ଲେଖା: ଦେଵ ତ୍ରିପାଠୀ

“ନ ମାଧବସମୋ ମାସ ନକୃତେନ ଯୁଗ ସମଂ,
ନ ଚ ବେଦ ସମ ଶାସ୍ତ୍ରଂ ନ ତୀର୍ଥ ଗଙ୍ଗୟା ସମମ୍ II”

ବୈଶାଖମାସ ଠାରୁ ମାସ ନାହିଁ, ସତ୍ୟଯୁଗ ଠାରୁ ଯୁଗ ନାହିଁ, ବେଦ ଠାରୁ ବଡ଼ ଶାସ୍ତ୍ର ନାହିଁ, ଗଙ୍ଗା ଠାରୁ ପୁଣ୍ୟ ନଦୀ ଏ ଧରଣୀପୃଷ୍ଠରେ ନାହିଁ । ସେଇ ବୈଶାଖ ମାସ ଓ ମହାବିଷୁବ ସଂକ୍ରାନ୍ତି ଓଡ଼ିଆଙ୍କ ଜନଜୀବନରେ ଖୁବ ଗୁରୁତ୍ୱପୂର୍ଣ୍ଣ । ବୈଶାଖ ବର୍ଷର ପ୍ରଥମ ଦିନ, ଏଇ ସଂକ୍ରାନ୍ତି ବର୍ଷର ପ୍ରଥମ ସଂକ୍ରାନ୍ତି । ବୈଶାଖ ଦାନଧର୍ମର ମାସ, ଗାଁ ଗହଳିରେ ଘରେ ଘରେ ବୈଶାଖ୍ୟ ମାହାତ୍ମ୍ୟ ପାଠ ହୁଏ, ବ୍ରତ ପାଳନ ହୁଏ । ଏ ମାସରେ ଦାନଧର୍ମରେ ଅଶେଷ ପୁଣ୍ୟଫଳ ପ୍ରାପ୍ତି ହୁଏ । ଗ୍ରୀଷ୍ମଋତୁରେ ତୃଷାର୍ତ୍ତକୁ ପାଣି ମୁନ୍ଦିଏ ଦେଲେ ଅଶେଷ ପୁଣ୍ୟ ହୁଏ । ସଂକ୍ରାନ୍ତି ମଧ୍ୟ ପୁଣ୍ୟ ଅନେକ କାରଣରୁ ।

ଜଗନ୍ନାଥ ପରମ୍ପରାରେ ସଂସ୍କୃତ ଓ ପ୍ରତିପାଳିତ ଆମ ଓଡ଼ିଆଙ୍କର ତିଥି, ବାର ଇତ୍ୟାଦି ଜଗନ୍ନାଥ ପଞ୍ଜିକା ଅନୁସାରେ ବା ସୌରମାସ ଅନୁସାରେ ଗଣନା କରାଯାଇ ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନୂଆବର୍ଷ ଭାବେ ପାଳନ କରାଯାଏ। ଏହି ଗଣନା ଅନୁସାରେ ଆମେ ୧୨ ମାସରେ ୧୨ଟି ସଂକ୍ରାନ୍ତି ପାଳନ କରିଥାଉ। ଏହି ୧୨ ସଂକ୍ରାନ୍ତି ୧୨ଟି ରାଶି ନାମରେ ନାମିତ କରା ଯାଇଥାଏ । ଗୋଟିଏ ସଂକ୍ରାନ୍ତିରୁ ପରବର୍ତ୍ତୀ ସଂକ୍ରାନ୍ତି ପର୍ଯ୍ୟନ୍ତ ଗୋଟିଏ ମାସ ହେଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷ ସଂକ୍ରାନ୍ତି ବା ବୈଶାଖ ମାସର ଆରମ୍ଭ ବେଳକୁ ସୂର୍ଯ୍ୟ ବିଷୁବ ରେଖାରେ ଅବସ୍ଥାନ କରୁଥିବା ଏବଂ ଏହିଦିନ ମେଷରାଶିରେ ପ୍ରବେଶ କରୁଥିବାରୁ ଏହି ସଂକ୍ରାନ୍ତିକୁ ବିଷୁବସଂକ୍ରାନ୍ତି ଏବଂ ମେଷସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ଏହି ମହାବିଷୁବ ସଂକ୍ରାନ୍ତି ଠାରୁ ସୌରମାସର ପ୍ରଥମମାସ (ବୈଶାଖ) ଗଣନା କରାଯାଏ ଓ ଏହା ହିଁ ଓଡ଼ିଆ ନବବର୍ଷର ପ୍ରଥମଦିନ। ଏହିଦିନ ଠାରୁ ଓଡ଼ିଶାରେ ନୂଆପଞ୍ଜିକା ପ୍ରଚ଼ଳନ ହୁଏ ଓ ସେହି ପଞ୍ଜିକା ଅନୁସାରେ ବର୍ଷସାରା ବିଭିନ୍ନ ପ୍ରକାର ବିବାହବ୍ରତ ଏବଂ ଅନ୍ୟାନ୍ୟ ଶୁଭକର୍ମ ସବୁ ସ୍ଥିର କରାଯାଏ । ଓଡ଼ିଆ ବ୍ୟବସାୟୀମାନେ ଏହି ଦିବସରୁ ନୂତନ ବ୍ୟବସାୟର ଖାତା ଆରମ୍ଭ କରିଥାନ୍ତି ।

ସଙ୍କଟମୋଚନ ହନୁମାନଙ୍କ ପୁଣ୍ୟ ଜନ୍ମତିଥି ଏଇ ସଂକ୍ରାନ୍ତିରେ ପାଳିତ ହୁଏ, ସମଗ୍ର ଓଡ଼ିଶାରେ, ପ୍ରବଳ ଉତ୍ସାହ ଓ ଉଲ୍ଲାସ ସହ । ପୂଜାର୍ଚ୍ଚନା, ହନୁମାନ ଚାଳିଶା ପାଠ ଇତ୍ୟାଦିରେ ମନ୍ଦିରମାନ ମୁଖରିତ ହୋଇଉଠନ୍ତି ।


ଏହିଦିନ ମେରୁ ହେଉଥିବା କାରଣରୁ ଏହା ମେରୁସଂକ୍ରାନ୍ତି ନାମରେ ପରିଚିତ । କାକଟପୁର ମା’ ମଙ୍ଗଳାଙ୍କ ପୀଠ ସମେତ ବହୁ ଅଞ୍ଚଳରେ ଏହିଦିନ ପାଟୁଆଯାତ୍ରା ଆରମ୍ଭ ହୁଏ । ଏହି ଦିନ ରାଜ୍ୟର କେତେକ ଅଞ୍ଚଳରେ ଛଉନାଚର ଶୁଭାରମ୍ଭ ହୋଇଥାଏ ।

ସୌରତାପ ପ୍ରଖରରୁ ପ୍ରଖରତର ହୁଏ, ତେଣୁ ଏହି ସମୟରେ ସୂର୍ଯ୍ୟ ଉପାସନା ସହ ମନ୍ଦିରରେ ହେଉଥିବା ପୂଜାର୍ଚ୍ଚନାରେ ଭଜା ବୁଟ, ଭଜା ଗହମ, ଭଜା ଚୁଡା ଓ ଅରୁଆ ଚାଉଳରୁ ପ୍ରସ୍ତୁତ ଛତୁଆ ଭୋଗ ସହ “ବେଲପଣା” ଭୋଗ ମଧ୍ୟ କରାଯାଏ। ପଣାରେ ପାଚିଲା ବେଲ, ପାଚିଲା କଦଳୀ, ଛେନା, ଦହି, ବୁନ୍ଦିଆ, ଗୋଲମରିଚ ଗୁଣ୍ଡ, ନଡ଼ିଆ, ଗୁଡ଼ ବା ଚିନି ମିଶା ହୁଏ। କିଛି ସ୍ଥାନରେ କଞ୍ଚାଆମ୍ବରୁ ମଧ୍ୟ ପଣା ପ୍ରସ୍ତୁତ କରାଯାଏ।

ପଣା ଭୋଗ ଭୋଗ ଛତୁଆ ଭୋଗକୁ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିଲେ ଏହାର ସାମଗ୍ରିକ ଦିଗଟି ଜଣାପଡ଼େ। ଦେହକୁ ଗ୍ରୀଷ୍ମାଗ୍ନିରୁ ରକ୍ଷାକରିବା ପାଇଁ ପଣା ସେବନ ବିଧିକୁ ପୂଜାର୍ଚ୍ଚନା ସହ ଯୋଗକରି, ମାନବ ସମାଜକୁ ଆମ ପୂର୍ବଜ ମାନେ ଶିକ୍ଷା ଦେଇଛନ୍ତି । ଏହି ଗ୍ରୀଷ୍ମଋତୁରେ ପ୍ରବଳ ମାତ୍ରାରେ ଜଳଗ୍ରହଣ ଦ୍ୱାରା ମାନବ ସମାଜର କଲ୍ୟାଣ ପାଇଁ ଶିକ୍ଷା ଦିଆ ଯାଇଛି । ଏ ସମୟରେ ବୃକ୍ଷଲତା ଓ ଅନ୍ୟାନ୍ୟ ଜୀବଜଗତର ମଧ୍ୟ ପ୍ରଚୁର ଜଳ ଆବଶ୍ୟକ ହୋଇଥାଏ।

ଅନ୍ୟସବୁ ଧର୍ମୀୟଚେତନା ସହିତ ଆଉ ଏକ ରୀତି ହେଲା ତୁଳସୀ ଚଉରାର “ତୁଳସୀପୂଜନ”। ଏହିଦିନ “ତୁଳସୀ” ଗଛ ଉପରେ ନଡ଼ିଆ ପତ୍ରର ଚାଳିଟିଏ କରି, ସେଥିରେ ତୁଳସୀ ଗଛ ଉପର ପର୍ଯ୍ୟନ୍ତ ସୁତୁଲିଦ୍ୱାରା ମାଟି ଠେକି ବା ଛୋଟ କଳସିଟିଏ ବାନ୍ଧି ଝୁଲେଇ ଦିଆଯାଏ । ଏହି ଠେକିର ନିମ୍ନାଂଶରେ ଛୋଟ କଣାଟିଏ ଥାଏ। ଠେକିରେ ପାଣି ଭରିଦେଲେ ଅନେକ ସମୟଧରି ସରୁ ଜଳଧାର ବା ଟୋପା ଟୋପା ପାଣି ପଡି ତୁଳସୀମୂଳକୁ ଭିଜଉ ଥାଏ ଓ ତାପରୁ ରକ୍ଷାକରେ।

ଆମ ଓଡ଼ିଆଙ୍କର ବାରମାସରେ ତେରପର୍ବ ମଧ୍ୟରୁ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପର୍ବ ଭାବେ ପାଳିତ ହୋଇଥାଏ । ସୂର୍ଯ୍ୟ ଉପାସନା ନିମନ୍ତେ ଏହିଦିନ ଠାରୁ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଓଡ଼ିଆ ଘର ଚଉରାରେ ଠେକି ବସାଯାଇ ପାଣି ଢଳାଯାଇଥାଏ, ତେଣୁ ଏହି ସଂକ୍ରାନ୍ତି ଜଳସଂକ୍ରାନ୍ତି ନାମରେ ବି ଜ୍ଞାତ । ଏହି ସମୟରେ ପଣାଦାନ କରାଯାଉଥିବାରୁ ଏହାକୁ ପଣାସଂକ୍ରାନ୍ତି ମଧ୍ୟ କୁହାଯାଏ। କେତେକ ଗାଁ ମାନଙ୍କରେ ଏଇ ଦିନ ସନ୍ଧ୍ୟାରେ, ଗାଁ ମନ୍ଦିରରେ ପୂଜା ସରିଲା ପରେ କୀର୍ତ୍ତନିଆ ମାନେ ଗାଁରେ ବୁଲି କୀର୍ତ୍ତନ ବା କୀର୍ତ୍ତନଫେରି କରନ୍ତି। ବୈଶାଖ ମାସ ଯାକ ପ୍ରତିଦିନ ସନ୍ଧ୍ୟାରେ ଏଭଳି ଫେରି କରାଯାଏ । ଗାଁ ଦାଣ୍ଡ ସବୁ ରାମନାମ ଓ କୃଷ୍ଣନାମରେ କମ୍ପିତ ହୁଏ। ଶ୍ରଦ୍ଧାଳୁ ଭକ୍ତମାନେ ବିଭିନ୍ନ ପ୍ରକାର ଫୁଲର ହାର ଓ ଦୀପଧୂପ ସହ କୀର୍ତ୍ତନିଆଙ୍କୁ ସ୍ୱାଗତ କରନ୍ତି। ପ୍ରତିଦିନ କେହି ନା କେହି ଗ୍ରାମବାସୀ ଏଇ କୀର୍ତ୍ତନିଆମାନଙ୍କ ପାଇଁ ପଣାଭୋଗର ବ୍ୟବସ୍ଥା କରିଥାନ୍ତି।

ଓଡ଼ିଶାର ଅନେକ ଅଞ୍ଚଳରେ ଲୋକେ ପରସ୍ପର ମଧ୍ୟରେ ପଣା ବାଣ୍ଟିଥା’ନ୍ତି, ଚାଷକ୍ଷେତରେ ମଧ୍ୟ ଅର୍ପଣ କରନ୍ତି । ସୁତରାଂ ଇଏ ଏକ କୃଷିଭିତ୍ତିକ ପର୍ବ । ସର୍ବୋପରି ଏଇ ମହାବିଷୁବ ସଂକ୍ରାନ୍ତି ବର୍ଷର ଆଦ୍ୟପର୍ବ ଭାବେ ସାମାଜିକତା, ଧାର୍ମିକ, ଭ୍ରାତୃଭାବ ଓ ସାମ୍ୟଭାବର ସୂଚନା ଦିଏ ।

(ଏଠାରେ ପ୍ରଦତ୍ତ ଚିତ୍ରଟି କଟକ ବାଖରାବାଦସ୍ଥିତ ମହାପ୍ରଭୁ ହନୁମାନଙ୍କର)

ତଥ୍ୟ ଆହରଣ: ଓଡ଼ିଶାର ପର୍ବପର୍ବାଣୀ, ଯାନିଯାତ୍ରା ଓ ଓଷାବ୍ରତ ପୁସ୍ତକ, ‘ସମାଜ’ ଓ ସାମାଜିକ ଗଣମାଧ୍ୟମ

Spread the love
admin

View Comments

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago