ସୌରଭିତ ସୃଷ୍ଟି: ଗୋଦାବରୀଶ ମହାପାତ୍ର
ଉତ୍କଳମଣି ଗୋପବନ୍ଧୁ ଗଞ୍ଜାମରେ କୌଣସି ଏକ ପଲ୍ଲୀ ସଭାକୁ ଗଲାବେଳେ ଏକ କୌତୁକାଵହ ଘଟଣାଟିଏ ଘଟିଥିଲା । ଭିକ୍ଷାକରି ଚଳୁଥିଵା ଦୁଇଜଣ ବୁଢ଼ୀ ଗୋପବନ୍ଧୁଙ୍କୁ ସବାରିରେ ଯିଵା ଦେଖି ଜଣେ କିଏ ବର ଵିଭାହୋଇଯାଉଛି ବୋଲି ମନେକରି ସଭାକୁ ଯାଇଥିଲେ । ଉଭୟ ବୁଢୀ଼ ପରସ୍ପରରେ କଥା ହେଉଥାନ୍ତି । ଏ ବୁଢ଼ା ଵରକୁ କିଏ ଅଵା ନିଜ ଝିଅର ଜୀଵନ ନଷ୍ଟ ହେଵାକୁ ଵିଭା କରାଉଛି । କିନ୍ତୁ ଉତ୍କଳମଣିଙ୍କ ଭାଷଣ ଶୁଣିଵାପରେ ତାଙ୍କର ହୃଦବୋଧ ହୋଇଛି ଯେ ଇଏ କାହାର ଵର ନୁହେଁ ଵରଂ ଓଡ଼ିଆ ଜାତିର ଵରପୁତ୍ର । “ସବୁରି ଚିତ୍ତଚୋର” କଵିତାରେ ଗୋଦାଵରୀଶ ମହାପାତ୍ର ସେହି ଘଟଣାକୁ ଅତୀଵ ଚମତ୍କାର ଭାବରେ ଵର୍ଣ୍ଣନା କରିଅଛନ୍ତି …
~ ସବୁରି ଚିତ୍ତଚୋର ~
ବାଜେ କରତାଳି, ବାଜେ ମାଦଳ,
ଥରିଉଠେ ନୀଳ ଗଗନ ତଳ,
ଗଣି ହୁଏ ନାଇଁ ଲୋକ-ଲହର ପଥପ୍ରାନ୍ତର ଧାରେ,
ସବୁରି ଵଦନେ ପୂରିଛି ଆଶା,
ପୁଲକି ଉଠଇ ମରମ ଭାଷା,
ପଡ଼ିଚି ଚହଲି ସବୁଜ ରସା ବନ୍ଦନ ଗୀତିକାରେ ।
ଜନଗଣ ମନ କାମନା ଜାଣି
ଵିଜେକଲେ ଅଵା ଅଭୟପାଣି,
ଲୋଚ଼ନ କୋଣରେ ଉଠେ ଉଜାଣି
ସବୁରି ଅଧରେ କଥା,
ଶୋହେ କରେ କରେ କୁସୁମ ମାଳା,
ଦିଏ ହୁଳହୁଳି ପଲ୍ଲୀବାଳା,
ଉଶ୍ଵାସ ହୁଏ ପରାଣ ଭାରା ଦର୍ଶନେ ଚିର ଵ୍ୟଥା ।
ସେ ତ କୋଟି ଜନ ପରାଣସାଇଁ,
କୁସୁମେ ଶୁଶ୍ରୁ ଦେଇଡ଼ି ଛାଇ
ମାଳାଭାରେ ଗଳା ପଡ଼ିଚି ଲଇଁ
ଚିନ୍ତିତ ଭଗବାନ,
ନାଶିବେ ଦେଶର କଳି-କଳୁଷ,
ଯେତେ ଏ ଦଳିତ-ଦୀନ-ମଣିଷ
ଯୋଡ଼ି କର ଯୁଗ ଯାଚେ ଆଶିଷ
ସୁନ୍ଦର ମହୀୟାନ !!
କେଉଁ ଗାଆଁ, କେଉଁ କୁଟୀର ଛାଡ଼ି
ଆସିଥିଲେ ବୁଲି ଦୁଇଟି ବୁଢ଼ୀ,
ସେ ଲୋକ ଗହଳେ ରହିଲେ ବୁଡ଼ି
କି ବା ସେ ଦେଖିଲେ ତହିଁ,
କିଏ ଗୀତ ଗାଏ, କିଏସେ ହସେ,
ବୁଢ଼ୀ ବଖାଣିଲା ବୁଢ଼ୀର ପାଶେ
କାହା କାନେ କିଏ କି କଥା ଭାଷେ,
କି କଥା ଦେଖିଲି ମୁହିଁ !
ଏତିକି ବାଜଣା,
ଏତିକି ଗୋଳ ମଲା ଯା ଏତିକି ନାଟ !
ସବାରି ଭିତରେ ଏ ବୁଢ଼ା ବର
ଏଥିପାଇଁ କିଆଁ ଏତେ ଚହଳ,
ଏନ୍ତୁଡ଼ିଶାଳେ ନ ଚିପି ତୋଟି
କିଏ ରଖିଥିଲା କାହା ଝିଅଟି,
ଆଖି ଯାହା ଦେଖି ନଗଲା ଫୁଟି
ଗାଆଁରେ ବସିଛି ହାଟ !!
କହିଲା ଆରେକ ହୁଅ ଗୋ ତୁନି,
ବେଦୀରେ ବସିଵ ଏ ବୁଢ଼ା ପୁଣି !
କୁଶେ ବାନ୍ଧିଵେ କାହାର ପାଣି,
କିଏ ସେହି ଅଭାଗିନୀ
ଏତେ ଵରଜାତି,
ଏଡ଼ିକି ଭିଡ଼,
ଏ ବୁଢ଼ା ଵରକୁ ଏତିକି ମାଳ !
ଭିକମଗା ଆଜି ଛାଡ଼ିଲେ ଛାଡ଼,
ଦେଖିଵା ଚାଲ ଗୋ ନାନି ।
ବସିଲା ଏ କାଳେ ସେ ଜନସଭା
ଜମାଟ ଧରିଲା ଜଳଦ ଅଵା,
ସଜ୍ଜିତ ପୀଠେ ହୋଇଲେ ଉଭା
ସେଇ ଚିନ୍ତିତ ଵୀର,
ଅଭୟ ଵରଦ ଶ୍ରୀକର ଟେକି
ବେଗ-ଉଦ୍‌ବେଗ
ଜନତା ଦେଖି କହିଲେ
ରହିଚି ଆହୁରି ବାକି ଆଗେ ପଥ ବହୁ ଦୂର ।
ଚାଲ, ଚାଲ, ଆଜି ଚାଲ ରେ ବେଗେ,
ଭିକ୍ଷା ଯା ମାଗୁଛ ଲଜ୍ଜା ଲାଗେ,
ମାନଵ ଭିତରେ ଦେଵତା ଜାଗେ,
ରମଣୀ ଭିତରେ ରମା,
ଉନ୍ନତ କର ଆନତ ଶିର
ଏଇ ତୋ ବିଜୟ-ପତାକା ଧର,
ଭୁଲ ତୋ ଭିତରେ ଆପଣା ପର,
ଛାଡ଼ ବନ୍ଧନ ସୀମା ।
ଏଇ ମାଟିତଳ ଦଳିତ ଜାତି,
ଏଇ ଧରଣୀର ଗଭୀର ରାତି,
ଏଇ ଏ ଜାତିର ପତଳା ଛାତି,
ଏଇ ମାଟିଘେରା ଗାଆଁ,
ଏଇ ଜନତାର ଏକଇ ଡାକେ
ଭେଦି ଗିରିଵନ ଦିଗ୍‌ଵିଦିକେ
ନଵ କଳେଵର ନଵୀନ ଲୋକେ
ବାରେ ତୁ ଆଗକୁ ଚାହାଁ ।
ଏଇ ଯେ ଗାଆଁର ଗରିବ ‘ବିନ’,
ଏଇ କୁଡ଼ିଆର ‘ସୁଦୁରୀ’, ‘ଘନ’,
ଏଇ କୁଲି, ଏଇ ବାଉରି, ପାଣ,
ଏଇ ଭିକାରୁଣୀ ବୁଢ଼ୀ,
ଏଇ ତୋ ଜାତିର ଅସ୍ଥିମଜ୍ଜା
ନଵୀନ ଜୀଵନେ କର ତୁ ତାଜା,
ପର ବୋଲେ ତୁହି ନିଜେ ନ ହଜା,
ମରିବୁ ଅକୂଳେ ବୁଡ଼ି ।
କରତାଳି ତାଳ ଉଠିଲା ନାଡ଼ି;
ସନ୍ଧାନ କଲେ ସଵ୍ୟସାଚୀ
ପ୍ରତି ମନ ତଳେ ବଚନ ଯୋଡ଼ି,
ବିଜୁଳି ଖେଳିଲା ସତେ !
ଦେଲେ ହୁଳହୁଳି ରମଣୀକୁଳ,
ଚମକିଲା ନର-ସାଗର କୂଳ,
ସେଇ ସମାକୁଳ ଭକ୍ତକୁଳ
ବନ୍ଦିଲେ ଯୋଡ଼ ହାତେ ।
ସେ ସଭା ପ୍ରାନ୍ତେ ଦୁଇଟି ବୁଢ଼ୀ
ପଳିତ ଗଣ୍ଡେ ଲୋତକ ଢାଳି
ଯୋଡ଼ି କରଯୁଗ କହିଲେ ଖାଲି
ଆହା ଲୋ ଭଉଣୀ ମୋର,
ଏଇ ଯେ ବେଦୀରେ ବସିଚି ଵର
ଏ ଵର ନୁହେ ତ ଜଣେ କାହାର,
କାହା ହୃଦମଣି କାହା ଦୋସର
ସବୁରି ଚିତ୍ତଚୋର !!
ଉପସ୍ଥାପନା: ଶିଶିର ସାହୁ ମନୋଜ
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago