ଲେଖା: ସୁଚେତା ପ୍ରଧାନ

ଅନେକ ଦିନ ତଳର କଥା।

ଜଗନ୍ନାଥଙ୍କ ସେବକ ବଡପଣ୍ଡା ଠାକୁରଙ୍କର ବଡ ସେବକ। ନୈଷ୍ଠିକ ବ୍ରାହ୍ମଣ ସେ। ତାଙ୍କ ଚଳୁରେ ଜଗନ୍ନାଥ ଦେଖାଯାଆନ୍ତି। ତେବେ ଯାଇ ଭୋଗ ଲାଗେ। ଦିନ ଗଡି ଚାଲେ। ବଡ ପଣ୍ଡାଏ କ୍ରମେ ବୟସ ଭାରରେ ନଇଁ ପଡିଲେ। ବଡ  ଦେଉଳକୁ ଯିବା ଆସିବା କଷ୍ଟକର ହେଲା।

ଦିନକର କଥା। ବଡପଣ୍ଡା ବଡ କଷ୍ଟରେ ବଡଦେଉଳରେ ସେବାପୂଜା ସାରି ମନ୍ଦିରରେ ବସିଲେ। କେହି ନଥାନ୍ତି। ବଡପଣ୍ଡା କରୁଣ ଭାବରେ କାନ୍ଦି କାନ୍ଦି ହାତଯୋଡି  କହିଲେ – “ହେ ଚକାଡୋଳା, ମୋର ମୃତ୍ୟୁ ଆସନ୍ନ। ମୋର ଶରୀର ଆପଣଙ୍କ ସେବା କରିବାକୁ ଅସମର୍ଥ। ମୁଁ ଆଉ କାଲିଠାରୁ ବଡଦେଉଳକୁ ଆସି ପାରିବିନି ପ୍ରଭୁ। ମୋତେ କ୍ଷମା ଦିଅନ୍ତୁ ମହାବାହୁ।”

ଭକ୍ତର ଆକୁଳ ଡାକରେ ପ୍ରଭୁ ବିଗଳିତ ହୋଇ ବଡପଣ୍ଡାଙ୍କ ଆଗରେ ଆଵିର୍ଭୂତ ହେଲେ। ବଡପଣ୍ଡାଙ୍କ ଆଖିରୁ ଶ୍ରାବଣର ଧାରା ଝରିଲା।ସାଷ୍ଟାଙ୍ଗ ପ୍ରଣିପାତ କରି ପଣ୍ଡାଏ ନିଜକୁ ଭୁଲିଗଲେ। ମହାପ୍ରଭୁ ମହାଭକ୍ତଙ୍କୁ ବର ଯାଚିଲେ। ବଡପଣ୍ଡା କାନ୍ଦିକାନ୍ଦି କହିଲେ – “ଜୀବନର ଶେଷ ବେଳରେ ଆପଣଙ୍କ ଦେବଦୁର୍ଲଭ ଦର୍ଶନ ପାଇଲି ପ୍ରଭୁ। ଆଉ କିଛି କାମନା ନାହିଁ। କିନ୍ତୁ ଜଗନ୍ନାଥ କହିଲେ – “ମାଗ ଭକ୍ତ, କିଛି ତ ହେଲେ ମାଗ ।” ପଣ୍ଡା କହିଲେ – “ତେବେ ପ୍ରଭୁ ମୋର ଏକମାତ୍ର ଝିଅ ରାଈ ପାଇଁ କିଛି ମାଗିବି। ସେ ପିଲାଦିନୁ କୃଷ୍ଣଭକ୍ତ। ତାର ଏକମାତ୍ର ଇଚ୍ଛା ଆପଣଙ୍କ ଦର୍ଶନ କରିବ। ତାର ସେଇ ଇଚ୍ଛାଟିକୁ ପୂରଣ କର ପ୍ରଭୁ, ଆଉ କିଛି ମୋର ଲୋଡା ନାହିଁ”। ଜଗନ୍ନାଥ ତା ପରଦିନ ଦେଖା ଦେବାପାଇଁ କଥା ଦେଲେ। ବଡ ଖୁସିରେ ପଣ୍ଡାଏ ଘରକୁ ଫେରି ଝିଅକୁ ଖୁସି ଖବର ଦେଲେ।

ପରଦିନ ରାଇ ଦିନସାରା ବଡ ନିଷ୍ଠାରେ ପୂଜାବ୍ରତ କରି ଅପେକ୍ଷା କରିଥାଏ ଠାକୁର ଘରେ। ରାତି ହେଲା। ମହମହ ବାସି ଉଠିଲା ପୂଜାଘର।ଅଦ୍ଭୂତ ଆଲୋକରେ ଉଦ୍ଭାସିତ ହେଲା ଘରର ଅଭ୍ୟନ୍ତର। ଶ୍ରୀକୃଷ୍ଣଙ୍କର ମନମୋହନ ରୂପରେ ଦର୍ଶନ ଦେଲେ ଜଗନ୍ନାଥ। ଲୁହ କୋହରେ ଅନ୍ଧୁଣୀ ପ୍ରାୟ ହୋଇଗଲେ ବ୍ରାହ୍ମଣକନ୍ୟା ରାଈ। ପ୍ରଭୁ ତାଙ୍କୁ ସ୍ପର୍ଶ କଲେ। ଚେତନା ଫେରି ଆସିଲା। ପ୍ରଭୁ କହିଲେ – “ମନଇଚ୍ଛା ବର ମାଗିନିଅ ରାଇ”। ରାଇ କହିଲା – “ମୋତେ ବିବାହ କରନ୍ତୁ ପ୍ରଭୁ। ମୁଁ ଆପଣଙ୍କୁ ସ୍ବାମୀ ରୂପରେ ଚାହେଁ”।

ଅଡୁଆରେ ପଡିଗଲେ ଦୀନବନ୍ଧୁ। କହିଲେ – “କଥା ଦେଇଛି, ବିବାହ କରିବି, କିନ୍ତୁ ଗୋପନରେ। ଲକ୍ଷ୍ମୀ ଜାଣିଲେ ରାଗିବେ। ରାତାରାତି ପଣ୍ଡା ବିବାହ ବିଧି ସାରିଦେଲେ। ରାତି ନପାହୁଣୁ ହଟିଆ ନାଗର ପ୍ରଭୁ ବଡ ଦେଉଳକୁ ଫେରିଗଲେ। ପ୍ରଭାତରେ ଲକ୍ଷ୍ମୀ ଠାକୁରଙ୍କୁ ଦେଖି ସନ୍ଦେହ କଲେ। ଦେହରେ ହଳଦି ପାଦରେ ଅଳତା, ପ୍ରଭୁଙ୍କର ଇଏ କି ବେଶ? ମା ମହାଲକ୍ଷ୍ମୀ  ପଚାରିଲେ – “ଇଏ କଣ ଚକାଆଖି ! କଣ ପ୍ରଭୁ ଦ୍ବିତୀୟ ବିବାହ କଲେ କି? ଜଗନ୍ନାଥ ଚମକି ଗଲେ – “ନା ନା ମୁଁ ସ୍ବର୍ଗକୁ ଇନ୍ଦ୍ର ବାହାଘରକୁ ଯାଇଥିଲି, ସେଇଠି ଏ ଦଶା ହୋଇଛି। ମାଆ ସରଳ, ତେଣୁ ବୁଝିଗଲେ। ଗଲା କିଛିଦିନ।

କଳିହା ନାରଦ ସବୁ ଜାଣନ୍ତି, ସତ କହି କଳି ଲଗାନ୍ତି। ତାଙ୍କୁ ଭଲ ପ୍ରସଙ୍ଗଟିଏ ମିଳିଗଲା। ସେ ଦିନେ ବଡପଣ୍ଡାଙ୍କ ଘରେ ଯାଇ ପହଞ୍ଚି ଗଲେ। ବଡପଣ୍ଡା ଓ ଝିଅ ରାଈ ତାଙ୍କର ଆଦର ସତ୍କାର କଲେ।ନାରଦ ଝିଅ ମଥାରେ ସିନ୍ଦୁର ଦେଖି ତା ଶାଶୁଘର କଥା ପଚାରିଲେ। ବଡପଣ୍ଡା ସବୁ ସତକଥା କହିଦେଲେ। ନାରଦ ଜାଣିଲେ ଜଗନ୍ନାଥଙ୍କୁ ବିବାହ କରି ରାଈ ବାପଘରେ ଅଛି। ନାରଦ ରାଈକୁ ତାଙ୍କ ଶାଶୁଘର ଶ୍ରୀମନ୍ଦିରକୁ ଯିବାକୁ ପରାମର୍ଶ ଦେଲେ। କହିଲେ – “ତୁମେ ବଡଦେଉଳ ଯାଇ ମାଆ ମହାଲକ୍ଷ୍ମୀଙ୍କ ସେବା କର। ଦେଖାହେଲେ ସତକଥା କହିବ। ଲକ୍ଷ୍ମୀ ମାଆ ଦୟା କଲେ ତୁମେ ଶାଶୁଘରେ  ରହି ପାରିବ”।

ତା’ପର ଦିନଠୁ ରାଈ ଲକ୍ଷ୍ମୀଙ୍କ ପହଡ ଭାଙ୍ଗିବା ପୂର୍ବରୁ ଦେଉଳରେ ପହଞ୍ଚି ମନ୍ଦିର ପରିଷ୍କାର କରି ଓ ଅନ୍ୟକାମ ସବୁ ସାରି ଗୋପନରେ ଫେରିଆସେ।

ମହାଲକ୍ଷ୍ମୀ ଆଶ୍ଚର୍ଯ୍ୟ ହୋଇ ଭାବିଲେ କିଏ କାହିଁକି ଗୋପନରେ ମୋର ଏତେ ସେବା କରୁଛି ଦେଖିବାକୁ ହେବ। ଦିନେ ରାଈକୁ ଧରିଲେ ଓ ପରିଚୟ ପଚାରିଲେ। ରାଈ ସତକଥା କହିଦେଲେ। ଲକ୍ଷ୍ମୀ ରାଗି ନିଆଁବାଣ। ଜଗନ୍ନାଥେ ଡରି ଛାନିଆ। ବୁଝେଇଲେ କି ଲକ୍ଷ୍ମୀ ବୁଝିବେ?ଠିକ୍ ସମୟରେ ପହଞ୍ଚିଗଲେ କଳିହା ନାରଦ। ସବୁ କଥା ଆଉଥରେ ଶୁଣି ମାଆଙ୍କୁ ବୁଝାଇଲେ। ପ୍ରଭୁ ତ ବିବାହ କରି ସାରିଲେଣି। ବର୍ଷକ ୩୬୫ ଦିନ। ସେଥିରୁ ୨୫ ଦିନ ରାଈଙ୍କ ନାମରେ ରହୁ।

ଆଶ୍ବୀନ ମାସ ଶୁକ୍ଳ ଦଶମୀ ଠାରୁ ୨୫ ଦିନ ଜଗନ୍ନାଥ ବଡପଣ୍ଡାଙ୍କ ଝିଅ ରାଈଙ୍କର ସ୍ବାମୀ ହୁଅନ୍ତି। ରାଇଦାମୋଦର ବେଶ ହୁଅନ୍ତି । ପ୍ରଭୁଙ୍କର ରାଇଦାମୋଦର ବେଶ ଦର୍ଶନ କଲେ ଆଖି ପବିତ୍ର ହୁଏ। ମହାପାତକ ନାଶ ହୁଏ।

ଲୀଳାମୟଙ୍କର ବିଚିତ୍ର ଲୀଳା, ଜୟ ଜଗନ୍ନାଥ।

Spread the love
admin

Recent Posts

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

8 minutes ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 day ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 day ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago