ଲେଖା: ଦେଵ ତ୍ରିପାଠୀ

ନିଘଞ୍ଚ ମାଳାଞ୍ଚଳ, ଆକାଶର ନୀଳ ଓ ଅରଣ୍ୟର ଚୂଳ ସେଠି ମିତ ବସିଛନ୍ତି । ଆଉ କିଛି ବାଟ ପରେ ଏକାଠି ହୋଇଛନ୍ତି ଓଡ଼ିଶା ଓ ଛତିଶଗଡ଼ର ସୀମା । ଦିନେ ପାହାଡିଆ ନଈର ଛନ୍ଦ, ଦିଗନ୍ତବ୍ୟାପୀ ଧାନକ୍ଷେତର ସବୁଜମାୟା, ବିହଗକାକଳି ଏବଂ ସର୍ବୋପରି ସରଳ ମଣିଷଙ୍କ ଶ୍ରଦ୍ଧାମୟ କୋଳାହଳରେ ସେ ମୁଲକ ଥିଲା ଚିର ସଙ୍ଗୀତମୟ ।

ସେଠି ଜନ୍ମିଥିଲେ ପ୍ରବାଦପୁରୁଷ, ଯଥାର୍ଥ ପ୍ରକୃତିକବି, ତନ୍ତରେ ଭରିଥିଲେ ରଙ୍ଗୀନ ସୂତାର ଛନ୍ଦଣୀ, କଣ୍ଠରେ ଆତ୍ମଥରା ସଙ୍ଗୀତର ଲହର । ସ୍ୱଭାବକବିଙ୍କ କବିତାରେ ସେଥିପାଇଁ ଆସୁଥିଲା ମଙ୍ଗଳ ମନାଇ ଉଷା – ପଦ୍ମଫୁଟାଇ ପଥଧାର ସରସୀରେ । ସେହି ‘ଗଙ୍ଗାର ନୀର ପରି ସ୍ବଚ୍ଛ ତୂଳୀ’ର ବିନ୍ଧାଣୀ କବି ଗଙ୍ଗାଧର ମେହେରଙ୍କ ଗାଁକୁ ଯିବାବେଳେ ହୁଏତ ମନଭିତରେ ଆପଣ ଆଙ୍କିପାରନ୍ତି ଏମିତି ଏକ ଦୃଶ୍ୟପଟ – ପଦ୍ମପୋଖରୀ, ମାଳତୀକୁଞ୍ଜରେ ଭଅଁରଙ୍କ ଉଲ୍ଲାସ, କୋଳିବୁଦାରେ ବୁଲବୁଲଙ୍କ ଗହଳି, ଗହନ ଆମ୍ବତୋଟାରେ ‘କଳ କଣ୍ଠ କଣ୍ଠେ . . . ରାତି ପାହିବାର’ ଘୋଷଣା ।

ସମ୍ବଲପୁର ଠାରୁ ୫୦ କି.ମି. ଦୂର ବରଗଡ ଏବଂ ସେଠାରୁ ୩୨ କି.ମି. ଦୂରର ପ୍ରକୃତି କବିଙ୍କ ପରମ ତପସ୍ୟାର ଗାଁ – ଯିଏ ତାଙ୍କ କଣ୍ଠରେ ଭରି ଦେଇଥିଲା ଛନ୍ଦ, ଆଖିରେ ରଙ୍ଗ, ମନରେ ରୂପକଳ୍ପର ଢେଉ, ସେ ବରପାଲି ଆଜି କାହିଁ ! ସେ ଆଜି ଏକ ଆବର୍ଜନାର ନର୍କପୁରୀ ! ଫସଲକିଆରୀରୁ କୀଟନାଶକ ବିଷର ଉତ୍କଟ ଗନ୍ଧ, ସ୍ବୟଂ ପ୍ରକୃତିକବିଙ୍କ ସମାଧିପୀଠ ସ୍ଥଳୀକୁ ଯିବା ରାସ୍ତା ପୁରୀଷମୟ !

ପ୍ରକୃତିକବିଙ୍କ ସମାଧିପୀଠ ହୁଏତ ଧିକାରୁଛି ଆମର ପୂଜ୍ୟପୂଜାକୁ, ଆମର ତୁଚ୍ଛା ମଣିଷପଣିଆକୁ । ଲାଗୁଛି ଆମେ ସଭିଏଁ ଆଜି ପ୍ରକୃତିଛଡା, ଆମ ଭିତରେ ସୃଜନ କି ସମ୍ପ୍ରୀତି ନାହିଁ । ବସ୍ତୁବାଦର ଆବର୍ଜନା ବଣରେ ଆମେ ସବୁ ବଣ୍ୟ ଶୂକର । ଆମ ଚାହୁଁ ପଙ୍କ, ପଙ୍କଜ ଆମର ଲୋଡ଼ା ନାହିଁ । ବରପାଲିର ପଲ୍ଲୀ ଗହନରେ ଅଛି ବହୁ ତନ୍ତଶାଳା; କିନ୍ତୁ ସେଥିରେ ନା ଅଛି ରଙ୍ଗ, ନା ବିଭା । ବରପାଲିର ଆକାଶ ମଧ୍ୟ ହରାଇଛି ରଙ୍ଗ, ସେଇ ଅରଣ୍ୟ ପରି । ଆମର ମନ ଓ ହୃଦୟ ମଧ୍ୟ ମରୁଡ଼ି କବଳିତ ହୋଇଯାଇଛି, ବନ୍ଧ୍ୟା ଓ ଉଷର ପାଲଟିଯାଇଛି, ଠିକ୍ ସେଇ ବରପାଲିର ରଙ୍ଗହୀନ ଆକାଶ  ପରି, ସେଠି ଆଉ ପ୍ରକୃତିକବି ଆସ୍ଥାନ ନେଇ ପାରିବେନି ।

Image: Shibasish Mohapatra

Spread the love
admin

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

24 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 day ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago