ଲେଖା: ଦେଵ ତ୍ରିପାଠୀ
ଆମ ରାଜ୍ୟରେ ଅଞ୍ଚଳ ଭିତ୍ତିରେ ପାନର ଗୁଣାତ୍ମକ ମାନ ତଥା ବୈଶିଷ୍ଟ୍ୟ ସମ୍ପୃକ୍ତ ଅଞ୍ଚଳର ସଂସ୍କୃତି, ପରମ୍ପରା ଓ ଅର୍ଥନୀତିକୁ ବହୁଳ ଭାବରେ ପ୍ରଭାବିତ କରିପାରିଛି ! ଯଥାର୍ଥ କଥା !
ଅବିଭକ୍ତ ବାଲେଶ୍ଵର ଓ କଟକ ଜିଲ୍ଲାରେ ପାନର ଅମଳ ବ୍ୟାପକ ହେଉଥିଲେ ମଧ୍ୟ ପାନର ବଜାରଟି ସଦାସର୍ବଦା ଚଳଚଞ୍ଚଳ ରହେ ବ୍ରହ୍ମପୁର ସହରରେ ! କାରଣ ମଧ୍ୟ ରହିଛି !
ଗଞ୍ଜାମ ଜିଲ୍ଲାରେ ପ୍ରାକୃତିକ ପରିବେଶରେ ଚାଷ ହେଉଥିବା ଛାଚି ପାନ ନିଜର ଅତୁଳନୀୟ ସ୍ବାଦ ପାଇଁ ଏକଦା ଆକର୍ଷି ପାରିଥିଲା ଉତ୍ତର ଭାରତୀୟ ପାନରସିକ ମାନଙ୍କୁ ! ମୁଖ୍ୟତଃ ଉତ୍ତରପ୍ରଦେଶ ରାଜ୍ୟର ବହୁଳାଂଶ ଓ ବିହାର ପ୍ରଦେଶର କେତେକାଂଶରେ ଅନ୍ୟ ରାଜ୍ୟର ପାନ ତୁଳନାରେ ଲୋକପ୍ରିୟତା ହାସଲ କରିପାରିଥିଲା ଆମ ହିଞ୍ଜିଳିକାଟୁ ତଥା ଆଖପାଖ ଅଞ୍ଚଳର ପାନ ! ବନାରସୀ ପାନ ବୋଲି ଯେଉଁ ନାମ ଡ଼ାକ, ସେଇ ପାନ କହିଲେ ମୁଖ୍ୟତଃ ଗଞ୍ଜାମର ପାନପତ୍ରକୁ ହିଁ ବୁଝାଇଥାଏ, ପାନର ମସଲା ଅବଶ୍ୟ ଭିନ୍ନ
କେବଳ ବନାରସ ନୁହେଁ, ଏକଦା ଲକ୍ଷ୍ନୌ, କାନପୁର ଇତ୍ୟାଦି ନଗରୀ ଗୁଡ଼ିକରେ ମଧ୍ୟ ଏଇ ପାନ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା । ନବେ ଦଶକର ଶେଷ ଭାଗ ପର୍ଯ୍ୟନ୍ତ ବନାରସ ଇତ୍ୟାଦି ଅଞ୍ଚଳର ପାନ ଏଜେଣ୍ଟ ବ୍ରହ୍ମପୁରରେ ଡେରା ପକାଇ ରହୁଥିଲେ ! ସେଠାକାର ପାନ ହୋଲସେଲର୍ ଏବଂ ବିକ୍ରେତାଙ୍କ ମହଲରେ ଏ ପାନ ଓଡ଼ିଶା ପାନ ଭାବେ ପାଇଥିଲା ସ୍ବତନ୍ତ୍ର ପରିଚୟ !
ତେବେ ପାନଚାଷ ପାଇଁ ଚାଷୀକୁ ଅପେକ୍ଷାକୃତ ଭାବେ କମ୍ ପରିଶ୍ରମ ସହିତ ସଠିକ ଭାବେ ବାହାର ରାଜ୍ୟର ବଜାରରେ ଚାହିଦା ସୃଷ୍ଟି କରାଇ ପାରିଥିବାରୁ ଗଞ୍ଜାମର ଚାଷୀ ମନ ବଳାନ୍ତି ନୂତନତ୍ବ ପାଇଁ ! ଜିଲ୍ଲାର ବ୍ୟାପକ ପାନଚାଷ ଏବଂ ବ୍ୟସ୍ତ ବ୍ୟବସାୟିକ ସଫଳତା ସହିତ ଯୋଡ଼ି ହୋଇଯାଏ ନୂତନ ଫର୍ଦ୍ଦ !
ଉନବିଂଶ ଶତାବ୍ଦୀର ଶେଷବେଳକୁ ଉପଯୁକ୍ତ ମସଲାର ଅଭାବରେ ଯେ ପାନର ସ୍ବାଦ ଫିକା, ଏପରି ଅନୁଶୀଳନ କରିପାରିଥିଲେ ପାଣ୍ଡିଆ ସୁବୁଦ୍ଧି ନାମ୍ନୀ ଜଣେ କରିତକର୍ମା ବ୍ୟବସାୟୀ ! ନୂଆ କିଛି କରିବାର ଅଦମ୍ୟ ସ୍ପୃହାରୁ ସୃଷ୍ଟି ହୁଏ ହରେକ ରକମର ପାନମସଲା ! ବିଭିନ୍ନ ପ୍ରକାରର ପରୀକ୍ଷାନିରିକ୍ଷାରୁ ସୃଷ୍ଟି ହେଲା ସ୍ବତନ୍ତ୍ର ମହକର ଅଧିକାରୀ କେତକୀ ମସଲା ! ତେବେ ସୁବୁଦ୍ଧିଙ୍କ ଅନ୍ତେ ତାଙ୍କ ପିଲାମାନେ ଏ ବ୍ୟବସାୟ ପ୍ରତି ଅମନୋଯୋଗୀ ହେବା କାରଣରୁ ଗୁମାସ୍ତା ଅର୍ଜୁନ ସାହୁ ବ୍ୟବସାୟକୁ ହାତକୁ ନେଇ ନିଜ ଗ୍ରାମରେ ପ୍ରତିଷ୍ଠିତ କରାନ୍ତି !
ନିଜର ଆରାଧ୍ୟ ଦେବତା ଲକ୍ଷ୍ମୀନୃସିଂହଙ୍କ ନାମାନୁସାରେ ସାହୁଏ ‘ଲକ୍ଷ୍ମୀନୃସିଂହ କେତକୀ ଖାରା ମସଲା’ ପ୍ରସ୍ତୁତି ଚାଲୁ ରଖିଲେ ମଧ୍ୟ ଉକ୍ତ ମସଲାଟି ସାହୁଙ୍କ ଗ୍ରାମ ହରିଡ଼ାଖଣ୍ଡି ନାମରେ ହରିଡ଼ାଖଣ୍ଡି ମସଲା ଭାବେ ହେଲା ଅତ୍ୟନ୍ତ ଲୋକପ୍ରିୟ ! ପରବର୍ତ୍ତୀ ସମୟରେ ସାହୁ ମହାଶୟଙ୍କ ପୁଅମାନେ ‘ହରିଡ଼ାଖଣ୍ଡି ମସଲା କମ୍ପାନୀ ଲିମିଟେଡ୍’ ଏବଂ ‘ଅର୍ଜୁନ ସାହୁ ଏଣ୍ଡ୍ କୋ ଲିମିଟେଡ଼୍’ ପରି ଦୁଇ ଦୁଇଟି କମ୍ପାନୀ ଗଢିଥିଲେ ମଧ୍ୟ ପିତାଙ୍କ ଆଦର୍ଶକୁ ବଜାୟ ରଖି ଗୁଣାତ୍ମକ ମସଲା ପ୍ରସ୍ତୁତ କରିଚାଲିଲେ !
ଧନିଆ, ପୋସ୍ତକ, କଳାଜିରା, ଜାଇଫଳ, ଡାଳିଚିନି, ଲବଙ୍ଗ, ଗୁଜୁରାତି, ଟବାକୋ ଚିନି, ଚୁଆ ତେଲ ସହିତ ସବାଶେଷରେ କିଆ (କେତକୀ) ଫୁଲ ମିଶାଇ ପ୍ରସ୍ତୁତ ସ୍ବାଦିଷ୍ଟ ମସଲା ଲୋକମୁଖରେ କେତକୀ ଖାରା ମସଲା ଭାବେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ତଥା ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ଅତ୍ୟନ୍ତ ଲୋକପ୍ରିୟ ହୋଇ ପାରିଥିଲେ ମଧ୍ୟ ଏହି ମସଲା ନିମ୍ନବର୍ଗ ତଥା ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଗ୍ରାହକଙ୍କ ପ୍ରିୟ ହୋଇ ପାରିଲା !
ସମୟକ୍ରମେ ଚାହିଦାକୁ ଧ୍ୟାନରେ ରଖି ଆଧୁନିକ ବୈଷୟିକ ଜ୍ଞାନ କୌଶଳର ଉପଯୋଗରେ ସମାଜର ବିଭିନ୍ନ ବର୍ଗର ପାନୁଆଙ୍କ ନିମନ୍ତେ ଭିନ୍ନ ଭିନ୍ନ ମସଲା ପ୍ରସ୍ତୁତିରେ ସଫଳ ହେଲେ ସାହୁ ଭାଇ ଦୁହେଁ !
କୁହାଯାଏ ଓଡ଼ିଆଙ୍କ ଭିତରେ ସବୁଠାରୁ ପରିଶ୍ରମୀ ଗଞ୍ଜାମବାସୀ । ସତକଥା ! ତେବେ କହିବା ଅନାବଶ୍ୟକ ଯେ ସବୁଠୁ ହତଭାଗା ମଧ୍ୟ ! କେବେ ସରକାରୀ କଳର ଉଦାସୀନତା ଏମାନଙ୍କ ମେରୁହାଡ଼ ଭାଙ୍ଗିଦିଏ ତ କେବେ ଦଇବ ଏମାନଙ୍କ ଉପରେ ଦାଉ ସାଧେ ! ନିରବଚ୍ଛିନ୍ନ ଭାବେ ସରକାରୀ ଉଦାସୀନତା, ଫି ବର୍ଷ ବା’ବତାସ ସାଙ୍ଗକୁ କିଛି ଲାଭଖୋର ଚାଷୀଙ୍କ ରାସାୟନିକ ସାରର ପ୍ରୟୋଗ ଫଳରେ ଗଞ୍ଜାମ ପାନର ସ୍ବାଦରେ ପରିବର୍ତ୍ତନ ସହିତ ଅମଳହ୍ରାସ ନିମନ୍ତେ ଦିନେ ଖ୍ୟାତିର ଶୀର୍ଷଦେଶର ଥିବା ଏଇ ଚାଷ ଓ ବ୍ୟବସାୟ ନବେ ଦଶକ ବେଳକୁ ଭୂପତିତ ହେଲା ! ସେ ବେଳକୁ ଦେଶୀୟ ବହୁଦେଶୀୟ କମ୍ପାନୀମାନଙ୍କ ଦ୍ଵାରା ପ୍ରସ୍ତୁତ ସୌଖିନ ପାନମସଲା ଏବଂ ମୁଖରୁଚି ଚିଜମାନ ପାନର ଦୁନିଆରେ ରାଜୁତି ଆରମ୍ଭ କଲେଣି !
ତେଣେ କେତକୀ ଖାରା ମସଲାର ଅହେତୁକ ଲୋଭନୀୟ ଚାହିଦାକୁ ଧ୍ୟାନରେ ରଖି ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଶସ୍ତା ମାନର ମସଲା ଉଦ୍ୟୋଗ ଗଢ଼ି ଉଠିବା ଏବଂ ବ୍ରହ୍ମପୁର ସହରରେ ହରିଡ଼ାଖଣ୍ଡି ପାନ ମସଲାର ଅଗଣିତ ନକଲି ମସଲା ପ୍ରସ୍ତୁତି ସହିତ ଅସଲି ମସଲାଟି ପଛରେ ପଡ଼ିଗଲା ! କିଆଫୁଲର ଅଭାବ ଏବଂ ମୂଲ୍ୟବୃଦ୍ଧି ସହିତ ନକଲି ଉଦ୍ୟୋଗ ମାନେ ଶସ୍ତା ଓ ମାନହୀନ ମସଲା ପ୍ରସ୍ତୁତ କରି ନିଜର ଗ୍ରାହକଶ୍ରେଣୀ ସୃଷ୍ଟି କରିଚାଲିଲେ !
ଗୁଣ ଓ ମାନରେ ସାଲିସ୍ କରିବା ଶିଖି ନ ଥିବା ସାହୁ ଭାଇ ଦୁଇଜଣ ଦୁଃସ୍ଥ ପ୍ରତିଯୋଗିତାରେ ହାର ମାନିଲେ !
ଲତାଟିଏକୁ ଆଶ୍ରା କରି ଗଢ଼ି ଉଠିଥିଲା ଯେଉଁ ସଂସ୍କୃତିର ମହାଦ୍ରୂମ, ସେ ଦ୍ରୁମ ଦିନେ ଧରାଶାୟୀ ହେଲା ! ଏ ଜାତିର ବାହାଦୂରୀ ବନିଯାଇଥିବା ସେ ବ୍ୟବସାୟର ଦିଗବଳୟରେ ଦିନେ ପୁଣି ଘୋଟିଗଲା ହତାଶାର କାଳିମା !
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago