ଲେଖା: ଦେଵ ତ୍ରିପାଠୀ
ଏକବିଂଶ ଶତାବ୍ଦୀରେ “ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ ଏବଂ ଆମ ରାଜ୍ୟ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ” ବୋଲି ଆମେ ଆଜି କେଡେ ଗର୍ବିତ, ଗୌରବମଣ୍ଡିତ, ତେବେ ଏହା ପଛରେ ରହିଛି ବହୁ ଦେଶପ୍ରେମୀ, ଭାଷାପ୍ରେମୀ ମନିଷୀମାନଙ୍କ ନିରବଚ୍ଛିନ୍ନ ତ୍ୟାଗ ଓ ପ୍ରଚେଷ୍ଟା । ଉନ୍ନବିଂଶ ଶତାବ୍ଦୀରେ ଓଡ଼ିଆ ଭାଷାର ସୁରକ୍ଷା, ଶିକ୍ଷାର ପ୍ରସାର ତଥା ସ୍ବତନ୍ତ୍ର ରାଜ୍ୟ ଗଠନ ପାଇଁ ଯେଉଁ ମହାନ ବ୍ୟକ୍ତିମାନେ ଆଦ୍ୟରୁ ଉଦ୍ୟମ ଆରମ୍ଭ କରିଥିଲେ, ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଅଟନ୍ତି ବିଚିତ୍ରାନନ୍ଦ ଦାସ ।
~ ଅସାଧ୍ୟସାଧୀ ବିଚିତ୍ରାନନ୍ଦ ~
ପିଲାଟି ଦିନରୁ ସାହସୀ ଥିବା ବିଚିତ୍ରାନନ୍ଦ ୧୪ ବର୍ଷ ବୟସରେ କଟକରେ ପଢୁଥିବା ସମୟରେ ବାଲେଶ୍ଵର ଯାଇ ଲୁଣମରା ଠିକାଦାରୀ ଆରମ୍ଭ କରିଥିଲେ, ବଙ୍ଗାଳୀ କିରାଣୀ ଓ ବ୍ରିଟିଶ ଲୁଣ ଏଜେଣ୍ଟଙ୍କ ଶୋଷଣରୁ ରକ୍ଷା କରିପାରିଥିଲେ ଓଡ଼ିଆ ଲୁଣଚାଷୀ ଓ ଲୁଣମରା ଶ୍ରମିକମାନଙ୍କୁ ।
ପରବର୍ତ୍ତୀ ସମୟରେ କଟକରେ କିରାଣୀ ଶିରସ୍ତାଦାର ଭାବେ ତତ୍କାଳୀନ କମିଶନର ରେଭେନ୍ସା ସାହେବଙ୍କୁ କଟକ ମାଟିରେ ରେଭେନ୍ସା ମହାବିଦ୍ୟାଳୟ ଗଢ଼ିବା ପାଇଁ ପ୍ରେରିତ କରାଇଥିଲେ । ତାଙ୍କରି ପରାମର୍ଶରେ ହିଁ ରେଭେନ୍ସା ସାହେବଙ୍କ ଶାସନରେ କଟକ ତଥା ଓଡ଼ିଶା ମାଟିରେ ହୋଇଥିଲା ବହୁ ଜନହିତକର କାର୍ଯ୍ୟ ।
~ ଓଡ଼ିଆଙ୍କ ତ୍ରାଣକର୍ତ୍ତା ~
୧୮୬୬ ସାଲର ନଅଙ୍କ ଦୁର୍ଭିକ୍ଷ ସମୟରେ ସଚେତନ ବିଚିତ୍ରାନନ୍ଦ ଦାସ ଓଡ଼ିଶାବାସୀଙ୍କ ଦାରୁଣ ଦୁରବସ୍ଥା ଉପଲବ୍ଧି କରି ସହୃଦୟ ବ୍ୟକ୍ତିଙ୍କ ସହାୟତା ରେ ଚାଉଳ ବିକ୍ରି କମ୍ପାନୀ ଗଢ଼ି ଲୋକଙ୍କୁ ଶସ୍ତାରେ ଯୋଗାଇଥିଲେ, ବିଭିନ୍ନ ଅନ୍ନଛତ୍ର କେନ୍ଦ୍ରକୁ ମଧ୍ୟ ମାଗଣାରେ ଚାଉଳ ଯୋଗାଇ ଥିଲେ । ଏପରିକି ବହୁ ଅନାହାର କ୍ଳିଷ୍ଟ ଦରିଦ୍ର ଲୋକଙ୍କ ପାଇଁ ସେ ସ୍ଥାୟୀ ବାସଗୃହ ନିର୍ମାଣ କରାଇଥିଲେ ।
ଅନାହାରର ଆଢ଼ୁଆଳରେ ବ୍ରିଟିଶ କର୍ମଚାରୀ ଓ ଏଜେଣ୍ଟ ମାନଙ୍କର କଟକସମେତ ଗ୍ରାମାଞ୍ଚଳରେ ଧର୍ମାନ୍ତରୀକରଣକୁ ଦୃଢ଼ ହସ୍ତରେ ଦମନ କରିଥିଲେ, ନାବାଳିକା ଓ ଯୁବତୀ ଚାଲାଣକୁ ପ୍ରତିହତ କରି ଶତ ଶତ ଝିଅବୋହୂଙ୍କୁ ବେଶ୍ୟାବୃତ୍ତିରୁ ବଞ୍ଚାଇପାରିଥିଲେ । ସମାଜବାଦୀ ବିଚିତ୍ରାନନ୍ଦ ଦୁର୍ଭିକ୍ଷ ପ୍ରପୀଡିତ କାଙ୍ଗାଳିମାନଙ୍କୁ ପୁନଃ ଜାତୀକରଣ କରାଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇଥିଲେ । ଦୁର୍ଭିକ୍ଷ କବଳରେ ଅନାଥ ହୋଇଥିବା ଶିଶୁକିଶୋରମାନଙ୍କ ଥଇଥାନ କରାଇବା ସହିତ ସେମାନଙ୍କୁ ସ୍ବରୋଜଗାର ପାଇଁ ବାଟ ଖୋଲି ଦେଇଥିଲେ ।
ଆଜିର ସରକାରୀ ପ୍ରୋତ୍ସାହନ ରୂପେ ଅନୁସୃତ କାମ ପାଇଁ ଖାଦ୍ୟ ଯୋଜନା ହିଁ ବିଚିତ୍ରାନନ୍ଦଙ୍କ ଦ୍ଵାରା ଦୁର୍ଭିକ୍ଷ ସମୟରେ ପ୍ରଣିତ ଯୋଜନାର ଆଧୁନିକ ରୂପ । ଏପରି ଯୋଜନା ବଳରେ ତାଳଦଣ୍ଡା କେନାଲ ଖୋଳାଇ ହଜାର ହଜାର ଲୋକଙ୍କ ଜୀବନରକ୍ଷା ସହିତ କଟକ ଜିଲ୍ଲାର ଚାଷୀଙ୍କ ପାଇଁ ଜଳଯୋଗାଣର ସୁବିଧାପୂର୍ବକ ଚାଷର ପୁନରୁଦ୍ଧାର କରାଇଥିଲେ ।
~ ଆଧୁନିକ ଓଡ଼ିଶାର ପ୍ରାଣପ୍ରତିଷ୍ଠାତା ~
ଓଡ଼ିଶାର ଯୁବକଯୁବତୀଙ୍କ ଉଚ୍ଚ ଶିକ୍ଷାର ଲକ୍ଷ୍ୟ ନେଇ ସେ ସ୍ଥାପିଥିଲେ କଟକ ମାଟିରେ ରେଭେନ୍ସା କଲିଜିଏଟ ସ୍କୁଲ ଏବଂ କଟକ ଜିଲ୍ଲା ସ୍କୁଲ, ଯାହା ପରବର୍ତ୍ତୀ ସମୟରେ ରେଭେନ୍ସା ମହାବିଦ୍ୟାଳୟରେ ପରିଣତ ହୋଇଥିଲା ।
~ ସଂସ୍କୃତିର ଅବଧାରକ ~
ଓଡ଼ିଆଙ୍କୁ ସାହିତ୍ୟ ଅଭିମୁଖୀ କରିବା ସହିତ ରାଜ୍ୟର ଭଲମନ୍ଦ ଖବର ଜଣାଇବା ଉଦ୍ଦେଶ୍ୟରେ ବିଚିତ୍ରାନନ୍ଦ ଦାସ କଟକ ପ୍ରିଣ୍ଟିଂ କମ୍ପାନୀ ପ୍ରତିଷ୍ଠା କରି କର୍ମବୀର ଗୌରୀଶଙ୍କରଙ୍କ ସହିତ ମିଶି ପ୍ରକାଶ କରାଇଥିଲେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଉତ୍କଳ ଦୀପିକା । ଏହି ପତ୍ରିକା ଓଡ଼ିଆଙ୍କ ପଥପ୍ରଦର୍ଶକ ହେବା ସହ କଟକକୁ ଦେଶରେ ବିଖ୍ୟାତ କରାଇଥିଲା ।
କଟକରେ ଅଗଣିତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପ୍ରତିଷ୍ଠା ସହିତ ଶ୍ରୀମନ୍ଦିର ସମେତ ଏ ମାଟିର ଅସଂଖ୍ୟ ମନ୍ଦିରମାନଙ୍କ ପାଇଁ ସେ ପ୍ରସ୍ତୁତ କରିଥିଲେ ପ୍ରଶାସନିକ କାର୍ଯ୍ୟଧାରା । ଶ୍ରୀମନ୍ଦିର ତଥା ଓଡ଼ିଶାର ଘରେ ଘରେ ପରିଚିତ କୋହିନୂର ପଞ୍ଜିକାର ସେ ଥିଲେ ପ୍ରତିଷ୍ଠାତା ।
~ ଓଡ଼ିଆ ଭାଷାର ଜାଗ୍ରତ ପ୍ରହରୀ ~
ସ୍ବତନ୍ତ୍ର ପ୍ରଦେଶ ଗଠନ ତଥା ଓଡିଆଭାଷାର ସୁରକ୍ଷା ଉଦ୍ଦେଶ୍ୟରେ କଟକରେ ସେ ଆୟୋଜନ କରିଥିଲେ ମେଳବର୍ଦ୍ଧିନୀ ସମାରୋହ, ଏଇ ସମାରୋହ ହିଁ ଥିଲା ଉତ୍କଳ ସମ୍ମିଳନୀର ଭିତ୍ତିଭୂମି ।
‘ଓଡ଼ିଆ ଏକ ସ୍ବତନ୍ତ୍ର ଭାଷା ନୁହେଁ’ର ପ୍ରତ୍ୟୁତ୍ତର ସ୍ବରୂପ ବ୍ୟାସକବି ଫକୀରମୋହନଙ୍କ ସେନାପତିତ୍ୱରେ ଚାଲିଥିବା ସଂଗ୍ରାମରେ ବିଚିତ୍ରାନନ୍ଦ ମଧ୍ୟ ସାଜିଥିଲେ ଜଣେ ଅପ୍ରତିହତ ଯୋଦ୍ଧା ।
ସ୍ବତନ୍ତ୍ର ପ୍ରଦେଶ ଗଠନର ମୂଳଦୁଆ ପକାଇ ଓଡ଼ିଶା ସହିତ ଗଞ୍ଜାମର ମିଶ୍ରଣ ଆନ୍ଦୋଳନର ସେ ଥିଲେ ମୁଖ୍ୟ ପୁରୋଧା ।
~ ଯଥାର୍ଥ ଆଦିନେତା ~
ଓଡ଼ିଆଙ୍କୁ ସବୁ ଦିଗରେ ଆଗୁଆ କରି ସମସ୍ତ ସୁଖସୁବିଧା ଯୋଗାଇ ଦେବାକୁ ଚିନ୍ତା କରୁଥିବା ବିଚିତ୍ରାନନ୍ଦ କଟକ ସହରରେ ଯାତାୟତର ସୁବିଧା ପାଇଁ ଘୋଡାଗାଡି ଚଳାଇବାର ବ୍ୟବସ୍ଥା କରିଥିଲେ ।
ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କ ଅବିରତ ଉଦ୍ୟମ, ଜନମାନସରେ ତାଙ୍କୁ “ଆଦିନେତା” ପଦବାଚ୍ୟ କରାଇଥିଲା, କୌଣସି ସରକାର କିମ୍ବା ରାଜାଜମିଦାର ତାଙ୍କୁ ଏ ପଦବୀ ପ୍ରଦାନ କରି ନ ଥିଲେ । ସର୍ବାଗ୍ରେ ପୂଜ୍ୟ ଏଇ ମହାପୁରୁଷ ବିଚିତ୍ରାନନ୍ଦ ଦାସ କିନ୍ତୁ ଆଜି ଓଡ଼ିଆଙ୍କ ଦ୍ଵାରା ସମ୍ପୂର୍ଣ୍ଣ ବିସ୍ମୃତ ।
କଟକ ଜିଲ୍ଲାର କଣ୍ଟାବଣିଆ ଗ୍ରାମରେ ଜନ୍ମିତ ବିଚିତ୍ରାନନ୍ଦ ଦାସ ଥିଲେ ଆଧୁନିକ ଓଡ଼ିଶାର ପ୍ରାଣ ପ୍ରତିଷ୍ଠାତା ପ୍ରବାଦପୁରୁଷ
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago