ଲେଖା: ଦେଵ ତ୍ରିପାଠୀ

ଥିଲେ ଜଣେ ବିଚକ୍ଷଣ ଓଡ଼ିଆ ବୈଜ୍ଞାନିକ । ବିଜ୍ଞାନର ନିରବଚ୍ଛିନ୍ନ ଗବେଷଣା ଓ ଅଧ୍ୟାପନାରୁ ସେ ଜୀବନରେ ପାଇଥିଲେ ମହତ୍ତର ଉପଲବ୍ଧି । ମାତ୍ର ବିଜ୍ଞାନର କରାମତି ତଥା ମାନବ ଜୀବନରେ ବିଜ୍ଞାନର ଭୂମିକା ଓ ଉପାଦେୟତା ବାବଦରେ ଓଡିଆଏ ଅବଗତ ନ ଥିବା ସେ ଅନୁଭବ କରିଥିଲେ । କଳାସାହିତ୍ୟ ସଂସ୍କୃତିର ଶୀର୍ଷ ସ୍ଥାନରେ ବସିତ ଏ ଜାତି କ’ଣ ପଛରେ ରହିଯିବ ବିଜ୍ଞାନରେ ? ବିଜ୍ଞାନର ମହତ୍ତ୍ଵଠୁ କ’ଣ ଦୂରେଇ ରହିବ ଏ ଜାତି ?


ବିଜ୍ଞାନକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଜନପ୍ରିୟ କରିବା ନିମନ୍ତେ ସରଳ ଓ ସାବଲୀଳ ଭାଷାରେ ସେ ରଚନା କରିଚାଲିଲେ ଅନେକ ବିଜ୍ଞାନ-ଭିତ୍ତିକ ଲେଖା । ସେ ହିଁ ରଚିଥିଲେ ଓଡ଼ିଆ ଭାଷାର ବୈଜ୍ଞାନିକ ଜ୍ଞାନକୋଷ । ବିଜ୍ଞାନ ସମ୍ବନ୍ଧୀୟ ବିଷୟକୁ ନେଇ ସେ ପ୍ରଥମେ ଓଡ଼ିଆରେ ଉପନ୍ୟାସ ଲେଖିଥିଲେ । ଓଡ଼ିଆ ଭାଷାରେ ବିଜ୍ଞାନ ପାଠ୍ୟପୁସ୍ତକ ରଚନା କରିବାରେ ସେ ଥିଲେ ଅଗ୍ରଗଣ୍ୟ, ସର୍ବାଧିକ ଲୋକପ୍ରିୟ ବିଜ୍ଞାନଲେଖକ ପ୍ରଫେସର ଡ଼ଃ ଗୋକୁଳାନନ୍ଦ ମହାପାତ୍ର ।


ଡ଼ଃ ମାୟାଧର ମାନସିଂହ ଓ ସହକାରର ସମ୍ପାଦକ ବାଳକୃଷ୍ଣ କରଙ୍କ ପ୍ରେରଣାରୁ ନିରୁତା ଭ୍ରମଣକାହାଣୀ ରଚନା କରୁ କରୁ ସେ ମନ ଦେଇଥିଲେ ବିଜ୍ଞାନସାହିତ୍ୟ ପ୍ରତି ।

ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ନବେରୁ ଅଧିକ ରସାୟନ ବିଜ୍ଞାନର ପାଠ୍ୟପୁସ୍ତକ ରଚନା କରି ଡ଼ଃ ଗୋକୁଳାନନ୍ଦ ମହାପାତ୍ର ହୋଇ ପାରିଥିଲେ ଓଡ଼ିଶାରେ ଅଧିକ ରୟାଲ୍‌ଟି ପାଉଥିବା ଦ୍ୱିତୀୟ ଲେଖକ । ଓଡ଼ିଶା ମାଟିରେ ମହାବିଦ୍ୟାଳୟ ସ୍ତରୀୟ ପାଠ୍ୟପୁସ୍ତକ ରଚନା କରିବାରେ ପ୍ରଫେସର ଗୋକୁଳାନନ୍ଦ ଥିଲେ ପ୍ରଥମ ଓ ସିଦ୍ଧହସ୍ତ । “ପୃଥିବୀ ବାହାରେ ମଣିଷ”, “କୃତ୍ରିମ ଉପଗ୍ରହ”, “ଚନ୍ଦ୍ରର ମୃତ୍ୟୁ”, “ସୁନାର ଓଡ଼ିଶା”, “ମୃତ୍ୟୁ ଏକ ମାତୃତ୍ୱର”, “ନିଶ୍ଚଳ ପୃଥିବୀ”, “ମୃତ୍ୟୁରଶ୍ମି”, “ନିସ୍ତବ୍ଧ ଗୋଧୂଳି”, “ଉଡ଼ନ୍ତା ଥାଳିଆ”, “ଚତୁର୍ଥ ପରିସର”, “ବିଜ୍ଞାନ ବିଚିତ୍ରା”, “ବିଜ୍ଞାନର ଶ୍ରେଷ୍ଠ ଆବିଷ୍କାର”, “ଏ ଯୁଗର ଶ୍ରେଷ୍ଠ ଆବିଷ୍କାର”, “ଆଇନ୍ ଷ୍ଟାଇନ୍ ଓ ଆପେକ୍ଷିକ ତଥ୍ୟ” ଇତ୍ୟାଦି ଲୋକପ୍ରିୟ ଓ କାଳଜୟୀ ପୁସ୍ତକ ରଚନା କରି ସେ ଓଡ଼ିଆ ପାଠକଙ୍କ ମାନସପଟରେ ଚିରସ୍ମରଣୀୟ ହୋଇପାରିଛନ୍ତି ।


ବିଜ୍ଞାନକୁ ଲୋକପ୍ରିୟ କରିବା ଓ ବିଜ୍ଞାନସାହିତ୍ୟ ସୃଷ୍ଟି ପାଇଁ ଉତ୍ସାହିତ କରିବା ଲାଗି ୧୯୪୯ ମସିହାରେ ସେ ‘ବିଜ୍ଞାନ ପ୍ରଚାର ସମିତି’ ପ୍ରତିଷ୍ଠା କରି ଏହାର ପ୍ରସାର ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ । ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ସ୍ଥାପନା ପଛରେ ଥିଲା ଗୋକୁଳାନନ୍ଦଙ୍କର ପ୍ରଚ୍ଛନ୍ନ ହାତ । 

୨୦୧୦ ମସିହା ମେ ମାସରେ, ‘ଡଃ ଗୋକୁଳାନନ୍ଦ ନିତ୍ୟାନନ୍ଦ ମହାପାତ୍ର ଫାଉଣ୍ଡେସନ୍’ ନାମରେ ଏକ ସଂସ୍ଥା ଗଠନକରି ସେ ସମାଜର ନବଜାତ ଶିଶୁ, ଅସହାୟ ବୃଦ୍ଧ ଓ ଅନାଥ ଶିଶୁଙ୍କର ଥଇଥାନ ଓ ବିକାଶ ଦିଗରେ କାର୍ଯ୍ୟ କରିଥିଲେ ।


ଗୋକୁଳାନନ୍ଦ ଉଚ୍ଚକୋଟୀର ଗବେଷଣା ପାଇଁ ସର୍ବଭାରତୀୟ ସ୍ତରୀୟ ‘କୁପର୍ ସ୍ୱର୍ଣ୍ଣପଦକ’ ହାସଲ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀ, ଶାରଳା ପୁରସ୍କାର, ଉତ୍କଳସାହିତ୍ୟ ସମାଜ, ବିଜ୍ଞାନ ପ୍ରଚାର ସମିତି, ଓଡ଼ିଶା ବିଜ୍ଞାନ ଏକାଡେମୀ, ଭଦ୍ରକ ପୂଜ୍ୟପୂଜା ସଂସଦର ବିଜୟା ସମ୍ମାନ ପ୍ରଭୃତି ସମ୍ମାନ ଓ ସମ୍ବର୍ଦ୍ଧନା ପାଇ ଓଡିଆଙ୍କୁ କରିଛନ୍ତି ଗୌରବାନ୍ଵିତ । ବିଜ୍ଞାନ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ୨୦୧୦ ମସିହାରେ ସେ ମଧ୍ୟ ଭୂଷିତ ହୋଇଥିଲେ ସମ୍ମାନାସ୍ପଦ ‌‌’କଳିଙ୍ଗ ପୁରସ୍କାର’ରେ ।

ଭଦ୍ରକ ନଗରୀରେ ୧୯୨୨ ମସିହା ମଇ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏଇ ମହାନ ବୈଜ୍ଞାନିକ ତଥା ଲେଖକ ତଥା ଶିକ୍ଷାବିତଙ୍କ ପାଦତଳେ ଅନ୍ତରଙ୍ଗ କଳିଙ୍ଗର ଶତ ଶତ ପ୍ରଣାମ ।

 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago