ଲେଖା: ସୁଚେତା ପ୍ରଧାନ

ଅନେକ ଦିନ ତଳର କଥା।

ଜଗନ୍ନାଥଙ୍କ ସେବକ ବଡପଣ୍ଡା ଠାକୁରଙ୍କର ବଡ ସେବକ। ନୈଷ୍ଠିକ ବ୍ରାହ୍ମଣ ସେ। ତାଙ୍କ ଚଳୁରେ ଜଗନ୍ନାଥ ଦେଖାଯାଆନ୍ତି। ତେବେ ଯାଇ ଭୋଗ ଲାଗେ। ଦିନ ଗଡି ଚାଲେ। ବଡ ପଣ୍ଡାଏ କ୍ରମେ ବୟସ ଭାରରେ ନଇଁ ପଡିଲେ। ବଡ  ଦେଉଳକୁ ଯିବା ଆସିବା କଷ୍ଟକର ହେଲା।

ଦିନକର କଥା। ବଡପଣ୍ଡା ବଡ କଷ୍ଟରେ ବଡଦେଉଳରେ ସେବାପୂଜା ସାରି ମନ୍ଦିରରେ ବସିଲେ। କେହି ନଥାନ୍ତି। ବଡପଣ୍ଡା କରୁଣ ଭାବରେ କାନ୍ଦି କାନ୍ଦି ହାତଯୋଡି  କହିଲେ – “ହେ ଚକାଡୋଳା, ମୋର ମୃତ୍ୟୁ ଆସନ୍ନ। ମୋର ଶରୀର ଆପଣଙ୍କ ସେବା କରିବାକୁ ଅସମର୍ଥ। ମୁଁ ଆଉ କାଲିଠାରୁ ବଡଦେଉଳକୁ ଆସି ପାରିବିନି ପ୍ରଭୁ। ମୋତେ କ୍ଷମା ଦିଅନ୍ତୁ ମହାବାହୁ।”

ଭକ୍ତର ଆକୁଳ ଡାକରେ ପ୍ରଭୁ ବିଗଳିତ ହୋଇ ବଡପଣ୍ଡାଙ୍କ ଆଗରେ ଆଵିର୍ଭୂତ ହେଲେ। ବଡପଣ୍ଡାଙ୍କ ଆଖିରୁ ଶ୍ରାବଣର ଧାରା ଝରିଲା।ସାଷ୍ଟାଙ୍ଗ ପ୍ରଣିପାତ କରି ପଣ୍ଡାଏ ନିଜକୁ ଭୁଲିଗଲେ। ମହାପ୍ରଭୁ ମହାଭକ୍ତଙ୍କୁ ବର ଯାଚିଲେ। ବଡପଣ୍ଡା କାନ୍ଦିକାନ୍ଦି କହିଲେ – “ଜୀବନର ଶେଷ ବେଳରେ ଆପଣଙ୍କ ଦେବଦୁର୍ଲଭ ଦର୍ଶନ ପାଇଲି ପ୍ରଭୁ। ଆଉ କିଛି କାମନା ନାହିଁ। କିନ୍ତୁ ଜଗନ୍ନାଥ କହିଲେ – “ମାଗ ଭକ୍ତ, କିଛି ତ ହେଲେ ମାଗ ।” ପଣ୍ଡା କହିଲେ – “ତେବେ ପ୍ରଭୁ ମୋର ଏକମାତ୍ର ଝିଅ ରାଈ ପାଇଁ କିଛି ମାଗିବି। ସେ ପିଲାଦିନୁ କୃଷ୍ଣଭକ୍ତ। ତାର ଏକମାତ୍ର ଇଚ୍ଛା ଆପଣଙ୍କ ଦର୍ଶନ କରିବ। ତାର ସେଇ ଇଚ୍ଛାଟିକୁ ପୂରଣ କର ପ୍ରଭୁ, ଆଉ କିଛି ମୋର ଲୋଡା ନାହିଁ”। ଜଗନ୍ନାଥ ତା ପରଦିନ ଦେଖା ଦେବାପାଇଁ କଥା ଦେଲେ। ବଡ ଖୁସିରେ ପଣ୍ଡାଏ ଘରକୁ ଫେରି ଝିଅକୁ ଖୁସି ଖବର ଦେଲେ।

ପରଦିନ ରାଇ ଦିନସାରା ବଡ ନିଷ୍ଠାରେ ପୂଜାବ୍ରତ କରି ଅପେକ୍ଷା କରିଥାଏ ଠାକୁର ଘରେ। ରାତି ହେଲା। ମହମହ ବାସି ଉଠିଲା ପୂଜାଘର।ଅଦ୍ଭୂତ ଆଲୋକରେ ଉଦ୍ଭାସିତ ହେଲା ଘରର ଅଭ୍ୟନ୍ତର। ଶ୍ରୀକୃଷ୍ଣଙ୍କର ମନମୋହନ ରୂପରେ ଦର୍ଶନ ଦେଲେ ଜଗନ୍ନାଥ। ଲୁହ କୋହରେ ଅନ୍ଧୁଣୀ ପ୍ରାୟ ହୋଇଗଲେ ବ୍ରାହ୍ମଣକନ୍ୟା ରାଈ। ପ୍ରଭୁ ତାଙ୍କୁ ସ୍ପର୍ଶ କଲେ। ଚେତନା ଫେରି ଆସିଲା। ପ୍ରଭୁ କହିଲେ – “ମନଇଚ୍ଛା ବର ମାଗିନିଅ ରାଇ”। ରାଇ କହିଲା – “ମୋତେ ବିବାହ କରନ୍ତୁ ପ୍ରଭୁ। ମୁଁ ଆପଣଙ୍କୁ ସ୍ବାମୀ ରୂପରେ ଚାହେଁ”।

ଅଡୁଆରେ ପଡିଗଲେ ଦୀନବନ୍ଧୁ। କହିଲେ – “କଥା ଦେଇଛି, ବିବାହ କରିବି, କିନ୍ତୁ ଗୋପନରେ। ଲକ୍ଷ୍ମୀ ଜାଣିଲେ ରାଗିବେ। ରାତାରାତି ପଣ୍ଡା ବିବାହ ବିଧି ସାରିଦେଲେ। ରାତି ନପାହୁଣୁ ହଟିଆ ନାଗର ପ୍ରଭୁ ବଡ ଦେଉଳକୁ ଫେରିଗଲେ। ପ୍ରଭାତରେ ଲକ୍ଷ୍ମୀ ଠାକୁରଙ୍କୁ ଦେଖି ସନ୍ଦେହ କଲେ। ଦେହରେ ହଳଦି ପାଦରେ ଅଳତା, ପ୍ରଭୁଙ୍କର ଇଏ କି ବେଶ? ମା ମହାଲକ୍ଷ୍ମୀ  ପଚାରିଲେ – “ଇଏ କଣ ଚକାଆଖି ! କଣ ପ୍ରଭୁ ଦ୍ବିତୀୟ ବିବାହ କଲେ କି? ଜଗନ୍ନାଥ ଚମକି ଗଲେ – “ନା ନା ମୁଁ ସ୍ବର୍ଗକୁ ଇନ୍ଦ୍ର ବାହାଘରକୁ ଯାଇଥିଲି, ସେଇଠି ଏ ଦଶା ହୋଇଛି। ମାଆ ସରଳ, ତେଣୁ ବୁଝିଗଲେ। ଗଲା କିଛିଦିନ।

କଳିହା ନାରଦ ସବୁ ଜାଣନ୍ତି, ସତ କହି କଳି ଲଗାନ୍ତି। ତାଙ୍କୁ ଭଲ ପ୍ରସଙ୍ଗଟିଏ ମିଳିଗଲା। ସେ ଦିନେ ବଡପଣ୍ଡାଙ୍କ ଘରେ ଯାଇ ପହଞ୍ଚି ଗଲେ। ବଡପଣ୍ଡା ଓ ଝିଅ ରାଈ ତାଙ୍କର ଆଦର ସତ୍କାର କଲେ।ନାରଦ ଝିଅ ମଥାରେ ସିନ୍ଦୁର ଦେଖି ତା ଶାଶୁଘର କଥା ପଚାରିଲେ। ବଡପଣ୍ଡା ସବୁ ସତକଥା କହିଦେଲେ। ନାରଦ ଜାଣିଲେ ଜଗନ୍ନାଥଙ୍କୁ ବିବାହ କରି ରାଈ ବାପଘରେ ଅଛି। ନାରଦ ରାଈକୁ ତାଙ୍କ ଶାଶୁଘର ଶ୍ରୀମନ୍ଦିରକୁ ଯିବାକୁ ପରାମର୍ଶ ଦେଲେ। କହିଲେ – “ତୁମେ ବଡଦେଉଳ ଯାଇ ମାଆ ମହାଲକ୍ଷ୍ମୀଙ୍କ ସେବା କର। ଦେଖାହେଲେ ସତକଥା କହିବ। ଲକ୍ଷ୍ମୀ ମାଆ ଦୟା କଲେ ତୁମେ ଶାଶୁଘରେ  ରହି ପାରିବ”।

ତା’ପର ଦିନଠୁ ରାଈ ଲକ୍ଷ୍ମୀଙ୍କ ପହଡ ଭାଙ୍ଗିବା ପୂର୍ବରୁ ଦେଉଳରେ ପହଞ୍ଚି ମନ୍ଦିର ପରିଷ୍କାର କରି ଓ ଅନ୍ୟକାମ ସବୁ ସାରି ଗୋପନରେ ଫେରିଆସେ।

ମହାଲକ୍ଷ୍ମୀ ଆଶ୍ଚର୍ଯ୍ୟ ହୋଇ ଭାବିଲେ କିଏ କାହିଁକି ଗୋପନରେ ମୋର ଏତେ ସେବା କରୁଛି ଦେଖିବାକୁ ହେବ। ଦିନେ ରାଈକୁ ଧରିଲେ ଓ ପରିଚୟ ପଚାରିଲେ। ରାଈ ସତକଥା କହିଦେଲେ। ଲକ୍ଷ୍ମୀ ରାଗି ନିଆଁବାଣ। ଜଗନ୍ନାଥେ ଡରି ଛାନିଆ। ବୁଝେଇଲେ କି ଲକ୍ଷ୍ମୀ ବୁଝିବେ?ଠିକ୍ ସମୟରେ ପହଞ୍ଚିଗଲେ କଳିହା ନାରଦ। ସବୁ କଥା ଆଉଥରେ ଶୁଣି ମାଆଙ୍କୁ ବୁଝାଇଲେ। ପ୍ରଭୁ ତ ବିବାହ କରି ସାରିଲେଣି। ବର୍ଷକ ୩୬୫ ଦିନ। ସେଥିରୁ ୨୫ ଦିନ ରାଈଙ୍କ ନାମରେ ରହୁ।

ଆଶ୍ବୀନ ମାସ ଶୁକ୍ଳ ଦଶମୀ ଠାରୁ ୨୫ ଦିନ ଜଗନ୍ନାଥ ବଡପଣ୍ଡାଙ୍କ ଝିଅ ରାଈଙ୍କର ସ୍ବାମୀ ହୁଅନ୍ତି। ରାଇଦାମୋଦର ବେଶ ହୁଅନ୍ତି । ପ୍ରଭୁଙ୍କର ରାଇଦାମୋଦର ବେଶ ଦର୍ଶନ କଲେ ଆଖି ପବିତ୍ର ହୁଏ। ମହାପାତକ ନାଶ ହୁଏ।

ଲୀଳାମୟଙ୍କର ବିଚିତ୍ର ଲୀଳା, ଜୟ ଜଗନ୍ନାଥ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago