ଲେଖା: ଶ୍ରୀକାନ୍ତ ସିଂହ
~ ଲକ୍ଷ୍ମୀନାରାୟଣ ମନ୍ଦିର ~
ମହାଭାରତ ଯୁଗରୁ ଏପରିକି ତାହାର ବହୁ ପୂର୍ଵରୁ ବର୍ତ୍ତମାନର କଟକ ସହର ଓ ଏହାର ଆଖପାଖ ଅଞ୍ଚଳରେ ମାନବ ସଭ୍ୟତା ସହିତ ନୂତନ ଜନବସତିମାନ ଗଢ଼ି ଉଠିଥିବା ଅନୁମେୟ l ଏ ସମ୍ପର୍କରେ କୌଣସି ଐତିହାସିକ ତଥ୍ୟ ଇତିହାସରେ ଲିପିବଦ୍ଧ ହୋଇ ନଥିଲେ ହେଁ କଟକ ସହର ଓ ଏହାର ଚତୁଃପାର୍ଶ୍ୱରେ ଥିବା ସହସ୍ର ବର୍ଷ ପ୍ରାଚୀନ ଗୁମ୍ଫା, ଶିଳାଲିପି ଓ ମନ୍ଦିର ଆଦିକୁ ନେଇ ଥିବା କିମ୍ବଦନ୍ତୀରୁ ତାହା ଅନୁମାନ କରିହୁଏ l
ବାଙ୍କୀ, ବଡମ୍ବା ଆଦି ଅଞ୍ଚଳରେ ଥିବା ରାମେଶ୍ୱର, ବୈଦେଶ୍ଵର, ବାଲି ସିଂହନାଥ, ଦୂର୍ଗା ମନ୍ଦିର, କଟକ ଚୌଦ୍ୱାର ଅଞ୍ଚଳରେ ଥିବା ଅଷ୍ଟଶମ୍ଭୁ ମନ୍ଦିର ବିଶେଷକରି କେଦାରେଶ୍ୱର, ଉତ୍ତରେଶ୍ୱର, ବିରାଟଗାଦି ଆଦି ସ୍ଥାନ ସହିତ ଯୋଡ଼ି ହୋଇଥିବା କିମ୍ବଦନ୍ତୀକୁ ଏହାର ଆଧାର ରୂପେ ନିଆ ଯାଇପାରେ l ସମୟର ପ୍ରବାହରେ ଅନେକ ଇତିହାସ ସୃଷ୍ଟି ହୋଇଛି ଏଇ ମାଟିରେ, ଅନେକ ଅତୀତ ମଧ୍ୟ ଲୁଚି ଯାଇଛି ସମୟର ତନ୍ଦ୍ରାଛାଦିତ କରାଳ ଗର୍ଭରେ, ଆଉ ପୁଣି କେବେ କେମିତି ସମୟର ସ୍ରୋତରେ ପ୍ରବାହମାନ ହୋଇ ସେହି ଅତୀତ ପୁନରାୟ ମୁଣ୍ଡ ଟେକି ଛିଡ଼ା ହୋଇଛି ବର୍ତ୍ତମାନରେ l
କଟକ ସହର ଠାରୁ କିଛି ଦୂରରେ ଥିବା ସ୍ୱଳ୍ପ ପରିଚିତ ଲକ୍ଷ୍ମୀନାରାୟଣ ମନ୍ଦିର ଓ ଲକ୍ଷ୍ମୀନାରାୟଣଙ୍କ ପ୍ରାଚୀନ ଶ୍ରୀବିଗ୍ରହକୁ ଦେଖିବାର ଆଗ୍ରହ ନେଇ ଏକ ଶୀତୁଆ ସକାଳରେ ଆମେ ବାହାରି ପଡ଼ିଲୁ l ସାଲେପୁର ବଜାର ପାର ହୋଇ ନିଶ୍ଚିନ୍ତକୋଇଲି ଦିଗରେ ମାତ୍ର ତିନି କିଲୋମିଟର ପଥ ଅତିକ୍ରମ କଲାପରେ ଆସେ କେନ୍ଦୁପଟଣା ଆଉ ସେଠାରୁ ଦକ୍ଷିଣ ଦିଗକୁ ଭାଙ୍ଗି ଗଲେ ଚମ୍ପତିପାଟଣା ଗ୍ରାମରେ ରହିଛି ପ୍ରାଚୀନ ଲକ୍ଷ୍ମୀନାରାୟଣ ମନ୍ଦିର l
(ଲକ୍ଷ୍ମୀନାରାୟଣଙ୍କ ଶ୍ରୀ ବିଗ୍ରହ)
(ଗର୍ଭଗୃହରେ ଥିବା ଶାଳଗ୍ରାମ ଓ ଅନ୍ୟ ପ୍ରତିମା)
(ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ଥିବା ଶିବଲିଙ୍ଗ)
ସେଦିନ ସଅଳ ମଧ୍ୟାହ୍ଣ ଧୂପ ସାରି ମନ୍ଦିରରେ ତାଲା ଦେଇ ପୂଜକ ଫେରିଯାଇଥିଲେ ସ୍ୱଗୃହକୁ l ଜନୈକ ଗ୍ରାମବାସୀଙ୍କଠାରୁ ମନ୍ଦିର ପୂଜକ ମିନି ନନାଙ୍କ ଠିକଣା ଆଣି ଛୁଟି ଯାଇଥିଲୁ ପାଟପୁର ତାଙ୍କ ଗାଁକୁ l ଧାନ ବିଲରେ କାର୍ଯ୍ୟରତ ଥିବା ନନାଙ୍କୁ ଅନୁରୋଧ କଲା ପରେ, ସେ ଆମ ସହିତ ଆସି ଅତି ଶ୍ରଦ୍ଧାରେ ଦିଅଁ ଦର୍ଶନ କରାଇଥିଲେ l ଲକ୍ଷ୍ମୀନାରାୟଣଙ୍କ ଦିବ୍ୟ ପ୍ରତିମା ଦେଖି ଆମେ ସମସ୍ତେ ଅଵିଭୂତ l ପ୍ରାୟ ଚାରିଫୁଟ ଉଚ୍ଚର କଳା ମୁଗୁନି ପଥରେ ନିର୍ମିତ ମୂର୍ତ୍ତିଟି ଏକ ଚମତ୍କାର ନିର୍ମାଣ l ଏହାର ସୁନ୍ଦରତା ବର୍ଣ୍ଣନା କରିବା ଦୃଷ୍ଟତା ହେବ ଜାଣ l ମୂର୍ତ୍ତିଟିର କାରୁକାର୍ଯ୍ୟ ଓ ନିର୍ମାଣ ଶୈଳୀକୁ ଦୃଷ୍ଟିଦେଲେ ଏହା ଗଙ୍ଗବଂଶୀ ଶାସକଙ୍କ ଶାସନ ସମୟର ନିର୍ମାଣ ହୋଇଥିବା ଅନୁମାନ l
(ବ୍ରହ୍ମl, ବିଷ୍ଣୁ ଓ ମହେଶଙ୍କ ଏକିଭୂତ ପାଷାଣ ମୂର୍ତ୍ତି)
ପୂଜକ ମିନି ନନାଙ୍କ କହିବାନୁସାରେ ପ୍ରତିମାଟି ଦକ୍ଷିଣ ଭାରତୀୟ ଶୈଳୀରେ ନିର୍ମିତ ବହୁପ୍ରାଚୀନ ମୂର୍ତ୍ତି l ସ୍ଥାନୀୟ ଅଞ୍ଚଳ ମାଟିତଳୁ ଉଦ୍ଧାର ହୋଇଥିବା ପ୍ରାଚୀନ ତାମ୍ର ଫଳକ ଲେଖା ଅନୁସାରେ ନରସିଂହ ଦେବଙ୍କ ଦ୍ୱାରା ଏଠାରେ ଲକ୍ଷ୍ମୀନାରାୟଣଙ୍କ ମନ୍ଦିର ନିର୍ମାଣ ହୋଇଥିଲା ଯାହାକି ପରବର୍ତ୍ତୀ ସମୟରେ ବିଧର୍ମୀଙ୍କ ଦ୍ୱାରା ଧ୍ବଂସ ପ୍ରାପ୍ତ ହୋଇଥିଲା l ଏହି ମୂର୍ତ୍ତିଟି ଚିତ୍ରୋତ୍ପଳା ନଦୀ ଗର୍ଭରୁ ଉଦ୍ଧାର ହେବା ପରେ ସ୍ଥାନୀୟ ଜମିଦାରଙ୍କ ଦ୍ୱାରା ନିର୍ମିତ ବର୍ତ୍ତମାନର ଏଇ ମନ୍ଦିରରେ ପ୍ରତିଷ୍ଠିତ ହୋଇ ପୂଜା ପାଉଛନ୍ତି l
(ମନ୍ଦିର ପରିସରରେ ଥିବା ଗ୍ରାମ ଦେବତୀ ଓ ଅନ୍ୟ ପ୍ରାଚୀନ ମୂର୍ତ୍ତି)
(“ଗଜ-ସିଂହ” କାଷ୍ଠ କଳାକୃତିର ଦୀପଦଣ୍ଡି)
(ମନ୍ଦିର ପରିସରରେ ଥିବା ପୁରୁଣା କଳସ)
ପ୍ରାଚୀ ନଦୀ ଉପତ୍ୟକାରେ ଥିବା ଚଉରାଶି ଗ୍ରାମର ଲକ୍ଷ୍ମୀନାରାୟଣଙ୍କ ଯୁଗଳ ପ୍ରତିମା ସହିତ ଏହି ପ୍ରତିମାର ନିର୍ମାଣ ଶୈଳୀରେ ଅନେକ ସାମଞ୍ଜସ୍ୟ ଥିବା ଦେଖିବାକୁ ମିଳେ l ଲକ୍ଷ୍ମୀନାରାୟଣଙ୍କ ଏହି ପ୍ରତିମାର ପାଦ ଦେଶରେ ପାଲି ବା ନାଗରୀ ଲିପିରେ ଶିଳାଲେଖ ମଧ୍ୟ ରହିଛି l ଯାହାର ଛବି ଏଠାରେ ସ୍ଥାନୀତ କରାଯାଇଛି l
(ଶ୍ରୀବିଗ୍ରହଙ୍କ ପାଦଦେଶରେ ଥିବା ଶିଳାଲିପି)
ଅତୀତକୁ ଦୃଷ୍ଟିଦେଲେ ଜଣାଯାଏ ମହାନଦୀ, ବିରୂପା ଓ ଚିତ୍ରୋତ୍ପଳା ନଦୀ ଅବବାହିକରେ ଦଣ୍ଡାୟମାନ ଥିବା ଅନେକ ପ୍ରାଚୀନ ମନ୍ଦିର ସବୁ ଧ୍ବଂସ ପ୍ରାପ୍ତ ହୋଇ ମାଟିରେ ମିଶିଯାଇଛି l ବିରୂପା ନଦୀ କୂଳରେ ଥିବା ତାଡ଼େଶ୍ୱର ମନ୍ଦିର, ପଞ୍ଚୁପାଣ୍ଡଵ ମନ୍ଦିର ହେଉ ବା ଚିତ୍ରୋତ୍ପଳା ନଦୀ ଅବବାହିକାରେ ଥିବା ପୂର୍ବକଛର ନୃସିଂହ ମନ୍ଦିର, ବଟୁକେଶ୍ୱର ମନ୍ଦିର, ଭଗବତୀ ମନ୍ଦିର ଆଦି ଅନେକ ମନ୍ଦିର ଆଜି ଧୂଳିସାତ l
(ପ୍ରାଚୀ ଉପତ୍ୟକା ଚଉରାଶି ଗ୍ରାମରେ ଥିବା
ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିର)
(ପ୍ରାଚୀ ଉପତ୍ୟକା ଚଉରାଶି ଗ୍ରାମରେ ଥିବା
ଶ୍ରୀ ଲକ୍ଷ୍ମୀନାରାୟଣଙ୍କ ପ୍ରତିମା)
ସେହିପରି କଟକ ସହର ଠାରୁ ପ୍ରାୟ କୋଡ଼ିଏ କିଲୋମିଟର ଦୂରରେ ଥିବା ଭାତପଡ଼ା ଗ୍ରାମରେ ରଘୁନାଥଙ୍କ ପ୍ରାଚୀନ ମୂର୍ତ୍ତିଟି ଚିତ୍ରୋତ୍ପଳା ନଦୀ ଗର୍ଭରୁ ଉଦ୍ଧାର ହୋଇଥଲେ ଯାହାକି ବର୍ତ୍ତମାନର ନବନିର୍ମିତ ଦେଉଳରେ ପୂଜା ପାଉଛନ୍ତି l ଭାତପଡ଼ାରେ ଥିବା ରଘୁନାଥ ମନ୍ଦିର ଠାରୁ ମାତ୍ର ଶହେ ମିଟର ଦୂରରେ ନାନ୍ଦୋଳ ଗ୍ରାମରେ ପୂଜା ପାଉଛନ୍ତି ମାଟିତଳୁ ଉଦ୍ଧାର ହୋଇଥିବା ମାଧବ (ନାରାୟଣ) ପ୍ରତିମା l
(ଭାତପଡ଼ାରେ ଥିବା ବର୍ତ୍ତମାନର ରଘୁନାଥ ମନ୍ଦିର)
(ଚିତ୍ରୋତ୍ପଳା ନଦୀଗର୍ଭରୁ ଉଦ୍ଧାର ହୋଇଥିବା
ରଘୁନାଥଙ୍କ ପ୍ରତିମା, ଭାତପଡ଼ା, ସାଲେପୁର)
(ଭାତପଡ଼ା, ନାନ୍ଦୋଳ ଗ୍ରାମରେ ମାଟିତଳୁ ଉଦ୍ଧାର ହୋଇଥିବା ମାଧବ – ନାରାୟଣ ପ୍ରତିମା)
ଅତୀତକୁ ଦୃଷ୍ଟିପାତ କଲେ ଜଣାଯାଏ ଯେ, ବର୍ତ୍ତମାନର ନାନ୍ଦୋଳ ଗ୍ରାମ ଯାହାର କି ପ୍ରାଚୀନ ନାମ ନବଦେଉଳ ଥିଲା ଏବଂ ଏହି ଅଞ୍ଚଳରେ ଛୋଟ ବଡ଼ ନଅ ଗୋଟି ମନ୍ଦିର ଥିବାରୁ ଏହାର ନାମ ନବଦେଉଳ ହୋଇଥିବା ଅନୁମାନ କରାଯାଏ l ବର୍ତ୍ତମାନ ଅବଶ୍ୟ ସେହି ମନ୍ଦିର ଗୁଡ଼ିକର କୌଣସି ଅସ୍ତିତ୍ୱ ଆଉ ନାହିଁ l ନାନ୍ଦୋଳ ଗ୍ରାମରେ ଥିବା ଉର୍ଦୁ ବିଦ୍ୟାଳୟ ବାମପାର୍ଶ୍ଵ ଅଞ୍ଚଳରେ ସେହି ପ୍ରାଚୀନ ମନ୍ଦିର ଗୁଡ଼ିକର ଭଗ୍ନାବଶେଷ ଏବେ ବି ପଡ଼ି ରହିଛି l ଖାଲି ସେଠାରେ ନୁହେଁ, ନିକଟସ୍ଥ କେତୋଟି ଛୋଟ ବଡ଼ ଗାଡ଼ିଆରେ ମଧ୍ୟ ପ୍ରାଚୀନ ଦେଉଳର ବିରାଟକାୟ ପଥରମାନ ପଡ଼ିରହିଥିବା ଦେଖିବାକୁ ମିଳେ l
ଚିତ୍ରୋତ୍ପଳା ଅବବାହିକାରେ ଶୈବ ମନ୍ଦିର ସହିତ ବୈଷ୍ଣବ ଧର୍ମଧାରାର ନବ ଉନ୍ମେଷ ଘଟି ଗଙ୍ଗ ଶାସନ ସମୟରେ ନୃସିଂହ, ନାରାୟଣ, ମାଧବ, ଲକ୍ଷ୍ମୀନାରାୟଣ ଓ ଜଗନ୍ନାଥ ମନ୍ଦିର ଆଦି ନିର୍ମାଣ ହୋଇଥିଲା l ସମୟର କରାଳ ସ୍ରୋତରେ ସେହି ସବୁ ପ୍ରାଚୀନ ମନ୍ଦିର ଆଜି ମାଟିରେ ମିଶିଯାଇଛି ସତ ମାତ୍ର ତାର ଭଗ୍ନାବଶେଷ ନିଜର ଅସ୍ତିତ୍ୱ ଜାହିର କରିବାରେ ଆଜିବି ସମର୍ଥ l
(ଲକ୍ଷ୍ମୀନାରାୟଣଙ୍କ ବାମ ଭାଗରେ ଥିବା ବରାହ ପ୍ରତିମା)
(ଗରୁଡ଼ଙ୍କ ସୁନ୍ଦର ପ୍ରତିମା)
(ଗର୍ଭଗୃହ କବାଟରେ ଥିବା ରଙ୍ଗୀନ କଳାକୃତି)
Spread the love
admin

Recent Posts

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

5 hours ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 week ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago