ଲେଖା ଦେଵ ତ୍ରିପାଠୀ

୧୯୦୩ ମସିହା ।

ଶ୍ମଶାନିତ ହୋଇ ସରୀସୃପ ନିଦ୍ରାରେ ଶୋଇ ପଡିଥିବା ଇତିହାସ ପ୍ରସିଦ୍ଧ ଜାତିଟି କଡ଼ ଲେଉଟିବାକୁ ଆରମ୍ଭ କରିଥିଲା। ଯୁଗପୁରୁଷ ମଧୁବାବୁଙ୍କ ପ୍ରଭାବରେ ରାଜ୍ୟର ବହୁ ପ୍ରାନ୍ତ, ବହୁ ମୂଲକରୁ ଶୁଭୁଥିଲା ରଣହୁଙ୍କାର । ସ୍ତିମିତପ୍ରାୟ ଧିମେଇ ରହିଥିବା ବହୁ ଆଗ୍ନେୟଉତ୍ସ ସାମିଲ ଥିଲେ ସେଇ ମହାସ୍ରୋତରେ ! ଉତ୍କଳ ଭୂଖଣ୍ଡରୁ ଧୀରେ ଧୀରେ ଅପସରି ଯାଉଥିଲା ଅଜ୍ଞାନର ଅମାରାତି । ଶିକ୍ଷାର ନୂତନ ଆଲୋକ ବିଚ୍ଛୁରିତ ହୋଇ ପଡ଼ିଥିଲା ଏ ମାଟିରେ ! ସଞ୍ଚରି ଯାଉଥିଲା ସଂସ୍କୃତି ଓ ସ୍ବାଭିମାନର ବାର୍ତ୍ତା !

ଓଡ଼ିଆ ସ୍ବାଭିମାନ ପାଇଁ କଳାପାହାଡ଼ ସାଜିଥିବା କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ, ରାଜକୃଷ୍ଣ ମୁଖୋପାଧ୍ୟାୟ, ଉମାଚରଣ ହାଲଦାର୍’ଙ୍କ ପରି ହୀନମନା ଶତ୍ରୁଗଣ ଅର୍ଦ୍ଧମୃତ ହୋଇଯାଇଥିଲେ, ଠିକ୍ ଜୋକ ମୁହଁରେ ଲୁଣ ଲାଗିଲା ପରି ! ତଥାପି ବିପଦ ଟଳି ନ ଥିଲା । ଓଡ଼ିଆଙ୍କ ସ୍ବାଭିମାନକୁ ତିଳ ତିଳ କରି ଆଘାତ ଦେବା ପାଇଁ ସୁଯୋଗ ଉଣ୍ଡୁଥିଲା ଚିରଶତ୍ରୁ ବଙ୍ଗାଳୀ ଜାତି । ଓଡ଼ିଶା ମାଟିର ଲୁଣ ଖାଇ ମଧ୍ୟ ଏ ମାଟି ପ୍ରତି ଅହନ୍ତା ଭାବ ରଖି ଆସିଥିବା ବଙ୍ଗାଳୀ ଅଫିସର ମାନଙ୍କୁ ଓଡ଼ିଆ ସଂସ୍କୃତି ଲାଗୁଥିଲା ମଳିଚିଆ, ପୁରୁଣାକାଳିଆ ! ଗରିମାମୟ ଲୋକସଂସ୍କୃତିର ଭଣ୍ଡାରକୁ ଦେଖି ଇର୍ଷାରେ ଜଳୁଥିଲା ସେଇ ପରଶ୍ରୀକାତର ଜାତି, ହୃଦୟରେ ସଞ୍ଚରି ଯାଉଥିଲା ହଳାହଳ ବିଷ ଏଇ ନିରୀହ ଜାତିଟା ପ୍ରତି !


ଓଡ଼ିଶା ମାଟିର ଲୋକନାଟକ ଓ ଲୋକକାହାଣୀଗୁଡ଼ିକୁ ଜନମାନସରୁ ଚିରଦିନ ପାଇଁ ହଟାଇବା ନିମନ୍ତେ ଷଡ଼ଯନ୍ତ୍ରରେ ଲାଗିଥିଲେ ଏକ ବୃହତ ଗୋଷ୍ଠୀ । ସେମାନଙ୍କ ଦୃଷ୍ଟିରେ ଟିଣଖଣ୍ଡା ରାଜାମାନେ ହୀନ ମନେ ହେଲେ ! ସିନ୍ ପଡୁଥିବା ମଞ୍ଚ ହିଁ ମନେ ହେଲା ଆଧୁନିକ । ଓଡ଼ିଶାର ଲୋକନୃତ୍ୟ ଅବା ଲୋକନାଟକ ଗୁଡ଼ିକର ସମୂଳ ଧ୍ୱଂସ ସହିତ ସିନ୍ ଓ ଚିତ୍ରାଳୟ ଗୁଡ଼ିକର ଲାଭ ଆଶାରେ ହିଁ ଲାଗିପଡିଲେ ଧୂର୍ତ୍ତ ବଙ୍ଗାଳୀଏ । ପ୍ରାଣପଣେ ଲାଗିପଡିଲେ ବଙ୍ଗଳା ଭାଷାରୁ ନାଟକଗୁଡିକୁ ଓଡ଼ିଆରେ ଅନୁବାଦ କରିବାରେ ।

ସେଇ ଧୂର୍ତ୍ତ ହୀନମନା ବଙ୍ଗାଳୀ ହିଁ କହନ୍ତି ଓଡ଼ିଶାରେ କିଛି ନାହିଁ ! ଭାଷାଟିଏ ବି ନାହିଁ ! ସତରେ ! ଉତ୍କଳପ୍ରାଣ ଗୌରୀଶଙ୍କର ଆଉ ସରସ୍ବତୀ ଫକୀରମୋହନ ନ ଥିଲେ ଓଡ଼ିଆ ଭାଷାର ଚିହ୍ନବର୍ଣ୍ଣ ହୁଏତ ନ ଥା’ନ୍ତା ।

ଓଡ଼ିଆ ଭାଷା ସିନା ବଞ୍ଚିଗଲା, ହେଲେ ଓଡ଼ିଆ ଲୋକସଂସ୍କୃତି ?

ଏ ସମୟରେ, ଅବକ୍ଷୟମୁଖୀ ସମାଜକୁ ସୁସ୍ଥସଂହତ ରଖି ମୂଲ୍ୟବୋଧର ବାର୍ତ୍ତା ସଞ୍ଚାର କରିବା ସହିତ ନୃତ୍ୟ, ସଙ୍ଗୀତ, ବାଦ୍ୟ ଓ ଅଭିନୟର ପୃଷ୍ଠପୋଷକତା କରିଆସୁଥିଲେ ଦେବଭୂମି ମଠଗୁଡି଼କ । କିନ୍ତୁ ମଠଗୁଡ଼ିକର ଲୋକନୃତ୍ୟ ଓ ଲୋକସଙ୍ଗୀତର ପରମ୍ପରାରେ କଳଙ୍କି ଧରି ଆସୁଥିଲା, ବିବର୍ଣ୍ଣ ହୋଇ ଆସୁଥିଲା ଲୀଳା ପରମ୍ପରା — ବଙ୍ଗାଳୀମାନଙ୍କ ଧୂର୍ତ୍ତପଣ ଓ ଶଠତାର ଶିକାର ହୋଇ ! ସେଥିରେ ବ୍ୟଥିତ ଥିଲା ମଠର ସେବାକାରୀ ୨୧ ବର୍ଷୀୟ ଯୁବକ ଜଣେ ! କଟକ ଠାରୁ ଦୂର ମଫସଲ କୋଠପଦାର ମଠରେ !


ଓଡ଼ିଶା ମାଟିରେ ଓଡ଼ିଆ ସଂସ୍କୃତିକୁ ପୁଷ୍ଟ କରି ଲୋକନାଟକକୁ କ’ଣ ବଞ୍ଚାଇ ରଖି ହେବନି ?

ବଙ୍ଗଳା ଭାଷାରେ ଯେପରି ଦିନକୁ ଦିନ ନାଟକ ଲେଖା ଯାଇପାରୁଛି, ଉତ୍କଳର ଭାଷାରେ କ’ଣ ସେପରି ଲୋକନାଟକ ଲେଖା ଯାଇପାରିବନି ?

ଆଧୁନିକ ବଙ୍ଗଳାଶୈଳୀ ପରିବର୍ତ୍ତେ ଉତ୍କଳୀୟ ଲୋକମଞ୍ଚ ଶୈଳୀରେ କି ନୂତନତ୍ବ ଅଣା ହିଁ ପାରିବନି ?

ସାହିତ୍ୟ, ସଙ୍ଗୀତ, ଅଭିନୟରେ ନୂତନ ସ୍ପର୍ଶ ଦେଇ ଗଣହୃଦୟକୁ ମୁଗ୍ଧ ମନ୍ଦ୍ରିତ କରାଯାଇ ନ ପାରେ, ତେବେ କି ଉନ୍ନତି ହେବ ଉତ୍କଳୀୟ ଲୋକନୃତ୍ୟର ?

ଯୁବକର ମନରେ ଦିବାନିଶି ଗୋଟିଏ କଥା, ଭାବନା, ଉତ୍କଳୀୟ ଲୋକନୃତ୍ୟର ବିକାଶ ।

ମନରେ କ୍ଷୋଭ ! ତଥାପି ବହୁଛି ସ୍ବାଭିମାନର ଫଲ୍ଗୁ ! ନିର୍ଦ୍ଧାରିତ ଏବେ ଜୀବନର ଲକ୍ଷ୍ୟ ! ଛାତିରେ ଉଦ୍ଦାମତା ! ଯୁଦ୍ଧକୁ ଡେଇଁ ପଡ଼ିବାର ପ୍ରାଣପ୍ରାଚୁର୍ଯ୍ୟ !

ହେଲେ ଭୋକିଲା ପେଟରେ କି ସୃଜନୀଶକ୍ତି ଗଛରେ ? ତଥାପି ଭାଙ୍ଗିପଡ଼ିନି ଯୁବକ ! ପେଟର ଭୋକ ଛାତିର କୋହ ଅଟକାଇ ପାରିନି ସ୍ବାଭିମାନର ଡ଼ାକକୁ !

ମଠର ଇଷ୍ଟଦେବ ମହାପ୍ରଭୁ ବିନୋଦବିହାରୀଙ୍କ ନାମରେ ଶପଥ ନେଲା ଯୁବକଟି ! ଦିଅଁଙ୍କ ଗୁଣଗାନ ସହିତ ଜନ୍ମମାଟିର ଗାରିମା ଗାଇବା ପାଇଁ ଅନ୍ତର ବିଳପି ଉଠିଲା ! ଦିଅଁଙ୍କ ସେବା ସହିତ ସାହିତ୍ୟସର୍ଜନା ପାଲଟିଗଲା ଅନ୍ୟତମ କର୍ମ ! ସେ ଗାଇଲା ବିପ୍ଳବର ଗୀତ ! ସ୍ବାଭିମାନର ଗୀତ ! ଗାଁ ମୁଣ୍ଡ ଶ୍ମଶାନର କଦମ୍ବ ବୃକ୍ଷମୂଳରେ ବସି କଲମ ଚଳାଇଲା;
“ଆରେ ବାପ ବନମାଳୀ,
ତୋ ସଙ୍ଗୀତ କରି ଗଳାରେ ମାଳି,
ଲୋକେ ଗାଉଛନ୍ତି ଦୁଇଓଳି, କୁମରରେ ।।
ରାଧାନାଥ କବିବର
ରବିତଳେ ଯଶ ଉଦିତ ତୋର,
ତୋତେ ହଜାଇ ହୃଦ ଅସ୍ଥିର, କୁମରରେ ।।
ଘୁମୁସର ଅଧୀଶ୍ଵର,
ଉପଇନ୍ଦ୍ର ଭଞ୍ଜ କବି ପ୍ରବରରେ,
ରସକାବ୍ୟ କଲୁ ତୁ ପ୍ରଚାର, କୁମରରେ” ।।


ଲୋକସଙ୍ଗୀତରେ ପ୍ରଜ୍ଞାର ସମନ୍ୱୟ ଘଟାଇ ସେଇ ୨୧ ବର୍ଷର ସ୍ବଳ୍ପଶିକ୍ଷିତ ଯୁବକଟି ରଚିଲା ଓଡ଼ିଆ ଭାଷାସାହିତ୍ୟର ପ୍ରଥମ ଗୀତିନାଟ୍ୟ ମେଘନାଦ ବଧ:
“ବିଂଶ ବାହୁ ଦେଖି ବଂଶନିଧନ କାରଣ,
ମନ୍ତ୍ରୀଙ୍କୁ ଚାହିଁ ରାଜା କରଇଁ କାରୁଣ୍ୟ,
ମନ୍ତ୍ରୀ ମୋର ସ୍ବର୍ଣ୍ଣଲଙ୍କା ହେଲା ଛାରଖାର
କାହୁଁ ଆସି ରଘୁପତି ବିହିଲା ବିପତ୍ତି,
କିପରି ମରିବେ ବନରେ ବେନି ଯତି;
ନର ହୋଇ ନାଶିଲା ମୋ କୁମ୍ଭକର୍ଣ୍ଣ ଭାଇ !”

ଓଡ଼ିଆ ସାହିତ୍ୟର ସମୃଦ୍ଧ ପରମ୍ପରାର ପୃଷ୍ଠଭୂମିରେ ଲୀଳାର ଧର୍ମ, ଭାବ ଓ ସଙ୍ଗୀତର ଲାଳିତ୍ୟରେ ସେଇ ଗୀତିନାଟ୍ୟ ଥିଲା ରସାଣିତ, ବିଭାସିତ !

କଥାବସ୍ତୁ, ଚରିତ୍ର ଚିତ୍ରଣ, ଭାବ, ଭାଷା ଓ ସଙ୍ଗୀତ ସବୁ ଥିଲା ଏକରୁ ଆରେକ ବଳି ! ତେବେ କଳାକାର ସୃଷ୍ଟି କରି ଗୀତିନାଟ୍ୟ ମଞ୍ଚସ୍ଥ କରାଇବା ପାଇଁ ସେଇ କପର୍ଦ୍ଦକ-ଶୂନ୍ୟ ଯୁବକଟି ପାଇଁ ଯେପରି ଥିଲା ଅଗ୍ନିପରୀକ୍ଷା ! ପରିଶେଷରେ କିନ୍ତୁ ଇତିହାସ ରଚିଲା ସେଇ ଗୀତିନାଟ୍ୟ ! ବିନୋଦ ବିହାରୀ ମଠ ପରିସରରୁ ଯାଇ ପହଞ୍ଚିପାରିଲା କଟକ ସମେତ ଅଗଣିତ ପୁରପଲ୍ଲୀରେ ! ସ୍ପର୍ଶକଲା ଜନସାଧାରଣଙ୍କ ମନପ୍ରାଣକୁ ! ଯେଉଁ ଉତ୍କଳ ଦୀପିକାର ଉଦବୋଧନରେ ଅଭିପ୍ରେରିତ ହୋଇଥିଲେ ଲେଖନୀ ଚାଳନା ପାଇଁ, ସେଇ ଉତ୍କଳ ଦୀପିକା ଥିଲା ଗୀତିନାଟ୍ୟ ତଥା ଯୁବକର ପ୍ରଶଂସାରେ ଶତମୁଖ ।

ଅଗଣିତ ରସପିପାସୁଙ୍କ ଅଜସ୍ର ସ୍ନେହ, ଶ୍ରଦ୍ଧାର ଅଂଶୀଦାର ହେଲା ସେଇ ଯୁବ ଗୀତିନାଟ୍ୟକାର – କାଳକାଳକୁ ନାମ ରଖିଲା, ଉତ୍କଳୀୟ ନାଟ୍ୟପରମ୍ପରାର ସେକ୍ସପିୟର୍ ଭାବେ ! ଆଶୁକବି, ଲୋକକବି, ଗଣକବି ବୈଷ୍ଣବ ପାଣି ଭାବେ !

୧୮୮୨ ମସିହା କୁମାର ପୂର୍ଣ୍ଣିମା ଦିନ ଉତ୍କଳୀୟ ସାରସ୍ବତ ଗଗନରେ ପୂର୍ଣ୍ଣଚନ୍ଦ୍ର ଭାବେ ଉଦିତ ହୋଇଥିଲେ ଲୋକକବି – ଜ୍ୟୋତ୍ସ୍ନା ପ୍ଳାବିତ କରିଥିଲେ ସାରସ୍ବତ କାନନକୁ !

ଆଜି ଲୋକକବି ନାହାଁନ୍ତି, କିନ୍ତୁ ତାଙ୍କ ସାରା ଜୀବନର ସାଥୀ – ଚିରସୁନ୍ଦରୀ ତଟିନୀ ବିରୂପାର ବିଚିମାଳା ଅହରହ ପ୍ରତିଧ୍ୱନି ତୋଳୁଛି; ଯାହାର କୂଳରେ ବସିଗଣକବି ବିତାଇଛନ୍ତି କେତେ ଅତନ୍ଦ୍ର ରଜନୀ, ସୃଜନର ସ୍ପନ୍ଦନରେ ଶିହରିତ ହୋଇ, ଅଜସ୍ର ସଙ୍ଗୀତ ଓ ଚରିତ୍ରକୁ ଅବଗାହି – ସେଇ କାଳଜୟୀ, କ୍ରାନ୍ତିକାରୀ ସାରସ୍ବତ ସାଧକଙ୍କ ପ୍ରତିଭା ଶୁଦ୍ଧସୁବର୍ଣ୍ଣ ପରି ଚିର ଦୀପ୍ତିମନ୍ତ !

ସେ ଏ ମାଟିର ମୁକୁଟବିହୀନ ସମ୍ରାଟ, ଏ ଭୂଇଁର ସ୍ବାଭିମାନ, ଆମ ରଙ୍ଗମଞ୍ଚ ପରମ୍ପରାର ଶାଶ୍ୱତ ସାରଥୀ ! ଗଣଜୀବନର ଗୀତିକାର ! ଚିରସ୍ମରଣୀୟ ଲୋକକବି !

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago