ଲେଖା: ଅରବିନ୍ଦ ମହାନ୍ତି

ବର୍ଷର ପ୍ରଥମ ମାସ ବୈଶାଖ। ଏହା ଗ୍ରୀଷ୍ମ ଋତୁର ପ୍ରାରମ୍ଭ ମାସ ଅଟେ। ଚୈତ୍ର ପୂର୍ଣ୍ଣିମା ପରଠାରୁ ଏହା ଆରମ୍ଭ ହୋଇଥାଏ ଓ ଶେଷ ହୁଏ ଚନ୍ଦନ ପୂର୍ଣ୍ଣିମା ବା ବୈଶାଖ ପୂର୍ଣ୍ଣିମାରେ। ସନାତନ ଧର୍ମରେ ପ୍ରଚଳିତ ଚାରି ଗୋଟି ପବିତ୍ର ମାସ (ଆଷାଢ, କାର୍ତ୍ତିକ, ମାଘ, ବୈଶାଖ) ମଧ୍ୟରୁ ମଧ୍ୟ ଏହା ହେଉଛି ଅନ୍ୟତମ।  ଏହି ମାସରେ ବିଷ୍ଣୁଙ୍କ ସ୍ୱରୂପ ଶ୍ରୀମଧୁସୂଦନ ଅଟେ। ତୀର୍ଥ ଜଳରେ ପ୍ରାତଃ ସ୍ନାନ ଓ ତୃଷାର୍ତ୍ତଙ୍କୁ ଜଳଦାନ ଏହି ମାସରେ ଶ୍ରେଷ୍ଠ ମନା ଯାଇଅଛି। ବୈଶାଖ ମାହାତ୍ମ୍ୟ ଅନୁସାରେ କେବଳ ପ୍ରାତଃ ସ୍ନାନରେ ବ୍ରତଚାରୀ ଅଶେଷ ପୁଣ୍ୟ ଅର୍ଜନ କରିଥାନ୍ତି।

ସୂର୍ଯ୍ୟମାସର ପ୍ରଥମ ସଂକ୍ରାନ୍ତି ମେଷ ସଂକ୍ରାନ୍ତି ଏହି ମାସରେ ପାଳିତ ହୋଇଥାଏ। ଏହାକୁ ମହାବିଷୁବ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ସୂର୍ଯ୍ୟ ବିଷୁବ ରେଖାର ଠିକ୍ ଉପରକୁ ବର୍ଷକେ ଦୁଇଥର ଆସନ୍ତି। ଥରେ ବସନ୍ତ କାଳରେ ଓ ଥରେ ଶରତ କାଳରେ। ବସନ୍ତ କାଳରେ ସୌର ଚୈତ୍ର ବା ମୀନ ମାସର ନବମ ବା ଦଶମ ଦିନ (ଇଂରାଜୀ ମାର୍ଚ୍ଚ ମାସର ୨୧ ବା ୨୨ ତାରିଖ) ଓ ଶରତ କାଳରେ ସୌର ଆଶ୍ୱିନ ବା କନ୍ୟା ମାସର ନବମ ଓ ଦଶମ ଦିନ (ଇଂରାଜୀ ସେପ୍ଟେମ୍ବର ମାସ ୨୨ ବା ୨୩ ତାରିଖ) ଏହି ଦୁଇ ଦିନ ଦିନ ଓ ରାତି ସମାନ ହୁଏ। ଅର୍ଥାତ ଦିନ ରାତି ୧୨ ଘଣ୍ଟା ଲେଖାଏଁ ହୋଇଥାଏ। ଏହି ଦୁଇ ଦିନର ପରବର୍ତ୍ତୀ ସଂକ୍ରାନ୍ତି (କାର୍ତ୍ତିକ ସଂକ୍ରାନ୍ତି ବୈଶାଖ ସଂକ୍ରାନ୍ତି)କୁ ବିଷୁବ ସଂକ୍ରାନ୍ତି ବୋଲାଯାଏ। କାର୍ତ୍ତିକ ସଂକ୍ରାନ୍ତିର ନାମ ବିଷୁବ ସଂକ୍ରାନ୍ତି ଓ ବୈଶାଖ ସଂକ୍ରାନ୍ତିର ନାମ ମହାବିଷୁବ ସଂକ୍ରାନ୍ତି କୁହାଯାଇଥାଏ।


କିଛି ଅଞ୍ଚଳରେ ମତ ଭିନ୍ନତା ହେତୁ ମେଷ ସଂକ୍ରାନ୍ତିରୁ ମଧ୍ୟ ବୈଶାଖ ମାସ ଆରମ୍ଭ କରାଯାଇଥାଏ। ଏହା ଉତ୍କଳୀୟ ବର୍ଷାରମ୍ଭ ଦିବସ। ଏହି ବର୍ଷ ମେଷ ସଂକ୍ରାନ୍ତିରୁ ୧୯୪୨ ଶକାବ୍ଦ ଆରମ୍ଭ ହେଉଅଛି।  ଏହି ସଂକ୍ରାନ୍ତିରେ ଆମେ ପାଳନ କରୁ ଶ୍ରୀ ମହାବୀର ହନୁମାନଙ୍କ ଜନ୍ମଦିନ। କିଛି ଅଞ୍ଚଳରେ ଏହା ଚୈତ୍ର ପୂର୍ଣ୍ଣିମାରେ ପାଳିତ ହୋଇଥାଏ। ଏହା ହୋଇପାରିଥାଏ ଯେ ହନୁମାନଙ୍କ ଜନ୍ମ ସୂର୍ଯ୍ୟମାସ ଓ ଚନ୍ଦ୍ରମାସ ଗଣନାରେ ମେଷ ସଂକ୍ରାନ୍ତି ଓ ଚୈତ୍ର ପୂର୍ଣ୍ଣିମା ଗୋଟିଏ ଦିନ ପଡ଼ିଥାଇ ପାରେ। ଯାହା ଫଳରେ ପରେ ଏହା ଭିନ୍ନ ଭିନ୍ନ ସ୍ଥାନରେ ଓ ଭିନ୍ନ ଭିନ୍ନ ମତ ଅନୁସାରେ, ଦୁଇ ଭିନ୍ନ ତିଥିରେ ପାଳନ କରାଯାଉଅଛି।

ମହାବିଷୁବ ସଂକ୍ରାନ୍ତିର ଆଉ ଏକ ବୈଶିଷ୍ଟ ହେଉଅଛି ତୁଳସୀଙ୍କ ନିମନ୍ତେ ବସନ୍ତରା ଠେକି ବସାଯିବା। ଯାହା ପରବର୍ତ୍ତୀ ବୃଷ ସଂକ୍ରାନ୍ତି ଯାଏ ପ୍ରାୟ ଏକ ମାସ ଧରି ରହିଥାଏ। ତୁଳସୀର ମହିମା ଓ ଉପକାରୀତା ସମ୍ଵଦ୍ଧରେ ସଭିଏଁ ପରିଚିତ। ଭକ୍ତି ଚାହୁଁଥିବା ବ୍ୟକ୍ତିଙ୍କ ନିମନ୍ତେ ସେ ଭକ୍ତିର ଦେବୀ ସହିତେ ଅସୁସ୍ଥ ବ୍ୟକ୍ତି ନିମନ୍ତେ ଉପଚାରର ମୂଳଭିତ୍ତି ଅଟନ୍ତି। ଏକ ଗୁଳ୍ମ ଜାତୀୟ ଉଦ୍ଭିଦ ହେତୁ ଏହା ପ୍ରବଳ ଗ୍ରୀଷ୍ମ ପ୍ରବାହର ସମୟରେ ଶୁଖିଯିବାର ସମ୍ଭାବନା ଥାଏ। ତେଣୁ ଏହି ସମୟରେ ଏହାକୁ ସୁରକ୍ଷା ଦେବାପାଇଁ ଗୋଟିଏ ଛୋଟ ଠେକିରେ ପାଣି ଭରି ଏହାକୁ ନଡ଼ିଆ ବାହୁଙ୍ଗା, ଗବଗଛ ଡାଳ ଓ କଦଳୀ ବାସୁଙ୍ଗା ଦ୍ୱାରା ତୁଳସୀ ଚଉରା ଉପରେ ବାନ୍ଧି ଦିଆଯାଏ। ବ୍ରାହ୍ମଣଙ୍କ ଦ୍ୱାରା ତୁଳସୀ ପୂଜା ପରେ ଏହି ଠେକିର ତଳେ ଛୋଟିଆ କଣା କରି ସେଥିରେ କୁଟା ଖଣ୍ଡେ ପୁରାଇ ଦିଆଯାଏ, ଫଳରେ ଏହି ଠେକିରୁ ପାଣି ବୁନ୍ଦା ବୁନ୍ଦା ହୋଇ ତୁଳସୀ ମୂଳରେ ପଡ଼ିଥାଏ। ଏହାଦ୍ୱାରା ସମ୍ପୁର୍ଣ୍ଣ ଦିନଯାକ ଆଉ ପାଣିର ଅଭାବ ରହେନାହିଁ।


ପଣା ଏହି ଦିନର ମୁଖ୍ୟ ବିଶେଷତ୍ୱ। ସେ ବେଲ ପଣା ହେଉ କି ଛତୁଆରେ ପ୍ରସ୍ତୁତ ପଣା, ଏହା ଠାକୁରଙ୍କୁ ସମର୍ପଣ ପରେ ସଭିଏଁ ଏହାକୁ ପାଇଥାନ୍ତି। ଏହି ପଣା ଗ୍ରୀଷ୍ମରୁ ସୁରକ୍ଷା ଦେବା ସାଙ୍ଗେ ସାଙ୍ଗେ ଶରୀର ପାଇଁ ବହୁ ଉପକାରୀ ଅଟେ।

ବହୁ ପର୍ବପର୍ବାଣୀରେ ମଧ୍ୟ ଏହି ମାସଟି ସମୃଦ୍ଧ। ମହାବିଷୁବ ସଂକ୍ରାନ୍ତି ବ୍ୟତୀତ ଅନ୍ୟାନ୍ୟ ପର୍ବପର୍ବାଣୀ ମଧ୍ୟରେ ବରୁଥିନୀ ଏକାଦଶୀ, ବୈଶାଖ କୃଷ୍ଣ ଚତୁର୍ଦ୍ଦଶୀ, ରୁକ୍ମିଣୀ ଅମାବାସ୍ୟା, ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା, ନୀଳାଦ୍ରି ମହୋତ୍ସବ, ସୀତାନବମୀ, ମୋହିନୀ ଏକାଦଶୀ, ନୃସିଂହ ଚତୁର୍ଦ୍ଦଶୀଚନ୍ଦନ ପୂର୍ଣ୍ଣିମା (ଯାହା ବୁଦ୍ଧପୂର୍ଣ୍ଣିମା ନାମେ ମଧ୍ୟ ପରିଚିତ) ଆଦି ପର୍ବପର୍ବାଣୀ ପାଳନ କରାଯାଇଥାଏ।

#ହିରଣ୍ୟଗର୍ଭା

Spread the love
admin

View Comments

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago