ଲେଖା: ଅକ୍ଷୟ ଓଝା

ମାଟି ଘର ନାହିଁ ନା ଆଉ ସେ ମାଟିକାନ୍ଥ ବି ନାହିଁ । ସମୟ ଗର୍ଭରେ ସବୁ ଲୀନ ହେଇ ଯାଇଛି । ଅତ୍ୟାଧୁନିକ ଜୀବନ ଶୈଳୀରେ ପୁରାତନ ସମାଜରେ ମାନବ ଜୀବନର ରହଣି ସହଣି ଧୀରେ ଧୀରେ ଅପସରି ଗଲାଣି । ଚାଳ ଛପର ଘର ଓ ମାଟିର କାନ୍ଥ ଏତିକି ଯଥେଷ୍ଟ ଥିଲା ଶାନ୍ତିରେ ଜୀବନ ଯାପନ କରିବା ପାଇଁ । ମାଟିକାନ୍ଥରେ କେତେ ଇତି କଥା ଲୁଚି ରହିଥିଲା ସେଇମାନେ ହିଁ କହିପାରିବେ ଯେଉଁମାନେ ଏହି ଅଙ୍ଗେ ନିଭାଇଛନ୍ତି।

ମାଟି ଘରର ମାଟିକାନ୍ଥରେ ବୋଉ ସବୁଦିନେ ଗୋବରପାଣିରେ ଲିପୁ ଥିଲା । ସକାଳୁ ସକାଳୁ ଗୋବର ପାଣିରେ ଦାଣ୍ଡପିଣ୍ଡା କାନ୍ଥରୁ ଆରମ୍ଭ କରି ଦାଣ୍ଡଘର, ଅଗଣା, ଢ଼ିଙ୍କିଶାଳ, ରୋଷେଇଘର ନିତିଦିନ ଲିପୁଥିଲା ବୋଉ ।
    
ଦାଣ୍ଡ କାନ୍ଥରେ ପ୍ରତିଦିନ ଗୋବର ପାଣିରେ ଲିପି ସେଥିରେ ଚିତା ଝୋଟିରେ ଚିତ୍ର ଆଙ୍କୁଥିଲେ ଦିଦି ଓ ବୋଉ । ଉତ୍କଳୀୟ ସଂସ୍କୃତିର ପଟଚିତ୍ର ସବୁ ପ୍ରକାର ମନଲୋଭା ଭାରତୀୟ କଳା ଚିତ୍ରପଟ ଝୋଟି ମାଧ୍ୟମରେ ଦର୍ଶା ଯାଉଥିଲା । ଏହା ଓଡ଼ିଶା କଳା ସାଂସ୍କୃତିକ ପ୍ରଦର୍ଶନର ଏକ ଚମତ୍କାର ଇତିହାସ ହେଇ ରହିଯିବ ।

ଉତ୍କଳ ପ୍ରଦେଶର ଆଦିବାସୀ ଗ୍ରାମାଞ୍ଚଳରୁ ନେଇ ସାଧାରଣ ଗ୍ରାମ୍ୟ ସମାଜରେ ଏହି ଚିତ୍ରକଳା ଦେଖିବାକୁ ମିଳିଥାଏ । ଏହା ଓଡ଼ିଆ ଗ୍ରାମ୍ୟ ଜୀବନର ଏକ ସମୟର ଇତିକଥା ହେଇ ରହିଯିବ ।
   
ବାଡ଼ିକାନ୍ଥର ମହତ୍ୱ କିଛି କମ ନଥିଲା । ବାଡ଼ିକାନ୍ଥକୁ ଡେରି ହଳ ଲଙ୍ଗଳ ଯୁଆଳି, ଧାନଖୁଦ ବେତା ପଶୁ ଖାଦ୍ୟ ଭରି କରି ରହୁଥିଲା । ଏହା ଆଠ ଦିନକୁ ଆଠ ଦିନ ଲିପାପୋଛା ହୁଏ । ଦାଣ୍ଡଘର କାନ୍ଥରେ କେତେ ପ୍ରକାର ହାତ ବୁଣା ଚିତ୍ରପଟ ଟଙ୍ଗା ହେଇଥାଏ । ଭିନ୍ନ ଭିନ୍ନ ଫୋଟୋ ଚିତ୍ର ମାଧ୍ୟମରେ କାନ୍ଥ ସଜା ହେଇଥାଏ । ଆଲାରାମ ଘଡିଟିଏ ତଥା ନୂଆ ବର୍ଷର କ୍ୟାଲେଣ୍ଡର ଝୁଲୁଥାଏ ଏହି ଦାଣ୍ଡଘର କାନ୍ଥରେ । ତଳ କାନ୍ଥରେ ଝୋଟି ମଝିରେ ଠିକିରି ପଛକୁ ଠିକିରି ହେଇ ବର୍ଡର ବନିଥାଏ ଘର ଚାରିପଟେ । ବାହା ହେଇ ନୂଆବୋହୁଟି ଘରକୁ ଆସିଲେ ତା’ ହାତବୁଣା ଛୁଞ୍ଚିସୂତା ଚିତ୍ର ଏହି ଦାଣ୍ଡଘରେ ଟଙ୍ଗା ହୁଏ । ଚିତ୍ର ଦେଖି ଦାଣ୍ଡ ଘରେ ବସୁଥିବା କୁଣିଆ ମୈତ୍ର ସାହି ଭାଇ ମାନେ ନୂଆ ଭୂଆଶୁଣିର ଭାରି ପ୍ରଶଂସା କରୁଥିଲେ ।

ଅଗଣା କାନ୍ଥରେ ଦୁଇ ଦୁଇଟା ଠଣା । ସଞ୍ଜ ହେଲେ ଡିବି ଜଳେ । ଅଗଣା ପର୍ଯ୍ୟନ୍ତ ଆଲୁଅ ବିଛାଡ଼ି ପଡେ । ଏହି ଆଲୁଅରେ ରାତି ରୋଷେଇ ହୁଏ । ରୋଷେଇ ଘର ଦୁଆରେ ଥିବା ଠଣାରେ ବି ଡିବିଟିଏ ଜଳେ ।
   
ଘର ଭିତର ବାରଣ୍ଡାରେ ଥିବା ଅଗଣାରେ ଢିଙ୍କିଶାଳ । ଢିଙ୍କିଶାଳ କାନ୍ଥ ସବୁବେଳେ ମାଟିଗୋବରରେ ଲିପାପୋଛା କରାଯାଏ । ସେଇଠି ଧାନ କୁଟାହୁଏ ପର୍ବପର୍ବାଣୀ ପାଇଁ ଚାଉଳଚୁନା ଓ ବିରିଚୁନା ବି କୁଟାଯାଏ ତେଣୁ କାନ୍ଥକୁ ବହୁତ ସଫାସୁତୁରା ଓ ପବିତ୍ର ରଖା ଯାଇଥାଏ ।
 
ଆରପଟ ଅଗଣାର ମାଟିକାନ୍ଥ ହେଉଛି ବୋଉର ହିସାବ ଖାତା । କାହାକୁ କେତେ ଧାନ ଦେଇଚି, କାହାଠୁ ଗାଈ କ୍ଷୀର ଆଣୁଛି, ବାରି ଘରେ ରାଧୁଆ କେତେ କାମ କଲା କେତେ ପଇସା ନେଲା, କେଉଁ ଦିନ କ୍ଷୀର ନାଗୁଆ ହେଲା ସବୁ ପ୍ରକାର ହିସାବଖାତା ହେଉଛି ଏଇ କାନ୍ଥ । କ’ଣ ଯେମିତି ଇଶାରାରେ ଲେଖେ ସେ କେବଳ ବୁଝି ପାରୁଥିଲା । ଶତ ଚେଷ୍ଟା କଲେ ବି ସେ ହିସାବ ଆମେ କେହି ବୁଝି ପାରୁନା ।
          
ରୋଷେଇ ଘର କାନ୍ଥ କାଠଚୁଲିରେ କଳା ପଡ଼ିଯାଏ । ମାସକୁ ଥରେ ଏହି ମାଟିକାନ୍ଥ ଗୋବରପାଣିରେ ଲିପାଯାଏ । ବାକି ଘର ତଳ ସବୁ ଦିନେ ଏପରିକି ଦିନକୁ ଦୁଇ ଥର ଲିପାଯାଏ ଗୋବର ପାଣିରେ । ଭାରି ପବିତ୍ର ଲାଗେ ଲିପା ପୋଛା ପରେ ।

ମାଟିକାନ୍ଥ ଆମକୁ ସବୁ ସୁରକ୍ଷା ଦିଏ । ପ୍ରବଳ ବର୍ଷାରେ ଘର ଭିତରେ ଆମେ ସୁରକ୍ଷିତ ରହୁ । ମାଟିକାନ୍ଥ ଝରକାର ଶୀତଳ ପବନରେ ଆମେ ନଡ଼ାଛପର ଘରେ ଶାନ୍ତିରେ ଜୀବନଯାପନ କରୁ । ବିବାହ ଉତ୍ସବରେ ପୁରା ସାହିଟା ଯାକ ଚିତା ଝୋଟି ପଡ଼େ । ଭାରି ଭଲ ଲାଗେ ଚିତାଝୋଟି ଦେଖିବାକୁ ।

ମାଟି କାନ୍ଥରେ ଆମ ସମସ୍ତ ଭାଇଭଉଣୀଙ୍କ ଷଠୀଘର ଥିଲା । ଧଳା କଉଡ଼ିରେ ଷଠୀଦେବୀଙ୍କ ଚିତ୍ର ଆଙ୍କି ସିନ୍ଦୂର ଟୋପା ଦେଇ ଆମ ଭାଇଭଉଣୀଙ୍କ  ଅଲଗା ଅଲଗା ଷଠୀଘର ହେଇଥାଏ । ବଡ଼ଭାଇର ସବୁଠୁ ବଡ଼ ତା ପରେ ଟିକେ ଛୋଟ ଆଉ ଟିକେ ଛୋଟ ହେଇଥାଏ ଷଠୀଘର । ବୋଉ ସଞ୍ଜପୁଜା ଠାକୁରଘରେ କରି ସରିଲା ପରେ ଚଉଁରାରେ ସଞ୍ଜ ଦେଇ ସିଧା ଷଠୀଘରକୁ ଚାଲି ଯାଏ । ଅଧିଆ ପଡ଼େ ! ତା’ ପିଲାମାନଙ୍କୁ ଲମ୍ବା ଆୟୁଷ ପାଇଁ ପ୍ରାର୍ଥନା କରେ !

ମାଟିକାନ୍ଥ ସହିତ ସ୍ନେହ, ଶ୍ରଦ୍ଧା, ମିଳନ, ବିଚ୍ଛେଦର ଅନେକ କାହାଣୀ ଜଡ଼ିତ । ଯେଉଁ ଦିନ ବନା ଭାଇ ଭିନ୍ନେ ହେଲେ ଅଗଣା ମଝିରେ ଏକ ମାଟିକାନ୍ଥ ତିଆରି ହେଲା ପୁରୁଷ ଉଚ୍ଚର । କେହି କାହାରିକୁ ଦେଖି ପାରିବେନି ! ଭିନ୍ନେ ରହିବେ ! ଭିନ୍ନେ ଖାଇବେ ଆଜିଠୁ ! ପିଲାମାନେ ମନଦୁଃଖ କରୁଥିଲେ । କିନ୍ତୁ କଠୋର ସତ୍ୟ ହେଇଥିଲା ଯେ ମାଟିକାନ୍ଥ ଅଗଣା ମଝିରେ ଉଠିଲା । ଘର ଭାଙ୍ଗି ଦି ଫାଳ ହେଇଗଲା ।

ଆଉ ମାଟିଘର ନାହିଁ ! ମାଟିକାନ୍ଥ ନାହିଁ ! ସମୟକ୍ରମେ ସବୁ କଂକ୍ରିଟ ଭଳି କଠୋର ହେଇଯାଉଛି । ଏହା ସଙ୍ଗେ ସଙ୍ଗେ ମାଟିକାନ୍ଥର କବର ତଳେ ଏହାର ଗହୀର ସ୍ମୃତି ଇତିହାସ ହେଇଯାଇଛି । 

Spread the love
admin

View Comments

  • Good afternoon sir, Really great things we have found in this writing sir. Sometimes i was felt i am in childhood while reading. It's really memorizing our childhood sir.

    • Pranaam and Thanks my Brother. Expecting a sustained support and blessing like this.

  • ଲେଖା ଟି ପଢି ଆନନ୍ଦିତ ହେଲି।
    ମୁଁ ମାଟ ଘରେ ବଢ଼ି ନଥିଲେବି ,ମୋ ଗ୍ରାମ ରେ ପୈତୃକ ଆବାସ ଟି ରେ ମାଟି ଘର ଟିଏ ଥିଲା,ମାଟି କାନ୍ଥ ମଧ୍ୟ। ବାରଣ୍ଡା ଲିପା ପୋଛା ହୋଇ ଖୁବ୍ ପରିଷ୍କାର ଲାଗେ
    ଧନ୍ୟବାଦ୍

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 week ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago