ହଜିଲା ଦିନର କଥା

ବାଲିଆପାଳର ଲାଲମାଟିରେ ପାନର ଇତିହାସ

ଲେଖା: ଦେଵ ତ୍ରିପାଠୀ

ପାନ କଥା ପଡ଼ିଲେ ପାନୁଆଙ୍କ କଥା ନିହାତି ପଡ଼ିବ । ପାନ ପରା ଆମ ଓଡ଼ିଆମିର ପ୍ରତୀକ ! ଓଡ଼ିଆର ଗଉରବ ! ଆଉ ଆମକୁ ଓଡ଼ିଆମି ଶିଖାଇଥିବା ମଣିଷଟି କି ବାଦ ପଡିଥାନ୍ତା ପାନର ପ୍ରଭାବରୁ !

ଆମ ଗୁରୁଦେବ ବ୍ୟାସକବି ଥିଲେ ଜଣେ ପୋଖତ ପାନୁଆ ! ପଣ୍ଡିତ ଗୋଦାବରୀଶ ପରା ଲେଖିଯାଇଛନ୍ତି, ପାନ ନ ଥିଲେ କି ଆମେ ଫକୀରମୋହନଙ୍କୁ ପାଇଥାନ୍ତେ ! ଠିକ କଥା। ସେନାପତିଏ ଶୋଇଲା ବେଳକୁ ତାଙ୍କ ବୋଲକରାଟି ପାନ କେଇଖଣ୍ଡି ଭାଙ୍ଗି ସାଇତିକି ରଖିଦିଏ ବିଛଣା ପାଖରେ । ଖଟ ପାଖରେ ଗୋଟିଏ ବଡ଼ ଟେବୁଲ ଉପରେ ଲଣ୍ଠନ, ବହିପତ୍ର, ଖାତାକାଗଜ, ଦୁଆତ-କଲମ ସହିତ ଭଙ୍ଗାପାନ କେତୋଟି ସାଇତି ରଖାଯାଇଥାଏ । ରାତିରେ ଯଦି ନିଦ ଭାଙ୍ଗେ ଏବଂ ମନକୁ କିଛି ଭାବଧାରା ଜୁଟେ, ସାହିତ୍ୟପିତା ଆମର ଉଠି ଆଗ ଲଣ୍ଠନ ତେଜି ପାନ ଖଣ୍ଡେ କଳରେ ଜାକିବେ, ତା’ ପରେ କଲମଖାତା ଧରିବେ !

ସେନାପତିଙ୍କ ପାନଖିଆ ଅଭ୍ୟାସ ପାଇଁ ସାହିତ୍ୟିକ ତଥା ଶିକ୍ଷାବିଦ ଚନ୍ଦ୍ରମୋହନ ମହାରଣା ସ୍ବଭାବସୁଲଭ ଭଙ୍ଗୀରେ ଥରେ କହିଥିଲେ ତାଙ୍କୁ, ପାନଲତାଟିଏ ଲଗାଇବା ପାଇଁ ! ପାନ ଭର୍ତ୍ତି ପାଟିରେ ଠୋ ଠୋ ହସି ଉଠିଥିଲେ ସେନାପତିଏ ।


କେଉଁଠି ବ୍ୟବସାୟକୁ ନେଇ, ଅବା କେଉଁଠି ପାନରସିକଙ୍କ ପାଇଁ ଅବା କେଉଁଠି ଦିଅଁଙ୍କ ନୀତି ସହ ଯୋଡ଼ି ହୋଇ ପାନର ମହନୀୟତା ପ୍ରସ୍ଫୁଟିତ ହୋଇଥିଲା; କେଉଁଠି ପାନ ବ୍ୟବସାୟୀମାନେ ଯାବତୀୟ Value Addition କରିବା ସହିତ ନିଜ ନିଜର ବଜାର ଅଂଶ ବଢାଇ ପାରିବାର ସୁଯୋଗ ପାଇଥିଲେ, ମାତ୍ର ବ୍ୟାସଭୂମି ବାଲେଶ୍ଵର ଜିଲ୍ଲାର ପାନଚାଷୀ ଲଢିଚାଲିଥିଲେ ସଂଗ୍ରାମ, ନିଜ ପାନବରଜ ସୁରକ୍ଷା ପାଇଁ, ପାନ ଓ ବରଜକୁ ନେଇ ଯେଉଁ ଆବେଗରେ ବାନ୍ଧି ହୋଇଯାଇଥିଲେ, ସେଇ ଆବେଗଟିକକକୁ ଆବୋରି ଧରି କେତେ ସଂଘର୍ଷ କରିନାହାଁନ୍ତି ସେମାନେ ! ନିଶ୍ଚିତ ଭାବେ, ବାଲିଆପାଳର ଲାଲମାଟିରେ ପାନର ଥିଲା ଏକ ମହାର୍ଘ ଇତିହାସ ! ସେ ଇତିହାସ ଲେଖା ଯାଇଥିଲା ହଜାର ହଜାର ପାନଚାଷୀଙ୍କ ଲୁହ ଆଉ ଲହୁରେ !ବିଗତ ଶତାବ୍ଦୀରେ ଅବିଭକ୍ତ କଟକ, ଗଞ୍ଜାମ ଓ ପୁରୀ ଜିଲ୍ଲା ବ୍ୟତୀତ ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳ ସମେତ ମଧ୍ୟପ୍ରଦେଶ, ମହାରାଷ୍ଟ୍ରର କେତେକାଂଶରେ ପାନୁଆଙ୍କ ଚାହିଦା ମେଣ୍ଟାଇ ପାରୁଥିବା ବାଲିଆପାଳର ବିଦ୍ରୋହୀ ମାଟିରେ ସୁବିସ୍ତୃତ ପାନଚାଷ ପାଇଁ ଚାଷୀମାନେ ସହିଛନ୍ତି ଅସହ୍ୟ ଯାତନା, ମାନସିକ ନିର୍ଯ୍ୟାତନା, ପ୍ରତାରଣା, ଅର୍ଥହାନି ! ପାନଚାଷୀର ଆତ୍ମବଳିଦାନରେ ବାଲିଆପାଳ ପାନ ସତେ ଯେପରି ହୋଇପାରିଥିଲା ରସସିକ୍ତ, ସ୍ବାଦିଷ୍ଟ !ବାଲିଆପାଳ ସିମୁଳିଆ ହାଟଠାରୁ ୧୦/୧୨ କି.ମି. ଦକ୍ଷିଣ ପୂର୍ବରେ ସମୁଦ୍ର ତଟବର୍ତ୍ତୀ ଏକ ପ୍ରଖ୍ୟାତ ପଲ୍ଲୀ ଚଉମୁଖ । ଚଉମୁଖ ଗ୍ରାମ ସମେତ ଡଗରା, ଜାମତକୁଲା, ଆମଚୁଆ, ଯୁଗଡିହା, ବେତଗାଡିଆ, ରତାଇ, ଅଳାଡିହା, ନୂଆଗାଁ, ଜମ୍ଭିରାଇ, ନାରଣପୁରା, ନାରାୟଣପୁର, ତାନ୍ତା ପରି ଅନେକ ଗ୍ରାମ ତଥା ଚନ୍ଦନେଶ୍ଵର, ଭୋଗରାଇ, ଲଙ୍ଗଳେଶ୍ବର ପରି ଅଞ୍ଚଳ ଗୁଡ଼ିକରେ ସୁସଂଗଠିତ ପାନଚାଷ ପ୍ରତି ଶ୍ୟେନଦୃଷ୍ଟି ପକାଇଥିଲେ ବ୍ରିଟିଶ ସରକାର ! ହଜାର ହଜାର ପାନଚାଷୀଙ୍କ ଭାବପ୍ରବଣତାକୁ ଆଘାତ ଦେବା ସହ ସେମାନଙ୍କର ଆର୍ଥିକ ସ୍ଥିତିକୁ ଦୋହଲାଇବାକୁ ଚେଷ୍ଟା କରିଛି ତତ୍କାଳୀନ ସରକାର ! କେବେ ଟିକସର ବୋଝ କଷି ତ କେବେ ‘ଡିଭାଇଡ୍ ଏଣ୍ଡ୍ ରୁଲ୍’ ନୀତିରେ ବିଭେଦ ସୃଷ୍ଟି କରାଇ, କେବେ ଅବା ପୁଲିସ୍ ବାହିନୀ ଦ୍ଵାରା ପାନବରଜକୁ ଧ୍ୱଂସ କରି ! ମା’କାଳୀ ରୂପେ ପୂଜା କରୁଥିବା ପାନବରଜ ଭିତରେ ଖୀରସ୍ତାନ ପୁଲିସ ବାହିନୀର ପ୍ରବେଶରେ ବାରମ୍ବାର ମାନସିକ ଆଘାତ ପାଇଛନ୍ତି ବାଲିଆପାଳର ପାନଚାଷୀ ! ହେଲେ ଭାଙ୍ଗି ପଡି ନାହାଁନ୍ତି !

ବ୍ରିଟିଶ ବାହିନୀର ଦର୍ପକୁ ଚୁରମାର୍ କରି ବାଲିଆପାଳର ଚାଷୀଗଣ ବାରମ୍ବାର ଗଢ଼ି ତୋଳିଛନ୍ତି ସେମାନଙ୍କ ପ୍ରାଣପ୍ରିୟ ପାନବରଜକୁ ! ସଳଖି ନେଇଛନ୍ତି ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ! ଲତାଖଣ୍ଡିକ ପାଇଁ ଯେଉଁ ଜାତି ଏତେ ଭାବପ୍ରବଣ ତା’ ପାଖରେ ହାରମାନିଛି ବ୍ରିଟିଶ ସରକାରର ଦମ୍ଭିଲାପଣ !

ବାଲିଆପାଳର ବିଦ୍ରୋହୀମାଟିର ପାନଚାଷୀଙ୍କ ସଂଗ୍ରାମର ବାର୍ତ୍ତା କିନ୍ତୁ ହଜିଯାଇଛି ସମୟ ସୁଅରେ ! ନିଜର ଅଧିକାର ପାଇଁ, ମା’ ପାଇଁ ଲଢ଼ି ଲଢ଼ି ଜୀବନକୁ ବାଜି ଲଗାଇ ସେଇ ସଂସ୍କୃତିର ମହାଦ୍ରୁମଟିକୁ ବଞ୍ଚାଇ ରଖିବା ନିମନ୍ତେ ବାଲିଆପାଳର ପାନଚାଷୀମାନଙ୍କର ତ୍ୟାଗପୂତ କାହାଣୀ ନା ଆକର୍ଷି ପାରିଛି ଏ ମାଟିର ସଂସ୍କୃତି ଗବେଷକଙ୍କୁ ଅବା ଐତିହାସିକମାନଙ୍କୁ !

ସ୍ବାଧୀନ ଭାରତର ସରକାର ପାଇଁ ମଧ୍ୟ କମ୍ କଷ୍ଟ ସହିନାହାଁନ୍ତି ବାଲିଆପାଳର ପାନଚାଷୀ ! କ୍ଷେପଣାସ୍ତ୍ର ଘାଟୀର ସ୍ଥାପନା କାଳରେ ପରିବେଶପ୍ରେମୀ, ସ୍ବେଚ୍ଛାସେବୀ, ସାମାଜିକ କର୍ମୀ ଅବା ରାଜନେତାଙ୍କର ଭାଷଣବାଜିରେ ଚଳଚଞ୍ଚଳ ହୋଇ ଉଠିଥିଲା ବାଲିଆପାଳ ! କ୍ଷେପଣାସ୍ତ୍ର ବିରୋଧୀ ଆନ୍ଦୋଳନରେ ଲାଭବାନ ହୋଇଥିଲେ ସଭିଏଁ ! ହେଲେ ପାନଚାଷୀଙ୍କ ଦୁଃଖ ଅବା କିଏ ଦେଖି ପାରିଥିଲା ? କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ପରେ ମାଟି ଓ ପାଣି ପ୍ରଭାବିତ ହେବା କାରଣରୁ ପାନଚାଷ ହୋଇ ଚାଲିଲା ବହୁଳ ଭାବେ କ୍ଷତିଗ୍ରସ୍ତ !

ବାଲିଆପାଳର ପ୍ରଦୂଷିତ ମାଟିରେ ପାନର କଡ଼ମା ବା ଚାରା ବା ପୁଆ ହୋଇପଡ଼ିଲା ଚାଷୀଙ୍କ ପାଇଁ କ୍ଷତିକାରୀ ! ଅନନ୍ୟୋପାୟ ହୋଇ ଚିରଶତ୍ରୁ ବଙ୍ଗାଳି ଚାଷୀମାନଙ୍କ ଉପରେ କଡ଼ମା ପାଇଁ ନିର୍ଭର କରିବାରୁ ସେଇ ଧୂର୍ତ୍ତ ଚାଷୀ/ବ୍ୟବସାୟୀମାନେ ବାଲିଆପାଳର ଓଡ଼ିଆ ଚାଷୀମାନଙ୍କୁ ଶୋଷଣ କରିବାକୁ ବାଟ ଖୋଜିଲେ !

ଉପଯୁକ୍ତ ମୂଲ୍ୟରେ କଡ଼ମା ନ ପାଇବା, ସରକାରୀ ଉଦାସୀନତା, ଲୋକଙ୍କ ଚାହିଦାରେ ପରିବର୍ତ୍ତନ ଇତ୍ୟାଦି ବହୁବିଧ କାରଣରୁ ବାଲିଆପାଳର ପାନଚାଷୀ ଧୀରେ ଧୀରେ ପାନଚାଷରୁ ବିରତ ହେଲେ ! ଗଞ୍ଜାମ ପରି ଶେଷରେ ସେଇ ଚଳମାନ ସବୁଜ ସଂସ୍କୃତି ଦିନେ ଧରାଶାୟୀ ହେଲା !

ବାଲିଆପାଳ ଅଞ୍ଚଳର ପାନଚାଷୀ ପାନ ସହିତ ଗୁଆ, ନଡ଼ିଆ, କାଜୁ ବାଦାମ, ଚିନାବାଦାମ, ମସିଣା, ସପକାଠି ଇତ୍ୟାଦିର ଚାଷ ଓ ବ୍ୟବସାୟ କରୁଥିଲେ ! ପାନକୁ ନେଇ ଆମଚୁଆ ଗ୍ରାମରେ ଏକଦା ବସୁଥିଲା ଏକ ସ୍ବତନ୍ତ୍ର ତଥା ବିଶାଳ ସାପ୍ତାହିକ ହାଟ ! ପାନର ସୁବିସ୍ତୃତ ବିପଣି ଗୁଡ଼ିକରେ ମଧ୍ୟ ବିକ୍ରୟ ହେଉଥିଲା ହରେକ କିସମର ପାନ ମସଲା, ଖୁଆ, ଚୁନ, ନଡ଼ିଆ, ତେନ୍ତୁଳି, ବାଦାମ, ଖଜୁରୀଗୁଡ, ତାଳଗୁଡ ଇତ୍ୟାଦି !

ଏବେ ଅବଶ୍ୟ ସେସବୁ ସପନ ! ବାଲେଶ୍ଵର ମାଟିରେ ବ୍ୟାସକବିଙ୍କ ପରି ପୋଖତ ପାନୁଆ ନାହାଁନ୍ତି କି ବାଲେଶ୍ଵରୀ ପାନର ମହକ ଆଉ ନାହିଁ !

ବାଲିଆପାଳର ସେ ବିଦ୍ରୋହୀ ମାଟିର ରଙ୍ଗ ବି ଆଜି ଫିକା ସତରେ !

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago