ଲେଖା: ଋଷିରାଜ ପଟ୍ଟନାୟକ

ଦ୍ଵିତୀୟ ଶ୍ରୀକ୍ଷେତ୍ର ଆମ ବାରିପଦା ନାମକରଣ ପଛର କଥା ! ମୟୂରଭଞ୍ଜ ଜିଲ୍ଲାର ପ୍ରାଣ କେନ୍ଦ୍ର ବାରିପଦା । ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟ ବା ସଦର ମହକୁମା ହେଉଛି ଏହି ବାରିପଦା । ଓଡ଼ିଶାର ଉତ୍ତରାଞ୍ଚଳରେ ସମୁଦ୍ର ପତନରୁ ୩୬ ମିଟର (୧୧୮ଫୁଟ) ଉଚ୍ଚରେ ଅବସ୍ଥିତ ଥିବା ଏହି ସହରଟି ବର୍ତ୍ତମାନ ସମୟ ସହ ତାଳ ଦେଇ ସେତେ ଉନ୍ନତ ହୋଇ ପାରି ନଥିଲେ ମଧ୍ୟ ଅତୀତରେ ଏହା ଥିଲା ଓଡ଼ିଶା ତଥା ଭାରତର ଏକ ସର୍ବାଧୁନିକ ସହର । ତତ୍କାଳୀନ ମୟୂରଭଞ୍ଜ ରାଜ୍ୟର ଥିଲା ଏହା ରାଜଧାନୀ । ମୟୂରଭଞ୍ଜର ଭଞ୍ଜବଂଶୀୟ ରାଜାମାନେ ଏ ସହରରେ ସବୁ ଆଧୁନିକ ସୁବିଧା ମାନଖଞ୍ଜି ଦେଇ ଥିଲେ ଯାହା କି ସେତେ ବେଳେ ଅନ୍ୟ ସହରବାସୀଙ୍କ ପାଇଁ ସପ୍ନ ଥିଲା । ମୟୂରଭଞ୍ଜ ରାଜ୍ୟର ରାଜଧାନୀ ତଥା ଏକ ଐତିହାସିକ ସହର ହୋଇ ଥିବାରୁ ଏହାର ଇତିହାସ ଢେର ପୁରୁଣା । କିଛି ଆମକୁ ଜଣା ଅଛି ତଥାପି ବହୁତ କିଛି ଅଜଣା ।

ବାରିପଦା” ! ସତରେ ଏଇ ନାମରେ କେତେ ମାଧୁର୍ଯ୍ୟତା ଭରିରହିଛି ! କେତେ ସୁନ୍ଦରତା ଭରି ରହିଛି ଏ ମାଟିରେ ! 

ମନରେ ଜିଜ୍ଞାସା ଆସେ ଏତେ ସୁନ୍ଦର ନାମଟି ଦେଲା କିଏ ??
ଏପରି ସୁନ୍ଦର ନାମକରଣ ପଛରେ କାରଣ କ’ଣ ??
କୌଣସି କବି, ଗାଳ୍ପିକର ଭାବନାରୁ ସୃଷ୍ଟି ଏ ନାମ ?? 
ନା କେଉଁ  ଐତିହାସିକ କିମ୍ବଦନ୍ତୀରୁ ସୃଷ୍ଟି  ଏ ନାମ ??
ନା ଏହାର ଭୌଗୋଳିକ ଦୃଷ୍ଟିକୋଣରୁ ସୃଷ୍ଟି  ଏ ନାମ ??
ଆସନ୍ତୁ ଏ ବିଷୟରେ ଟିକେ ଆଲୋଚନା କରିବା ।

ଇତିହାସ ପୃଷ୍ଠା ଲେଉଟାଇଲେ ଜଣା ଯାଏ ଯେ ୨୧° ୯୪’ ଉତ୍ତର ୮୬° ୭୨’ ପୂର୍ବ ଦିଗରେ ଅଵସ୍ଥାନ କରୁ ଥିବା ବାରିପଦା ସହରକୁ ଇଷ୍ଟ ଇଣ୍ଡିଆ କମ୍ପାନୀର ମେଜର ଜେମ୍ସ ରେନାଲ ୧୭୭୯ ମସିହାରେ ନିଜର ପ୍ରସିଦ୍ଧ ଆଟଲାସ ମାନଚିତ୍ରରେ ସ୍ଥାନିତ କରି ପ୍ରଥମଥର ପାଇଁ ଲିଖିତ ଆକାରରେ ବିଶ୍ୱ ନଜରକୁ ଆଣିଥିଲେ । କିନ୍ତୁ ଏହାର ଢେର ବର୍ଷ ପୂର୍ବରୁ ବାରିପଦା ସହର ପ୍ରତିଷ୍ଠା ହୋଇଥିବାର ବଳିଷ୍ଠ ପ୍ରମାଣ ମଧ୍ୟ ମିଳେ । ବାରିପଦାରେ ଅବସ୍ଥିତ ବଡ଼ ଜଗନ୍ନାଥ ମନ୍ଦିର କାନ୍ଥରୁ ଉଦ୍ଧାର ହୋଇ ଥିବା ଶିଳାଲେଖ ନିମ୍ନ ପରି ଥିଲା !

“शकाद्बे  सागरे रन्ध्रे  कृते नत्तत्रनायके
भञ्ञे न वौद्यनाथेन प्रासाद कृतमेदिनो” ।।

ଏହି ଶିଳାଲେଖଟି ଆଜି ମଧ୍ୟ ସଂଗୃହୀତ ହୋଇରହିଛି । କିନ୍ତୁ ଏଥିରେ ବ୍ୟାକରଣ ଦୃଷ୍ଟିରୁ କିଛି ଭୁଲ ଥିବାରୁ ମୟୂରଭଞ୍ଜର ତତ୍କାଳୀନ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ ଲେଖାଟିକୁ ଶୁଦ୍ଧ କରି ସେଇ ସ୍ଥାନରେ ଆଉ ଏକ ଶିଳାଲେଖ ଲଗେଇଥିଲେ । ମହାରାଜା କୃଷ୍ଣଚନ୍ଦ୍ରଙ୍କ ଲିଖିତ ଶିଳା ଲେଖଟି ନିମ୍ନ ପରି !

“शकाद्बे मुनिरन्ध्राब्धि शुभ्रांशुप्रमिते शुभे   ।
भञ्ञेन  वोद्यनाथेन प्रासादस्तु कृतो मुदा” ।

ଶିଳାଲେଖକୁ ଶୁଦ୍ଧ କରି ଲେଖିଥିଲେ ମଧ୍ୟ ଏହାର ଆକ୍ଷରିକ ଅର୍ଥ ପୂର୍ବର ଶିଳାଲେଖ ସହ ସମାନ ଥିଲା । ଏହି ଶିଳାଲେଖ ଅନୁଯାୟୀ ବାରିପଦାର ସର୍ଵପୁରାତନ  ମନ୍ଦିର ବଡ଼ ଜଗନ୍ନାଥ ମନ୍ଦିରଟି ୧୪୯୭  ଭାରତୀୟ ସାକା ବର୍ଷରେ ମହାରାଜା ବୈଦ୍ୟନାଥ ଭଞ୍ଜଙ୍କ ଦ୍ଵାରା ନିର୍ମିତ ହୋଇ ଥିବାର ସୂଚନା ମିଳେ । ଏହି ମନ୍ଦିରଟି ବାରିପଦାର ସର୍ବପୁରାତନ କୀର୍ତ୍ତିରାଜି ।

ଶ୍ରୀକ୍ଷେତ୍ର ପୁରୀ ପରେ ଏଠାରେ ଅନୁଷ୍ଠିତ ହେଉ ଥିବା ପୁରାତନ ରଥଯାତ୍ରା ଓ ମନ୍ଦିର ପ୍ରତିଷ୍ଠା ପଛରେ ଥିବା ପୌରାଣିକ ଉପାଖ୍ୟାନ ଏହି ମନ୍ଦିର ତଥା ବାରିପଦାକୁ ଦେଇଛି ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା । ଏହି ବଡ଼ ଜଗନ୍ନାଥ ମନ୍ଦିରର ନିର୍ମାଣ ସମୟ ହିଁ ପ୍ରମାଣିତ କରୁଛି ଯେ ବାରିପଦାର ଇତିହାସ ୫୦୦ ବର୍ଷରୁ ଉର୍ଦ୍ଧ୍ବ ହେବ ।

ମୟୂରଭଞ୍ଜର ତୃତୀୟ ରାଜଧାନୀ ହରିହରପୁର ଗଡ଼ (ବର୍ତ୍ତମାନର ହରିପୁର) ରୁ ବାରିପଦାକୁ ରାଜଧାନୀ ସ୍ଥାନାନ୍ତର ସମୟରେ ବାରିପଦା ଏକ ଜଙ୍ଗଲ ପରିବେଷ୍ଟିତ ଅଳ୍ପ ଜନସଂଖ୍ୟା ବିଶିଷ୍ଠ ଏକ ଅଳ୍ପ ପରିଚିତ ଜାଗା ଥିଲା । ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଶାସନ କାଳରେ  ପ୍ରତ୍ନତତ୍ତ୍ୱବିତ୍ ନଗେନ୍ଦ୍ର ନାଥ ବସୁ ମୟୂରଭଞ୍ଜରେ ଅଵସ୍ଥାନ କରି ଖିଚିଂ, ହରିପୁର, ବାରିପଦା ଆଦି ବିଭନ୍ନ ଜାଗା ବୁଲି ସର୍ବେକ୍ଷଣ କରି ବିଭିନ୍ନ ଐତିହାସିକ ତଥ୍ୟ ଲୋକ ଲୋଚନକୁ ଆଣି ପାରି ଥିଲେ । ତାଙ୍କ ଦ୍ୱାରା ରଚିତ  ARCHEOLOGICAL SURVEY OF MAYURBHANJ ପୁସ୍ତକରୁ ଜଣାଯାଏ ଯେ  ପୂର୍ବେ ବାରିପଦାକୁ ମୟୂରଭଞ୍ଜର ସର୍ବପୁରାତନ ଆଦିବାସୀ ସଂପ୍ରଦାୟ ବାଥୁଡି ଲୋକଙ୍କ ନାମ ଅନୁସାରେ ବାଉରୀପଦା ବା ବାଥୁଡିପଦା କୁହା ଯାଉଥିଲା । ଏହି ବାଉରୀପଦା ନାମରୁ ଅପଭ୍ରଂଶ ହୋଇ ବାରିପଦା ନାମ ହୋଇଛି ।ଅନ୍ୟ ଏକ କିମ୍ବଦନ୍ତୀ ରୁ ଜଣା ଯାଏ ଯେ ବାରିପଦା ବଳଙ୍ଗ, ଚିପଟ, ଜରାଳିସରାଳି ନାମକ ଚାରୋଟି ନଦୀ ଦ୍ୱାରା ପରିବେଷ୍ଟିତ ହୋଇ ଥିବାରୁ  “ଜଳ” ବା “ବାରି” ପୂର୍ଣ୍ଣ ସ୍ଥାନ ଭାବରେ “ବାରିପଦା” ହୋଇଛି । ଆମର ଆଞ୍ଚଳିକ ଭାଷା ହିସାବ ରେ ‘ଜଙ୍ଗଲ କାଟି କି ପଦା କରି ଦେବା’ ଅର୍ଥାତ ଜଙ୍ଗଲ କାଟିକି ଶୂନ୍ୟ କରି ଦେବାକୁ ବୁଝାଏ ।  ଆମେ ‘ପଦା’ ଶବ୍ଦକୁ  ଶୂନ୍ୟ ଅର୍ଥରେ ବ୍ୟବହାର କରିଥାଉ । ତେଣୁ ଏହି ଦୃଷ୍ଟିରୁ ବାରିପୂର୍ଣ୍ଣ ବା ଜଳପୂର୍ଣ୍ଣ ଶବ୍ଦରୁ ଅପଭ୍ରଂଶ ହୋଇ ବାରିପଦା ବା ଜଳଶୂନ୍ୟ ନାମ ହୋଇ ଥିବା ଅପେକ୍ଷା ନଗେନ୍ଦ୍ର ନାଥ ବସୁଙ୍କ ବାଉରୀପଦାରୁ ବାରିପଦା ହୋଇଥିବା ଅଧିକ ଯଥାର୍ଥ ମନେହୁଏ ।

ତଥ୍ୟ ସହାୟତା:
1. Vasu, N. Nath; Archeological Survey of Mayurabhanja;
2. Mishra, Dr. P. Kumar; ମୟୂରଭଞ୍ଜ ଇତିହାସ ଓ ସଂସ୍କୃତିର ମୁଖ୍ୟଧାରା;
3. Sahoo, Ashis Ranjan & Pradhan, Dr. S; Report on Jagannath Temple, Baripada; Indira Gandhi National Centre For The Arts;
4. Wikipedia: The free encyclopedia

Image: Bhubaneswar Buzz, Mayurbhanj Lovers

Spread the love
admin

Recent Posts

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

4 hours ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

4 hours ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

2 weeks ago

ବଗା ପୂଜାରୀ

~ ବଗା ପୂଜାରୀ ~ ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ…

3 weeks ago

ସାହିତ୍ୟ ଭାସ୍କର ମାୟାଧର ମାନସିଂହ

ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି…

3 weeks ago

ଆମ ଚଳଣି

~ ଆମ ଚଳଣି ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆ ଘରର କଥା ନିଆରା। ଆମ ଚଳଣି ଅନନ୍ୟ।…

2 months ago