ଲେଖା: ତ୍ରିଲୋଚନ ସ୍ୱାଇଁ
~ ଶଙ୍କରେଶ୍ୱର ମହାଦେବ ମନ୍ଦିର ~
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
କେଉଁ ଆବାହମାନ କାଳରୁ ମଣିଷ ଓ ଈଶ୍ୱର ଅଙ୍ଗାଙ୍ଗିଭାବେ ଜଡିତ, ପରସ୍ପର ସହିତ ପରିପୂରକ l ଈଶ୍ୱର ତତ୍ତ୍ୱକୁ ମଣିଷ ନିଜ ଜୀବନରେ ସର୍ବଶକ୍ତିମାନ ନିୟତି ରୂପରେ ପରିକଳ୍ପନା କରି, ନିର୍ଜୀଵ ନିଷ୍ପ୍ରାଣ ଜଡ଼ ବସ୍ତୁରେ କେଉଁଠି ସର୍ବଶକ୍ତିମାନ ସ୍ୱରୂପକୁ ଚିନ୍ତନ କରି ପ୍ରାଣ ସଂଚାର କରେତ, ପୁଣି କେଉଁଠି ଅବିନଶ୍ୱର ଅରୂପ ରୂପକୁ ଚିନ୍ତନ ମନନ କରେ l
ଭାରତୀୟ ସନାତନ ଧର୍ମଧାରାରେ ଶିବ ପୂଜା ବା ଶିବଲିଙ୍ଗ ସ୍ୱରୂପକୁ ପୂଜା ଆରାଧନା କରିବାର ପ୍ରାରମ୍ଭ କାଳ ସମ୍ପର୍କରେ ଆମେ ସମସ୍ତେ ପ୍ରାୟ ଅଜ୍ଞ l ଏହି ପୂଜା ଵିଧି କେବେଠୁ ଆରମ୍ଭ ହୋଇଛି ତାହା କହିବା ମଧ୍ୟ ଅସମ୍ଭବ l ସହସ୍ର ବର୍ଷ ପୂର୍ବେ କେବଳ ଭାରତୀୟ ଉପଦୀପ ନୁହେଁ ଭାରତ ବାହାରେ ମଧ୍ୟ ଅନ୍ୟ ଅନେକ ଦେଶରେ ଶିବଲିଙ୍ଗ ପୂଜା ପାଉଥିବାର ପ୍ରମାଣ ମିଳେ l
ଓଡ଼ିଶା ରାଜ୍ୟରେ ମଧ୍ୟ କେଉଁ ଆବାହମାନ କାଳରୁ ଶିବଲିଙ୍ଗ ପୂଜା ପାଉଥିବାର ଜଣାଯାଏ l ରାଜ୍ୟର ବିଭିନ୍ନ ଅଞ୍ଚରେ ଅନେକ ଗୁଡ଼ିଏ ଶିବ ମନ୍ଦିର ରହିଛି l ଶୈଳୋଦ୍ଭଵ, ଭୌମକର, ସୋମବଂଶୀ, ଗଙ୍ଗବଂଶୀ, ଗଜପତି ଆଦି ଶାସକଙ୍କ ଶାସନ ସମୟରେ ଅନେକ ଶିବାଳୟ ରାଜ୍ୟର କୋଣନୁକୋଣରେ ନିର୍ମାଣ ହୋଇଥିଲା l କେତେକ ଦେଉଳ ଜରାଜୀର୍ଣ୍ଣ ଓ ଭଗ୍ନ ଅବସ୍ଥାରେ ରହିଥିବାବେଳେ ଆଉ କେତେକ ଭଗ୍ନ ଦେଉଳର ପରବର୍ତ୍ତୀ ସମୟରେ ନୂତନ ନିର୍ମାଣ କରାଯାଇଛି l
ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା କାର୍ଯ୍ୟକ୍ରମରେ ଏକ ନୂତନ ଶିବାଳୟ ସନ୍ଧାନରେ ଆମେ ପହଞ୍ଚିଥିଲୁ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ପାଟପୁର ଗାଁରେ l ଶସ୍ୟଶ୍ୟାମଳା ସବୁଜିମା ଭରା ଗ୍ରାମ୍ୟ ପରିବେଶରେ ଶଙ୍କରେଶ୍ୱର ମହାଦେବ ମନ୍ଦିର କେଉଁ ପ୍ରାଚୀନ ଯୁଗରୁ ଦଣ୍ଡାୟମାନ ତା’ର ହିସାବ କାହାରି ପାଖରେ ନାହିଁ l
ମନ୍ଦିରର ମୁଖ୍ୟ ପୂଜକ ବାବୁଲି ନନାଙ୍କ କହିବାନୁସାରେ ଏହି ଶଙ୍କରେଶ୍ୱର ମହାଦେବ ମନ୍ଦିର ଗର୍ଭଗୃହରେ ଥିବା ଶିବଲିଙ୍ଗଟି ବହୁ ପ୍ରାଚୀନ l ତାଙ୍କ କହିବାନୁସାରେ ବର୍ତ୍ତମାନର ମନ୍ଦିରଟି ପ୍ରାୟ ଚାରିଶହ ବର୍ଷରୁ ପୁରୁଣା ହେବ l ଯାହାକି ଜଣେ ଶିବ ଭକ୍ତ ଶଙ୍କର ମହାଜନଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଜଣାଯାଏ l
ଏହା ପଛରେ ଥିବା କଥନିକାଟି ହେଲା, ଏହି ମନ୍ଦିର ଠାରୁ ଅଳ୍ପ ଦୂରରେ ବହିଯାଉଥିବା ଚିତ୍ରୋତ୍ପଳା ନଦୀ ପଥରେ ବଙ୍ଗଦେଶରୁ ବଣିଜ କରିବାକୁ ଶଙ୍କର ମହାଜନ କଟକ ଆସନ୍ତି l କୁହାଯାଏ ସେ ସମୟରେ ନଦୀର ଏକ ଧାରା ଏହି ଗ୍ରାମ ଦେଇ ପ୍ରବାହିତ ହେଉଥିଲା ମାତ୍ର ଏବେ ସେଇ ନଦୀର ଧାର ଦୃଶ୍ୟମାନ ହୁଏନାହିଁ l ହେଲେ ସେଇ ଅଞ୍ଚଳରେ ଅନେକ ଗୁଡ଼ିଏ ବୃହତକାୟ ପ୍ରାକୃତିକ ଜଳାଶୟମାନ ଦେଖିବାକୁ ମିଳେ, ଯାହାକି ମନୁଷ୍ୟକୃତ ମଧ୍ୟ ନୁହେଁ l ଶଙ୍କର ମହାଜନ ଜଣେ ମହାନ ଶିବ ଭକ୍ତ ଥିଲେ l ପ୍ରତ୍ୟହ ଶିବ ଦର୍ଶନ ଉପରାନ୍ତେ ସେ ଅନ୍ନ ଜଳ ଗ୍ରହଣ କରନ୍ତି l ଏଣୁ ଏହି ଅଞ୍ଚଳରେ ରହଣି ସମୟରେ ସେଠାରେ ଥିବା ପ୍ରାଚୀନ ଶିବ ମନ୍ଦିରରେ ସେ ଦିଅଁ ଦର୍ଶନ କରନ୍ତି l
ପରବର୍ତ୍ତୀ ସମୟରେ ସେଠାରେ ଥିବା ପ୍ରାଚୀନ ଦେଉଳଟିର ନୂତନ ନିର୍ମାଣ ଶଙ୍କର ମହାଜନଙ୍କ ଦ୍ୱାରା ହୋଇଥିଲା, ଆଉ ସେଇ ଦିନରୁ ମନ୍ଦିର ଗର୍ଭଗୃହରେ ଥିବା ଶିବଲିଙ୍ଗ ଓ ଦେଉଳ ଶଙ୍କରେଶ୍ୱର ମହାଦେବ ନାମରେ ପରିଚିତ ହେଲେ l ମନ୍ଦିର ପରିସରରେ ଥିବା ପ୍ରାଚୀନ ମୂର୍ତ୍ତି, ପାର୍ଶ୍ଵ ଦେବତା ଓ ଗର୍ଭଗୃହରେ ଥିବା ଶିବଲିଙ୍ଗକୁ ଦେଖିଲେ ଏହା ଯେ ଚାରିଶହ ବର୍ଷରୁ ଆହୁରି ଅଧିକ ପୁରୁଣା ହେବ ଏଥିରେ କାହାରି ସନ୍ଦେହ ନାହିଁ l
ସେଠାରୁ କିଛି କିଲୋମିଟର ଦୂରତା ମଧ୍ୟରେ ଥିବା ଭଦ୍ରେଶ୍ୱର ଗ୍ରାମର ବୀରଭଦ୍ରେଶ୍ୱର, ସାଲେପୁର କଲେଜ ନିକଟରେ ଥିବା ବଟେଶ୍ୱର ଓ ପଲ୍ଲୀସାହିରେ ଥିବା କେଦାରେଶ୍ୱର ମହାଦେବ ମନ୍ଦିରର ସମସାମୟିକ ହୋଇଥିବ ଏହି ଶଙ୍କରେଶ୍ୱର ମହାଦେବ ମନ୍ଦିର; ଯାହାକି ସୋମବଂଶୀ ଶାସକଙ୍କ ସମୟରେ ବା ତାର ପରବର୍ତ୍ତୀ ଗଙ୍ଗ ବଂଶୀ ଶାସକଙ୍କ ସମୟରେ ନିର୍ମାଣ ହୋଇଥିବା ଅନୁମାନ କରାଯାଏ l ପରବର୍ତ୍ତୀ କୌଣସି ସମୟରେ ତାହା ଭାଙ୍ଗିରୁଜି ଯାଇଥିବ ବା କଳାପାହାଡ଼ ଦ୍ୱାରା ଧ୍ବଂସପ୍ରାପ୍ତ ହୋଇଥିବ l ଏହି ମନ୍ଦିର ଉପରେ ଅଧିକ ଅନୁସନ୍ଧାନ ହେଲେ ଅନେକ ନୂତନ ତଥ୍ୟ ଜଣାପଡ଼ନ୍ତା l
(ତ୍ରିବିକ୍ରମ ରୂପ : ପାଦ ଦେଶରେ ରହିଛନ୍ତି ବଳୀ,
ବାମନଦେବ ଓ ଶୁକ୍ରାଚାର୍ଯ୍ୟ)
ଏହି ପ୍ରସଙ୍ଗକୁ ପ୍ରମାଣ କରିବାକୁ ଯାଇ ପୂଜକ ବାବୁଲି ନନା ଯାହା କୁହନ୍ତି, ପ୍ରାୟ ଦୁଇବର୍ଷ ତଳେ ନିକଟସ୍ଥ ପୁଷ୍କରିଣୀର ସଫେଇ ସମୟରେ ସେଠାରୁ ଅନେକ ଗୁଡ଼ିଏ ବିରାଟକାୟ ଭଗ୍ନ ପଥରମାନ ଦେଖିବାକୁ ମିଳିଥିଲା ଯାହାକି ସେଠାରେ ପୂର୍ବରୁ ଥିବା ପ୍ରାଚୀନ ମନ୍ଦିରର ପଥର ହୋଇଥିବା ଅନୁମାନ କରାଯାଏ l
ଶଙ୍କରେଶ୍ୱର ମହାଦେବ ମନ୍ଦିର ଗର୍ଭଗୃହରେ ହରପାର୍ବତୀଙ୍କ ଧାତୁ ମୂର୍ତ୍ତି ରହିଛି l ଏହି ଚନ୍ଦ୍ରଶେଖର ପ୍ରତିମା ବିଭିନ୍ନ ଜାନିଯାତ୍ରାରେ ଚଳନ୍ତି ପ୍ରତିମା ରୂପେ ମନ୍ଦିର ବାହାରକୁ ଆସନ୍ତି l ମନ୍ଦିର ଜଗମୋହନରେ ଏକ ବୃହତ ନୃସିଂହ ପ୍ରତିମା ରହିଛି ଏବଂ ପାର୍ଶ୍ଵଦେବଦେବୀ ରୂପେ ଗଣେଶ, କାର୍ତ୍ତିକ ଓ ପାର୍ବତୀଙ୍କ ପ୍ରତିମା ରହିଛନ୍ତି l ମନ୍ଦିର ପରିସରରେ ଖୋଲା ଆକାଶ ତଳେ ଆଉ ଏକ ଶିବଲିଙ୍ଗ ପ୍ରତିଷ୍ଠିତ ହୋଇଛନ୍ତି l ମନ୍ଦିର ପଶ୍ଚାତ ଭାଗରେ ଏକ ବିରାଟ ପୁଷ୍କରିଣୀଟି ମଧ୍ୟ ରହିଛି, ଯାହାକି ମନ୍ଦିର ଶୋଭାକୁ ଦ୍ବିଗୁଣିତ କରେ l
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago