ଲେଖା: ଦେଵ ତ୍ରିପାଠୀ
ପ୍ରାକୃତିକ ଶୋଭାସମ୍ପଦରେ ପରିପୂର୍ଣ୍ଣ, ସାଂସ୍କୃତିକ ବିଭବରେ ବିମଣ୍ଡିତ ତଥା କଳାସଙ୍ଗୀତ, ସାହିତ୍ୟ, କାରୁକାର୍ଯ୍ୟ ଓ ଧାର୍ମିକ ଚେତନାରେ ଋଦ୍ଧିମନ୍ତ ଆମରି ଗଞ୍ଜାମ ଜିଲ୍ଲା । ଜିଲ୍ଲାର ଗ୍ରାମେ ଗ୍ରାମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଥିଲେ ମଧ୍ୟ ଶୈବ ଓ ଶାକ୍ତମାନେ ଗାଁ ଠାକୁରାଣୀ କିମ୍ବା ଗ୍ରାମଦେବତୀଙ୍କୁ ଆରାଧନା କରିବା ଦେଖାଯାଇଥାଏ । ଶକ୍ତି ଉପାସନାର ରାଜ୍ୟ ଭାବେ ଓଡ଼ିଶା ପରିଚିତ ହୋଇଥିବାବେଳେ ଗଞ୍ଜାମର ତନ୍ତ୍ରପୀଠ ବା ଶକ୍ତିପୀଠ ବା ଦେବୀପୀଠମାନ ଦେଶର ଜନମାନସରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ବାଳକୁମାରୀ, ସିଂହାସିନୀ, ନାରାୟଣୀ, ଖମ୍ବେଶ୍ୱରୀ, ସିଦ୍ଧଭୈରବୀ, ମହୁରିକାଳୁଆ, ବ୍ୟାଘ୍ରଦେବୀ, ତାରାତାରିଣୀ ପୀଠ ପରି ଶକ୍ତିପୀଠ ଗୁଡିକରେ ତନ୍ତ୍ରମତରେ ପୂଜାର୍ଚ୍ଚନା କରାଯାଇଥାଏ ।
ରେଶମନଗରୀ ବ୍ରହ୍ମପୁର ଠାରୁ ୩୫କି.ମି. ଦୂର ପୁରୁଷୋତ୍ତମପୁର ସନ୍ନିକଟ ଋଷିକୂଲ୍ୟା ନଦୀର ଦକ୍ଷିଣ ପାର୍ଶ୍ଵରେ ସ୍ଥିତ ୭୦୮ଫୁଟ ଉଚ୍ଚ କୁମାରୀପାହାଡ଼ ଶୀର୍ଷରେ ମା’ ତାରାତାରିଣୀଙ୍କ ମନ୍ଦିର ଅବସ୍ଥିତ । ଗଞ୍ଜାମ ଏବଂ ପଡୋଶୀ ଜିଲ୍ଲାବାସୀଙ୍କ ଅଧିଷ୍ଠାତ୍ରୀ ଦେବୀଙ୍କୁ ସହଜରେ ଦର୍ଶନ କରିବା ଉଦ୍ଦେଶ୍ୟରେ, ବ୍ରହ୍ମପୁରର ଜନୈକ ଧର୍ମନିଷ୍ଠ ଶିଳ୍ପପତିଙ୍କ ଦ୍ଵାରା ନିର୍ମିତ ୯୯୯ଟି ପାହାଚ ନିର୍ମାଣ କରାଇଥିଲେ । ମନ୍ଦିରର ପ୍ରାଚୀନ ତା ଗବେଷଣା ସାପେକ୍ଷ ହୋଇଥିବା ସ୍ଥଳେ କିଛି ବର୍ଷ ପୂର୍ବେ ନୂତନ ଶୈଳୀରେ ସୂରମ୍ୟ ମନ୍ଦିର ନିର୍ମିତ ହୋଇଛି । ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗର ଗବେଷଣା ଯୋଗୁଁ ପୂଜିତ ଦେବଦେବୀଙ୍କ ମଧ୍ୟରେ ବୁଦ୍ଧଙ୍କୁ ଆବିଷ୍କାର କରିଥିଲେ । ଶକ୍ତିପୀଠରେ ଏପରି ବୁଦ୍ଧ ଉପାସନା ବୋଧହୁଏ ରାଜ୍ୟରେ ଏକମାତ୍ର ।
~ ଜନମାନସରେ ତାରାତାରିଣୀ ପୀଠ ~
ବହୁ କିମ୍ବଦନ୍ତୀ, ଲୋକକଥା ଓ ବିଶ୍ୱାସରେ ପରିପୁଷ୍ଟ ଆଦିଶକ୍ତି ସନାତନୀ ମା’ ତାରାତାରିଣୀଙ୍କ ଉତ୍ପତ୍ତି, ରହସ୍ୟ ଓ ଉପାସନାର ଗାଥା । କେହି କେହି ଦକ୍ଷଯଜ୍ଞର କାହାଣୀ କହନ୍ତି ତ କେହି ସୀତାଙ୍କୁ ରାବଣ ଚୋରି କରି ନେଉଥିବା ବେଳେ ତାରାତାରିଣୀ ସୀତାଙ୍କ ଅଙ୍ଗରକ୍ଷିକା ଥିଲେ ବୋଲି କହିଥାନ୍ତି ।
ତାରାତାରିଣୀ ପୀଠ ମଧ୍ୟ ମା’ ସୀତାଙ୍କ ଦ୍ଵାରା ନିର୍ଦ୍ଧାରିତ ହେବାର ବିଶ୍ୱାସ କରାଯାଏ । ‘ରଘୁନାଥ କୀର୍ତ୍ତନ‘ ଗ୍ରନ୍ଥ ଅନୁଯାୟୀ ତାରାତାରିଣୀ ପର୍ବତ ହିଁ ସୀତାଙ୍କ ଦ୍ଵାରା ଗୋୖରୀଶଙ୍କର ପର୍ବତ ଭାବେ ନାମିତ । କିଛି ଐତିହାସିକଙ୍କ ମତରେ ପଣ୍ଡିତ ବାସୁ ପ୍ରହରାଜଙ୍କ ଦ୍ଵାରା ତାରାତାରିଣୀଙ୍କ ପ୍ରତିଷ୍ଠା ଋଷିକୂଲ୍ୟା ତଟର ତାରାକକ୍ଷ ପର୍ବତର ଦହିହାଣ୍ଡି ଶିଖରରେ ହୋଇଥିଲା । କମନୀୟ ସିଂହାସନ ଉପରେ ସୁଦୃଶ୍ୟ ମୁଗୁନି ପଥରରେ ଯନ୍ତ୍ରମୂର୍ତ୍ତି ସ୍ଥାପନ କରିଥିଲେ ପଣ୍ଡିତ ମହାଶୟ, ପରବର୍ତ୍ତୀ ସମୟରେ ଅଷ୍ଟଧାତୁରେ ନିର୍ମିତ ପ୍ରତିମା ପ୍ରତିଷ୍ଠିତ ହୋଇଥିଲା ।
ତେବେ ଦେବୀଭାଗବତ ଅନୁଯାୟୀ ଦକ୍ଷଯଜ୍ଞରେ ଦେବୀ ସତୀଙ୍କ ଝାସ ଦେବାପରେ ଶିବଙ୍କର ଭୟଙ୍କର ତାଣ୍ଡବନୃତ୍ୟକୁ ପ୍ରତିହତ କରିବା ପାଇଁ ଶ୍ରୀବିଷ୍ଣୁ ସୁଦର୍ଶନ ଚକ୍ରରେ ଦେବୀଙ୍କ ଶରୀରକୁ ଛେଦନ କରନ୍ତେ ଆର୍ଯ୍ୟାବର୍ତ୍ତର ବିଭିନ୍ନ ଅଞ୍ଚଳରେ ଖଣ୍ଡିତ ଶରୀରର ଅଂଶମାନ ପଡ଼ିଥିଲା ଏବଂ ଉକ୍ତ ସ୍ଥାନଗୁଡିକ ଶକ୍ତିପୀଠରୂପେ ପରିଣତ ହୋଇଥିଲା । ମା’ଙ୍କର ପାଦଦୁଇଟି କାଳୀ ରୂପରେ ଏବଂ ସ୍ତନଯୁଗଳ ତାରାତାରିଣୀ ଭାବରେ ଏହି ପାବନକ୍ଷେତ୍ରରେ ପୂଜିତ । ସେଥିପାଇଁ ଉଲ୍ଲେଖ ଅଛି:
“କାଳିକାଂ ପାଦପୀଠଂ ଚ ସ୍ତନପୀଠଂ ଚ ତାରିଣୀ ।”
~ ଦିବ୍ୟପୀଠ ତାରାତାରିଣୀ ~
ନିକଟ ଅତୀତରେ ପାହାଡ଼ର ପାହାଚର ଉଭୟ ପାର୍ଶ୍ବରେ ବୃକ୍ଷରୋପଣ କରାଯାଇ ପାନୀୟ ଜଳ ଏବଂ କ୍ଲାନ୍ତି ମେଣ୍ଟାଇବା ଉଦ୍ଦେଶ୍ୟରେ ବସିବାସ୍ଥାନର ସୁବ୍ୟବସ୍ଥା କରାଯାଇଛି । ସୁଉଚ୍ଚ ପର୍ବତ ଶିଖରରୁ ସର୍ପିଳାକାର ଋଷିକୂଲ୍ୟା ଓ ସବୁଜ କ୍ଷେତର ଅପୂର୍ବ ଶୋଭା ତଥା ଏହି ଦିବ୍ୟପୀଠର ମହିମା ରାଜ୍ୟର ବିଭିନ୍ନ ଅଞ୍ଚଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, କର୍ଣ୍ଣାଟକ ଆଦି ରାଜ୍ୟର ଲକ୍ଷ ଲକ୍ଷ ଦର୍ଶନାର୍ଥୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ମା’ଙ୍କର ଆକର୍ଷଣୀୟ କମନୀୟ ଶୋଭାକାନ୍ତି ଦର୍ଶନରେ ନିଜକୁ ଭାଗ୍ୟବାନ ମନେ କରନ୍ତି ଭକ୍ତମାନେ ।
~ ଦିବ୍ୟନୀତି ~
ମାଳି ଅବା ରଣା ସାଙ୍ଗିଆଧାରୀ ସମ୍ପ୍ରଦାୟର ପୂଜକଙ୍କ ଦ୍ୱାରା ପୂଜିତା ମା’ଙ୍କ ନିକଟରେ ଅଭିଷ୍ଟ ସିଦ୍ଧି, ମାନସିକ ପୂରଣ ଉଦ୍ଦେଶ୍ୟରେ ଭକ୍ତଙ୍କ ଭିଡ଼ ଜମେ । ଚୈତ୍ରମାସ ମଙ୍ଗଳବାରଠାରୁ ମା’ଙ୍କ ପୀଠରେ ଆରମ୍ଭ ହୁଏ ତାରାତାରିଣୀ ଯାତ୍ରା । ଗଞ୍ଜାମବାସୀଙ୍କ ସାମାଜିକ ଓ ସାଂସ୍କୃତିକ ଭାବଧାରା ସହ ଜଡ଼ିତ ମା’ ତାରାତାରିଣୀଙ୍କୁ କେନ୍ଦ୍ରକରି ପାଳନ ହୁଏ ବହୁ ପର୍ବପର୍ବାଣୀ ଓ ଯାନିଯାତ୍ରା । ମା’ ଗଞ୍ଜାମବାସୀଙ୍କ ଇଷ୍ଟଦେବୀ ହୋଇଥିବା ସ୍ଥଳେ ଋଷିକୂଲ୍ୟା ନଦୀ ପୂଣ୍ୟତୋୟା ଫଳପ୍ରସୂ ପବିତ୍ର ନଦୀ ରୂପେ ମାନ୍ୟତା ପାଇଛି । ମା’ ତାରାତାରିଣୀ ଓ ମା’ ଋଷିକୂଲ୍ୟା ଉଭୟ ଗଞ୍ଜାମବାସୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବ ବହନ କରନ୍ତି ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago