ଲେଖା: ଦେଵ ତ୍ରିପାଠୀ
ଆମ ମାଟିର ସଂସ୍କୃତି, ପରମ୍ପରା, ଲୋକକଳା ଆଦି ବୁଡି ଯାଉଥିବା ଦେଖି ଆମେ ଓଡ଼ିଆଏ ଯେ କେତେ ଛାତି ଫଟାଇ କାନ୍ଦିବାର ଅଭିନୟ କରୁ, ସଂସ୍କୃତିର ଦାହ ସଂସ୍କାର କରୁ କରୁ କୁମ୍ଭୀର ଲୁହ ଝରାଇ ନିଜ ଓଡ଼ିଆମିର ପରିଚୟ ଦେଉ ! ସଂସ୍କୃତି, ଐତିହ୍ୟକୁ ଅଣଦେଖା କରିବାର ଦୋଷଟି ସରକାର ବାପୁଡ଼ା ଉପରେ ଲଦି ଦେଇ ଆମେ ନିଜକୁ ପ୍ରଚଣ୍ଡ ସଂସ୍କୃତିପ୍ରେମୀର ପରିଚୟ ଦେଉ ସିନା, କାଁ ଭାଁ ଯଦି କେହି ଆମ ସଂସ୍କୃତିକୁ ପରିପୁଷ୍ଟ କରିବା ପାଇଁ ଆଗେଇ ଆସେ, ଆମ ଭିତରର କଙ୍କଡ଼ାଟି ଜାଗିଉଠେ, ଉଠି ଆସୁଥିବା ମୁଣ୍ଡଟିକୁ ମାଡ଼ିମକଚି ରସାତଳକୁ ଠେଲିଦେଉ !
ମାତ୍ର ଏ କଟକ ମହାନଗରଟି ବ୍ୟତିକ୍ରମ ନିଶ୍ଚୟ ! ଏଠି ଅପସଂସ୍କୃତି ଯଦି ଜନଜୀବନ ପରିସରକୁ ଧସେଇ ପଶେ, ସଂସ୍କୃତିପ୍ରେମୀ ଜନତାର ବିବେକର ତାଡ଼ନାରେ ଧକ୍କା ଖାଇ ଫେରିଯାଏ ସିନା, ନଗରବାସୀଙ୍କ ଚେତନାକୁ ଦୋହଲାଇ ପାରେନା ! ଏଇ ସାଂସ୍କୃତିକ ଶାସ୍ତ୍ରୀୟ ନଗରରେ ସମୟର କଷାଘାତରେ ଘୁମାଇ ପଡ଼ିଥିବା ସଂସ୍କୃତିର ଧାରା ପୁଣି ଝାଡିଝୁଡି ହୋଇ ଉଠିବସେ !
ଏଠାରେ ଆମେ ଦେଖୁଥିବା ବୟସ୍କ ଭଦ୍ରବ୍ୟକ୍ତି ଜଣକ ଓଡିଶାବାସୀଙ୍କ ନିକଟରେ ଆଦୌ ପରିଚିତ ନୁହଁନ୍ତି ! ନା ତାଙ୍କୁ କେଉଁ ଗଣମାଧ୍ୟମ ଚିହ୍ନି ଚିହ୍ନାଇବାର ଚେଷ୍ଟା କରିଛି, ନା କେଉଁ କଳାଗବେଷକଙ୍କ ସଦୟ ଦୃଷ୍ଟି ତାଙ୍କ ଉପରେ ପଡ଼ିଛି ! ସେ କିନ୍ତୁ ରଚିଛନ୍ତି ଇତିହାସ ! ତିନିଶହ ବର୍ଷର ପ୍ରାଚୀନ ପରମ୍ପରାରେ ସେ ଯୋଡ଼ିଛନ୍ତି କଳାତ୍ମକ ଫର୍ଦ୍ଦମାନ । ବୁଡି ବୁଡ଼ି ଯାଉଥିବା ଲୋକକଳାଟିକୁ ଯେ ସେ କେବଳ ବଞ୍ଚାଇ ରଖିନାହାଁନ୍ତି, ଆଧୁନିକ ମହାନଗରର ଆଧୁନିକ ଶିକ୍ଷିତ ଯୁବଗୋଷ୍ଠୀକୁ କରାଇ ପାରିଛନ୍ତି ସଂସ୍କୃତିମୁହାଁ !
କ୍ଷୀଣଶିରାଳ ଶରୀର, ପାକୁଆପାଟି ଅଥଚ ତୀକ୍ଷ୍ଣ କଣ୍ଠସ୍ୱରର ଅଧିକାରୀ ସେ ୯୨ ବର୍ଷୀୟ ଡେଙ୍ଗାମଣିଷଟି ଭିତରେ କିନ୍ତୁ ଦେଖିବାକୁ ମିଳେ ୨୯ ବର୍ଷୀୟ ଯୁବହୃଦୟରେ ଦୁନିଆକୁ ଜିଣିଯିବାର ଆତ୍ମପ୍ରତ୍ୟୟ ।
ସାରାଜୀବନ ଏକ ମହାନ ଲୋକକଳା ରାମଲୀଳା ପାଇଁ ଉତ୍ସର୍ଗୀକୃତ ଏଇ ମହାନ କଳାସାଧକ ଜଣକ ରଚିଛନ୍ତି ୧୬ଟି ନୂତନ ରାମଲୀଳା । ଏ ସହରରେ ୬୫ ବର୍ଷରୁ ଅଧିକ କାଳ ରାମଲୀଳାରେ ଅଭିନୟ, ନିର୍ଦ୍ଦେଶନା, କଣ୍ଠଦାନ, ସୁର ସଂଯୋଜନା କରି ସେ କେବଳ ଏ ମହାନ ପରମ୍ପରାକୁ ସଗର୍ବେ ବଞ୍ଚାଇ ରଖିନାହାଁନ୍ତି, ବରଂ ସହରର ଶତାଧିକ କଳାପ୍ରେମୀ ଯୁବକଙ୍କ ପାଇଁ ସାଜିଛନ୍ତି ପ୍ରେରଣା !
ଗଞ୍ଜାମ (ଆଧୁନିକ କନ୍ଧମାଳ) ଜିଲ୍ଲାରୁ ବିଶ୍ଵନାଥ ଖୁଣ୍ଟିଆଙ୍କ ବିଲଙ୍କା ରାମାୟଣ ଆଧାରରେ ଗଢିଉଠିଥିବା ରାମଲୀଳା ମଧ୍ୟ କଟକ ସହରରେ ତିନି ଶତାବ୍ଦୀ ତଳୁ ପରିବ୍ୟାପ୍ତ ହୋଇଥିଲା, ମୁଖ୍ୟତଃ ସହରର ଶତାଧିକ ଭାଗବତ ଗାଦିଗୁଡ଼ିକର ପୃଷ୍ଠପୋଷକତାରେ । ଏହି ଲୋକନୃତ୍ୟର ମୂଳପିଣ୍ଡକୁ ଅପରିବର୍ତ୍ତିତ ରଖି ସମୟାନୁସାରେ ନୂତନତ୍ବ ପ୍ରଚଳନ କରି ସ୍ଵାଧୀନୋତ୍ତର ଓଡ଼ିଶାରେ ଏହାକୁ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ଅଣ୍ଟା ଭିଡିଥିଲେ ଗୁରୁ ବିଶ୍ୱନାଥ ଦାଶ ।
କେଉଁଠି କେଉଁଠି ରାମଲୀଳାରେ ମହିଳାମାନେ ଅଭିନୟ କରୁଥିଲେ ହେଁ କଟକରେ ମହିଳାମାନେ ପୁରୁଷ ଭୂମିକାରେ ଅଭିନୟ କରିବା ବଳବତ୍ତର ରହିଛି । ଆଧୁନିକତାର ଦ୍ଵାହି ଦେଇ ଏଠାକାର ରାମଲୀଳାରେ ଆଧୁନିକ ବାଦ୍ୟଯନ୍ତ୍ର ମଧ୍ୟ ବ୍ୟବହାର ହୁଏନା । ଲଙ୍କପତିଙ୍କ ଦର୍ପ, ହନୁମାନଙ୍କ ବୀରଠାଣିହେଉ କି ଲକ୍ଷ୍ମଣଙ୍କ ଶକ୍ତି ଭେଦରେ ଶୋକାକୁଳ ପରିବେଶ ସୃଷ୍ଟି କରିବା ହେଉ ସବୁ ପାଇଁ କେବଳ ମୃଦଙ୍ଗ ଓ ଝାଞ୍ଜ । ରାମାୟଣର ରସ ଓ ଆବେଦନ କି ଫୁଟିପାରେ ଆଧୁନିକ ବାଦ୍ୟରେ !
ରାମଲୀଳାକୁ ଆକର୍ଷଣୀୟ କରିବା ପାଇଁ ଆଧୁନିକ ବୈଷୟିକ କୌଶଳ ପାଇଁ ଯୁବକମାନଙ୍କୁ ପ୍ରେରଣା ଦେଉଥିଲେ ମଧ୍ୟ ରାମଲୀଳାର ମୂଳଧାରା, ସଙ୍ଗୀତ, ବାଦ୍ୟ ସବୁ କିଛି ସେମିତି ରହିଛି । ତେବେ ଚିରାଚରିତ ଭାବେ ରାମାୟଣର ମୁଖ୍ୟ ଚରିତ୍ର ଗୁଡ଼ିକ ସହିତ ଅନାଲୋଚିତ ଚରିତ୍ର ମାନଙ୍କର ଜୀବନର ଆଦର୍ଶ, ତ୍ୟାଗ, ସାଧନାର କାହାଣୀ ପରଷିଦିଅନ୍ତି ଗୁରୁ ବିଶ୍ୱନାଥ ଦାଶ । ଭାଗବତ ଟୁଙ୍ଗିରେ ଭାଗବତ ପାଠ ସରି ପ୍ରସାଦ ସେବନ ସରୁ ନ ସରୁଣୁ ଗଣେଶ ଓ ସରସ୍ବତୀଙ୍କ ବନ୍ଦନାରୁ ଆରମ୍ଭ ହେଉଥିବା ଅନନ୍ୟ ରାମଲୀଳାରେ ରାମଜନ୍ମଠାରୁ ଅଭିଷେକ ପର୍ଯ୍ୟନ୍ତ ଏକ ସଂସ୍କୃତ ପଦ୍ୟ ଗାନ ହୋଇ ଲୀଳା ଆରମ୍ଭ ହୁଏ । ଗୁରୁଙ୍କ ରଚିତ ଲୀଳାଗୁଡିକରେ ବିଶ୍ୱପ୍ରେମର ମାଧୁର୍ଯ୍ୟ ସ୍ପଷ୍ଟ ବାରି ହୋଇପଡେ ।
ସହରରେ ସେଇ ଭାଗବତଗାଦି ଅଛି ! ସେଇ ରାମଲୀଳା ଅଛି ! ସହରର ଧାର୍ମିକ ଜନତାଙ୍କ ଜୀବନକୁ ଜଞ୍ଜାଳର ଅଗ୍ନିବେଦୀରୁ ଉଦ୍ଧାର କରିଚାଲିଛି ! ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ତ୍ୟାଗ ହେଉ ଅବା ହନୁମାନଙ୍କ ଭକ୍ତିରସ, ଅବା ତରଣୀସେନଙ୍କ ଅନ୍ତର୍ଦାହ ସେସବୁର ଚେତନା ହିଁ ଜୀବନକୁ ରସୋତ୍ତୀର୍ଣ୍ଣ କରିଚାଲିଛି ! ଗୁରୁ ବିଶ୍ୱନାଥ ଦାଶ ଆଜି ନାହାନ୍ତି ସତ ! ବସ୍ତୁବାଦୀ ଜୀବନରେ ଆଜି ତାଙ୍କ ରାମଲୀଳା ହିଁ ଯୋଗାଇଚାଲିଛି ଜୀବନର ସର୍ବୋତ୍ତମ ଅନୁଭବ ! ମନରେ ଭରିପାରୁଛି ସଂହତି ଓ ସମନ୍ୱୟର ଭାବ ! ଏକାଧିକ ସାହି ମଧ୍ୟରେ ସହାବସ୍ଥାନ ରକ୍ଷାପୂର୍ବକ ଜାତିଧର୍ମ ନିର୍ବିଶେଷରେ ଗୁରୁଙ୍କ ରାମଲୀଳା ସଭିଙ୍କୁ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ମହିମାର ଗାଥା ଶୁଣାଇଚାଲିଛି !
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago