ଲେଖା: ଅମ୍ବିକା ପଟ୍ଟନାୟକ
~ ମାଟିର ମହାକବି ଆଦିକବି ଶୁଦ୍ରମୁନି ସାରଳା ଦାସ ~
୧. ଦୁର୍ଗତିନାଶିନୀ ମା’ ଦୁର୍ଗା ମହିଷାସୁର ସହ ଯୁଦ୍ଧରେ ବ୍ୟାପ୍ରୁତା l ଭୟଙ୍କର ସମର ଚାଲିଛି l ଦେବୀଙ୍କ ସମସ୍ତ କଳ କୌଶଳ ବ୍ୟର୍ଥ l ମହିଷାସୁର ତଥାପି ଅପରାଜିତ l ଦେବୀ ଦୁର୍ଗା ଉପାୟ ଚିନ୍ତା କରୁଛନ୍ତି l ମା’ ସର୍ବମଙ୍ଗଳାଙ୍କ ଶୂନ୍ୟ ବାଣୀ ହେଲା “ବସ୍ତ୍ର ତ୍ୟାଗ କରି ବିବସନା ହୁଅ l ମହିଷାସୁର ବଧ ଅବଶ୍ୟମ୍ଭାଵୀ” l ବିବସନା ଦେବୀ ଦୈତ୍ୟବଧ କଲେ l ଓଡ଼ିଶାରେ ଏ କାହାଣୀ ସୁପ୍ରଚଳିତ l
୨. ଏକାମ୍ର କ୍ଷେତ୍ରରେ ଦୁର୍ଦାନ୍ତ ଦୈତ୍ୟ କୃତି ଓ ବାସ l ସେମାନଙ୍କ ବଧ ନିମିତ୍ତ ଦେବୀ ଧାରଣ କଲେ ଏକ ସୁନ୍ଦର ତରୁଣୀ ରୂପ, ନାମ “ଗୋପାଳୁଣୀ ” l ବର୍ତମାନ ସୁଦ୍ଧା ତ୍ରିଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କ ସହ ଯାତ୍ରାରେ ଦେବୀ “ଗୋପାଳୁଣୀ” ଯାଆନ୍ତି l ୩. ଜରା ଶବରର ଶରାଘାତରେ ଶ୍ରୀକୃଷ୍ଣ ଇହଲୀଳା ସମ୍ବରଣ କରନ୍ତି l ଜରା ଓ ଅର୍ଜୁନ ଦାହ ସଂସ୍କାର ଆୟୋଜନ କଲେ l ହୃଦୟ କିନ୍ତୁ ଅପୋଡା ରହିଗଲା l ଦୈବୀ ବାଣୀ ହେଲା “ଏଇ ଅଂଶ ସମୁଦ୍ରରେ ବିସର୍ଜନ କରିଦିଅ l କଳି ଯୁଗରେ ବଉଧ ଅବତାରରେ ବିହରଣ କରିବେ l” ସେଇ ଅଂଶ ଶ୍ରୀଜଗନ୍ନାଥ ରୂପେ ଲୀଳା କରୁଛନ୍ତି l ୪. “ଦେଖି ମଲା, ନ ଦେଖି ମଲା, ଦେଇ ମଲା, ନ ଦେଇ ମଲା” l କଂସ, ଦଶରଥ, ବଳି ଓ ରାବଣ ଉପରେ ଏହା ଏକ ବହୁ ପ୍ରଚଳିତ ପ୍ରବାଦ l
୫. “ଭାରତ ଯୁଦ୍ଧରେ ଭରତିଆ ପକ୍ଷୀ, ଘଣ୍ଟ ଘୋଡ଼ାଇ ରଖିଲ ତ, ନାହିଁ ନାହିଁ ତ” ଦୀନକୃଷ୍ଣଙ୍କ ଲୋକପ୍ରିୟ ଜଣାଣ l ୬. ଅଦ୍ଭୁତ “ନବଗୁଞ୍ଜର“ ରୂପ କୁକୁଡ଼ା, ମୟୁର, ବାଘ, ସିଂହ, ହାତୀ, ସାପ, ମନୁଷ୍ୟ, ଷଣ୍ଡ ଓ ଘୋଡ଼ା ସମ୍ମିଶ୍ରଣର ଏକ ଆକାର l ସମ୍ଭବତଃ ପୃଥିବୀ ଇତିହାସରେ କୌଣସି କବି, ଭାବୁକ ଏପରି କଳ୍ପନା କରିନାହାନ୍ତି l ୭. ଉଆଁସୀ କନ୍ୟା, ଝିମିଟି ଖେଳରୁ ମହାଭାରତ, ଗଙ୍ଗା ବୋଇଲେ ଥିବି, ଗାଙ୍ଗୀ ବୋଇଲେ ଯିବି, ଅସମୟରେ ଭଗବାନ ମଧ୍ୟ ଗଧପାଦ ଧରନ୍ତି l
ଉପର ବର୍ଣ୍ଣିତ ସମସ୍ତ କିମ୍ବଦନ୍ତୀ, ପ୍ରବାଦ, ଢଗ ସବୁ ଶହ ଶହ ବର୍ଷ ଧରି ଓଡ଼ିଆ ଜନ ମାନସକୁ ଗଭୀର ଭାବେ ପ୍ରଭାବିତ କରି ଆସିଛି l ଆଉ ଏ ସବୁର ସୂତ୍ରଧର ଏ ମାଟିର ମହାକବି, ଆଦିକବି “ଶୁଦ୍ରମୁନି” ସାରଳା ଦାସ l ଲେଖି ଲେଖି ଓଡ଼ିଆ ଲିପିକୁ ମାନକ ରୂପ ଦେଇଥିବା ମହାତ୍ମା l (କଳ୍ପିତ ଚିତ୍ରାଙ୍କନ: ମୂରଲୀଧର ଟାଲି)
ପଂଚଦଶ ଶତାବ୍ଦୀରେ ବିଶ୍ରୁତକୀର୍ତ୍ତି ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ ଜଙ୍ଖେରପୁର ବା ବର୍ତମାନ ଝଙ୍କଡ଼ରେ ସିଧେଶ୍ୱର ପରିଡ଼ାଙ୍କ ଆବିର୍ଭାବ l ମା ସାରଳାଙ୍କ ଆଶୀର୍ବାଦ ଧନ୍ୟ ଏଇ ସିଧେଶ୍ୱର ପରେ ଶୁଦ୍ରମୁନି ସାରଳା ଦାସ ନାମରେ ଓଡ଼ିଆ ଭାଷାରେ ରଚନା କଲେ “ଚଣ୍ଡୀ ପୁରାଣ,” “ଵିଲଙ୍କା ରାମାୟଣ” ଓ “ମହାଭାରତ” l ସ୍ମରଣ ଯୋଗ୍ୟ ଯେ ଆଞ୍ଚଳିକ ଭାଷାରେ ସମ୍ପୂର୍ଣ୍ଣ ମହାଭାରତ ରଚନା କରିବାରେ ସେ ପ୍ରଥମ ଭାରତୀୟ l
ଶ୍ରୀଲ ବ୍ୟାସଦେବଙ୍କ “ମହାଭାରତ”ର ଛାଞ୍ଚ ମାତ୍ର ନେଇ ସେ ନିଜସ୍ୱ କଳ୍ପନାଶୀଳତା ଓ ସର୍ଜନଶୀଳତା ଦ୍ଵାରା ନିଜ ମହାଭାରତକୁ ନାନା ବର୍ଣ୍ଣରେ ରଙ୍ଗାୟିତ କରି ଯାଇଛନ୍ତି l ତାଙ୍କ ସର୍ଜନଶୀଳତାର ଗୋଟିଏ ଉଦାହରଣ – ଦୁର୍ଯ୍ୟୋଧନ ଆଦି ଶହେ ଏକ ଭାଇ, ସମସ୍ତଙ୍କ ନାମ “ଦୂ”ରେ ଆରମ୍ଭ l
(Image Courtesy: Bhubaneswar Buzz FB Page)
ନ ପଢ଼ିଲି ଅକ୍ଷର ମୁଁ ନୁହେଁ ଶାସ୍ତ୍ର ବାଦୀ,
ପଣ୍ଡିତଙ୍କ ସଙ୍ଗେ ବସି ନ କଲି ସାମାଦି l
କୁସ୍ଥାନେ ବସିଲି ନ ବସିଲି ବିପ୍ର ଗୋଷ୍ଠୀ l
ଶିଶୁ ବୁଦ୍ଧି ମୋହର ବୟସ ଅଳପଟି l
ନିଜର ଦୈନ୍ୟ ପ୍ରକାଶ କରି ମା ସାରଳା ଯାହା କହନ୍ତି ତାହା ମୁଁ ଲେଖେ ବୋଲି କହିଲେ ମଧ୍ୟ ଶୁଦ୍ରମୁନି ସାରଳା ଦାସ ପ୍ରକୃତରେ ଥିଲେ ବହୁଦେଶଦର୍ଶୀ l ଜରାସନ୍ଧ ଭୀମଙ୍କୁ ମଲ୍ଲ ଯୁଦ୍ଧର ପ୍ରଣାଳୀ କହିଲା ବେଳେ ମନେ ହୁଏ ସାରଳା ନିଜେ ମଲ୍ଲଯୁଦ୍ଧରେ ପ୍ରବୀଣ ଥିଲେ l ସାରଳାଙ୍କ ରଚନାରେ ପୁଣି ପ୍ରକୃତରେ ଖଳନାୟକ କିଏ ନାହିଁ l ସବୁ ଜନ୍ମବେଳେ ଗ୍ରହ ନକ୍ଷତ୍ରଙ୍କ ଖେଳ ବା ପୂର୍ବଜନ୍ମ/ଏ ଜନ୍ମର ଅଭିଶାପର ଫଳ l ବିଭିନ୍ନ ଗ୍ରହନକ୍ଷତ୍ର, ଯୋଗ, କରଣ ଉପରେ ବର୍ଣ୍ଣନାରୁ ମନେ ହୁଏ ଜ୍ୟୋତିଷ ବିଦ୍ୟାରେ ମଧ୍ୟ ପ୍ରବୀଣ ଥିଲେ l
ସାରଳାଙ୍କ ମହାଭାରତ ପଢ଼ିଲେ ଆଉ ଏକ ବିଷୟରେ ମନ ଅଭିଭୂତ ହୋଇ ଯାଏ, ତାହା ହେଲା କାହାଣୀ ଗୁମ୍ଫନ l ପଞ୍ଚତନ୍ତ୍ର, କଥା ସରିତ ସାଗର ପରି ଏଇଠି ମଧ୍ୟ କାହାଣୀ ଭିତରେ କାହାଣୀ l ଏହା ସାରଳାଙ୍କ କଳ୍ପନାଶୀଳତା l
ସାରଳାଙ୍କ ଦୃଷ୍ଟିରେ ମନୁଷ୍ୟ ଦେହ ହିଁ ଦେବତାଙ୍କ ଆସ୍ଥାନ l ଅଗ୍ନିଦେବ ପାଣ୍ଡୁଙ୍କୁ କହୁଛନ୍ତି,
“ଦେବତାଏ କାହିଁଂ ଥାନ୍ତି ହୋ ମହାବୀରା,
ଶରୀରେ ସେ ନିଜ ଦେବତା ବଦନ୍ତି ଦୋହେରା l
ପ୍ରଥମ ଶିର ତାଳୁରେ ବିଜେ କରନ୍ତି ବ୍ରହ୍ମା,
କପାଳ ପାଟିରେ ହାଦେ ନାରାୟଣ ମହାତମା” l
“ରକ୍ତନଦୀରେ ଦୁର୍ଯ୍ୟୋଧନଙ୍କ ସନ୍ତରଣ” ମନେ ହୁଏ ଏଇ ବିୟୋଗାନ୍ତକ ରଚନା ଶୁଦ୍ରମୁନି ସାରଳା ଦାସଙ୍କ ସାର୍ଥକତମ ପ୍ରକାଶ l ସେ ଯୁଦ୍ଧଭୂମିର ବର୍ଣ୍ଣନା, ଭୟଭୀତ ଦୁର୍ଯ୍ୟୋଧନ ସନ୍ତରଣ ପ୍ରଚେଷ୍ଟା, ଅବଶେଷରେ ପୁତ୍ର ଲକ୍ଷ୍ମଣ କୁମାର ଶବ ଉପରେ ସନ୍ତରଣ l ପିତା ହାତରେ ପୁତ୍ରର ଅନ୍ତ୍ୟେଷ୍ଟି କ୍ରିୟା l ଅନ୍ୟଥା କୁଖ୍ୟାତ ଦୁର୍ଯ୍ୟୋଧନ କୋମଳତମ ସମ୍ବେଦନଶୀଳ ପ୍ରକାଶ l
“ବାବୁ ନବ ସୃଷ୍ଟି ରଚନା ଛାଡିଣ ପ୍ରଜାପତି
କେତେକାଳ ବସି ରେ ସ୍ରିଜିଲା ତୋର ମୂର୍ତ୍ତି ଲା
ବାବୁରେ ମୋହର ପରା ପିତା ତୋହେରେ ଜନ୍ମେ ଜନ୍ମେ ନୋହୁ
ତୋହର ପରା ପୁତ୍ର ମୋତେ ଜନ୍ମେ ଜନ୍ମେ ଥାଉ ଲା”
ଅଶ୍ଵତ୍ଥାମା ସେନାପତି ହୋଇ ନିଶାର୍ଦ୍ଧରେ ପାଣ୍ଡଵ ଶିବିରରେ ପଶି ପଞ୍ଚପାଣ୍ଡଵ ବୋଲି ତାଙ୍କ ପୁତ୍ରମାନଙ୍କୁ ବଧ କରିଛନ୍ତି l ଏହା ଜାଣି ଦୁର୍ଯ୍ୟୋଧନଙ୍କ ପ୍ରତିକ୍ରିୟା –
“ସମର ଶେଷ କାଳେ ମୋତେ ଯେ କଲୁ ୟେହା,
ବାଳୁତ ବଧ ଦୋଷେ କଲୁ ରେ ପାମର ଦୋରେହା l
ଅଭିମନ୍ୟୁ ମଲା, ଘଟଉତ୍କଚ ନାଶ ଗଲା
ଲକ୍ଷ୍ମଣ କୁମାର ହିଂ ପଡିଲା ବଂଶହିଂ ସରିଲା l
ୟେହାନ୍ତ ରଖିଲି ମୁଁ ବଂଶରକ୍ଷାର ନିମନ୍ତେ,
ଗତ ଆଗତ ବୁଡ଼ିଲା ୟେ ତୋହର କୃତ୍ୟେ l
——–
ପାଞ୍ଚଙ୍କର ମୁଣ୍ଡ କୋଳେ ଦେଖିଣ ଧୃତରାଷ୍ଟ୍ରି
ପ୍ରାଣ ବିସର୍ଜିଲା ମୃଧୁନା ଗଲା ଫାଟି” l
ଶେଷ ସମୟରେ ନା ପ୍ରତିଶୋଧର କାମନା ନା ନିଜ ଯନ୍ତ୍ରଣାର ବର୍ଣ୍ଣନା . . କେବଳ ବାଳହତ୍ୟା ଅପରାଧବୋଧ ଆଉ ନିଜ ବଂଶ ନାଶର ହାହାକାର.. ସେ ପୁଣି ପରମଶତୃ ପାଣ୍ଡଵ ସନ୍ତାନ l ଦୁର୍ଯ୍ୟୋଧନର ଏଇ ମାନବିକ ସମ୍ବେଦନଶୀଳତା କିନ୍ତୁ ସମଗ୍ର ବିଶ୍ୱ ସାହିତ୍ୟ ଇତିହାସରେ ବିରଳ l