ଲେଖା: ଦେଵ ତ୍ରିପାଠୀ
“ବାଙ୍କୀଗଡେ ମା’ ଚର୍ଚ୍ଚିକା ସିନ୍ଦୂର ମଣ୍ଡିତା,
ଅଷ୍ଟଚଣ୍ଡୀ ମଧ୍ୟେ ନାମ ଉତ୍କଳ ବନ୍ଦିତା,
ଭକ୍ତଙ୍କ ହିତ ସାଧନେ ବାଙ୍କୀଗଡ଼େ ଉଭା
ଯୁଗେ ଯୁଗେ ମା’ ଚର୍ଚ୍ଚିକା ବିରାଜନ୍ତି ଶୋଭା,
ଭକ୍ତଙ୍କୁ କୋଳକୁ ଟାଣି, କପାଳରେ ହାତ
ଦେଇ ବରଷନ୍ତି କୃପାଜଳ ଅବିରତ II”
ମାତୃଶକ୍ତି ଯୁଗେ ଯୁଗେ ବନ୍ଦନୀୟା । ସେ ସୃଷ୍ଟି କାରିଣୀ, ପାଳନକାରିଣୀ ଓ ସଂହାରକାରିଣୀ । ସକଳ ଜୀବଜଗତ ମାତୃଶକ୍ତିର ପ୍ରଭାବରେ ହୁଏ ଚଳଚଞ୍ଚଳ, ବିକଶିତ । ଶକ୍ତିପୀଠର ମହାସ୍ଥଳ ଆମ ଓଡ଼ିଶା ମାଟିରେ ମାତୃଶକ୍ତିର ଉପାସନା ସର୍ବତ୍ର ଦୃଶ୍ୟମାନ । ଏଠାରେ ମାତୃଶକ୍ତି ଅଷ୍ଟଚଣ୍ଡୀରୂପେ ପୂଜିତା । କାକଟପୁରର ମଙ୍ଗଳା, ବାଣପୁରର ଭଗବତୀ, ପୁରୀର ବିମଳା, କୋଣାର୍କର ରାମଚଣ୍ଡୀ, ସମ୍ବଲପୁରର ସମଲାଇ, ଯାଜପୁରର ବିରଜା ଏବଂ ଝଙ୍କଡ଼ର ଶାରଳାଙ୍କ ପରି କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀଗଡ଼ର ମା’ ଚର୍ଚ୍ଚିକା ଅଷ୍ଟଚଣ୍ଡୀ ଭାବେ ବିଦ୍ୟମାନ ।
କଟକ ମହାନଗର ଠାରୁ ୫୦ କି.ମି. ଦୂରର କୋଳାହଳପୂର୍ଣ୍ଣ ବାଙ୍କୀବଜାର ମଧ୍ୟସ୍ଥ ରୁଚିକଗିରି ପାହାଡ଼ର ଶୀର୍ଷ ଦେଶରେ ନୈସର୍ଗିକ ଶୋଭାମୟ ପରିବେଶରେ ଅବସ୍ଥିତ ମା’ ଚର୍ଚ୍ଚିକାଙ୍କ ମନ୍ଦିର । ପାହାଡ଼ର ପାଦଦେଶରୁ ସୋପାନମାଳା ପାର ହେବା ପରେ ପଡ଼େ ମନ୍ଦିରର ସୁଦୃଶ୍ୟ ସିଂହଦ୍ଵାର । ଏଇ ସିଂହଦ୍ଵାର ନିକଟରେ ପହଞ୍ଚିଲେ ଭକ୍ତ ହୃଦୟରେ ଜାତ ହୁଏ ଐଶ୍ୱରିକ ଶିହରଣ, ଆଉ ମେଣ୍ଟିଯାଏ ପଥଶ୍ରମଜନିତ କ୍ଲାନ୍ତି । ଚିରସ୍ରୋତା ପୁଣ୍ୟତୋୟା ମହାନଦୀର କୁଳୁକୁଳୁ ଜଳସ୍ରୋତ ଏବଂ ମେଘଶୂନ୍ୟ ଆକାଶର ସୁଲୁସୁଲୁ ପବନ ଭକ୍ତଗଣଙ୍କୁ ପ୍ରଦାନକରେ ଅପୂର୍ବ ଆନନ୍ଦ ।
ରୁଚିକଗିରି ପାହାଡ଼ର ପଶ୍ଚିମ ଦିଗରେ ରହିଛି ପୌରାଣିକ ରେଣୁକା ନଦୀ । ଏକଦା ଭୂଗର୍ଭରେ ଲୀନ ହୋଇଯାଇଥିବା ଏଇ ନଦୀ ୧୯୮୨ର ପ୍ରଳୟଙ୍କରୀ ବନ୍ୟାରେ ପୁନରୁଜ୍ଜୀବିତ ହୋଇ ଐତିହାସିକ ମାନଙ୍କୁ ଗବେଷଣାର ପ୍ରେରଣା ଯୋଗାଇଛି ।
ମା’ ଚର୍ଚ୍ଚିକା ମନ୍ଦିରର ପଶ୍ଚିମ ଦିଗରେ ପୀଠ ଉପରେ ରହିଛି ମା’ଙ୍କର ଜନ୍ମଗାଦି । ଏଇ ଜନ୍ମଗାଦିରୁ ସିନ୍ଦୂର ମଣ୍ଡିତା ମା’ ଚର୍ଚ୍ଚିକାଙ୍କ ଆବିର୍ଭାବ ହୋଇଥିବା ବିଶ୍ୱାସ କରାଯାଏ । ରକ୍ତାକ୍ତ ସିନ୍ଦୂରରେ ମଣ୍ଡିତ ସେଇ ଜନ୍ଯଗାଦି ଶ୍ରଦ୍ଧାଳୁଭକ୍ତ ମାନଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ର। ତେବେ ଏଇ ପୀଠର ସୃଷ୍ଟି ବହୁ ପ୍ରାଚୀନ କାଳରୁ ହୋଇଥିବା ଅନୁମେୟ, ଏ ବାବଦରେ ଐତିହାସିକଗଣ କୌଣସି ସୂଚନା ଦେଇପାରି ନାହାଁନ୍ତି । ସୃଷ୍ଟିର ମଙ୍ଗଳ ପାଇଁ ଯେ ମା’ ସେ ପୀଠରେ କେଉଁକାଳୁ ପୂଜିତା ସେକଥା ସେ ମା’ଙ୍କୁ ହିଁ ଜଣା । ତେବେ ଚର୍ଚ୍ଚିକା ଗାଁରେ ମା’ଙ୍କ ଆବିର୍ଭାବ ହେତୁ ତାଙ୍କର ନାମ ମା’ ଚର୍ଚ୍ଚିକା ହୋଇଛି ।
ମା’ ଚର୍ଚ୍ଚିକାଙ୍କ ପୀଠ ଭାବେ ଖ୍ୟାତ ସେଇ ରୁଚିକଗିରି ପାହାଡରେ ପଞ୍ଚମହାଦେବ, ମଙ୍ଗଳା, ସନ୍ତୋଷୀମା, ରଘୁନାଥ, ଜଗନ୍ନାଥ, ତ୍ରିନାଥଦେବଙ୍କ ମନ୍ଦିରମାନ ରହିଛି । ସର୍ବଦେବାଦେବୀଙ୍କ ଗହଣରେ ମା’ ରୁଚିକଗିରି ପାହାଡ଼ ଉପରେ ବନ୍ଦିତା ।
ବର୍ଷସାରା ଭକ୍ତଙ୍କ ସମାଗମରେ କୋଳାହଳଯୟ ରହୁଥିବା ମା’ଙ୍କ ପୀଠରେ ପାଳିତ ହୁଏ ଝାମୁଯାତ୍ରା, ଦୁର୍ଗାପୂଜା, କୁମାର ପୂର୍ଣ୍ଣିମା ଇତ୍ୟାଦି କେତେ କେତେ ପର୍ବପର୍ବାଣୀ । ମା’ଙ୍କ ଶକ୍ତି ରେ ଶକ୍ତିମାନ ହୋଇ ଶ୍ରଦ୍ଧାଳୁ ଝାମୁଆଁମାନେ ବ୍ରତ ଉପବାସ କରି ପଣାସଂକ୍ରାନ୍ତି ଦିନ ୧୦୦ ହାତ ଲହଲହ ଅଗ୍ନିଅଙ୍ଗାର ମଧ୍ୟରେ ଚାଲିଥା’ନ୍ତି । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ଉଛୁଳି ପଡେ ବାଙ୍କୀଗଡ଼ । ହରିବୋଲ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୁଏ ସମଗ୍ର ପାହାଡ଼ ।
ଦୈନନ୍ଦିନ ମା’ଙ୍କ ପୀଠରେ ଅନ୍ନପ୍ରସାଦ ଭୋଗ ହୋଇଥାଏ । ଚର୍ଚ୍ଚିକା ଗ୍ରାମର ମାଳିସାହି ଦ୍ଵାରା ମା’ଙ୍କପୀଠର ପରିଚାଳନା କାର୍ଯ୍ୟ ସମ୍ପାଦିତ ହୋଇଥାଏ । ଏଇ ମହାର୍ଘ ପୀଠର ଆକର୍ଷଣ ଭକ୍ତ ପାଇଁ ତୀବ୍ର । ମା’ପ୍ରତି ସନ୍ତାନର ଭକ୍ତି ଓ ସନ୍ତାନର ମା’ ପ୍ରତି ଅନାବିଳ ଶ୍ରଦ୍ଧା, ପ୍ରେମ, ବାତ୍ସଲ୍ୟ ଅନୁଭୂତ ହୁଏ ଏଇ ପୀଠରେ ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago