ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
~ ଓଡ଼ିଆ ଭାଷାର ମାଣ ଶବ୍ଦ ; ଏକ ଆଲୋଚନା ~
ଓଡ଼ିଶାରେ ଲୋକେ ଵିଶ୍ଵାସ କରନ୍ତି ଯେ #ମାଣ ଶବ୍ଦଟି ସିଂହଭୂମି ଅଞ୍ଚଳର ଶବ୍ଦ ମାଣକି (କୋହ୍ଲ ସମ୍ପ୍ରଦାୟର ଗ୍ରାମମୁଖ୍ୟ ବା ମୁଣ୍ଡା ସର୍ଦ୍ଦାରଙ୍କୁ ମାଣକି କହନ୍ତି) ରୁ ସୃଷ୍ଟି ହୋଇଅଛି । ଅର୍ଥାତ୍ ମାଣକି ଶବ୍ଦ କାଳକ୍ରମେ ମାଣ ହୋଇଅଛି । କୋହ୍ଲ ସମ୍ପ୍ରଦାୟ ମାନଙ୍କ ମଧ୍ୟରେ ପ୍ରଚଳିତ ଥିବା ଏହି ମାପ ପଦ୍ଧତି ସେମାନଙ୍କୁ ନିୟନ୍ତ୍ରିତ କରୁଥିଵା ରାଜା ମାଣଭଞ୍ଜ ତୋଷଳରେ ଲାଗୁ କରିଥିଲେ ବୋଲି ସେମାନଙ୍କ ମତ । ସେହି ରାଜାଙ୍କ ନାମ ମାନଭଞ୍ଜ ବି ହୋଇଥାଇପାରେ ଯାହାକୁ ମାଣଭଞ୍ଜ କୁହାଯାଉଛି ।
ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଏ ଶବ୍ଦଟି ମା ଧାତୁରୁ ନିଷ୍ପନ୍ନ ତତ୍ସମ ‘ମାନ’ ଶବ୍ଦର ଓଡ଼ିଆ ରୂପ ଅଟଇ ।
ଆମ ଭାଷାରେ ମାଣ ଶବ୍ଦର ଵ୍ୟଵହାର ଵ୍ଯାପକ । ପଚିଶ ଗୁଣ୍ଠ ପରିମିତ ଭୂମିକୁ ମାଣ କୁହାଯାଏ । ଏହି ମାପ ପଦ୍ଧତି ଅନୁସାରେ ୧ ବାଟି = ୨୦ ମାଣ, ୧ ମାଣ = ୨୫ ଗୁଣ୍ଠ, ୧ ଗୁଣ୍ଠ = ୧୬ ବିଶ୍ଵା ଅଟଇ । ଦୀର୍ଘ ୨ ପଦିକା ଓ ପ୍ରତି ୨ ପଦିକା ହେଲେ ଏକମାଣ ଭୂମି ହୁଏ, କିନ୍ତୁ ପଦିକାର ଲମ୍ବର ତାରତମ୍ଯ ଅନୁସାରେ ମାଣର ପରିମାଣର ତାରତମ୍ଯ ହୁଏ ।
ଉଦାହରଣ ସ୍ୱରୂପ: ୨୪ ଦସ୍ତିଆ ମାଣ = ଏକ ଏକର = ପ୍ରାୟ ୨୩ ବିଘା; ବିଶି ଦସ୍ତିଆ, ଚଉଦ ଦସ୍ତିଆ ଓ ବାର ଦସ୍ତିଆ ଇତ୍ୟାଦି ମାଣ ଅଛି । ବାର ଦସ୍ତି ପଦିକାର ଏକ ମାଣର‌ ପରମାଣ ହେଉଛି ୧/୪ ଏକର । ଚବିଶ ଦସ୍ତି ପଦିକାର ଲମ୍ବ = ୬ ହାତ ୧ କାଣି ଵା ୬ ହାତ ୨୨ ଆଙ୍ଗୁଳ । ମାଣର ସାଙ୍କେତିକ ଚିହ୍ନ ‘ମା’ ଭାବରେ ଚିହ୍ନିତ ହୋଇଥାଏ — ଯଥା—ଏକମାଣ ଜମି = ମା.୧ ।
ଦ୍ଵିତୀୟରେ ଏକ ଗଉଣୀର ୧୨ ଭାଗର ଏକ ଭାଗ ଶସ୍ଯର ପରିମାଣ ଵିଶେଷକୁ ମଧ୍ୟ ଆମ ଭାଷାରେ ମାଣ କୁହାଯାଏ । ଶସ୍ୟ ମାପ ପଦ୍ଧତି ଅନୁସାରେ
ଏକ ଭରଣ = କୋଡ଼ିଏ ଗଉଣୀ
ଏକ ଗଉଣୀ = ବାର ମାଣ ।
ଗଉଣୀର ତାରତମ୍ଯ ଅନୁସାରେ ମାଣର ତାରତମ୍ଯ ହୋଇଥାଏ । କଟକୀ ଚାରି ସେରିଆ ଗଉଣୀର ମାଣ ହେଉଛି ୧/୩ ସେର । ଛଅ ସେରିଆ ଗଉଣୀର ମାଣ ୧/୨ ସେର । ତିନି ସେରିଆ ଗଉଣୀର ମାଣ = ୧/୪ ସେର ଇତ୍ୟାଦି । ଯେଉଁ ମାପପାତ୍ରରେ ମାଣେ ପରିମିତ ଶସ୍ଯାଦି ମପାଯାଏ ତାକୁ ମଧ୍ୟ ଆମ ଭାଷାରେ ମାଣ କୁହାଯାଏ ।
ଓଡ଼ିଆ ଭାଗଵତରେ ଭକ୍ତକଵି ଜଗନ୍ନାଥ ଦାସ ଏହି ଅର୍ଥରେ ମାଣ ଶବ୍ଦର ଵ୍ୟଵହାର କରି ଲେଖିଛନ୍ତି,
“ଗୋପୀ ବୋଲନ୍ତି କୃଷ୍ଣ ଶୁଣ ।
ଘର ଭିତରୁ ମାଣ ଆଣ ॥”
ସେହିପରି କେଉଟମାନଙ୍କର ଚୁଡ଼ାକୁଟା ଢିଙ୍କି ମୁଣ୍ଡାରେ ଥିଵା ଗର୍ତ୍ତ ଵା ଭରାଣ୍ଡିକୁ ବି ଓଡ଼ିଆ ଭାଷାରେ ମାଣ କୁହାଯାଏ ।
ଏକ ଜାତୀୟ ସାରୁକୁ ଆମ ଭାଷାରେ ମାଣ ଓ ମାଣସାରୁ କୁହାଯାଏ ତେବେ ଏହି ମାଣ ଶବ୍ଦଟି ତତ୍ସମ ମାନକ ସହିତ ସମୋଦ୍ଧୃତ ଅଟଇ । ଓଡ଼ିଶାର ଗଡ଼ଜାତରେ ଅଧସେର ଶସ୍ୟ ପରିମାଣକୁ ଏକ ମାଣ କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ଏତଦ୍‌ଵ୍ୟତୀତ ୧ ବିଶା କିଂଵା ୧୨ ଵା ୧୫ ତୋଳା ଓଜନ ପରିମାପକୁ ମଧ୍ୟ ମାଣ ଵା ମାଣେ କୁହାଯାଇଥାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି ।
ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କହେ, ଏ ଓଡ଼ିଆ ଶବ୍ଦଟି ତତ୍ସମ ମାନ ଶବ୍ଦ ସହିତ ସମୋଦ୍ଧୃତ ମାତ୍ର ଏହା ଯୁକ୍ତିଯୁକ୍ତ କି ? ତତ୍ସମ ମାନ ଶବ୍ଦକୁ ନଜାଣିଲା ଯାଏଁ ଆମେ ଏହାର ଉତ୍ତର ପାଇପାରିଵା ନାହିଁ ।
ସଂସ୍କୃତରେ ଵ୍ୟଵହାର ହେଉଥିଵା ତତ୍ସମ ମାନ ଶବ୍ଦକୁ ମା ଧାତୁରୁ ମାପ କରିଵା ଅର୍ଥରେ ନିଷ୍ପନ୍ନ କରାଯାଇଛି । ମାନ ଶବ୍ଦଟି ତୁଳିଵା ଵା ଓଜନ କରିଵା,ମାପିଵା, ମାପ ଅର୍ଥରେ ଵ୍ୟଵହାର ହୋଇଥାଏ । ଚାନ୍ଦ୍ରମାନ, ସୌରମାନ ଓ ନାକ୍ଷତ୍ରମାନ ଇଦି ଶବ୍ଦରେ ମାନ ଶବ୍ଦର ଅର୍ଥ ଯାହା ଚନ୍ଦ୍ର ସମ୍ବନ୍ଧୀୟ ,ସୂର୍ଯ୍ୟ ସମ୍ବନ୍ଧୀୟ ଓ ନକ୍ଷତ୍ର ସମ୍ବନ୍ଧୀୟ ମାପଦ୍ବାରା ସ୍ଥିର କରାଯାଏ।
ପୁନଶ୍ଚ ପରମାଣ ସାଧନ ଵା ଯେଉଁ ପାତ୍ର, ଯନ୍ତ୍ର ଵା ଆଦର୍ଶ ଦ୍ବାରା ଓଜନ ଵା ପରିମାଣ କିଂଵା ଦୈର୍ଘ ଆଦି ସ୍ଥିର କରାଯାଏ ତାକୁ ମଧ୍ୟ ମାନ କୁହାଯାଏ । ଆମ୍ଭ ଦେଶରେ ପୂର୍ଵେ ଭିନ୍ନ ଭିନ୍ନ ଵସ୍ତୁର ପରିମାଣ ଭିନ୍ନ ଭିନ୍ନ ପ୍ରକାରେ ଓ ଭିନ୍ନ ଭିନ୍ନ ଯନ୍ତ୍ରଦ୍ବାରା ସ୍ଥିର କରାଯାଉଥିଲା । ଯଥା, ଭୂମିକୁ—ପଦିକା, ଶିକୁଳି, ଫିତା ଓ ହାତ ଦ୍ବାରା ମପାଯାଉଥିଲା । ଲୁଗା ଆଦିକୁ —ହାତ ଓ ଗଜକାଠିଦ୍ବାରା ମପାଯାଉଥିଲା । ତରଳ ପଦାର୍ଥକୁ—ପାତ୍ର ଦ୍ବାରା ଓ ସେର ତରାଜୁ ଓଜନଦ୍ବାରା ତଥା ଘନ ପଦାର୍ଥକୁ ପାତ୍ରଦ୍ବାରା ଓ ଓଜନଦ୍ବାରା ଏଵଂ ଶସ୍ଯାଦିକୁ ପାତ୍ର ଦ୍ବାରା ଓ ସେର ତରାଜୁରେ ଓଜନ ଦ୍ବାରା ମାପ କରାଯାଉଥିଲା । ଏଥିରୁ କେତେକ ଆଜି ବି ରହିଛି ।
ସେହିପରି ମାନ ଶବ୍ଦଟି ଆଦର୍ଶ ଵା Standardକୁ ମଧ୍ୟ ବୁଝାଏ ଯାହାକୁ ମାନାଙ୍କ ବି କହିଥାନ୍ତି । ସଙ୍ଗୀତରେ ତାଳର ଵିଭାଗ ସ୍ଥାନ ଵା ତାଳର ଵିରାମକୁ ମାନ କୁହାଯାଏ । ଏହା ସମ, ଵିଷମ, ଅତୀତ ଓ ଆନାଘାତ ଭେଦରେ ଚାରି ପ୍ରକାରର ହୋଇଥାଏ । ପରିମାଣ (Quantity), ସମ୍ମାନ, ପୂଜା, ମର୍ଯ୍ୟାଦା, ଇଜ୍ଜତ୍, ସୁନାମ, ପଦମର୍ଯ୍ୟାଦା, କ୍ରୋଧ, ଗର୍ଵ, ଅହଙ୍କାର, ଅଭିମାନ, ଵିଦ୍ଯାଳୟରେ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ଅନୁସାରେ ରଚିତ ଭିନ୍ନ ଭିନ୍ନ ଶ୍ରେଣୀ ଵିଭାଗ, ଆତ୍ମପ୍ରତ୍ୟୟ, ସାମ୍ଯ, ସମାନତା, ପ୍ରମାଣ, ପ୍ରମାଣିକତା, ମତ, ଆକାର, ସାମର୍ଥ୍ଯ, ଶକ୍ତି, ଗ୍ରହ ଓ ମନ୍ତ୍ର ଆଦି ଅନେକ ଅର୍ଥରେ ଭାରତୀୟ ଭାଷାଗୁଡି଼କରେ ତତ୍ସମ ମାନ ଶବ୍ଦର ଵ୍ୟଵହାର ଦୃଶ୍ୟ ହୋଇଥାଏ ।
ପ୍ରଣୟୀର ଅପରାଧ ଦର୍ଶନରେ ପ୍ରଣୟିନୀର ଗମ୍ଭୀର କୋପ, ଅସନ୍ତୋଷ ଵା ରୁଷାକୁ ମଧ୍ୟ ମାନ କହିଥାନ୍ତି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ରୁଷା ଅର୍ଥରେ ଵ୍ୟଵହାର ହେଉଥିଵା ମାନ ସମ୍ବନ୍ଧରେ କୁହାଯାଇଛି ଯେ ଆପଣାର ପ୍ରେମିକ, ପ୍ରେମିକା, ସ୍ତ୍ରୀ, ସ୍ବାମୀ ଆଦି ପ୍ରିୟ ଵ୍ୟକ୍ତିଙ୍କର କୌଣସି ଅପରାଧ ଦର୍ଶନରେ ମନରେ ଯେଉଁ ଵିକାର ଜନ୍ମେ ତାକୁ ସାହିତ୍ଯରେ ‘ମାନ’ ବୋଲାଯାଏ। ଅଧିକତଃ ସ୍ତ୍ରୀମାନେ ପୁରୁଷଙ୍କଠାରେ ମାନ କରନ୍ତି। ନିଜର ପ୍ରେମିକଙ୍କୁ ଵା ସ୍ବାମୀଙ୍କୁ ଅନ୍ୟ ସ୍ତ୍ରୀଠାରେ ଆସକ୍ତ ଥିଵାର ଦେଖିଲେ ଵା ପ୍ରମାଣ ପାଇଲେ କିଂଵା ସନ୍ଦେହ କଲେ, ଆପଣାର ଅଭିଳାଷିତ ଵା ଇଚ୍ଛିତ ଵସ୍ତୁ ନ ପାଇଲେ, ଆପଣା ଇଚ୍ଛା ଅନୁସାରେ କୌଣସି କାର୍ଯ୍ୟ କରା ନ ହେଲେ ଵା ଆପଣା ପ୍ରତି ଅନାଦର ଦେଖିଲେ ସ୍ତ୍ରୀମାନେ ମାନ କରନ୍ତି ଵା ରୁଷନ୍ତି । ସ୍ତ୍ରୀଲୋକମାନଙ୍କର ମାନ ଅଧିକାଂଶ ସମୟରେ, ମୌନ, ମୁଖଭଙ୍ଗୀ ଓ କ୍ବଚିତ୍ ଵ୍ୟଙ୍ଗ ଓ ତିରସ୍କାରଦ୍ବାରା ସୂଚିତ ହୁଏ। ଏହି ମାନ ତିନି ପ୍ରକାରର ଯଥା—ଲଘୁ, ମଧ୍ଯମ ଓ ଗୁରୁ। ଲଘୁମାନ କଳ୍ପିତ କୌରୁକାଦି ଦ୍ବାରା ସହଜରେ, ମଧ୍ଯମ ମାନ ଶପଥାଦି ଦ୍ବାରା କଷ୍ଟରେ ଗୁରୁମାନ ଚରଣଧାରଣ ଓ କ୍ଷମାପ୍ରାର୍ଥନାଦିଦ୍ବାରା ଆଦି କଷ୍ଟରେ ନିଵାରିତ ହୁଏ ବୋଲି ଶବ୍ଦଗୁରୁ ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ ମହାଶୟ ଉଲ୍ଲେଖ କରିଛନ୍ତି ।
ଅସ୍ତୁ, ମାନ ଶବ୍ଦର ପରିମାପ ଓ ମାପଵସ୍ତୁ ଆଦି ଅର୍ଥ ସ୍ପଷ୍ଟ କରେ ଯେ ଏହି ତତ୍ସମ ମାନ ଶବ୍ଦ ସହିତ ଓଡ଼ିଆ ମାଣ ଶବ୍ଦର ନିଶ୍ଚୟ ସମ୍ପର୍କ ରହିଛି ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago