁ କିନ୍ତୁ ଏ ପର୍ଵର ପ୍ରସିଦ୍ଧି ଅନେକାଂଶରେ କମିଯାଇଛି । ଆଜି ଓଡିଶାର ଲୋକ ଝୁଲଣ ଯାତ୍ରା କ’ଣ ଜାଣିଵାକୁ ଅଭିଧାନ ଅଣ୍ଡାଳନ୍ତି ସେଥିରେ ଲେଖାଥାଏ “ଶ୍ରାଵଣ ଶୁକ୍ଲଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ରାଧାକୃଷ୍ଣ ଯୁଗଳମୂର୍ତ୍ତିଙ୍କର ଦୋଳିରେ ଝୁଲିବା ଉତ୍ସବକୁ ଝୁଲଣ ଯାତ୍ରା କୁହାଯାଏ” ।।

୬. ନାଗପଞ୍ଚମୀ: ଓଡ଼ିଶାରେ ନାଗଗୋତ୍ରୀ ଲୋକ ଅଧିକ । ସେମାନେ ଵିଶେଷ ଭାଵେ ନାଗପଞ୍ଚମୀ ପାଳୁଥିଲେ । ଏହା ଶ୍ରାବଣ କୃଷ୍ଣପଞ୍ଚମୀ ତିଥିରେ ପାଳିତ ହେଉଥିଲା ଏଵଂ ଏହାର ଅନ୍ୟ ନାମ ମନସା ପଞ୍ଚମୀ । ଏ ଦିନ ନାଗପୂଜା ଓ ମନସା ପୂଜା ହେଉଥିଲା । ମତାନ୍ତରେ କେହି କେହି ଶ୍ରାବଣ ଶୁକ୍ଳପଞ୍ଚମୀ ଵା ଜାଗୁଳେଇ ପଞ୍ଚମୀ ଦିନ ଏ ପୂଜା କରୁଥିଲେ । ତେଵେ ଦେଵୀପୁରାଣ ମତେ ଆଷାଢ଼ କୃଷ୍ଣପଞ୍ଚମୀ ଦିନ ନାଗପଞ୍ଚମୀ ତିଥି ପଡ଼ିଥାଏ । ଏ ଦିନ ଅଷ୍ଟନାଗ ଵା ତ୍ରୟୋଦଶ ନାଗ ସିଝୁଗଛ ମୂଳେ ପୂଜା କରାଯାଉଥିଲା। ଏଦିନ ଘରେ ନିମ୍ବପତ୍ର ଆଣି ରଖାଯାଉଥିଲା ଓ ଖିଆଯାଉଥିଲା ମଧ୍ୟ । ଲୋକ ଵିଶ୍ଵାସ ଥିଲା ଏ ପର୍ଵ ପାଳିଲେ ବର୍ଷକ ପାଇଁ ସର୍ପଭୟ ରହେ ନାହିଁ।

୭. ମନ୍ଵନ୍ତରା ପର୍ଵ: ଏ ପର୍ଵ ଆଷାଢ଼ ଶୁକ୍ଳଦଶମୀ, ଶ୍ରାଵଣ କୃଷ୍ଣଅଷ୍ଟମୀ ଓ ଭାଦ୍ର ଶୁକ୍ଳତୃତୀୟାରେ ଅନୁଷ୍ଠିତ ହେଉଥିଲା । ଆଜି ଏହା ଅନେକାଂଶରେ ଲୁପ୍ତ ।

୮. ମାଣଵସା ଓଷା: କେତେକ ଅଞ୍ଚଳରେ ଶ୍ରାଵଣ ମାସର ଗୁରୁଵାରରେ ମାଣଵସା ଓଷା ହେଉଥିଲା । ତାହା ଏଵେ ପ୍ରାୟ ଲୁପ୍ତ ।

୯. ହରିଆଲି ଉଆଁସ/ହରେଇଲି ଉଆଁସ:ପଶ୍ଚିମାଞ୍ଚଳର ଵିଶିଷ୍ଟ ପର୍ଵ ହରିଆଲି ଓ ସାତପୁରି ଅମାବାସ୍ଯା ଵା ଶ୍ରାବଣ ଅମାବାସ୍ଯା ଭାଵେ ଖ୍ୟାତ ପର୍ଵଟି ଅଛି କି ନାହିଁ ତାହା ସ୍ପଷ୍ଟ ନୁହେଁ। ଆଗେ ସ୍ଥାନୀୟ ଲୋକ ଏ ଅମାବାସ୍ଯା ଦିନ ଗ୍ରାମର ଗାଈ ଚରାଇଵା ଲୋକ ଶତାଵରୀ ଡାଳ ଆଣି ଗ୍ରାମର ପ୍ରତ୍ଯେକ ଵ୍ଯକ୍ତିଙ୍କ ଘରେ ଖୋସିଯାଉଥିଲା । ଲୋକଵିଶ୍ବାସ ଥିଲା ଏହା ଦ୍ବାରା ଗ୍ରାମବାସୀମାନେ କୁଶଳରେ ରହନ୍ତି।

୧୦. ଗହ୍ମା ପୂର୍ଣ୍ଣିମା: ଏ ମାସର ସବୁଠାରୁ ମୁଖ୍ୟ ଦିନ, ଅଥଚ ଓଡ଼ିଆ ଲୋକଙ୍କ ଦ୍ଵାରା ସବୁଠାରୁ ଅଧିକ ଅଵହେଳିତ ନିଜସ୍ଵ ପର୍ଵ ହେଲା ଗହ୍ମା ପୂନେଇଁ । ଆଗେ ଓଡ଼ିଶାର ଵ୍ଯକ୍ତି ଵିଶେଷ ନିଜ ନିଜ ଗୃହରେ ଏହିଦିନ ସମସ୍ତେ ବଳଦେବଙ୍କୁ ପୂଜା କରୁଥିଲେ । ଗ୍ରାମପ୍ରାନ୍ତରେ ଗୋଟିଏ ହସ୍ତପଦ ଅଙ୍କିତ ବଳଦ ଶୋଇଵା ଆକାରର ମୃତ୍ତିକାସ୍ତୂପ ନିର୍ମାଣ କରାଯାଇ ଏଠାରେ ଗ୍ରାମର ସାଧାରଣ ବଳଦେବ ପୂଜା ଓ ଭୋଗ ହୁଏ ଓ ଗୋଟିଏ ଅଣ୍ଡିରା ବାଛୁରିକୁ ଏ ସ୍ତୂପକୁ ଆଡବାଗରେ ଡ଼ିଆଁଉଥିଲେ ଓ ସେଠାରେ ହୋଇଥିବା ଭୋଗ ଗ୍ରାମବାସୀମାନଙ୍କ ମଧ୍ଯରେ ବଣ୍ଟନ କରାଯାଉଥିଲା । ଗହ୍ମା ପୂର୍ଣ୍ଣିମାରେ ଗାଭୀ ପୂଜା ଓଡ଼ିଶାର ଘରେ ଘରେ ହେଉଥିଲା ଆଜି କିନ୍ତୁ ରାକ୍ଷୀ ଭଳି ବାହାରିଆ ପର୍ଵ ଯୋଗୁଁ ଆମ ମାଟିର ପର୍ଵ ଆମ ଦ୍ଵାରା ହିଁ ଅଵହେଳିତ ।

ପ୍ରୋକ୍ତ ଅଧିକାଂଶ ପର୍ଵ ଶ୍ରାଵଣ ମାସରେ ପଡ଼େ ହେଲେ ଯୋଉଦିନଠୁଁ ବାହାରିଆ ପର୍ଵ ପାଳନ ବଢି଼ଛି ସେଇଦିନଠାରୁ ଶ୍ରାଵଣମାସର ପର୍ଵପର୍ଵାଣୀ ସବୁ ଅନେକାଂଶରେ ହ୍ରାସ ପାଇଅଛି । ଓଡ଼ିଆ ଲୋକେ ନିଜେ ଏସବୁ ପର୍ଵ ଛାଡ଼ି ଦେଇଛନ୍ତି । ବାହାରର ଅଲୋଡା଼ ଵସ୍ତୁ ଗ୍ରହଣ କରିଵାକୁ ଯାଇ ଆପଣର ମୂଲ୍ଯଵାନ ଵସ୍ତୁ ତ୍ଯାଗ କୋଉଠିକାର ପାଣ୍ଡିତ୍ଯତା ?

Images: Bishnu Mohan Adhikari and Social Media
Spread the love
admin

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

23 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 day ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago