ଲେଖା: ନିରଞ୍ଜନ ସାହୁ

ସେଦିନ ଥିଲା ଦୋଳପୂର୍ଣ୍ଣିମା ପରଦିନ । ଗଣକବି ବୈଷ୍ଣବ ପାଣିଙ୍କ ସାଧନା କ୍ଷେତ୍ର ମାଳିହତା ଠାରେ ଗଣକବିଙ୍କ ଆରାଧ୍ୟା ଦେବୀ କ୍ଷେତ୍ରପାଳିନୀଙ୍କ ମନ୍ଦିରରେ ଏକ ସ୍ବତନ୍ତ୍ର ପୂଜାର ଆୟୋଜନ ହେଉଥାଏ । ନିମନ୍ତ୍ରଣ କ୍ରମେ ସେଠାରେ ପହଞ୍ଚିବାକୁ ହେଲା । ରାତ୍ର ନଅ ଘଟିକା ବେଳକୁ ପୂର୍ଣ୍ଣାହୁତି ହୋଇ ଶେଷ ହେଲା ପୂଜୋତ୍ସବ । ଆତିଥ୍ୟ ଦେଇଥିବା ବନ୍ଧୁ ଜଣେଇଲେ, “ଆଜି ରାତି ଏଗାରଟା ବେଳକୁ ନିକଟସ୍ଥ ମାହାଙ୍ଗା ଠାରେ ବିନୋଦବିହାରୀ ବିମାନାରୂଢ଼ ହୋଇ ଗାଁ ପରିକ୍ରମାରେ ଯିବେ । ତେଣୁ ଦର୍ଶନ କରିବାର ସୁଯୋଗ ହାତଛଡ଼ା କରିବା ଅନୁଚିତ ।”

ଧର୍ମୀୟ ଭାବନା ସହ ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଅଧିକ ନିଷ୍ଠା ରଖୁଥିବା ମୋ ଭଳି ମଣିଷଟାଏ ଲୋଭ ସମ୍ବରଣ କରିପାରିବ କିମିତି ? ପୁଣି ଅପ୍ରାକୃତ ପ୍ରେମମୂର୍ତ୍ତିଙ୍କର ନଗର ପରିକ୍ରମା ସହ ଚାଚେରୀ ଲୀଳା ! ମନେ ପଡ଼ିଗଲା:
“ଦୋଳେ ଚ ଦୋଳଗୋବିନ୍ଦମ୍
                    ଚାପେ ଚ ମଧୁସୂଦନମ୍
  ରଥେତୁ ବାମନଂ ଦୃଷ୍ଟ୍ଵା
                     ପୁନର୍ଜନ୍ମ ନ ଲଭ୍ୟତେ ।”

ଆଜିର ହୁତାଶମୟ ଜୀବନରେ ଆଉ କିଏ ବା ପୁନର୍ଜନ୍ମ ଚାହିଁବ ? ପୁନର୍ଜନ୍ମ ନ ପାଇବା ପାଇଁ ଏହା ତ ସବୁଠାରୁ ସହଜିଆ ରାସ୍ତା ! ତେଣୁ ଆନନ୍ଦରେ ହଁ ଭରିଲି ।


ଗାଁ ଭିତର ଅଙ୍କାବଙ୍କା ସରୁ ରାସ୍ତା ଦେଇ ମାତ୍ର ୩ କି.ମି. ଦୂରରେ ମାହାଙ୍ଗା ସ୍ଥିତ ବିନୋଦବିହାରୀ ଦେବଙ୍କ ପୀଠ । ପହଞ୍ଚିବା ବେଳକୁ ଆଖପାଖ ଗାଁ ସବୁରୁ ଲୋକଙ୍କ ସୁଅ ଛୁଟୁଛି । ବିମାନରେ ଆରୁଢ଼ ହୋଇ ବାହାରି ଆସିଛନ୍ତି ବିନୋଦବିହାରୀ, ଗାଁ ଗାଁ ଘର ଘର ବୁଲି ଭକ୍ତଙ୍କୁ ଦର୍ଶନ ଦେବେ, ଭକ୍ତ ଦୁଆରେ ପହଞ୍ଚି ତାଙ୍କର ଭଲମନ୍ଦ ବୁଝିବା ପାଇଁ । ଗାଁ ଦାଣ୍ଡ ଲୋକାରଣ୍ୟ ହୋଇପଡିଛି ଚାଚେରୀ ଲୀଳା ଦେଖିବାକୁ ।

ସୁସଜ୍ଜିତ ବିମାନରେ ବିନୋଦବିହାରୀ, ହ୍ଲାଦିନୀ ଅଂଶ ସମ୍ଭୂତା ଶ୍ରୀରାଧା, ଗହଣରେ ଅଛନ୍ତି ବିଶାଖା ଓ ଲଳିତା ।ବିନୋଦ ବିହାରୀଙ୍କ ଶୋଭା ମନମୁଗ୍ଧକର ସହ ଅବର୍ଣ୍ଣନୀୟ । ଅଭିନବ କାମଦେବର ଶୋଭା, ତ୍ରିଭଙ୍ଗୀ ଛଳେ ଉଭା, ମକର ଆକୃତି ପ୍ରଭା, ମୋହନ ମୂରତି ସାଜ, ଶ୍ରୀ ଦେବାଧି ଦେବରାଜ, ଶ୍ରୀଚରଣ ସାଜେ ମଞ୍ଜରୀ ମଞ୍ଜୁଳ ଯୁଗଳ ପ୍ରଳାମ୍ବ, ନବରତ୍ନ ବଳୟ ମୁଦ୍ରିକା, କଟୀତଟେ ଆଛାଦିତ ପୀତବସନ, ଶିରେ ମୟୁର ଚନ୍ଦ୍ରିକା, ନବରତ୍ନ କାଞ୍ଚନ କାଞ୍ଚିନାମ ରଞ୍ଚିତ, ଅନୁପମ ବକ୍ଷସ୍ଥଳ, କର୍ପୂର ଚୁଆ ଚନ୍ଦନ ଆସ୍ଥାନ, କଉସ୍ତୁଭ ହାର, ମୁକୁତା ମାଳ ଶୋଭିତ, ମୂରଲୀ ମନୋହର ବିମ୍ବାଧର, ନାମେ ମୋତିବର, ମକର ବେଷ୍ଟିତ ! ମଧୁମତି ସ୍ତୁତି ରୁଚିର ସର୍ବାଙ୍ଗେ କର୍ପୂର ଅବିର, ମନ୍ଦ ମନ୍ଦ ହାସ, ନୟନ ଯୁଗଳ ତୃଷିତ, ତ୍ରିଭଙ୍ଗ ଅଙ୍ଗ ଅଙ୍ଗନ ଅବଲୋକନେ ଅଙ୍ଗ ଭଙ୍ଗ ! ମନ ଜିଣି ନେଉଛନ୍ତି କଳା କହ୍ନାଇ !

ପାର୍ଶ୍ଵରେ ଭୁବନମୋହିନୀ ରାଧିକା । ସୁନା ପରି ସୁରଙ୍ଗ ଜ୍ୟୋତିର ସୌନ୍ଦର୍ଯ୍ୟ ପାଖରେ ସମସ୍ତ ଉଜ୍ଜଳତା ମଳିନ । ସଦ୍ୟ ପ୍ରଷ୍ଫୁଟିତ ଯୌବନର କାନ୍ତି ସମୀପେ ଲକ୍ଷ୍ମୀ, ସରସ୍ଵତୀ, ପାର୍ବତୀ, ରତି ପ୍ରଭୃତି ସୁନ୍ଦରୀ ଦେବୀମାନେ ନିଷ୍ପ୍ର । ଚକ୍ଷୁର ସୌନ୍ଦର୍ଯ୍ୟ ମୃଗାକ୍ଷୀକୁ ଜିଣି ଉପମାର ଉର୍ଦ୍ଧ୍ବରେ। ସୁଗୋଲ ସୁନ୍ଦର ବାହୁ, ନୂପୁର ନିକ୍ଵଣିତ ଚରଣ ଯୁଗଳ । କପାଳ, ନାସିକା, ଅଧର ନିଖୁଣ ଭାବେ ଗଢ଼ି ଦେଇଛି ଶିଳ୍ପୀ । ମୁଖମଣ୍ଡଳର ଶୋଭା ପାଖରେ ଚନ୍ଦ୍ର ମଳିନ ! ସମସ୍ତ ଉପମା ଲାଜରେ ବାରମ୍ବାର ଆସି ଝାସ ଦେଉଛନ୍ତି:
“ଉପମାମାନେ ଅପମାନେ ପଡ଼ିଲେ
ସୁଷମା ସମ ନୋହିବାରେ,
ରମା, ଉମା, ରତି, ବାଣୀ ଆଣି ଖ୍ୟାତି
ହୋଇଲା ନାମ ଆଭାସରେ,
କାନ୍ତି କି, ଅଲକ୍ଷରେ ତିକ୍ତ ଚମ୍ପକ,
କେତକୀ, କଣ୍ଟକ ଦୁର୍ଗ ଆଶ୍ରେ କଲା
ଅଗ୍ନିରେ ଦାହିଲା ଜନକ ।”
(ବିଦଗ୍ଧ ଚିନ୍ତାମଣି) 

ବିନୋଦବିହାରୀ ଓ ଶ୍ରୀରାଧାଙ୍କ ଦୁଇପାର୍ଶ୍ଵରେ ସହଚରୀ ବିଶାଖା ଓ ଲଳିତା । ଯୁଗଳ ମୂର୍ତ୍ତିଙ୍କର ଅପରୂପ ସୌନ୍ଦର୍ଯ୍ୟର ପ୍ରତିଫଳନ ଘଟିଛି ସହଚରୀ ଦ୍ଵୟଙ୍କ ପ୍ରତିମାରେ । ସୌନ୍ଦର୍ଯ୍ୟ ଶୃଙ୍ଗାରିକ ! ରାଧାଦାମୋଦରଙ୍କୁ ମିଳିତ କରାଇବା ପାଇଁ ବିଶାଖା ଓ ଲଳିତା ହିଁ ସଂଯୋଜିକା । ତେଣୁ ବସନ୍ତରାସ ସର୍ଜନା କରିଛନ୍ତି । ଶତଦଳ କମଳ ପ୍ରଷ୍ଫୁଟିତ ହେଉଛି । କିଶୋରୀମଣି ଶ୍ରୀରାଧାଙ୍କ ବିରହିଣୀ ଭାବ ଓ ଆତୁରତାକୁ ଦେଖି ଅତି ତତ୍ତ୍ଵପୂର୍ଣ୍ଣ ଭାବରେ ରସାଣିତ କରି ଦୁହେଁ ଯୁଗଳମୂର୍ତ୍ତିଙ୍କ ହୃଦୟରେ ଶୃଙ୍ଗାରିକ ଭାବ ଜାତ କରାଇବାରେ ତତ୍ପର:
“କହେ ସହୀ ଶୁଣ କିଶୋରୀମଣି ,
ବିଧି ରଚନା କି ପୀରତି ପୁଣି,
ଅବ୍ୟୟ ଅକ୍ଷୟ ନିତ୍ୟ ପଦାର୍ଥ,
କେ ଜାଣିବ ପ୍ରୀତି ଶବଦ ଅର୍ଥ,
ଅଜିତ ଇନ୍ଦ୍ରିୟ ଗୋ,
ବଳେ କରନ୍ତି ପୀରତି ଆଶ୍ରୟ ।”
(ବିଦଗ୍ଧ ଚିନ୍ତାମଣି)

~ ବସନ୍ତରାସରେ ଶତଦଳ ପ୍ରଷ୍ଫୁଟିତ ~
ବିନୋଦବିହାରୀଙ୍କ ସହ ମର୍ତ୍ତ୍ୟଲୋକରେ ସ୍ଵର୍ଗୀୟ ଆନନ୍ଦରେ ମଜ୍ଜି ଯାଇଛନ୍ତି ଶ୍ରୀରାଧା, ବିଶାଖା ଓ ଲଳିତା ବିମାନାରୂଢ଼ା ହୋଇ । ଚମତ୍କାର ବିମାନର ଶୋଭା ! ଲାଲ ମଖମଲ କପଡ଼ା ଆବୃତ । ବିମାନ ଦଧିନଉତିରେ ରୂପାର ଚକ୍ର । ସମ୍ମୁଖରେ ରୌପ୍ୟ ଅର୍ଦ୍ଧଚନ୍ଦ୍ର । ରୂପାନିର୍ମିତ ଶୁଆ ସହ ଧନୁ ଆକୃତିର ତାରକସି ମେଢ଼ । ସାମ୍ନାରେ ଦୋଳାୟମାନ ଆମ୍ରଫଳ । ଚାମର ପଡ଼ୁଛି ପୁଷ୍ପାଚ୍ଛାଦିତ ବିମାନ ଆଗରେ । ବାହକମାନେ ଆସ୍ତେ ଆସ୍ତେ ଝୁଲାଇ ଝୁଲାଇ ନେଉଛନ୍ତି ବିମାନକୁ । କେହି କେହି ଭକ୍ତଟି ଆତୁର ହୋଇ କାନ୍ଧ ଲଗାଇ ଦେଉଛି ବାହକ ଗୋପାଳ ମାନଙ୍କ ସହ । ପ୍ରଭୁଙ୍କର ରୋଷଣୀ ଚାଲିଛି। ନଦୀୟା ଓ ଓଡ଼ିଶୀ କୀର୍ତ୍ତନ ସହ ଗୋପାଳଙ୍କ ଓଗାଳରେ ଗାଁ ଦାଣ୍ଡ କମ୍ପି ଉଠୁଛି । ନରନାରୀମାନଙ୍କ ଆନନ୍ଦ କହିଲେ ନସରେ । ଶଙ୍ଖନାଦ, ହୁଳହୁଳି ହରିବୋଲ ସହ ବନ୍ଦାଇ ନେଉଛନ୍ତି ଗାଁ ବୋହୂ, ଭୁଆସୁଣୀ ଓ କନିଆଁ। ଦାଣ୍ଡଦୁଆର ଲିପାପୋଛା କରି ଝୋଟିଚିତା ସବୁ ଆଙ୍କି ଦେଇଛନ୍ତି । ସେହି ଝୋଟି ମଧ୍ୟରେ ସ୍ଵତନ୍ତ୍ର ସ୍ଥାନଟିଏ ମୁରୁଜ ଦ୍ଵାରା ଚିତ୍ରିତ । ସେଇଠି ପ୍ରଭୁଙ୍କ ବିମାନ ରହିବ । ଭୋଗ, ପଣା ନୈବେଦ୍ୟ ରୂପେ ସମର୍ପିତ ହେବ, ବ୍ରାହ୍ମଣ ପୂଜକଙ୍କ ଦ୍ୱାରା । ଘରକୁ ଘର ବୁଲିବେ ବିନୋଦବିହାରୀ, ଭୋଗ ପଣା ଖାଇ ଅନ୍ୟ ଘରକୁ ଯିବେ । ବହୁ ରକମର ବ୍ୟଞ୍ଜନରେ ଆପ୍ୟାୟିତ ହେବେ ପ୍ରଭୁ ! ଯେତେ ପରିମାଣ ଓ କିସମର ଭୋଗ ଯିଏ ବି ଦେଇପାରିବ ! ସେଇଠି ସିନା ଜଣାପଡ଼ିବ କେଉଁ ଭକ୍ତଙ୍କ ଓଜନ କେତେ !!

ଏସବୁ ଦର୍ଶନରେ ଯେତିକି ଭାବବିହ୍ଵଳ ହୋଇ ପଡ଼ୁଥିଲି, ସେତିକି ବି ଆଶ୍ଚର୍ଯ୍ୟ ହେଉଥିଲି ଆମ ଭକ୍ତି, ସଂସ୍କୃତି, ପରମ୍ପରା କଥା ଚିନ୍ତା କରି । ତେବେ ବିଳମ୍ବିତ ରାତ୍ର ଉଜାଗର ଦେହକୁ ସୁହାଇବ ନାହିଁ, ଭାବି ମେଲଣ ଦାଣ୍ଡରୁ ପ୍ରସ୍ଥାନ କଲି । ମନରେ କିନ୍ତୁ ରହିଲା, ବିନୋଦବିହାରୀ ଓ ତାଙ୍କ ମାହାଙ୍ଗା କ୍ଷେତ୍ର ସମ୍ପର୍କରେ କିଛି ଅଧିକ ଜାଣିବାକୁ । ଅତଏବ ମୋ ରହଣିର ଗୋଟିଏ ଦିନ ବଢ଼ାଇ ଦେଇ ତା ପରଦିନ ସକାଳୁ ସେଠାରେ ପହଞ୍ଚିବାକୁ ସ୍ଥିର କଲି । 

(ପୂର୍ବରୁ ଜଣାଶୁଣା କିଛି ସଂସ୍କୃତିସମ୍ପନ୍ନ ବୁଦ୍ଧିଜୀବୀ, ବରିଷ୍ଠ ସାହିତ୍ୟିକ, ବୟସ୍କଲୋକ, ବିନୋଦବିହାରୀ ଦେବଙ୍କ ପୂଜକ, ସତ୍ଵାଧିକାରୀ ଓ ସର୍ବୋପରି ବିନୋଦମଙ୍ଗଳ ଓ କିଛି ପ୍ରବନ୍ଧ ପାଠ କରିବାର ସୁଯୋଗରୁ ଏହି ଉପସ୍ଥାପନା)

~ ମହାଗ୍ରାମ ମାହାଙ୍ଗା ~
ଓଡ଼ିଶାର ଚଳଣି, ସଂସ୍କୃତି, ଲୋକଧର୍ମ, ଆଚାର ବିଚାର, ପର୍ବପର୍ବାଣୀ, ଇତିହାସ ସହ ଜଡ଼ିତ ହୋଇଛନ୍ତି ଶ୍ରୀଜଗନ୍ନାଥ । ତେଣୁ ସେ ଓଡ଼ିଆ ଜାତିର ଜୀବନ ଓ ପ୍ରାଣକେନ୍ଦ୍ର । ମୋଗଲ, ମରହଟ୍ଟା, ଇଂରେଜଙ୍କ ଶାସନ କାଳରେ ଓଡ଼ିଶାର ସାମାଜିକ ସାଂସ୍କୃତିକ ସ୍ଥିତି ଉପରେ କିଛିଟା ପ୍ରଭାବ ପଡ଼ିଥିଲେ ହେଁ ଏହାର ସଂସ୍କୃତି କ୍ଷୁର୍ଣ୍ଣ ହୋଇ ନାହିଁ । ପୁନଶ୍ଚ ଅନ୍ୟାନ୍ୟ ଧର୍ମୀୟ ଧାରାକୁ ମଧ୍ୟ ଆପଣେଇ ନେଇଛି ଉତ୍କଳ, ମାତ୍ର ସତ୍ତା ହରାଇନାହିଁ । ଷୋଡ଼ଶ ଶତାବ୍ଦୀର ଆରମ୍ଭରେ ଚୈତନ୍ୟଙ୍କ ଆଗମନ (୧୫୧୦) ଉତ୍କଳୀୟ ବୈଷ୍ଣବ ଧର୍ମଧାରା ସହ ଗୌଡ଼ୀୟ ପ୍ରେମ ଭକ୍ତିର ସମନ୍ୱୟ ଘଟେ । ଜଗନ୍ନାଥ ଉପାସନା ସହ ଯୋଡ଼ି ହୋଇଯାନ୍ତି ରାଧାକୃଷ୍ଣ । ମଠ ମନ୍ଦିର ସ୍ଥାପିତ ହୁଏ । ଓଡ଼ିଶା, ବଙ୍ଗଳା ଓ ଉତ୍ତର ଭାରତର ବିଭିନ୍ନ ପ୍ରାନ୍ତରେ ରାଧାକୃଷ୍ଣ ଉପାସନା ଏକ ବିଶିଷ୍ଟ ସ୍ଥାନ ଅଧିକାର କରେ । ଓଡ଼ିଶାର କୋଣ ଅନୁକୋଣରେ ରାଧାକୃଷ୍ଣ ପୂଜାର୍ଚ୍ଚନା ଆରମ୍ଭ ହୁଏ । ସେଇମିତି ମହାଗ୍ରାମ ମାହାଙ୍ଗାର କଥା !
   
ମୋଗଲ ସମ୍ରାଟ ଆକବର (୧୫୫୬-୧୬୦୫)ଙ୍କ ରାଜସ୍ବମନ୍ତ୍ରୀ ତୋଡ଼ରମଲ ଜମିଜମା ବନ୍ଦୋବସ୍ତ ଓ ଭୂରାଜସ୍ଵ ଆଦାୟ ପାଇଁ ପ୍ରଗଣାର ବ୍ୟବସ୍ଥା କଲେ । ଅବିଭକ୍ତ ମାହାଙ୍ଗା-ସାଲେପୁର ପ୍ରଗଣାର ପ୍ରଗଣାଦାର ହୋଇ ଯୋଗଦେଲେ ମାତକତ୍ ଖାଁ । ତାଙ୍କର ଦେୱନ ଭାବେ ଯୋଗଦେଲେ ବର୍ଦ୍ଧମାନର (ବଙ୍ଗଳା) ମହେଶ୍ୱର ବୋଷ । ମାହାଙ୍ଗାରେ ପ୍ରବାହିତ ହେଉଥିଲା ପୁଣ୍ୟତୋୟା ଜରିଆ ନଦୀ, ଯାହା ଗୁପ୍ତ ଯମୁନା ନାମରେ ଥିଲା ପରିଚିତ । ସେହି ଜରିଆ ନଦୀ କୂଳରେ ବସବାସ କରି ତାଙ୍କ କାର୍ଯ୍ୟ ନିର୍ବାହ କଲେ ମହେଶ୍ୱର ବୋଷ । ତାଙ୍କର ଇଷ୍ଟଦେବୀ ଥିଲେ ମାହେଶ୍ୱରୀ ଠାକୁରାଣୀ ଏବଂ ଇଷ୍ଟଦେବତା ରାଧାବଲ୍ଲଭ । ଆନୁମାନିକ ୧୬୦୦ ମସିହାରେ ପ୍ରତିଷ୍ଠା କଲେ ରାଧାବଲ୍ଲଭ ମନ୍ଦିର । ବହୁତ ଲୋକପ୍ରିୟ ଥିଲେ ମହେଶ୍ୱର ବୋଷ । ତାଙ୍କର ନାମାନୁସାରେ ଛୋଟ ଛୋଟ ଗାଁ, ବସ୍ତି ସବୁ ମିଶ୍ରଣ ଘଟି ହୋଇଗଲା ମହାଗ୍ରାମ ମାହାଙ୍ଗା !


~ ମାହାଙ୍ଗା କ୍ଷେତ୍ରରେ ରାଧାକୃଷ୍ଣ ~
କ୍ରମେ କ୍ରମେ ମାହାଙ୍ଗା ଅଞ୍ଚଳରେ ରାଧାକୃଷ୍ଣ ପୂଜାର୍ଚ୍ଚନା ଏକ ବିଶେଷ ସ୍ଥାନ ଗ୍ରହଣ କରିବା ଆରମ୍ଭ କରେ । ରାଧାବଲ୍ଲଭ ପ୍ରତିଷ୍ଠିତ ହେବା ପରେ ଏହି ଧାରା ଆଗକୁ ଚାଲିଲା । ଛୋଟ ଛୋଟ ନଗର, ଗାଁ ମାନଙ୍କରେ ବିଭିନ୍ନ ରୂପରେ/ନାମରେ ପୂଜିତ ହେଲେ ରାଧାକୃଷ୍ଣ । ୧୬୦୦ ମସିହା ପ୍ରାରମ୍ଭରୁ ପ୍ରାୟ ଦେଢ଼ ଶହ ବର୍ଷ ମଧ୍ୟରେ ମାହାଙ୍ଗା ଅଞ୍ଚଳରେ ଯେମିତି ରାଧାକୃଷ୍ଣ ପୂଜାର୍ଚ୍ଚନା ପାଇଁ ଏକରକମ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା ! ଏହି ସମୟ ମଧ୍ୟରେ ପ୍ରତିଷ୍ଠିତ ହୋଇଥିଲେ:
ଗୋପୀ ମନମୋହନ (ମାହାଙ୍ଗା ହାଟ)
ମୟୁର ଚୂଳିଆ (ବ୍ରହ୍ମ ପରିବାର)
ରାଧାବଲ୍ଲଭ (ଥାନା ପଛପାଖ)
ଗୋବିନ୍ଦ ଜୀଉ (ଉଷୁମା )
ଯୁଗଳ କିଶୋର (ଶ୍ରୀକୃଷ୍ଣପୁର, କୁଆଁପାଳ )
ରାଧାଗୋବିନ୍ଦ (ବିରଜା ରାୟଙ୍କ ସାହି)
ରାଧାକାନ୍ତ (ନାଟ୍ୟକାର ଜଗମୋହନ ଲାଲାଙ୍କ ସାହି)
ରାଧାମାଧବ (ମାହାଙ୍ଗା)
ଶ୍ରୀ ରାଧାବଲ୍ଲଭ (ଭଗବତୀ ବୋଷ, ଶ୍ରୀକୃଷ୍ଣପୁର)
ବିନୋଦ ବିହାରୀ (ରଘୁନାଥ ନଗର) ଇତ୍ୟାଦି ।

ତେବେ ରଘୁନାଥ ନଗର (ମାହାଙ୍ଗା)ର ବିନୋଦ ବିହାରୀ ଠାକୁରଙ୍କ ପୂଜାର୍ଚ୍ଚନା, ବିବିଧ ପୂଜୋତ୍ସବ, ପ୍ରାଚୀନ ଲୋକ ବିଶ୍ୱାସ, କିମ୍ବଦନ୍ତୀ ଓ ପୃଷ୍ଠପୋଷକତା ହେତୁ ଏହି ସମସ୍ତ ମନ୍ଦିର, ଠାକୁରଙ୍କ ମଧ୍ୟରେ ସେ ଅଧିକ ପ୍ରତିଷ୍ଠା ଲାଭ କଲେ । ଏବେ ମଧ୍ୟ ଅବିଭକ୍ତ କଟକ ଜିଲ୍ଲାର ଲୋକୋକ୍ତି ପ୍ରଣିଧାନ ଯୋଗ୍ୟ:
“ବିନୋଦବିହାରୀ ଚାଚେରୀ
ସଦେଇ ଶରଣ ପାଚେରୀ
ଆଳି ରାଜା ଝୁଲଣ
ଓଳକଣା ମେଲଣ ।”

~ ଐତିହାସିକ ତଥ୍ୟ ~
ବିନୋଦ ବିହାରୀଙ୍କ ମନ୍ଦିରରେ ଥିବା କିଛି ପ୍ରାଚୀନ ନଥିପତ୍ର ହିଁ ଏହାର ପ୍ରାମାଣିକ ଉପାଦାନ । ୧୬୦୬ ଶକାବ୍ଦର ଏକ ପରିଚାଳନା ସମ୍ପର୍କିତ ପତ୍ର (ବଙ୍ଗଳା) କୀଟଦ୍ରଂଷ୍ଟ ହେଲେ ମଧ୍ୟ ମନ୍ଦିରରେ ଗଛିତ । ୧୬୦୬ ଅର୍ଥାତ ୧୬୮୪ ଖ୍ରୀଷ୍ଟାବ୍ଦ । ତେଣୁ ୧୬୮୪ ମସିହା ପୂର୍ବରୁ ବିନୋଦବିହାରୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇ ଥିବ ନିଶ୍ଚିତ ଭାବେ । ଅଧିକନ୍ତୁ ଏହାକୁ ୧୬୫୦ ମସିହା ବୋଲି ଗ୍ରହଣ କରିଛନ୍ତି ଗବେଷକଗଣ । ବିନୋଦବିହାରୀଙ୍କ ପ୍ରାଚୀନତା ତଥା ବିଗ୍ରହ ପ୍ରତିଷ୍ଠା ସମ୍ପର୍କରେ ପ୍ରମାଣ ମିଳେ ବିନୋଦମଙ୍ଗଳ ନାମକ ଏକ ଅପ୍ରକାଶିତ କାବ୍ୟ ଗନ୍ଥରୁ । ଏହି ବିନୋଦ ମଙ୍ଗଳ ଗ୍ରନ୍ଥର ରଚୟିତା ଅଟନ୍ତି ଶ୍ରୀ କ୍ରିପାରାମ ରାୟ । ଏହାର ରଚନା କାଳ ବାବଦରେ କେତେ ସୁନ୍ଦର ପଙକ୍ତି ଲକ୍ଷ୍ୟ କରିବାର କଥା:
“ବେଦ ଆର୍ ସମୁଦ୍ର ଦ୍ଵୀପ ଚନ୍ଦ୍ରେଇ ସଂଖ୍ୟାଏ,
ଏଇ ସକେ ଆରମ୍ଭିଲୁ ବିନୋଦ କ୍ରିପାୟେ । “

ପ୍ରାଚୀନ ଗଣନା ପଦ୍ଧତି ଅନୁଯାୟୀ — (ବେଦ = ୪/ସମୁଦ୍ର = ୭/ ଦ୍ଵୀପ = ୭/ଚନ୍ଦ୍ର = ୧ ) ଅର୍ଥାତ୍ ଚନ୍ଦ୍ର/ ଦ୍ଵୀପ/ ସମୁଦ୍ର/ବେଦ = ୧୭୭୪ ଶକାବ୍ଦ ବା ୧୮୫୨ ଖ୍ରୀଷ୍ଟାବ୍ଦ । (ଶକାବ୍ଦ +୭୮=ଖ୍ରୀଷ୍ଟାବ୍ଦ ) । ଅତଏବ ବିନୋଦମଙ୍ଗଳର ରଚନା କାଳ ହେଉଛି ୧୮୫୨ ମସିହା । ସେଥିରେ ଜନଶ୍ରୁତି ସହ ବିନୋଦବିହାରୀଙ୍କ ସୌମ୍ୟ ମୂର୍ତ୍ତିଙ୍କର ବର୍ଣ୍ଣନା ଜୀବନ୍ତ । କ୍ରିପାରାମ୍ ରାୟଙ୍କ ରଚନାରେ (ମୂଳ ବଙ୍ଗଳା / ଓଡ଼ିଆ ଅନୁବାଦ — ଡ. ପତିତପାବନ ବାନାର୍ଜୀ):
“ପୂର୍ବେତେ ବାଂଲା ହୈଲେ ଦାମୋଦର ଦାସ,
ଉଡ଼ିଶ୍ୟାୟ ରଘୁନାଥ ନଗ୍ରେ କରେନ୍ ବାସ ।।
ମହାଗ୍ରାମ ସନ୍ନିକଟେ ଯମୁନା ଉତ୍ତରେ,
ସେ ସ୍ଥାନେତେ ଭଦ୍ରବ୍ୟକ୍ତିଗନ ବାସ କରେ ।।
ବର୍ଣ୍ଣେତେ ଅମ୍ବଷ୍ଟ କିନ୍ତୁ ବ୍ୟବସା ସାକ୍ଷାତ,
ତାହାର ସନ୍ତାନ ସବ ହୟ ସେଇ ମତ ।।
କୁଞ୍ଜବିହାରୀ ଦାସ ତାହାର ବାଳକ,
ବଡ଼ଇ ବୈଷ୍ଣବ ତିନି ଶ୍ରୀକୃଷ୍ଣ ସାଧକ ।।

ତେଣୁ କୁଞ୍ଜବିହାରୀ ଦାସ ହେଉଛନ୍ତି ବିନୋଦବିହାରୀ ମୂର୍ତ୍ତିର ସ୍ଥାପୟିତା । ତାଙ୍କର ଜନ୍ମ ସମ୍ପର୍କରେ ମସିହାର ଉଲ୍ଲେଖ ନଥିଲେ ବି ବିନୋଦମଙ୍ଗଳ କାବ୍ୟରେ ଏହି ପଦ ସୂଚାଇଦିଏ, ତାଙ୍କରି ସମୟରେ (ପାଣ୍ଡୁଲିପିର ଏକ ସଂସ୍କରଣ ଉପଲବ୍ଧ) ମୂର୍ତ୍ତି ନିର୍ମାଣ ହୋଇଥିଲା । ୨୦୦୯ ମସିହାରେ କୁଞ୍ଜବିହାରୀ ଦାସଙ୍କ ନବମ ପିଢ଼ି ହରିଦାସଙ୍କ ୧୦୦ ବର୍ଷ ବୟସରେ ଦେହାନ୍ତ ହୁଏ ମାହାଙ୍ଗାରେ । ଯଦି ପ୍ରତି ପିଢ଼ିର ହାରାହାରି ସମୟ ୪୦ ବର୍ଷ ଧରାଯାଏ , ତେବେ ୪୦ × ୯ = ୩୬୦ ବର୍ଷ ସମୟ , ଅର୍ଥାତ୍ ୨୦୦୯ — ୩୬୦ = ୧୬୪୯ ମସିହାରେ ଏହି ମୂର୍ତ୍ତିକୁ ନିର୍ମାଣ କରାଯାଇଛି ।

~ ଜନଶ୍ରୁତି ଅଥଚ ଯୁକ୍ତି ସମ୍ମତ ~
କୁଞ୍ଜବିହାରୀ ଦାସ ଥିଲେ ଗୌଡ଼ୀୟ ବୈଷ୍ଣବ, ଶ୍ରୀଚୈତନ୍ୟ ଉପାସକ । ତେଣୁ ଚୈତନ୍ୟଙ୍କ ଆରାଧ୍ୟ ଶ୍ରୀକୃଷ୍ଣ ମୂର୍ତ୍ତି ନିର୍ମାଣ ଓ ଆରାଧନା ପାଇଁ ଅଭିଳାଷ ଥିଲା ତାଙ୍କର ଦିବାନିଶି ଭାବନା । ପରମ ବୈଷ୍ଣବ କୁଞ୍ଜବିହାରୀ ତେଣୁ ଅପୂର୍ବ ମୂର୍ତ୍ତି ପାଇଁ ଦିବାନିଶି ସ୍ଵପ୍ନ ଦେଖିବାକୁ ଲାଗିଲେ । ମଣିଶିଳାରେ ଶ୍ରୀକୃଷ୍ଣ, ଶ୍ରୀରାଧା ଓ ସଖୀଦ୍ଵୟ ନିର୍ମିତ ହୁଅନ୍ତୁ ବୋଲି ଜଣେ ଅଜଣା ବ୍ରାହ୍ମଣ ପହଞ୍ଚି ତାଙ୍କୁ ଶୁଣାଇବା ସହ ଏହା ବିରଜାକ୍ଷେତ୍ରରେ ପ୍ରବାହିତ ପୁଣ୍ୟତଟିନୀ ବୈତରଣୀ ନଦୀ କୂଳରେ ଦଶାଶ୍ବମେଧ ଘାଟରେ ମିଳିବ ବୋଲି ସୂଚନା ଦେଇ ଚାଲିଗଲେ ।
“ସ୍ଵୟଂ ଭଗବାନ ବ୍ରାହ୍ମଣେର ରୂପ ହୈୟା ।
ପାଠାଲେନ୍ ଏଇ ସ୍ଥାନ ମୋରେ ଚିହ୍ନାଇୟା ।।”

ତେବେ ଅନୁସନ୍ଧାନ ବ୍ୟର୍ଥ ହେଲା । ମଣିଶିଳା ପ୍ରାପ୍ତ ହେଲାନାହିଁ । କୁଞ୍ଜବିହାରୀ ଜୀବନ ହାରିବା ପାଇଁ ସ୍ଥିର କଲେ । ଉପବାସ ରହି ନିଜକୁ ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ ସମର୍ପି ଦେଲେ । ତିନି ଦିନ ଉପବାସ ପରେ ସ୍ଵପ୍ନାଦେଶ ପାଇ ଉଠିଲେ:
“ଦଶ ଅଶ୍ଵମେଧଘାଟ ଜଲେର ଭିତରେ ।
ଆଛୟେ ଗୋପ ହଇୟା ମଣିର ପାଥରେ ।।
ଆନାଭି ପର୍ଯ୍ୟନ୍ତ ଜଲେ ଦେଖ ତୁମି ଏବେ ।
ଏଖନ ସେ ମଣିଶିଳା ତୁଲିତେ ପାରିବେ ।।
          ×××         ×××
ଦୁଇ ତିନି ବ୍ୟକ୍ତି ମିଲି ଉଠାଇଲ ମଣି ।
ମଣି ବର୍ଣ୍ଣ ହୟ ଯେନ ନୀଳ-କାଦମ୍ବିନୀ ।।”

~ ମୂର୍ତ୍ତି ଗଠନ ~
ମଣିଶିଳା ପ୍ରାପ୍ତ ହେବା ଆଶ୍ଚର୍ଯ୍ୟଜନକ ମନେ ହେଉଥିଲେ ମଧ୍ୟ, ଆମେ କହିପାରୁ, “ପ୍ରଭୁ ଇଛା ପ୍ରକଟ କଲେ ………..!” ତେଣୁ ସବୁକିଛି ସାଧ୍ୟାତୀତ । କୁଞ୍ଜବିହାରୀ ଥିଲେ ମୋଗଲ ଶାସନରେ କଟକ ଖଜଣାଖାନାର ମୋହରୀର । ତେଣୁ ଯାଜପୁର ଫୌଜଦାରଙ୍କ ପାଖରୁ ଅନୁମତି ମିଳିବା ସହଜ ହୋଇଗଲା ଏବଂ ସୁବିଧାରେ ମଣିଶିଳା ସ୍ଥାନାନ୍ତରିତ ହେଲା ମାହାଙ୍ଗା । ମଣିଶିଳା ପହଞ୍ଚି ଯିବାପରେ ଜଣେ କ୍ଷୀଣକାୟ ଶିଳ୍ପୀଙ୍କର ଆବିର୍ଭାବ ଘଟେ କୁଞ୍ଜବିହାରୀଙ୍କ ଘରେ ! ମୂର୍ତ୍ତି ଗଢ଼ିବା ପାଇଁ ତାଙ୍କୁ ନିର୍ଦ୍ଦେଶ ମିଳିଛି ବୋଲି ବ୍ୟକ୍ତ କରନ୍ତି ସେ । ରାତିରେ ରାଧାବଲ୍ଲଭ ସ୍ଵପନେ ଆବିର୍ଭୁତ ହୋଇ କୁଞ୍ଜବିହାରୀଙ୍କୁ ଜଣାନ୍ତି ଯେ, ସେହି ଶିଳ୍ପୀ ତାଙ୍କ ପ୍ରେରିତ ! ତା’ପରେ ଶୁଭ ନକ୍ଷତ୍ର, ତିଥି, ମୂହୁର୍ତ୍ତ ଦେଖି ଆରମ୍ଭ ହୁଏ ମୂର୍ତ୍ତି ନିର୍ମାଣ । ‘ଅନ୍ଧାରିଆ ବାଗାନ୍’ ନାମକ ଏକ କୋଳାହଳ ଶୂନ୍ୟ ଅଗମ୍ୟ ସ୍ଥାନରେ ଶିଳ୍ପୀ ଆରମ୍ଭ କରନ୍ତି ମଣିଶିଳା ଖୋଦେଇ । ଏକୋଇଶି ବର୍ଷ ଅନ୍ତେ କମନୀୟ ନୀଳ କାଦମ୍ବିନୀ ସଦୃଶ ମୂର୍ତ୍ତି ରୂପରେ ପ୍ରକଟ ହୁଅନ୍ତି ପୂର୍ଣ୍ଣବ୍ରହ୍ମ ରସରାଜ ବିନୋଦବିହାରୀ, ଆହ୍ଲାଦିନୀ ଶକ୍ତି ଶ୍ରୀରାଧା, ବିଶାଖା ଓ ଲଳିତା ।
    
ଜରିଆ ନଦୀ କୂଳରେ ପ୍ରତିଷ୍ଠା ହୁଏ ମନ୍ଦିର । ସିଂହାସନ ଆରୁଢ଼ ହୁଅନ୍ତି –
୧. ତ୍ରିଭଙ୍ଗୀ ଠାଣିରେ ରସରାଜ ବିନୋଦବିହାରୀ
୨. ଲାବଣ୍ୟମୟୀ ହ୍ଲାଦିନୀ ଅଂଶ ସମ୍ଭୂତା ଶ୍ରୀରାଧା
୩. ଲାସ୍ୟମୟୀ ବିଶାଖା
୪. ସଖୀ ପ୍ରବୀର ଲଳିତା 
                 
ନିତ୍ୟରାସ ସଂଘଟିତ ହୁଏ ଏଠି ! କୁଞ୍ଜବନରେ ବିଜେ ରସରାଜ ବିନୋଦବିହାରୀ (ରାଧାବଲ୍ଲଭ/ଶ୍ରୀକୃଷ୍ଣ ), ପାର୍ଶ୍ଵରେ ସହଚରୀଙ୍କ ସହ ଭୁବନମୋହିନୀ ରାଧିକା ! ପୁଣି ଗୁପ୍ତ ଯମୁନା (ଜରିଆ ନଦୀ) କୂଳରେ ! ମନ୍ଦିର କାରୁକାର୍ଯ୍ୟପୂର୍ଣ୍ଣ ନୁହେଁ, ଯେଉଁଠି ନିତ୍ୟରାସ, ସେଠାରେ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ଆବଶ୍ୟକତା ତ ଗୌଣ ! 


ଏଇଠି କିନ୍ତୁ ଆରମ୍ଭ ବା ଶେଷ ନୁହେଁ ତାଙ୍କର ଅପୂର୍ବ ଲୀଳା ! ଏହା ତ ଅସରନ୍ତି ! ସ୍ଥାପନାର ୩୭୦ ବର୍ଷ ମଧ୍ୟରେ କେତେ ଶ୍ରୁତି, କେତେ ତଥ୍ୟ, କେତେ ଅଲୌକିକ ଘଟଣା ଘଟି ଯାଇ ନଥିବ ସତେ ! କେତେ ବି ସଂଗୋପିତ ହୋଇ ରହିଯାଇଥିବ ! ପୁଣି ଆଗକୁ କେତେ ବା କ’ଣ ଯୋଡ଼ି ହୋଇଯିବ ! ଫେରିବାକୁ ପରିସ୍ଥିତି, ସମୟ, କର୍ମ ବାଧ୍ୟ କରୁଥିଲେ ମଧ୍ୟ, ମନ ଲାଖି ରହିଥିଲା ସେହି କରୁଣାମୟ ବିନୋଦବିହାରୀଙ୍କ ଶୋଭା, ରୂପ ସନ୍ଦର୍ଶନରେ । ଭାବୁଥିଲି ବାଙ୍କବିହାରୀ ଅଟକାଉଛନ୍ତି ଯେମିତି ! ତେବେ ବିଦାୟ ନେବା ବେଳକୁ ମନରେ ଉଙ୍କି ମାରିବା ଆରମ୍ଭ କରିଥିଲା ଆନନ୍ଦ, ଗର୍ବ, ଆଶା, ସମ୍ଭାବନା ଓ ଆଧ୍ୟାତ୍ମିକ ଭାବନା । ଦଣ୍ଡବତ ପ୍ରଣାମ ଜଣାଇ ମନ୍ଦିରରୁ ଫେରିବା ବେଳକୁ ଆଖି ଆଗରେ ନାଚି ଯାଉଥିଲେ ପୁଣ୍ୟ ମାହାଙ୍ଗା ମାଟିରେ ଜନ୍ମିତ ମହାତ୍ମାମାନେ, ଓଡ଼ିଶାର କୃତବିଦ୍ୟ ମନିଷୀଗଣ:
ନାଟ୍ୟକାର ଜଗନ୍ମୋହନ ଲାଲା
ଗଣକବି ବୈଷ୍ଣବ ପାଣି
ବାଗ୍ମୀ ବିଶ୍ଵନାଥ କର
ପଲ୍ଲୀକବି ନନ୍ଦକିଶୋର ବଳ
ଶିଳ୍ପୀଗୁରୁ ବିମ୍ବାଧର ବର୍ମା
ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟ
ଗଦ୍ୟଶିଳ୍ପୀ କୃଷ୍ଣପ୍ରସାଦ ଚୌଧୁରୀ
କବି କୃଷ୍ଣଚନ୍ଦ୍ର କର
ସଂଗ୍ରାମୀ ଗୋଲୋକ ବିହାରୀ ମହାରଣା

ଆଧାର: ବିନୋଦବିହାରୀଙ୍କ ମନ୍ଦିର ପୂଜକବୃନ୍ଦ; ଶ୍ରୀ ଧ୍ରୁବଚରଣ ବାରିକ, ମାହାଙ୍ଗା; ଶ୍ରୀ ଦାମୋଦର ସାହୁ, ମାଳିହତା; ମଙ୍ଗୁଳି ନନା, ମାହାଙ୍ଗା;  ଡ. ପତିତପାବନ ବାନାର୍ଜୀ, ଗବେଷକ, କୁଆଁପାଳ; ଭୁବନାନନ୍ଦ ସାହୁଙ୍କ ପ୍ରବନ୍ଧ ଏବଂ ବିନୋଦମଙ୍ଗଳ କାବ୍ୟର ସଂସ୍କରଣ 

Spread the love
admin

View Comments

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago