ଲେଖା: ତ୍ରିଲୋଚନ ସ୍ୱାଇଁ
~ ବୀରଭଦ୍ରେଶ୍ୱର ମନ୍ଦିର ~
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
ପତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ବିଚାରକଲେ କଟକ ଜିଲ୍ଲାର ପ୍ରାଚୀନ ଏକ ଶିବ ମନ୍ଦିର ହେଉଛି ବୀରଭଦ୍ରେଶ୍ୱର ମନ୍ଦିର, ଯାହାକି ମାହାଙ୍ଗା ବ୍ଲକ ଅନ୍ତର୍ଗତ ଭଦ୍ରେଶ୍ୱର ଗ୍ରାମରେ ଅବସ୍ଥିତ l ଏହି ମନ୍ଦିରଟି ପ୍ରାୟ ବାରଶହ ବର୍ଷରୁ ଅଧିକ ପୁରୁଣା ହେବ; ଯାହାକି ସୋମବଂଶୀ ଶାସକଙ୍କ ଶାସନ ସମୟରେ ନିର୍ମାଣ ହୋଇଥିବାର ଅନୁମାନ l
ସ୍ୱଳ୍ପଉଚ୍ଚର ଏହି ମନ୍ଦିର ଗର୍ଭଗୃହରେ ଶିବଲିଙ୍ଗ ପ୍ରାଣ ପ୍ରତିଷ୍ଠିତ l ଶିବଲିଙ୍ଗରେ ଉଭୟ ଶିବ ଓ ଶକ୍ତିଙ୍କ ରୂପ ଖୋଦିତ ହୋଇଛି l ସୌଭାଗ୍ୟକୁ ସେଦିନ ଭଦ୍ରେଶ୍ୱରଙ୍କ ରୁଦ୍ରାଭିଷେକ ପୂଜା ସମାପନ ହୋଇଥିବାରୁ ଠାକୁରଙ୍କୁ ଖୁବ୍ ସୁନ୍ଦର ରୂପେ ସଜା ଯାଇଥିଲା l ଜାଣ ମହାଦେବଙ୍କ ଦିବ୍ୟ ଦର୍ଶନ ହୋଇଥିଲା l
ବୀରଭଦ୍ରେଶ୍ୱର ମନ୍ଦିର ଗର୍ଭଗୃହ ସମୁଖସ୍ଥ ଜଗମୋହନ ଓ ନାଟମଣ୍ଡପର ଉପରିଭାଗରେ ଛାତ ନାହିଁ l ଖୋଲା ଆକାଶ ତଳେ, ଜଗମୋହନରେ ଥିବା ବୃଷଭଙ୍କ ମୂର୍ତ୍ତିଟି ଖୁବ୍ ସୁନ୍ଦର ଏକ ପ୍ରତିମା l ଦର୍ଶନ ମାତ୍ରକେ ମନରେ ଆନନ୍ଦ ଭରିଯାଏ l ପୂଜକଙ୍କ କହିବାନୁସାରେ ବୃଷଭଙ୍କ ଶରୀର ଓ ବେକରେ ଶହେ ଆଠ ଘୁଙ୍ଗୁର ଖୋଦିତ ହୋଇଛି ମାତ୍ର ଗଣିବାକୁ ଚେଷ୍ଟା କଲେ ପ୍ରତ୍ୟେକ ଥର ଗଣନା ଭୁଲ ହୁଏ l
ମନ୍ଦିର ଗର୍ଭଗୃହର ପ୍ରବେଶ ପଥରେ ସୁନ୍ଦର କାରୁକାର୍ଯ୍ୟମାନ ଦୃଶ୍ୟମାନ ହୁଏ l ଭଗ୍ନ ଜଗମୋହନ ଓ ନାଟମଣ୍ଡପର ବାହ୍ୟ ପାର୍ଶ୍ଵରେ ଦିଗପାଳ, ଗଜବିଡ଼ାଳ ଆଦି ମୂର୍ତ୍ତିମାନ ଦେଖିବାକୁ ମିଳେ l ମାତ୍ର ସମୟର କରାଳ ସ୍ରୋତରେ ସେହି ପ୍ରତିମା ଗୁଡ଼ିକ ମଳିନ ଓ ନିଷ୍ପ୍ରଭ l ପାର୍ଶ୍ଵଦେବତା ରୂପେ ଗଣେଶ, କାର୍ତ୍ତିକେୟ ଓ ପାର୍ବତୀଙ୍କ ସୁନ୍ଦର, କମନୀୟ ପ୍ରତିମା ରହିଛି l ମନ୍ଦିର ପଶ୍ଚାତ ଭାଗରେ କଳା ମୁଗୁନି ପଥରରେ ନିର୍ମିତ ବିରାଟ ଏକ ଦଧିନଉତି କଳସ ପଡ଼ିରହିଛି l
(ଓଲଟ ପଦ୍ମ ପାଖୁଡ଼ାରେ ଦଣ୍ଡାୟମାନ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ
ଶ୍ରୀ ବିନାୟକଙ୍କ ପ୍ରତିମା)
ବୀରଭଦ୍ରେଶ୍ୱର ମନ୍ଦିର ଜଗମୋହନର ଦକ୍ଷିଣ ପାର୍ଶ୍ୱରେ ଖୋଲା ଆକାଶ ତଳେ ହନୁମାନଙ୍କର ଏକ ବିଚିତ୍ର ପ୍ରତିମା ରହିଛି l ଖଡ୍ଗ ଓ ମୁଦ୍ଗର ଧାରଣ ପୂର୍ବକ ହନୁମାନଙ୍କ ଜିହ୍ୱା ଲହ ଲହ ହୋଇ ବାହାରକୁ ବାହାରିଛି l ନିଶ୍ଚିତ ଭାବେ ଏହା ଏକ ବିଚିତ୍ର ପ୍ରତିମା ଯାହା ଅନ୍ୟତ୍ର ପ୍ରାୟ ଦେଖିବାକୁ ମିଳେନାହିଁ l କେହି କେହି ଏହି ମୂର୍ତ୍ତିକୁ ସପ୍ତମାତୃକାଙ୍କ ନରସିଂହୀ ବୋଲି ବିବେଚନା କରନ୍ତି l ମନ୍ଦିର ପଶ୍ଚାତ ଭାଗରେ ବିରାଟ ଏକ ପୁଷ୍କରିଣୀ ରହିଛି l ପୁଷ୍କରିଣୀକୁ ଲାଗି ଏକ ଆସ୍ଥାନରେ ଗ୍ରହରାଜ ଶନି ପୂଜା ପାଉଛନ୍ତି l
Spread the love
admin

Recent Posts

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

5 hours ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 week ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago