ଲେଖା: ଦେଵ ତ୍ରିପାଠୀ

ପ୍ରତି ଦୁଇବର୍ଷରେ ଥରେ ବ୍ରହ୍ମପୁର ମହାନଗରୀରେ ପାଳିତ ହୁଏ ବୈଚିତ୍ର୍ୟମୟ, ପ୍ରାଣସ୍ଫୂର୍ତ୍ତିମୟ ବୁଢ଼ୀଠାକୁରାଣୀ ଯାତ୍ରା । ଶାବରୀ ଓ ଆର୍ଯ୍ୟସଂସ୍କୃତିର ସାର୍ଥକ ସଙ୍ଗମ ଏଇ ମହାନ ଯାତ୍ରା । ସଦାସର୍ବଦା ବିପୁଳ ଜନଚେତନାକୁ ଶୁଦ୍ଧପୂତ ଭାବେ ସଞ୍ଜୀବିତ କରେ ଏଇ ଯାତ୍ରା ।

ଚୈତ୍ର ଅବା ବୈଶାଖର ଉତ୍ତାପରେ ସମଗ୍ର ଦକ୍ଷିଣ ଓଡ଼ିଶା ସନ୍ତାପିତ ହେଉଥିବା ବେଳେ ରେଶମନଗରୀ ବ୍ରହ୍ମପୁର ପାଲଟେ ଆନନ୍ଦ ଓ ଉଲ୍ଲାସର ଏକ ଅନନ୍ୟ ନଗରୀ । ଏହାର ପଟ୍ଟଭୂମିରେ ଥାଏ ମହାର୍ଘ ଆକର୍ଷଣୀୟ ବୁଢ଼ୀଠାକୁରାଣୀ ଯାତ୍ରା


ଯାତ୍ରା ଆରମ୍ଭ ହେବାର କିଛିଦିନ ମଧ୍ୟରେ କଳ୍ପନା ବିଳାସୀର ସ୍ବପ୍ନମୟତାରେ ବିଭୋର ଓ ରସପ୍ଳୁତ ହୋଇଉଠେ ବ୍ରହ୍ମପୁର ନଗରୀ । ସଦା ଚଳଚଞ୍ଚଳ ନଗରୀ ହୋଇଉଠେ ଆହୁରି କ୍ଷିପ୍ର । ରାସ୍ତାରେ ଦୃଶ୍ୟମାନ ହୁଅନ୍ତି କେତେ କେତେ ପୌରାଣିକ ଚରିତ୍ର – ଶ୍ରୀରାମ, ଶ୍ରୀବଳରାମ, ଶ୍ରୀକୃଷ୍ଣ, ଶ୍ରୀହନୁମାନ । ପୁଣି ଭଳିକି ଭଳି ସାମାଜିକ ଚରିତ୍ର ର ବେଶଭୂଷା ପକାଇ ସାହି ସାହି ବୁଲନ୍ତି ଦହିବିକାଳି, ବାରବନିତା, ଅତରବିକାଳି । କାହାର ସର୍ବାଙ୍ଗ କୃଷ୍ଣବର୍ଣ୍ଣ ତ କାହାର ଲହ ଲହ ଜିହ୍ୱା । କା’ ହାତରେ ପ୍ଲାଷ୍ଟିକ କଣ୍ଢେଇ ତ କିଏ ନାଚୁଛି ପିତାଶୁଣୀ ଡାହାଣୀ ବେଶରେ, ଚାଙ୍ଗୁବାଦ୍ୟର ତାଳେ ତାଳେ । ସାଙ୍ଗୀତିକତାକୁ ଅକ୍ଷୁର୍ଣ୍ଣ ରଖି ଭଙ୍ଗୀ ଗତି ଓ ପଦପାତରେ ଅବଦମିତ ପ୍ରାଣଶକ୍ତିକୁ ଅଭିବ୍ୟକ୍ତ କରି ବାଘବେଶଧାରୀମାନେ ନଗରୀର ସାହିବାସିନ୍ଦାଙ୍କୁ ଚମତ୍କୃତ କରିଦିଅନ୍ତି, ବାଘନୃତ୍ୟରେ । ବ୍ରହ୍ମପୁର ସତେ ଅବା ପାଲଟିଯାଏ ରୂପକଥାର ଏକ ଅବର୍ଣ୍ଣନୀୟ ଅପରୂପ ମୂଲକରେ ।



ବ୍ରହ୍ମପୁର ବୁଢ଼ୀଠାକୁରାଣୀ ଯାତ୍ରାର ଏକ ବିଶେଷତ୍ଵ ହେଲା ବିପୁଳସଂଖ୍ୟକ ସାଧାରଣ ଜନତାଙ୍କ ମହୋତ୍ସବରେ ଅନ୍ତରଙ୍ଗ ସମ୍ପୃକ୍ତି, ନଗରୀର କେନ୍ଦ୍ରସ୍ଥଳୀ ବଡ଼ବଜାରରେ ସୁଦୃଶ୍ୟ ରଥଗୁଡିକର ସମାଗମ, ବହୁବିଧ ବେଶଧାରୀଙ୍କର ସାହିବସ୍ତି, ଗଳି, ଉପଗଳି ପରିକ୍ରମା, ଠାକୁରାଣୀଙ୍କ ଅସ୍ଥାୟୀ ମନ୍ଦିରରେ ଦର୍ଶନାଭିଳାଷୀଙ୍କ କୋଳାହଳ ସୂଚାଇ ଦିଏ ସାମୂହିକ ଆଗ୍ରହ ଓ ଉତ୍ସାହର । କଦବାକ୍ୱଚିତ ବେଶଭୂଷା ରୁଚି ବହିର୍ଭୁତ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଚରିତ୍ରର ସମ୍ପୃକ୍ତି ହିଁ ଆଣିଦିଏ ପାର୍ବଣର ମହାର୍ଘ ଅନୁଭୂତି; ମହାନଗରୀର ସର୍ବଜନପ୍ରିୟ ଇଷ୍ଟଦେବୀ ଠାକୁରାଣୀଙ୍କ ପାଖରେ ଭୋଗରାଗ ଅର୍ପଣ ତ ଏକ ଅକାଟ୍ୟ ନିୟମ ।


ବୁଢ଼ୀଠାକୁରାଣୀ ଯାତ୍ରା ଅବସରରେ ନଗରୀର ଉତ୍ତର-ପଶ୍ଚିମ ଦିଗରେ ଥିବା ତାତ୍ପର୍ଯ୍ୟପୂର୍ଣ୍ଣ ଦେଶିବେହେରା ସାହିରେ ମା’ଙ୍କର ଶୁଭଖୁଣ୍ଟି ସ୍ଥାପନା ହୁଏ । ଗୋଟିଏ ଘଟ ବା ହାଣ୍ଡିରେ ଆବୃତ ହୋଇ ରହେ ସେଇ ରହସ୍ୟମୟ ମୂଳଉତ୍ସ, ଯାହାକୁ କେନ୍ଦ୍ରକରି ଆତ୍ମପ୍ରକାଶ କରେ ସାଜସଜ୍ଜିତ କେତେ ରଥ, କେତେ ବେଶ, କେତେ ଭଙ୍ଗୀ, କେତେ ଠାଣି, କେତେ ବାଇଦବାଜଣା, କେତେ ପଟୁଆର, କେତେ ଲୋକନାଟ । ସମଗ୍ର ଗଞ୍ଜାମର ଲୋକସଂସ୍କୃତି ସମ୍ମିଳିତ ହୋଇଯାଏ ଏଇ ନଗରୀରେ । ଏ ଯାତ୍ରାକୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟି ଆସନ୍ତି ଲକ୍ଷ ଲକ୍ଷ ଭକ୍ତ, ଭାବମୟୀ କରୁଣାମୟୀ ମା’ର ଆଶିଷଟିକକ ଲଭିବାକୁ । ଘଟ ମଧ୍ୟକୁ ଯେଉଁ ରହସ୍ୟମୟ ଶକ୍ତି ଆସେ, ତା’ ଏକ ରହସ୍ୟମୟୀ ରୀତିଦ୍ଵାରା ସମ୍ପନ୍ନ ହୁଏ । ଅନ୍ତତଃ ଏହା ହିଁ ବିଶ୍ୱାସ ।

Images: Berhampur Beats, Bhubaneswar Buzz and other Social Media

Spread the love
admin

View Comments

  • ଯା ଦେବୀ ସର୍ବଭୂତେଷୁ ମାତୃ ରୂପେଣ ସଂସ୍ଥିତା ?

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

22 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

24 hours ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago