ଭୀମଭୋଇ ଓ ଗୋପବନ୍ଧୁ

ଲେଖା: ଅଧ୍ୟାପକ ବିଶ୍ଵରଞ୍ଜନ 

 

~ ଭୀମଭୋଇ ଓ ଗୋପବନ୍ଧୁ: ଦୁଇ କବିମନୀଷୀଙ୍କ ଦୃଷ୍ଟି ଓ ଦର୍ଶନ ~
ଓଡ଼ିଶାର ମାଟିରେ ଏଭଳି ଦୁଇ କବି ମନୀଷୀଙ୍କର ଆବିର୍ଭାବ ଘଟିଥିଲା, ଯେଉଁମାନଙ୍କର ବ୍ୟକ୍ତି ଜୀବନ ଉତ୍ତରିତ ହୋଇଥିଲା ବିଶ୍ଵଜୀବନକୁ । ଏହି ଦୁଇ ମହାତ୍ମା ନିଜର ଦୃଷ୍ଟି ଓ ସୃଷ୍ଟି ମାଧ୍ୟମରେ ମାନବିକତାର ଯେଉଁ ମହାମନ୍ତ୍ର ଗାନ କରିଥିଲେ, ତାହା ଦେଶ-କାଳ-ପାତ୍ରର ସୀମାକୁ ଅତିକ୍ରମ କରି ନିନାଦିତ ହେଉଛି ସମଗ୍ର ବିଶ୍ଵଭୁବନରେ । ଜଣକର ମର୍ମବାଣୀ ମର୍ମରିତ ହେଉଛି ବିଶ୍ଵ ଜାତିସଂଘର ପ୍ରବେଶ ପଥରେ ‘ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ’, ଆଉ ଜଣେ କହୁଛନ୍ତି ‘ନିଜ ସୁଖ ଲାଗି ଜାତ ନୁହେଁ ହିନ୍ଦୁ, ବିଶ୍ଵ ହିତେ ତା’ର ପ୍ରତି ରକ୍ତବିନ୍ଦୁ’ । ପ୍ରଥମ ଜଣକ ହେଲା ଓଡିଶାର ପଶ୍ଚିମାଞ୍ଚଳରେ ଜନ୍ମିତ ଭୀମଭୋଇ, ଅନ୍ୟ ଜଣକ ହେଲେ ଆମର ଉପକୂଳବର୍ତ୍ତୀ ପୂର୍ବାଞ୍ଚଳରେ ଜନ୍ମଗ୍ରହଣ କରିଥିବା ଗୋପବନ୍ଧୁ ଦାସ
ଭୀମଭୋଇ ଓ ଗୋପବନ୍ଧୁ ! କ’ଣ କହିବା ଏ ଦୁଇଜଣଙ୍କୁ ? ଲୋକନେତା ? ଜ୍ଞାନୀ, ଦାର୍ଶନିକ ? ସମାଜସେବୀ, ସଂସ୍କାରକ ? କବି ନା ସ୍ବପ୍ନପୁରୁଷ ? ନା – ଏସବୁକୁ ମିଶେଇ କହିବା, କବିତାର ମନ୍ତ୍ରରେ ଅଭିମନ୍ତ୍ରିତ ଏ ଦୁଇଜଣ କ୍ରାନ୍ତିଦର୍ଶୀ କାବ୍ୟପୁରୁଷ । କବିତ୍ଵର ଆଲୋକରେ ଆଲୋକିତ ହେଲାବେଳେ ଜୀବନର ସାମଗ୍ରିକ ସତ୍ତା ସମାଜ ଓ ସଂସାରର ପରିସରଭୁକ୍ତ ହୋଇଯାଏ । ସେଠି ନିଜର ଜୀବନ ଓ ଜଗତ ମଧ୍ୟରେ କୌଣସି ପାର୍ଥକ୍ୟ ରହେ ନାହିଁ । ଅନ୍ତଃପ୍ରକୃତି ଓ ବହିଃପ୍ରକୃତିର ସମନ୍ଵୟରେ ଛନ୍ଦାୟିତ ହୋଇଉଠେ ଜୀବନ ଛନ୍ଦ ।
ଊନବିଂଶ ଶତାବ୍ଦୀର ଶେଷ ଭାଗର କବି ଭୀମଭୋଇ ଏଭଳି ଜଣେ କବି, ଯିଏ ସମସ୍ତ ବର୍ଣ୍ଣନାର ଊର୍ଦ୍ଧ୍ଵରେ । ଧର୍ମରେ ଥାଇ ମଧ୍ୟ ପ୍ରଚଳିତ ଧର୍ମ-ପରମ୍ପରା ବିରୋଧୀ । ସଂସାର ଗଢି ମଧ୍ୟ ସନ୍ନ୍ୟାସୀ । ପ୍ରେମରେ ଆପ୍ଳୁତ ହୃଦୟ । ଏଣେ କିନ୍ତୁ ପ୍ରତିବାଦରେ ପ୍ରଖର ଓ ବହ୍ନିମାନ । ସେ ଅନ୍ଧ କି କନ୍ଧ, ସେ ଯୋଗୀ କି ଭୋଗୀ, ସେ ଭୋଗୀ କି ତ୍ୟାଗୀ, ସେ ସବୁର ବିଚାର-ବିତର୍କ ଅର୍ଥହୀନ । ମାତ୍ର, ସେ ଏଭଳି ଜଣେ ଯୋଗଜନ୍ମା, ଯିଏ କେବଳ ଏକ ବ୍ୟକ୍ତି ଜୀବନର ଜନ୍ମ-ମରଣର ବନ୍ଧନ ଭିତରେ ବାନ୍ଧି ହୋଇଯାଇ ନାହିଁ, ବ୍ୟକ୍ତି ସତ୍ତାରୁ ବହୁ ଊର୍ଦ୍ଧ୍ଵରେ ଏକ ଆଧ୍ୟାତ୍ମିକ ପ୍ରତ୍ୟୟ ଓ ଜୀବନ ଜିଜ୍ଞାସାର ଆଲୋକ ଦ୍ଵାରା ଉଜ୍ଜ୍ୱଳ ପ୍ରତୀକ ପାଲଟି ଯାଇଛନ୍ତି । ଓଡ଼ିଶାର ବିଶିଷ୍ଟ ସାହିତ୍ୟ ସମାଲୋଚକ ଚିତ୍ତରଞ୍ଜନ ଦାସଙ୍କ ଭାଷାରେ – ‘ଭୀମଭୋଇ ପ୍ରଥମେ ଭକ୍ତ, ତା’ ପରେ କବି, ପ୍ରଥମେ ଦ୍ରଷ୍ଟା, ତା’ ପରେ ସାହିତ୍ୟ ସ୍ରଷ୍ଟା’
ଶୂନ୍ୟ ପୁରୁଷଙ୍କ ପ୍ରେରଣାରେ ଉଦ୍’ବୁଦ୍ଧ ହୋଇ କବିକଣ୍ଠରୁ ସ୍ଵତଃ ଝରି ପଡୁଥିଲା ରାଶି ରାଶି ଭଜନ, ଜଣାଣ, ଯାହା ତାଳପତ୍ର ଖେଦାରେ ଲେଖି ରଖୁଥିଲେ ତାଙ୍କର ଅନୁଗାମୀମାନେ । ଭକ୍ତ ହୋଇ ଯଦି ଉପାସ୍ୟ ଦେବତାଙ୍କର ଗୁଣକୀର୍ତ୍ତନ ଓ ନାମରେ ଲୟ ନ ରଖନ୍ତି, ତା’ ହେଲେ ଉକ୍ତ ଜୀବନ ବୃଥା । ମରଣଶୀଳ ମଧ୍ୟରୁ ଅମୃତର ସନ୍ଧାନ, ଅନ୍ଧକାର ଭିତରୁ ଜ୍ୟୋତିର ସନ୍ଧାନ, ଭବସିନ୍ଧୁ ଭିତରୁ ଭାବସିନ୍ଧୁର ସନ୍ଧାନ – ଏହା ହିଁ ଶ୍ରେଷ୍ଠ କବିର ଆଚରିତ ଧର୍ମ । ଏହି କବିଧର୍ମର ଅଭିବ୍ୟକ୍ତି ଆମେ ଦେଖିବାକୁ ପାଉ ଭୀମଭୋଇଙ୍କ ‘ସ୍ତୁତି ଚିନ୍ତାମଣି’, ‘ଚଉତିଶା ମଧୁଚକ୍ର’, ‘ଆଦି ଅନ୍ତ ଗୀତା’, ‘ବ୍ରହ୍ମ ନିରୂପଣ ଗୀତା’ ଇତ୍ୟାଦି ସୃଷ୍ଟି ସମ୍ଭାରରେ ।
ମାତ୍ର ଭୀମଭୋଇ ହେଉଛନ୍ତି ଆଧୁନିକ କାଳର ଏକମାତ୍ର କବି, ଯାହାଙ୍କର ଜୀବନକାଳ ମଧ୍ୟରେ ଧାଡ଼ିଏ ବି କବିତା ମୁଦ୍ରିତ ହୋଇନାହିଁ । ଅଥଚ ଜଗନ୍ନାଥ ଦାସଙ୍କ ଭାଗବତ ପରେ ଭୀମଭୋଇଙ୍କ କବିତା ହେଉଛି ଓଡ଼ିଶା ଲୋକଙ୍କର ଅତିପ୍ରିୟ । ତାଙ୍କ ମୃତ୍ୟୁର ଅନେକ ବର୍ଷ ପରେ ତାଙ୍କ କବିତା ମୁଦ୍ରିତ ହେଲା ଏବଂ ଆଲୋଚନା ପରିସରକୁ ଆସିଲା । ମହିମା ଧର୍ମର ନିଷ୍ଠାପର ସାଧକ ଓ ପ୍ରଚାରକ ଭାବରେ ତାଙ୍କର ଅଙ୍ଗୀକାରବଦ୍ଧତା ପ୍ରତିଫଳିତ ହୋଇଥିଲା କବିତାର ଆତ୍ମୀୟତାରେ ।
ନାନା ପ୍ରତିକୂଳତା ଭିତରେ ପ୍ରତିବାଦର ଅଗ୍ନିଶିଖା ହୋଇ ପ୍ରତିଭାତ ହୋଇଛନ୍ତି ଭୀମଭୋଇ । ଜୀବନକୁ ଜଳେଇ ଜଳେଇ ସେହି ଅଗ୍ନିରେ ଶବ୍ଦ ନିର୍ମାଣ କରିଛନ୍ତି ଭୀମଭୋଇ । ତେଣୁ ତାଙ୍କ ଜୀବନ ଓ କବିତା ହୋଇଯାଇଛି ଅସହାୟ ମଣିଷର ହାତରେ ଆତ୍ମରକ୍ଷାର ଅସ୍ତ୍ର । ନାନା ଅନ୍ଧବିଶ୍ୱାସ, ଧାର୍ମିକ ରୂଢି଼ର ଖଣ୍ଡନ ଲାଗି ସେ ଆପଣାର ନିଃଶ୍ବାସ ପ୍ରଶ୍ଵାସ ନେଇ ଗଢିଛନ୍ତି ଶବ୍ଦସୌଧ । ବିଦ୍ରୋହ, ବିଶ୍ଵାସ, ଜୀବନ ପ୍ରତି ଅପୂର୍ବ ଆସକ୍ତି ଏବଂ ଆଧ୍ୟାତ୍ମିକ ଅଭୀପ୍ସା ହେଉଛି ଭୀମଭୋଇଙ୍କ କବିତାର ମୂଳଭିତ୍ତି । ତାଙ୍କ କବିତାର ଆବେଦନ ମନ୍ତ୍ର ପ୍ରାୟ । କହିବାକୁ ଗଲେ ସେ ମନ୍ତ୍ରସିଦ୍ଧ କବି । କବିତାର ମନ୍ତ୍ରରେ ଥିଲା ମାନବିକତାର ଜୟଗାନ । ଜାତିହୀନ ସମାଜର ସ୍ଵପ୍ନ । ଜାତି ଖୋଜିଲେ ମୁକ୍ତି ନାହିଁ, ମୁକ୍ତି ଖୋଜିଲେ ଜାତି ନାହିଁ – ଏହା ମହିମା ଧର୍ମର ମର୍ମବାଣୀ ।
ଜାତିଭେଦର ବିଭେଦ ବିଚାର ଥିଲା ତାଙ୍କ ପାଇଁ ସମ୍ପୂର୍ଣ୍ଣ ଧର୍ମ ବିରୋଧୀ ।
ଛତିଶକୁଳ ଯେ ବାଉନ ପାଟକ ଜାତି ବୋଲାଯାଏ ନାହିଁ,
ପାଣି ଅନ୍ତର ପାଟକ ସିନା ଏହୁ ଆଉ କିଛି ହିଁ ନ ଥାଇ,
ତିନି ବ୍ରହ୍ମାଣ୍ଡରେ ଲୋଡ଼ି ଆସ ତୁଣ୍ଡେ ଏକ ଜଣ ଏକ ଜାତି
ସେହି ସବୁକୁ ଶତଜାତି କରିଛି ତାହାର ରଚିଲା ପୃଥ୍ଵୀ ।
× × ×
ଛତିଶ କୁଳ ବାହନ ଯେ ପାଟକ ଯେ ଅଛି ସ୍ତିରୀ ପୁରୁଷ,
ଉଚ୍ଚନୀଚ ବୋଲି ବାରଣ ନ କରି ନାମରେ ଶରଣ ପଶ ।
(ସ୍ତୁତି ଚିନ୍ତାମଣି)
ବ୍ରହ୍ମ ଭକ୍ତି-ଭାବନାରେ ‘ଜାତିର କଳ୍ପନା ନାହିଁ’, ‘ଉଚ୍ଚନୀଚର ଭେଦଭାବ ନାହିଁ’ -ଦିବ୍ୟ ଅନୁଭୂତି ସଂଜାତ ପରମ ସତ୍ୟକୁ ଲୋକ ଜୀବନରେ ବିଚ୍ଛୁରିତ କରି ଏକ ସତ୍ୟନିଷ୍ଠ ସମାଜ ଗଠନରେ ପ୍ରୟାସୀ ଥିଲେ ଭୀମ ଭୋଇ ଓ ମହିମା ପନ୍ଥୀମାନେ । ସେମାନେ ସ୍ଵର ଉତ୍ତୋଳନ କରିଥିଲେ ଜଗନ୍ନାଥ ଧାମରେ ଦେଖା ଦେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ । ଧର୍ମ, ମୋକ୍ଷ, ତୀର୍ଥ, ପୁଣ୍ଯ ପ୍ରଭୃତି ନାମରେ ଚାଲିଥିବା ଯାବତୀୟ ଭ୍ରଷ୍ଟାଚାର ବିରୁଦ୍ଧରେ ।
କେବଳ ସାମାଜିକ ବା ଧାର୍ମିକ କ୍ଷେତ୍ରରେ ପରିଲକ୍ଷିତ ଅନ୍ୟାୟ ଓ ଅନୀତି ବିରୁଦ୍ଧରେ ନୁହେଁ, ରାଜ କ୍ଷମତାର ଅହଙ୍କାର ଓ ଔଦ୍ଧତ୍ୟ ବିରୁଦ୍ଧରେ ଭୀମଭୋଇଙ୍କ କବିତା ଓ ଜୀବନ ଥିଲା ପ୍ରଚଣ୍ଡ ପ୍ରତିବାଦର ଆଗ୍ନେୟ ଉଚ୍ଚାରଣ । ରେଢାଖୋଲ ରାଜା ଏବଂ ସୋନପୁର ରାଜାଙ୍କ ସହ ତାଙ୍କ ମତଭେଦର ଏକ ସୁଦୀର୍ଘ ଇତିହାସ ରହିଛି । ସେଥିପାଇଁ ସେ ଲେଖିଥିଲେ :
କାହାରି ଅଧୀନେ ନ ଥାଉଟି ଆମେ ଶ୍ରୀଗୁରୁ ଅଧୀନେ ଥାଉ
କାହାରି ଆଜ୍ଞା ଶିରପରେ ନ ବହୁ ଗୁରୁ ଆଜ୍ଞା ହେଲେ ଯାଉ
ରାଜାର ପରଜା ନୋହୁଁ ସିନା ଆମ୍ଭେ ନୋହୁ ସାହୁର ଖାତକ
ଯହିଁ ଗୁରୁ ନେବେ ତହିଁ ଯାଉ ଆମ୍ଭେ କେ ଅବା କରୁ ଅଟକ ।
କୌଣସି ରାଜଶକ୍ତି ଯେତେବେଳେ ଧରାକୁ ସରା ମନେ କରେ, ନିଜର କ୍ଷମତା ପ୍ରୟୋଗରେ ପ୍ରଦର୍ଶନ କରେ ଅହଙ୍କାର ଓ ଔଦ୍ଧତ୍ୟ, ସେତେବେଳେ କବିତା ହିଁ ତାକୁ ତା’ର ଭୂମି ସମ୍ପର୍କରେ ସଚେତନ କରିଦିଏ । ତାକୁ ଶାନ୍ତ ଓ ଶୀତଳ କରିଦିଏ । ଏ ସମ୍ପର୍କରେ ଯଥାର୍ଥ କହିଛନ୍ତି ଆମେରିକାର ପ୍ରାକ୍ତନ ରାଷ୍ଟ୍ରପତି ଜନ୍ ଏଫ୍. କେନେଡି – “When power leads man towards arrogance, poetry reminds him of his limitations. When power narrows the areas of man’s concern, poetry reminds him of the richness and diversity of his existence. When power corrupts, poetry cleanses.” (ଆତ୍ମାମ୍ଭରୀ ମଣିଷକୁ କବିତ୍ଵ ତାହାର ସୀମାନ୍ତ ବିଷୟରେ ସଚେତ କରାଇଦିଏ । କ୍ଷମତା ଦ୍ଵାରା ମାନବର ଗୁରୁତ୍ଵ ସଂକୀର୍ଣ୍ଣ ହେଲେ, କବିତ୍ଵ ତାହାକୁ ତା’ ଅସ୍ତିତ୍ଵର ସମୃଦ୍ଧି ଓ ବିବିଧତାର ସ୍ମୃତିଚାରଣ କରେ । କ୍ଷମତା ଯେଉଁଠି ମ୍ଳାନ କରେ, କବିତ୍ଵ ସେଠାରେ ପବିତ୍ର କରେ ।)
ଭୀମଭୋଇଙ୍କ କବିତାର ଥିଲା ରାଜଶକ୍ତିକୁ ନିଜର ସୀମା ସମ୍ପର୍କରେ ସଚେତନ କରିଦେବାର ଶକ୍ତି । ବିଦ୍ରୋହର ଶାଣିତ ସ୍ଵର ଅନୁରଣିତ ହେଉଅଛି ତାଙ୍କ କବିତାରେ । ସେହିଭଳି ବିଶ୍ଵଦୃଷ୍ଟି ଓ ବିଶ୍ଵପ୍ରେମରେ ମଧ୍ୟ ଉଦ୍’ଭାସିତ ତାଙ୍କର କବିତ୍ଵ ଅନ୍ୟର ଦୁଃଖକୁ, ଏପରିକି ସମସ୍ତ ବିଶ୍ଵର ଦୁ଼ଃଖକୁ ନିଜର କରିବାର ଭୀମଭୋଇଙ୍କ କବିଦୃଷ୍ଟିର ତୁଳନା ନାହିଁ । ବିଶ୍ଵନିୟନ୍ତାଙ୍କୁ ତାଙ୍କର ପ୍ରାର୍ଥନା –
‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ,
ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ ।’
ନିଜ ଜୀବନ ପଛକେ ନର୍କ ଯନ୍ତ୍ରଣାରେ ଘାଣ୍ଟି ହେଉଥାଉ ହେଲେ ଜଗତର ଦୁର୍ଦ୍ଦଶା ମୋଚନ ପାଇଁ ସତତ ବ୍ୟାକୁଳ କବିର ପ୍ରାଣ । କବି ପୁଣି କହୁଛନ୍ତି –
‘ମୋର ପିଣ୍ଡପ୍ରାଣ ଦେଇଅଛି ଦାନ ଅଲେଖ ପୁରୁଷ ପାଦେ
ଶ୍ରୀଛାମୁରେ ମୁହିଁ ବ୍ରହ୍ମାଣ୍ଡର ପାଇଁ ଜଣାଣ କରୁଛି ଏବେ ।
ଅଶେଷ ବ୍ରହ୍ମାଣ୍ଡ ଡୁବି ଯେବେ ଯିବ କାହିଁରେ ରହିବି ମୁହିଁ
ମନ ଛନଛନ ହେଉଛି ଉଚ୍ଛନ୍ନ ଏ ପିଣ୍ଡ ବ୍ରହ୍ମାଣ୍ଡ ପାଇଁ ।
× × ×
ବ୍ରହ୍ମାଣ୍ଡ ନିମନ୍ତେ କର ଯୋଡ଼ି ମାଥେ ପଡ଼ି ଶ୍ରୀଗୁରୁଙ୍କ ପାଦେ
କହେ ଭୀମଭୋଇ ଅଷ୍ଟାଶତ ପଦେ ନେତ୍ରୁ ଲୁହ, ପୋଛି କାନ୍ଦେ ।’
କବିର ଅଶ୍ରୁସଜଳ ନୟନରେ ସମଗ୍ର ବିଶ୍ଵର ଦୁଃଖ, ଦୈନ୍ୟର ଛବି ଫୁଟି ଉଠୁଛି । କବି ହୃଦୟରେ ଏ ବିଶୁଦ୍ଧ କାରୁଣ୍ୟ ଏବଂ କବିତାରେ ତା’ର ଅନୁରଣନ – ସତରେ ଏହାର କୌଣସି ତୁଳନା ନାହିଁ ବିଶ୍ଵ ସାହିତ୍ୟରେ ।
ଭୀମଭୋଇଙ୍କ ସତ୍ୟ, ଧର୍ମ, ବିଦ୍ରୋହ ଓ ବିଶ୍ଵପ୍ରେମ ଆଧାରିତ କବି ଦୃଷ୍ଟି ଓ ସୃଷ୍ଟି ସହିତ ଗୋପବନ୍ଧୁଙ୍କ କବିଦୃଷ୍ଟିର ତୁଳନା କଲେ ଆମେ ଦେଖିପାରିବା ଅଦ୍ଭୁତ ସାମଞ୍ଜସ୍ୟ । ବୈଷମ୍ୟ କେବଳ ଏତିକି, ଗୋପବନ୍ଧୁ ଶ୍ରୀଜଗନ୍ନାଥଙ୍କ ନିକଟରେ ନିଜକୁ ପୂର୍ଣ୍ଣ ସମର୍ପିତ କରି
“ପ୍ରଭୁ ଜଗନ୍ନାଥ ପତିତପାବନ,
ଜୀବନ ମରଣେ ତୁମ୍ଭେ ମୋ ଶରଣ”
ବୋଲି ଘୋଷଣା କଲା ବେଳେ ଭୀମଭୋଇ ନିର୍ଗୁଣ ଓ ନିରାକାରଙ୍କ ଉପାସକ ଭାବରେ ନିଜକୁ ଅଭିହିତ କରିଛନ୍ତି :
‘ପିତା ଅଟନ୍ତି ମୋ ଅନାଦି ଠାକୁର,
ମାତା ଅଟନ୍ତି ଆଦିଶକ୍ତି ନାରୀ ।’
ବୋଲି ବର୍ଣ୍ଣନା କରି ସେ ସେହି ଯୁଗଳ ପାଦପଦ୍ମରେ ନିଜର ଲୟ ଓ ଧ୍ୟାନ ରଖନ୍ତି ବୋଲି କହିଛନ୍ତି । ବସ୍ତୁତଃ, ସେହି ସମଦୃଷ୍ଟି, ସମଭକ୍ତି ଭାବ । ଏହି ଧର୍ମାଚରଣ ଓ ଭକ୍ତି ଭାବନାରେ ‘ସତ୍ୟ’ ହିଁ ପ୍ରାଧାନ୍ୟ ଲାଭ କରିଛି ।
ଭୀମଭୋଇ ଯେତେବେଳେ କ୍ଷୋଭ ପ୍ରକାଶ କରି କହୁଛନ୍ତି :
‘ସତ୍ୟକୁ ଛାଡ଼ିଲେ ଅମଡା ମାଡିଲେ ଲାଗିଅଛି ନଟକୂଟ
ମିଛ ପସରାକୁ ଆବୋରି ଅଛନ୍ତି ବସାଇ ବଜାର ହାଟ ।’
(ସ୍ତୁତି ଚିନ୍ତାମଣି)
ସେତେବେଳେ ସ୍ଵରାଜ୍ୟ ସାଧନରେ ବ୍ରତୀ କାରାବନ୍ଦୀ ଗୋପବନ୍ଧୁ ତାଙ୍କ ‘କାରାକବିତା‘ ରେ କହୁଛନ୍ତି –
‘ଅନ୍ୟାୟ ଅଧର୍ମ ପାପ ଅତ୍ୟାଚାର
ମାନେ ଅବଶେଷେ ସତ୍ୟ ପାଖେ ହାର ।
ଏ ବିଶ୍ଵାସେ ସର୍ବେ ଦୃଢ଼ କରି ମନ
ସ୍ଵରାଜ୍ୟ ଧରମ କର ଆଚରଣ ।’
ପୁଣି
‘ସତ୍ୟରେ ମରିବି ସତ୍ୟରେ ତରିବି
ଏହି ଆଜ୍ଞା ମୋତେ ହେଉ,
କହେ ଭୀମ ଭୋଇ ଏ ମୃତ୍ୟୁ ମଣ୍ଡଳେ
ନାମ ଅପଯଶ ଥାଉ ।’
ଭୀମଭୋଇଙ୍କ ଏହି ଉଦ୍’ଘୋଷଣା ପରି ଗୋପବନ୍ଧୁଙ୍କ କବିବାଣୀ ହେଲା –
‘ଏ ଜୀବନ ସତ୍ୟ ଶୁଦ୍ଧ ସାରତତ୍ତ୍ଵ
ତତ୍ତ୍ଵ ଅନୁବନ୍ଧ ମାନବର ସତ୍ତ୍ଵ ।
ତତ୍ତ୍ଵର ସାଧନେ କୃତକୃତ୍ୟ ଜନ
ଲଭଇ ମରଣେ ଅମୃତ ଜୀବନ ।
ସତ୍ୟ ସନାତନ ପ୍ରଭୁ ଭଗବାନ
ଏ ଭାବେ କର ମୋ ହୃଦ ବଳୀୟାନ ।’
ଜାତିଭେଦ ବିରୁଦ୍ଧରେ ନିଜର ସ୍ଵର ତୀବ୍ର କରିଥିବା ଭୀମଭୋଇଙ୍କ ପରି ଗୋପବନ୍ଧୁ ମଧ୍ୟ ନିଜର ପ୍ରିୟ ଧାମ ନୀଳାଚଳରେ ଜାତିଭେଦକୁ ଗ୍ରହଣ କରିପାରି ନାହାନ୍ତି । ତେଣୁ ସେ ତାଙ୍କ କବିତାରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି –
‘ନାହିଁ ଜାତିଭେଦ, ନାହିଁ ଧର୍ମଭେଦ
ସାମ୍ୟ, ମୈତ୍ରୀ ମନ୍ତ୍ର ଗାଏ ଯାର ବେଦ
କେ କରିବ ଭବେ
ଦେବତା ମାନବେ
ନୀଳାଚଳ ତା’ର ପ୍ରବେଶ ନିଷେଧ ?’
(ନିତ୍ୟଧାମ ନୀଳାଚଳ)
ରାଜନୀତି କରୁଥିବା ରାଜାମାନଙ୍କର ଆଜ୍ଞାକୁ ଅମାନ୍ୟ କରି ରାଜତନ୍ତ୍ରର ଅନ୍ୟାୟ ବିରୋଧରେ ବିଦ୍ରୋହ କରିଥିବା ଭୀମଭୋଇଙ୍କ ପରି ବ୍ରିଟିଶ ଶାସନାଧୀନ ଭାରତର ରାଜତନ୍ତ୍ରକୁ ଚେତେଇ ଦେଇଛନ୍ତି ଗୋପବନ୍ଧୁ –
‘ଡରାଇ ଶାସିବା ନୀତି ଭାଙ୍ଗିଯିବ
ପ୍ରଜାଙ୍କ ମତରେ ଶାସନ ଚାଲିବ ।’
ପ୍ରଜାତନ୍ତ୍ର ସପକ୍ଷରେ ନିଜର ଶାଣିତ ସ୍ଵର ପ୍ରକାଶ କରି ଗୋପବନ୍ଧୁ ଲେଖିଛନ୍ତି –
‘ପ୍ରଜା ପାଇଁ ସିନା ପ୍ରଜାପତି ସୃଷ୍ଟି
ପ୍ରଜା ପାଇଁ ଇନ୍ଦ୍ର କରେ ଜଳ ବୃଷ୍ଟି
ପ୍ରଜା ପାଇଁ ନଦୀ ବହେ ଶତଧାର
ଚନ୍ଦ୍ର ସୂର୍ଯ୍ୟ ଢାଳେ ଧାରା କିରଣର
ପ୍ରଜା ହିତେ ସିନା ହିତ ଜଗତର
ଏହି ମହାବାଣୀ ମନେ ହେତୁ କର
× × ×
ନ ସହିବ କଷ୍ଟ କେହି ଅନାହାରେ
ନ ମରିବ ଦୁଃଖୀ ଧନୀଙ୍କ ପ୍ରହାରେ ।’
(ବନ୍ଦୀର ଆତ୍ମକଥା)
ନିଜର ଜୀବନ ଯାତନାକୁ ଅଣଦେଖା କରି ‘ଜଗତ ଉଦ୍ଧାର’ର ସ୍ବପ୍ନ ଦେଖୁଥିବା ଓଡ଼ିଶାର କନ୍ଧ କବି ଭୀମଭୋଇଙ୍କ ପରି ବିଶ୍ଵପ୍ରେମରେ ଉଦ୍’ବୁଦ୍ଧ ଉତ୍କଳମଣି ଗୋପବନ୍ଧୁ ମଧ୍ୟ ଚାହୁଁଥିଲେ, ବିଶ୍ଵଜନପ୍ରୀତି ହେଉ ଉତ୍କଳବାସୀଙ୍କର ନୀତି । ବିଶ୍ଵପ୍ରୀତିର ପରାକାଷ୍ଠା ଦେଖାଇ ଏକ କବିତାରେ ଗୋପବନ୍ଧୁ ଗାଇଛନ୍ତି –
‘ନିଜ ସୁଖ ଲାଗି ଜାତ ନୁହେଁ ହିନ୍ଦୁ
ବିଶ୍ଵ ହିତେ ତା’ର ପ୍ରତି ରକ୍ତ ବିନ୍ଦୁ ।
ଦେଖାଅ ଏ ସତ୍ୟ ଆପଣା ପରାଣେ
ଦିଅ ଏହି ମନ୍ତ୍ର ସର୍ବ କର୍ଣ୍ଣ କାନେ
ସର୍ବେ ଆମ୍ଭେ ଏକ ଈଶ୍ୱର ସନ୍ତାନ
ସାଧ ବିଶ୍ଵହିତ ତେଜି ଅଭିମାନ ।’
(ଅବକାଶ ଚିନ୍ତା)
‘ପ୍ରେମ ଭାବେ ଯା’ର ଅନ୍ତର ପୂରିତ
ସର୍ବ ପ୍ରାଣୀ ହୃଦ ତା’ ହୃଦେ ଅଙ୍କିତ ।
ସର୍ବ ଅନୁଭୂତି ସର୍ବହିତେ ତା’ର
ତା’ ଆଖିରେ ବିଶ୍ଵ ଏକ ପରିବାର ।
ସେହି ନିଜେ ବିଶ୍ଵ, ବିଶ୍ଵ ମଧ୍ୟେ ସେହି
ଅନ୍ୟ ହୋଇ ତା’ର ଆଉ କେହି ନାହିଁ ।’
ଗୋପବନ୍ଧୁଙ୍କର ଏହି କାବ୍ୟୋକ୍ତିରେ ଆମେ ଦେଖିପାରିବା, ଉଭୟ ବିଶ୍ବପ୍ରାଣ ଓ ବିଶ୍ଵପ୍ରେମିକ କବି ଭୀମଭୋଇ ଏବଂ ଗୋପବନ୍ଧୁ ଦାସଙ୍କୁ । ସତ୍ଯନିଷ୍ଠା, ଧର୍ମୀୟ ଭାବନା ଓ ଭକ୍ତି ଭାବ, ଜାତିବିହୀନ ସମାଜର ସ୍ଵପ୍ନ ତଥା ବିଶ୍ଵ କଲ୍ୟାଣର ଜୀବନ ଦର୍ଶନରେ ଉଭୟ ଥିଲେ ପରସ୍ପରର ପରିପୂରକ । ଆଲୁଳାୟିତ କେଶ, ଶ୍ମଶ୍ରୁଯୁକ୍ତ ମୁଖମଣ୍ଡଳ, ପରିଧାନରେ କଷାୟ ବସ୍ତ୍ର, ହାତରେ ତାଳପତ୍ରର ଛତା, ଝୁଲାମୁଣିରେ ଖେଦାଏ ତାଳପତ୍ର ଓ ଲେଖନୀଟିଏ, ପାଦରେ ଦୃପ୍ତ ଗତି – ଏହା ଥିଲା ବାହ୍ୟଦୃଷ୍ଟିରେ ଭୀମଭୋଇଙ୍କ ଚେହେରାର ଚିତ୍ର ।
ସେହିଭଳି ଗୋପବନ୍ଧୁଙ୍କ ଶ୍ମଶ୍ରୁଯୁକ୍ତ ମୁଖମଣ୍ଡଳର ଲାବଣ୍ୟ, କଥାର ମାଧୁରୀ, ହସର ସରଳତା, ଆଖିର ଜ୍ୟୋତି ଓ କପାଳର ତେଜ । ଚେହେରା ଓ ଚାହାଣିରେ ତଥା ଚେତନାର ଚମକରେ ଆମର ଜନଜୀବନକୁ ଚମତ୍କୃତ କରିଥିଲେ ଏଇ ଦୁଇ ମହାତ୍ମା ! ଭୀମଭୋଇ ଓ ଗୋପବନ୍ଧୁ ! ଏହି ଧୂଳିମାଟିରେ ଫୁଲ ହୋଇ ଫୁଟିଥିଲେ ସତ, ହେଲେ ମହକରେ ମହକିତ କରିଦେଇଥିଲେ ସମଗ୍ର ବିଶ୍ଵକୁ ।
(ସୌଜନ୍ୟ: ‘ସମ୍ଵାଦ’ ଅକ୍ଟୋବର ୨୦୨୧)
ଉପସ୍ଥାପନା : ମୋ ପ୍ରିୟତମ ପାଥେୟର ସରଣୀ ଅମୃତେଶ
© ଅମୃତେଶ ଖଟୁଆ Amritesh Khatua

1 thought on “ଭୀମଭୋଇ ଓ ଗୋପବନ୍ଧୁ”

Leave a Comment

Your email address will not be published. Required fields are marked *

Scroll to Top