ଲେଖା: ଦେଵ ତ୍ରିପାଠୀ

ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ (ଲୋକମୁଖରେ ବକ୍ସି ଜଗବନ୍ଧୁ ଓ ପାଇକ ବକ୍ସି ନାମରେ ଜଣା) ଖୋର୍ଦ୍ଧା ମହାରାଜାଙ୍କର ସେନାପତି ଓ ବକ୍ସି ଥିଲେ । ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟକାଳରେ ସେ ଥିଲେ ଜଣେ ପ୍ରଚଣ୍ଡ ଯୋଦ୍ଧା । ପାଇକ ବିପ୍ଳବୀମାନେ ତାଙ୍କର ନେତୃତ୍ୱରେ ୧୮୧୭ ମସିହାରେ ଫିରିଙ୍ଗି ଶାସନ ବିରୁଦ୍ଧରେ ପାଇକ ବିଦ୍ରୋହ ଆରମ୍ଭ କରିଥିଲେ ।

ଇଂରେଜମାନେ ୧୮୦୪ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧାର ରାଜା ମୁକୁନ୍ଦଦେବଙ୍କୁ ଗାଦିଚ୍ୟୁତ କରି ତାଙ୍କର ରାଜ୍ୟକୁ ଇଂରେଜ ଶାସନାଧୀନ ଅଞ୍ଚଳ ସହିତ ତାକୁ ମିଶାଇ ଦେଲେ । ପାଇକଙ୍କ ନିଷ୍କର ଜମି ଉପରେ ଉଚ୍ଚ ହାରରେ କର ଧାର୍ଯ୍ୟ ହେଲା । ଫଳରେ ପାଇକମାନେ ତାଙ୍କର ବଂଶାନୁକ୍ରମିକ ନିଷ୍କର ବୃତ୍ତିରୁ ବଞ୍ଚିତ ହେଲେ । ଖୋର୍ଦ୍ଧାକୁ ବ୍ରିଟିଶ ସରକାର ଅକ୍ତିଆର କୁ ନେବା ପରେ ସେହି ଜମିଦାରୀର ରାଜସ୍ୱ ଅନେକ ପରିମାଣରେ ବୃଦ୍ଧି କରାଯାଇ ଜଣେ ବିଦେଶୀ ଜମିଦାରଙ୍କୁ ପଟ୍ଟା ଦିଆଗଲା । ଅନେକ ସର୍ବସ୍ୱାନ୍ତ ହୋଇ ନିଜର ଘରଦ୍ୱାର ଛାଡ଼ି ନିକଟବର୍ତ୍ତୀ କରଦ ରାଜ୍ୟମାନଙ୍କରେ ଆଶ୍ରୟ ନେଲେ । ଯେଉଁମାନେ ରହିଲେ ସେମାନଙ୍କ ଆର୍ଥିକ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଲା ।

୧୮୧୭ ମସିହାରେ ଇଂରେଜମାନେ ଘୁମୁସର ରାଜା ଧନଞ୍ଜୟ ଭଞ୍ଜଙ୍କୁ ଗୋଟିଏ ହତ୍ୟା ମାମଲା ସମ୍ପର୍କରେ ଗିରଫ କଲେ । ସେହି ଘଟଣାର ପ୍ରତିବାଦରେ ଘୁମୁସରର ୩୦୦/୪୦୦ କନ୍ଧ ବାଣପୁରରେ ପଶି ସରକାରୀ ଖଜଣାଖାନା ଲୁଟ୍ କଲେ ଓ ସରକାରୀ ଦପ୍ତର ସବୁ ଆକ୍ରମଣ କଲେ । କୁହୁଳୁଥିବା ବିଦ୍ରୋହାଗ୍ନି ଜଳି ଉଠିଲା । ଖୋର୍ଦ୍ଧାର ପାଇକମାନେ ଏହି ସୁଯୋଗ ନେଇ ବକ୍ସି ଜଗବନ୍ଧୁଙ୍କର ନେତୃତ୍ୱରେ ଇଂରେଜମାନଙ୍କର ଅନ୍ୟାୟ ନୀତି ଓ ନିର୍ଯାତନା ବିରୁଦ୍ଧରେ ବିଦ୍ରୋହ କଲେ ।

ତେବେ ଏହି ଆନ୍ଦୋଳନର ଶିଖା ଘୁମୁସର, ବାଣପୁର ଆଉ ଖୋର୍ଦ୍ଧା ମାଟିରୁ ବ୍ୟାପିଥିଲା, ଦାରୁଠେଙ୍ଗ, ପିପିଲି, ପୁରୀ, ପଟ୍ଟାମୁଣ୍ଡାଇ, କୁଜଙ୍ଗ, କଟକ, ବଡମ୍ବା, ଜଳେଶ୍ଵର, ବାଲେଶ୍ଵର, ବଉଦ, ସୁବର୍ଣ୍ଣପୁର, କଳାହାଣ୍ଡି, ଫୁଲବାଣୀ, ଗଞ୍ଜାମ ପରି କେତେ କେତେ ଅଞ୍ଚଳକୁ । ସେହି ଶିଖାକୁ ପ୍ରଜ୍ଜ୍ଵଳିତ କରାଇଲେ ବାମଦେବ ପାଟ୍ଟଯୋଶୀ, ନାରାୟଣ ପରମଗୁରୁ, ବିଶନ ପାଇକରାୟ, ଗୋପାଳ ଛୋଟରାୟ, ନିଧି ପ୍ରଧାନ, ନରସିଂହ, ପିଣ୍ଡିକି ବାହୁବଳେନ୍ଦ୍ର, ବିଷ୍ଣୁ ପାଇକରାୟ, ସାଧୁଚରଣ ମଙ୍ଗରାଜ, ଧନୀ ଜେନା, ଧରମୁ ହରିଚନ୍ଦନ, ଲୋକନାଥ ବଳିଆରସିଂହ, ରାମଚନ୍ଦ୍ର ସାମନ୍ତସିଂହାର, ଆଦିକନ୍ଦ ବିଦ୍ୟାଧର, ଉପେନ୍ଦ୍ର ଜଗଦ୍ଦେବ, ବିଶ୍ୱନାଥ ହରିଚନ୍ଦନ, ଶ୍ରୀହରି ମାନସିଂହ, ପୁରୁଷୋତ୍ତମ ମାନସିଂହ, ମିର ହାଇଦର ଅଲ୍ଲୀ, କୃଷ୍ଣଚନ୍ଦ୍ର ବିଦ୍ୟାଧର, ଶେଓ ନାୟକ, ଭୁଗୁନି ଦାସ, ସାମ ବିଶୋଇ, ଧରମୁ ସର୍ଦ୍ଦାର ପରି କେତେ କେତେ ବୀର ମୁକ୍ତିପାଗଳ ମୁକ୍ତିଯୋଦ୍ଧା ।

୧୮୧୮ ମସିହାରୁ ଇଂରେଜ ସୈନ୍ୟ ଓ ଆତ୍ମଗୋପନକାରୀ ପାଇକମାନଙ୍କ ମଧ୍ୟରେ ଲୁଚକାଳି ଖେଳ ଚାଲିଲା । ଶତଚେଷ୍ଟା ଏପରିକି ଜଗବନ୍ଧୁଙ୍କ ପରିବାରକୁ ବନ୍ଦୀ କରି ରଖିବା ସତ୍ତ୍ୱେ ମଧ୍ୟ ଇଂରେଜମାନେ ବିଦ୍ରୋହୀ ନେତା ବକ୍ସି ଜଗବନ୍ଧୁ, କୃଷ୍ଣଚନ୍ଦ୍ର ଭ୍ରମରବର ଓ ତାଙ୍କର ଅନୁଚରବର୍ଗଙ୍କୁ ଧରି ପାରିଲେ ନାହଁ ।

କିନ୍ତୁ ବିଦ୍ରୋହୀମାନଙ୍କ ଅବସ୍ଥା କ୍ରମେ ଶୋଚନୀୟ ହୋଇ ଉଠିଲା । ଇଂରେଜ କର୍ତ୍ତୃପକ୍ଷଙ୍କ ସତର୍କତା ଯୋଗୁଁ ସେମାନେ କୌଣସି ସୂତ୍ରରୁ ସାହାଯ୍ୟ ପାଇ ପାରିଲେ ନାହଁ । ନୟାଗଡ଼ ଓ ଅନ୍ୟାନ୍ୟ ରାଜାମାନଙ୍କୁ ସତର୍କ କରାଇ ଦିଆଗଲା ଯେ, ସେମାନେ ଯଦି କୌଣସି ପ୍ରକାରର ସାହାଯ୍ୟ କରନ୍ତି, ତେବେ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୁତରାଂ ରାଜାମାନେ ମଧ୍ୟ ଭୟରେ ବିଦ୍ରୋହୀମାନଙ୍କୁ ସାହାଯ୍ୟ କଲେ ନାହଁ । ଏପରି ପରିସ୍ଥିତିରେ ବିଦ୍ରୋହୀମାନଙ୍କର ଆତ୍ମସମପର୍ଣ ବ୍ୟତୀତ ଅନ୍ୟ କଛିି ଉପାୟ ରହିଲା ନାହିଁ ।

ବକ୍ସି ଜଗବନ୍ଧୁ ଅନ୍ୟ ଉପାୟ ନପାଇ ବ୍ରିଟିଶ ସରକାରର ସମସ୍ତ ସର୍ତ୍ତକୁ ଗ୍ରହଣ କରି ମଇ ମାସ ୨୭ ତାରିଖ ୧୮୨୫ ମସିହାରେ କଟକଠାରେ ଆତ୍ମସମର୍ପଣ କଲେ । ତାଙ୍କ ସହ ତାଙ୍କର ୮ ଜଣ ବିଶ୍ୱସ୍ଥ ପାର୍ଶ୍ୱଚର ମଧ୍ୟ ଆତ୍ମସମର୍ପଣ କଲେ । ବକ୍ସି ଜଗବନ୍ଧୁଙ୍କୁ ଇଂରେଜ ସରକାର କଟକରେ ସ୍ବତନ୍ତ୍ର ଭାବରେ ଗୃହବନ୍ଦୀ କରି ରଖିଲେ । ସେହିଠାରେ ନଜରବନ୍ଦୀ ଭାବରେ ୩ବର୍ଷ ୮ ମାସ କାଳ ବିତାଇବା ପରେ ୧୮୨୯ ମସିହା ଜାନୁଆରୀ ୨୪ ତାରିଖରେ ବକ୍ସିଙ୍କର ଜୀବନଦୀପ ନିର୍ବାପିତ ହେଲା ।

ଓଡ଼ିଶା ଇତିହାସରେ ବକ୍ସି ଜଗବନ୍ଧୁ ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କ ରୂପେ ପ୍ରତୀୟମାନ । ଏ ଦେଶ ମାଟିରୁ ବିଦେଶୀ ଶାସକମାନଙ୍କୁ ହଟାଇ ଦେବାକୁ ଦୀର୍ଘକାଳ ଧରି ଦୁର୍ଗମ ବଣଜଙ୍ଗଲରେ କଷ୍ଟସାଧ୍ୟ ଜୀବନ ଅତିବାହିତ କରି ଯେଭଳି ମହାସଂଗ୍ରାମ ଚଳାଇଥିଲେ, ଭାରତ ଇତିହାସରେ ତା’ର ପଟ୍ଟାନ୍ତର ନାହିଁ ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago