ଲେଖା: ଶ୍ରୀକାନ୍ତ ସିଂହ
~ ଶ୍ରୀ ଦକ୍ଷପ୍ରଜାପତି ମନ୍ଦିର ~
କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ସମସାମୟିକ ଆଉ ଏକ ଚମତ୍କାର କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିର ହେଉଛି ଦକ୍ଷେଶ୍ୱର ମନ୍ଦିର ବା ଶ୍ରୀ ଦକ୍ଷପ୍ରଜାପତି ମନ୍ଦିର l କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏହା ଯେ ଏକ ଶ୍ରେଷ୍ଠନିର୍ମାଣ ଏଥିରେ ଦ୍ବିମତ ନାହିଁ l
ବାଣପୁର ଭଗବତୀ ମନ୍ଦିରକୁ ଯିବା ବାଟରେ, ମୁଖ୍ୟ ରାସ୍ତାର ଦକ୍ଷିଣ ପାର୍ଶ୍ୱରେ ଏହି ମନ୍ଦିରଟି ଦଣ୍ଡାୟମାନ l ସୁଉଚ୍ଚ, ସୁଦୃଶ୍ୟ, ସୁପ୍ରସିଦ୍ଧ ଏହି ମନ୍ଦିରଟି ପ୍ରାୟ ସମସ୍ତଙ୍କ ଦୃଷ୍ଟିରେ ପଡ଼ିଥିବ l କଳିଙ୍ଗୋତ୍କଳର ହାତଗଣତି କେତୋଟି ପ୍ରାଚୀନ ମନ୍ଦିରମାନଙ୍କ ମଧ୍ୟରେ ଏହି ଦକ୍ଷପ୍ରଜାପତି ମନ୍ଦିର ଅନ୍ୟତମ l
ଇତିହାସରୁ ଯାହା ଜଣାଯାଏ ପ୍ରାୟ ଦଶମ ବା ଏକାଦଶ ଶତାବ୍ଦୀରେ ଏହି ମନ୍ଦିରଟି ନିର୍ମାଣ ହୋଇଥିଲା l ଉତ୍କଳର ଏହି ଦକ୍ଷିଣାଞ୍ଚଳଟି ଶୈଳୋଦ୍ଭବ ଶାସକଙ୍କ ଦ୍ୱାରା ବହୁ ପୂର୍ବରୁ ଶାସିତ ହେଉଥିଲା l ଏଣୁ ଏହି ଦକ୍ଷପ୍ରଜାପତି ମନ୍ଦିର କୋଣାର୍କର ସୂର୍ଯ୍ୟ ମନ୍ଦିର ନିର୍ମାଣର ବହୁ ପୂର୍ବରୁ ନିର୍ମାଣ ହୋଇଥିବା କେହି କେହି ମତ ବ୍ୟକ୍ତ କରନ୍ତି l
ଏହି ମନ୍ଦିରର ନାମ କରଣ ପଛରେ, ବ୍ରହ୍ମାଙ୍କ ପୁତ୍ର ରାଜା ଦକ୍ଷ, ଦକ୍ଷଙ୍କ କନ୍ୟା ସତୀ ଓ ସତୀଙ୍କ ପତି ମହାଦେବ ଶିବଙ୍କୁ ନେଇ ଥିବା ପୌରାଣିକ ଆଖ୍ୟାୟିକା ‘ଦକ୍ଷଯଜ୍ଞ’ ବିଷୟର ନିହାତି ସମ୍ପର୍କ ଥିବା ଅନୁମେୟ l ଏଠାରେ ‘ଦକ୍ଷ ପ୍ରଜାପତି’ ଶିବଙ୍କ ରୂପରେ ‘ଦକ୍ଷେଶ୍ୱର’ ନାମରେ ପୂଜା ପାଆନ୍ତି l
ମନ୍ଦିରର ବିମାନଟି ରେଖଶୈଳୀରେ ନିର୍ମିତ ହୋଇଥିବାବେଳେ, ଜଗମୋହନଟି ପିଢ଼ଶୈଳୀରେ ନିର୍ମିତ l ପରବର୍ତ୍ତୀ ସମୟରେ ଭୋଗ ମଣ୍ଡପଟି ନିର୍ମାଣ ହୋଇଛି, ଯାହାକି କେତେଗୁଡ଼ିଏ ସ୍ତମ୍ଭ ଉପରେ ସମତଳ ଛାତ ବିଶିଷ୍ଟ ଅଥଚ ଚତୁର୍ପାଶ୍ୱ ଖୋଲା ଏବଂ ଖୁବ୍ ସୁନ୍ଦର l
ମନ୍ଦିର ଗର୍ଭଗୃହରେ ବୃତ୍ତାକାର ଯୋନିପୀଠ ମଧ୍ୟରେ ଶିବଲିଙ୍ଗ ରହିଛନ୍ତି l ମନ୍ଦିରର ବିମାନ ଓ ଜଗମୋହନ ପୁରାତନ ନିର୍ମାଣ ହୋଇଥିବା ବେଳେ ଭୋଗ ମଣ୍ଡପ ଆଦି ପରବର୍ତ୍ତୀ ସମୟରେ ନିର୍ମାଣ କରାଯାଇଛି l ଅନ୍ୟ ଶିବ ମନ୍ଦିର ପରି ଏହି ମନ୍ଦିରରେ ପାର୍ଶ୍ଵ ଦେବଦେବୀ ଭାବରେ ଶ୍ରୀଗଣେଶ, କାର୍ତ୍ତିକେୟ ଓ ପାର୍ବତୀଙ୍କ ମୂର୍ତ୍ତି ଓ ଅଷ୍ଟ ଦିଗପାଳଙ୍କ ପ୍ରତିମା ମନ୍ଦିରଗାତ୍ରରେ ସ୍ଥାନ ପାଇଛି l ପୂର୍ବ ମୁଖା ମହାବୀର ହନୁମାନଙ୍କ ମୂର୍ତ୍ତି ମଧ୍ୟ ଏଠାରେ ରହିଛି l ମୁଖ୍ୟ ମନ୍ଦିରର ବାମ ପାର୍ଶ୍ୱରେ ଏକ ଜଳପୂର୍ଣ୍ଣ ବାମ୍ଫି ରହିଛି l କୁହାଯାଏ ସର୍ପlଘାତ ରୋଗୀର ଚିକିତ୍ସା ଏହି ବାମ୍ଫିର ଶହେ ଆଠ ଗରା ଜଳସ୍ନାନ ଦ୍ୱାରା କରାଯାଏ l
ନିକଟରେ ଥିବା ବାଣପୁର ଭଗବତୀ ମନ୍ଦିର ସହିତ ଏହି ମନ୍ଦିରର କେତେକ ନୀତିକାନ୍ତି, ପୂଜାଵିଧି ଓ ପରମ୍ପରାର ସାମଞ୍ଜସ୍ୟ ରହିଛି l ଏହି ମନ୍ଦିରରେ ମାଆ ଭଗବତୀଙ୍କୁ କାଠି ଠାକୁରାଣୀ ଭାବରେ, କଦମ୍ବ ଗଛର ଏକ ଗଣ୍ଡିକୁ ବାସ୍ତ୍ରାବୃତ୍ତ କରି ପୂଜା କରାଯାଏ l ଭଗବତୀ ମନ୍ଦିରରେ ମଧ୍ୟ ଏକ ବୃକ୍ଷଗଣ୍ଡି ବାସ୍ତ୍ରାବୃତ୍ତ ହୋଇ ପୂଜା ପାଉଛନ୍ତି l
ବାଣପୁର ଭଗବତୀ ମନ୍ଦିର ଦର୍ଶନ ଓ ଭ୍ରମଣରେ ଯିବାବେଳେ ନିହାତି ଭାବେ ଏହି ସୁନ୍ଦର, କାରୁକାର୍ଯ୍ୟପୂର୍ଣ୍ଣ ପ୍ରାଚୀନ ମନ୍ଦିରକୁ ବୁଲି ଦେଖିବାର ସୁଯୋଗ ପାଇ ପାରିବେ l
Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 hour ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago