ଲେଖା: ଦେଵ ତ୍ରିପାଠୀ
ସୁଧାଭକ୍ତିର ଉଦ୍ଗାତା ମହାକବି ଜୟଦେବ !
ଥିଲେ ଜଣେ ଯୁବସାଧୁ । ଗୃହସ୍ଥାଶ୍ରମୀ । ଦିନରାତି ବିଭୁଭକ୍ତିରେ ମଗ୍ନ ରହୁଥିଲେ ସେ । ତାଙ୍କ ହୃଦୟସାଗରରେ ଖେଳୁଥିଲା ଶ୍ରୀରାଧାକୃଷ୍ଣଙ୍କ ମାଧୁର୍ଯ୍ୟରସର ବିବିଧ ଲୀଳାତରଙ୍ଗ । ନିତିଦିନ ଯେଉଁ ଲୀଳା ଅନୁଭବ କରନ୍ତି ତା’କୁ ସୁଲଳିତ ସଂସ୍କୃତ ଛନ୍ଦରେ ଲିପିବଦ୍ଧ କରି ସେ ଠାକୁରଙ୍କୁ ଶୁଣାନ୍ତି । ଗୋବିନ୍ଦଙ୍କ ଲୀଳାବର୍ଣ୍ଣନା କରୁଥିବାରୁ ସେ କାବ୍ୟର ନାମ ଦେଲେ ଗୀତଗୋବିନ୍ଦ
ଏହି କାବ୍ୟରଚନା କାଳରେ ଦିନେ ଯୁବକଙ୍କ ମନରେ ରାଧାକୃଷ୍ଣ ପ୍ରେମ ସମ୍ପର୍କିତ ଏକ ଅଲୌକିକ ଭାବ ଜାଗ୍ରତ ହେଲା । ମାନମୟୀ ଶ୍ରୀରାଧା ଅଭିମାନ କରିଛନ୍ତି ପ୍ରାଣପ୍ରିୟ ଶ୍ରୀକୃଷ୍ଣଙ୍କ ଉପରେ । ଶ୍ରୀକୃଷ୍ଣ ମାନଭଞ୍ଜନ ପାଇଁ କହୁଛନ୍ତି “ପ୍ରିୟେ ! ଏବେ ମାନ ତ୍ୟାଗ କରି କିଛି କୁହ, କିଛି କହିଲେ ମୋ ହୃଦୟର ଅନ୍ଧକାର ଦୂରହେବ । ତୁମ ହସ ହସ ମୁଖମଣ୍ଡଳକୁ ଦେଖି ମୋ ନୟନ ଆହ୍ଲାଦିତ ହୋଇଯିବ । ତୁମେ ମୋର ଭୂଷଣ, ତୁମେ ମୋର ଜୀବନ, ଏ ଦାସକୁ ଆଜ୍ଞା ଦେଲେ, ତୁମ ଚରଣଦ୍ଵୟକୁ ଅଳତାରେ ସଜାଇଦେବି । ପ୍ରିୟେ ! ତୁମ ପଦାରବିନ୍ଦକୁ ମୋ ମସ୍ତକରେ ଅର୍ପଣ କରି ମୋତେ ଧନ୍ୟ କର ।”
ଏ ଭାବକୁ ବ୍ୟକ୍ତ କରିବାର ଇଛା ରଖିଥିଲେ ଯୁବକବି, ଖଞ୍ଜିଥିଲେ ପଦଟିଏ –
“ସ୍ମର ଗରଳ ଖଣ୍ଡନମ୍ ମମ ଶିରସି ମଣ୍ଡନଂ,
ଦେହି ପଦପଲ୍ଲବମୁଦାରମ୍ ।”
କିନ୍ତୁ ହାତ ଚଳି ନ ଥିଲା ଏପଦଟିକୁ ତାଳପତ୍ରରେ ଉତାରିବା ପାଇଁ । ସଚରାଚର ବିଶ୍ୱର ସର୍ବନିୟନ୍ତା ଭଗବାନ ଶ୍ରୀକୃଷ୍ଣ କ’ଣ ଶ୍ରୀରାଧାଙ୍କ ନିକଟରେ ଏତେ ଦୀନହୀନ ହୋଇପାରନ୍ତି ? ନେତ୍ର ବନ୍ଦକରି ମହାପ୍ରଭୁଙ୍କୁ ସ୍ମରଣ କଲେ । କିନ୍ତୁ ବାରମ୍ବାର ମାନମପଟରେ ଉଙ୍କି ମାରୁଥିଲା ସେଇ ପଦଟି । ସେ ସଙ୍କଟରୁ ଉଧୁରିବା ସହଜ ନ ଥିଲା ସେ କବିଙ୍କ ପାଇଁ ।
ସେହି ଯୁବବ୍ରାହ୍ମଣ ଥିଲେ ମହାପ୍ରଭୁଙ୍କର ପରମଭକ୍ତ । କିମ୍ବଦନ୍ତୀ କହେ ଭକ୍ତର ସଙ୍କୋଚ ଭାବନାକୁ ଅନୁଧ୍ୟାନ କରି ଭକ୍ତବତ୍ସଳ ଭଗବାନ ସ୍ବହସ୍ତରେ ସେହି ଅଧୁରା ପଦଟିକୁ ପୂରଣ କରିବା ପାଇଁ ଓହ୍ଲାଇ ଆସିଥିଲେ ଧରାପୃଷ୍ଠକୁ । ଧନ୍ୟ ସେ ଭକ୍ତପ୍ରବର ମହାକବି ଜୟଦେବ ।
ସେଦିନର ସେ ଶୁଭ ସକାଳଟି ଥିଲା ସମଗ୍ର ଆର୍ଯ୍ୟାବର୍ତ୍ତ ଓ ତା’ର ସାହିତ୍ୟ ସଂସ୍କୃତି ପାଇଁ ଏକ ମହାନ ସ୍ମରଣୀୟ ପ୍ରସ୍ଫୁଟନର ସକାଳ । ଲୀଳାମୟ ଗୋବିନ୍ଦଙ୍କର ଲୀଳାଖେଳାର ଗାଥା ସେଇ ସର୍ଜନା ସଂସ୍କୃତ ଗୀତଗୋବିନ୍ଦ ପରିଣତ ହୋଇଗଲା ଏ ଭୁଖଣ୍ଡର ଅନବଦ୍ୟ ଭାଷାସମ୍ପଦ, ସମଗ୍ର ସନାତନଧର୍ମ ପାଇଁ ଏକ ସର୍ବଜନଗ୍ରାହ୍ୟ ଭାଷା; ଆଉ ସେ ମହାନ ଯୁବକ ଜଣକ ବନିଗଲେ ସର୍ବଜନାଦୃତ ଓ ସର୍ବଜନମାନ୍ୟ ପ୍ରଣିପତ୍ୟ କବି ଜୟଦେବ, ଉତ୍କଳ ସମେତ ସମଗ୍ର ଆର୍ଯ୍ୟାବର୍ତ୍ତ ମାଟିରେ ଗୁଞ୍ଜରିତ ହେଲା ଅପୂର୍ବ ସୁଧାଭକ୍ତିର ଧାରା ।
ସେଇ ଗୀତଗୋବିନ୍ଦ ବନିଗଲା ବୈଷ୍ଣବର ପ୍ରାଣ ଆଉ ସ୍ପନ୍ଦନ, ଜୀବନ ପାଇଁ ପ୍ରତିକ୍ଷୀତ ଆଲୋକ, ଭାରତୀୟଙ୍କ ସର୍ବାଧିକ ବାଂଛିତ ପ୍ରିୟତମ କାବ୍ୟ । ରାଧାକୃଷ୍ଣଙ୍କର ଦିବ୍ୟପ୍ରେମର ବର୍ଣ୍ଣନା ତଥା ରାଧାକୃଷ୍ଣଙ୍କର ଅପ୍ରାକୃତ ପ୍ରେମଲୀଳା ସମ୍ବଳିତ ଲଳିତ ପଦାବଳୀରେ ଭକ୍ତିଭାବର ପରିପ୍ରକାଶ ଗୀତଗୋବିନ୍ଦ ବଳିଗଲା ଓଡ଼ିଆର ସବୁଠାରୁ ପ୍ରିୟତମ ଇଷ୍ଟଦେବତା ଜଗନ୍ନାଥଙ୍କ ଅତିପ୍ରିୟ, ମହାପ୍ରଭୁଙ୍କ ଦୈନନ୍ଦିନ ନୀତିର ଏକ ଅନବଦ୍ୟ ଅଂଶ
ସେଇ ଗୀତଗୋବିନ୍ଦ ପରିପୁଷ୍ଟ କଲା ଦେଶର ଏକ ପ୍ରାଚୀନ ସଙ୍ଗୀତକୁ, ଏଇକାବ୍ୟ ହିଁ ଥିଲା ଆମ ଓଡିଶୀ ସଙ୍ଗୀତର ମୂଳଦୁଆ; ଗୀତଗୋବିନ୍ଦ କାବ୍ୟରେ ତାହାକୁ ଲିଖିତ ରୂପ ଦେଇଥିଲେ ମହାକବି ଜୟଦେବ, ଦ୍ଵାଦଶ ସର୍ଗବିଶିଷ୍ଟ ଏଇ କାବ୍ୟର ପ୍ରତି ଅଷ୍ଟପଦୀ ଓଡିଶୀ ରାଗ ଓ ତାଳ ଅନୁସାରେ ରଚନା କରି ।
ବୈଷ୍ଣବ ଭକ୍ତିମାର୍ଗକୁ ପ୍ରଚଣ୍ଡ ଭାବରେ ପ୍ରଭାବିତ କରିପାରିଥିବା ଗୀତଗୋବିନ୍ଦ ମହାକାବ୍ୟ ତା’ର କାନ୍ତକୋମଳ ସୁଲଳିତ ପଦାବଳୀ, ମଧୁରଶବ୍ଦ ସଂଯୋଜନା, ଭକ୍ତିଭାବରେ ପୂର୍ଣ୍ଣ ବିଷୟ ନିମନ୍ତେ ସଂସ୍କୃତ ସାହିତ୍ୟରେ ଅଧିକାରୀ ହେଲା ସ୍ବତନ୍ତ୍ର ସ୍ଥାନ, ଆଉ ମହାକବି ଜୟଦେବ ରହିଗଲେ ଓଡିଆର ହୃଦୟରେ ଚିରସ୍ମରଣୀୟ, ସଦାପୂଜନୀୟ ହୋଇ, ଦେବତାର ଆସନ ନେଇ ।
ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଧରାବତରଣ କରିଥିବା କବି ଜୟଦେବଙ୍କ ପାଦତଳେ ଅନ୍ତରଙ୍ଗ କଳିଙ୍ଗର କୋଟି କୋଟି ଦଣ୍ଡବତ ।
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago