ଉପସ୍ଥାପନା: ଦେଵ ତ୍ରିପାଠୀ
ଓଡ଼ିଆ ଭାଷାସାହିତ୍ୟର ‘ଆଧୁନିକ ଯୁଗ’ ଖ୍ରୀଷ୍ଟୀୟ ଉନବିଂଶ ଶତାବ୍ଦୀର ନବମ ଦଶକ (୧୮୮୦ ଖ୍ରୀଷ୍ଟାବ୍ଦ)ଠାରୁ ସାମ୍ପ୍ରତିକ କାଳ ପର୍ଯ୍ୟନ୍ତ ବ୍ୟାପ୍ତ । ବହୁ ସାହିତ୍ୟ ସମାଲୋଚକ କବିବର ରାଧାନାଥ ରାୟଙ୍କ ନାମାନୁସାରେ ଏହି ଯୁଗକୁ ‘ରାଧାନାଥ ଯୁଗ’ ଭାବରେ ଅଭିହିତ କରନ୍ତି । କାରଣ ଏ ଯୁଗର ଶ୍ରେଷ୍ଠ କବି ହେଉଛନ୍ତି ରାଧାନାଥ ।
ପ୍ରାଚୀନ ସାରଳା ଯୁଗ, ମଧ୍ୟଯୁଗୀୟ ଜଗନ୍ନାଥ (ପଞ୍ଚସଖା) ଯୁଗ ଓ ଉପେନ୍ଦ୍ର ଭଞ୍ଜ ଯୁଗର ଅନୁକରଣରେ ଏହି ନାମକରଣ କରାଯାଇଛି । ଉକ୍ତ ଯୁଗଗୁଡ଼ିକ ମୁଖ୍ୟତଃ ଥିଲା କାବ୍ୟ-କବିତାର ଯୁଗ ଏବଂ ଏହି ଯୁଗର ଶ୍ରେଷ୍ଠ କବିମାନଙ୍କ ନାମରେ ତେଣୁ ଏଗୁଡ଼ିକ ନାମିତ ହେଉଥିଲା । କିନ୍ତୁ ଆଲୋଚ୍ୟ ଯୁଗ କେବଳ କାବ୍ୟକବିତାର ଯୁଗ ନ ଥିଲା । ରୀତିଯୁଗର ଅବସାନ ପରେ ଓଡ଼ିଆ ସାହିତ୍ୟ ଗଡ଼ଜାତ ଅଞ୍ଚଳରୁ ଉପକୂଳ ଅଞ୍ଚଳକୁ ଫେରି ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, କାବ୍ୟକବିତା ଇତ୍ୟାଦିରେ ପୁଷ୍ଟ ହେଲା । ଏଣୁ ଭାବପ୍ରବଣତା ବଶତଃ ଚହୁମୁଖୀ ସାହିତ୍ୟ ସୃଷ୍ଟି ହୋଇଥିବା ଏ ଯୁଗର ଶ୍ରେଷ୍ଠ କବିଙ୍କୁ ଯୁଗପ୍ରବର୍ତ୍ତକ ଭାବରେ ଗ୍ରହଣ କରିବାରେ ଔଚିତ୍ୟ ଥିଲାଭଳି ମନେହୁଏ ନାହିଁ । ବରେଣ୍ୟ ସମାଲୋଚକ ସୁରେନ୍ଦ୍ର ମହାନ୍ତି ଏଣୁ ଯଥାର୍ଥରେ କହନ୍ତି, “xxx ରାଧାନାଥଙ୍କୁ ଆଧୁନିକ ଯୁଗର ଶ୍ରେଷ୍ଠ କବି ରୂପେ ବିବେଚନା କରାଗଲେ ହେଁ, ଆଧୁନିକ ଯୁଗର ପ୍ରବର୍ତ୍ତକ ରୂପେ ତାଙ୍କୁ ସ୍ଵୀକାର କରାଯାଇ ନ ପାରେ” । (‘ଫକୀରମୋହନ ସାହିତ୍ୟ ସମୀକ୍ଷା’) ସେ ପୁଣି କହନ୍ତି, ‘‘ତଥାପି ଏ ଯୁଗକୁ ଯଦି କୌଣସି ନିର୍ଦ୍ଦିଷ୍ଟ କାଳ ବା ଲେଖକଙ୍କ ନାମରେ ନାମିତ କରିବାର ପ୍ରୟୋଜନ ପଡ଼େ, ତାହେଲେ ଏହା ଫକୀରମୋହନ ଯୁଗରେ ନାମିତ ହେବା ହିଁ ସମୀଚୀନ ।’’(‘ଓଡ଼ିଆ ସାହିତ୍ୟର କ୍ରମବିକାଶ’)
ପଣ୍ଡିତ ନୀଳକଣ୍ଠ ଦାସ ମଧ୍ୟ ଏ ଯୁଗକୁ ଫକୀରମୋହନଙ୍କ ନାମରେ ନାମିତ କରିବା ସପକ୍ଷରେ । ସେ କହନ୍ତି- ‘‘ସେ (ଫକୀରମୋହନ) ହେଉଛନ୍ତି ଯଥାର୍ଥରେ ଆଧୁନିକ #ଓଡ଼ିଆ_ସାହିତ୍ୟର_ପିତା । ଏ ଦିଗରେ ଅନ୍ୟ କାହାରି ଚେଷ୍ଟା, ଏପରି ସଙ୍ଗତ, ସମୀଚୀନ ଓ ଉପାଦେୟ ନୁହେଁ । କାହାରି ଲେଖା ହୁଏତ ତାଙ୍କ ପୂର୍ବରୁ ବାହାରିଥିଲା । କେହି କେହି ହୁଏତ ନାନା କାରଣରୁ ସାହିତ୍ୟରେ ପ୍ରତିଷ୍ଠାବନ୍ତ ହୋଇଥିଲେ । କିନ୍ତୁ ଆଜି ଦୂର ଇତିହାସକୁ ଚାହିଁ ଦେଖିଲା ପରି ଦେଖିଲେ, ବେଶ୍ ବୁଝାଯିବ, ଫକୀରମୋହନଙ୍କ ପରି ଯଥାର୍ଥ ଓଡ଼ିଆ ସାହିତ୍ୟ ସେକାଳେ ଅତି ଅଳ୍ପ ଲୋକ ହୁଏତ ଆଂଶିକ ଭାବରେ ଲେଖିଥିଲେ କି ନା ସନ୍ଦେହ । ପ୍ୟାରୀମୋହନଙ୍କ ଇତିହାସଠାରୁ ଭକ୍ତକବି ମଧୁସୂଦନ, ରାଧାନାଥଙ୍କ ଗଦ୍ୟପଦ୍ୟ ପର୍ଯ୍ୟନ୍ତ ସବୁ ଏ କ୍ଷେତ୍ରରେ ବିଚାରକୁ ଆଣିଲେ ମଧ୍ୟ ବ୍ୟାସକବି ଫକୀରମୋହନ ଭାଷା ଓ ଭଙ୍ଗୀରେ ଯାହା ଦେଇଯାଇଛନ୍ତି, ତାହାର ଦ୍ଵିତୀୟ ମଧ୍ୟ ଓଡ଼ିଶାରେ ପ୍ରକାଶ ପାଇଛି ବୋଲି ମନେ ହେଉନାହିଁ ।” (‘ଫକୀରମୋହନ ପରିକ୍ରମା’ରେ ‘ମୁଁ ଯେପରି ତାଙ୍କୁ ଦେଖିଛି’ ପ୍ରବନ୍ଧ)
ଡ. ମାୟାଧର ମାନସିଂହ ମଧ୍ୟ ଏ ଯୁଗକୁ ଫକୀରମୋହନ ଯୁଗ ହିସାବରେ ଗ୍ରହଣ କରିବାକୁ ଉଚିତ ମନେ କରିଛନ୍ତି । ତାଙ୍କ ମତରେ, ‘‘କିନ୍ତୁ ଆଧୁନିକ ଗବେଷଣା ଓଡ଼ିଆ ସାହିତ୍ୟର ଗତ ୬୦ ବର୍ଷର ଘଟଣାପ୍ରବାହକୁ ଏବର ପାଠକମାନଙ୍କ ଆଗରେ ଯେପରି ଥୋଇଛନ୍ତି, ସେଥିରେ ସେମାନଙ୍କ ଚିତ୍ତରେ ସାହିତ୍ୟିକ ମୂଲ୍ୟବୋଧରେ ପରିବର୍ତ୍ତନ ଆସିଯାଇଛି, ଫଳତଃ ବର୍ତ୍ତମାନ ଓଡ଼ିଶାର ବୁଦ୍ଧିଜୀବୀ ସମ୍ପ୍ରଦାୟର ସର୍ବବାଦୀ ମତ ଏହି ଯେ, ଆଧୁନିକ ଯୁଗ ପ୍ରକୃତରେ ନାମିତ ହେବା ଉଚିତ ସରସ୍ବତୀ ଫକୀରମୋହନ ସେନାପତିଙ୍କ ନାମରେ ।” (‘ଓଡ଼ିଆ ସାହିତ୍ୟର ଇତିହାସ’)
ଏହି ଯୁଗରେ #ଫକୀରମୋହନ, #ରାଧାନାଥ ଓ ମଧୁସୂଦନ ପରସ୍ପରଙ୍କ ପରିପୂରକ ଥିଲେ । ବାସ୍ତବରେ ଜଣେ ନୁହେଁ, ତିନିଜଣଙ୍କ ମିଳିତ ଉଦ୍ୟମରେ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗ ସୃଷ୍ଟି ହୋଇଛି । ତଥାପି ଅସାଧାରଣ ପ୍ରତିଭାଧର ଫକୀରମୋହନଙ୍କ ନାମରେ ଆଧୁନିକ ଯୁଗକୁ ନାମିତ କରିବାର ଯଥାର୍ଥତା ରହିଛି । କାରଣ ଆଧୁନିକ ଯୁଗର ଅଭ୍ୟୁଦୟ ହୋଇଥିବା ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ, ଯେତେବେଳେ ଓଡ଼ିଶାରେ ଇଂରେଜ ଶାସନ ପ୍ରବର୍ତ୍ତିତ ହୋଇସାରିଥିଲା ଓ ବିଦେଶୀ ଶିକ୍ଷା ଓ ରାଜନୀତି ଦ୍ରୁତ ପ୍ରସାରିତ ହେଉଥିଲା । ସଙ୍ଗୀନଧାରୀ ଇଂରେଜବାହିନୀ ପଛେ ପଛେ ବାଇବେଲ୍‌ଧାରୀ ଖ୍ରୀଷ୍ଟିଆନ ପାଦ୍ରୀଙ୍କର ଆଗମନ ହୋଇ ସାରିଥିଲା । ‘‘ଓଡ଼ିଶାରେ ଏହି କାଳରେ ଜାତୀୟ ତଥା ସାଂସ୍କୃତିକ ସଙ୍କଟ ଦେଖାଦେଇଥିଲା । ବିଦେଶୀ ଶିକ୍ଷା ଓ ରୀତିନୀତିକୁ ମୁଷ୍ଟିମେୟ ଦଳେ ଗିଳିବାକୁ ବସିଥିଲାବେଳେ ବହୁଲୋକ ଏହାକୁ ପ୍ରତିବାଦ କରୁଥିଲେ ଅନ୍ୟପଟରେ ପ୍ରତିବେଶୀ ବଙ୍ଗପ୍ରଦେଶର ଲୋକେ (ଯେଉଁମାନେ ବ୍ରିଟିଶ କଳର ‘ନଟ୍-ବୋଲ୍ଟ’ ହୋଇ ଆସିଥିଲେ) ଓଡ଼ିଆ ଏକ ସ୍ଵତନ୍ତ୍ର ଭାଷା ନୁହେଁ ବୋଲି ଯେଉଁ ଚିତ୍କାର କଲେ, ତା’ର ପ୍ରତିରୋଧ କରିବାକୁ ଆହ୍ୱାନ ଆସିଥିଲା । ଏହି କାଳ ଓଡ଼ିଆ ଜାତି ପାଇଁ ଜଣେ ‘ସେନାପତି’ ଖୋଜୁଥିଲା; ଜଣେ ନୈତୃତ୍ବ ଦେଇପାରିବା ବ୍ୟକ୍ତିର ସନ୍ଧାନ କରୁଥିଲା । ଶେଷକୁ ସେଇ ସେନାପତି ହେଲେ ଫକୀରମୋହନ, ଯିଏ ବାସ୍ତବ ଜୀବନରେ ସଂଗ୍ରାମ କରୁଥିଲେ ପରିବେଶ ସହିତ, ବିଜାତୀୟତା ସହିତ । x x ତାଙ୍କ ସହିତ ତାଳଦେଲେ ରାଧାନାଥ, ମଧୁସୂଦନ ଏବଂ ପରେ #ନନ୍ଦକିଶୋର ଓ #ଗଙ୍ଗାଧର । x x ଫକୀରମୋହନଏହି କାଳର ସବୁଠାରୁ ପ୍ରତିଭାବାନ ସ୍ରଷ୍ଟା ଏବଂ ସମସ୍ତ ନୂତନ ଚିନ୍ତା ଚେତନାର ଆବାହକ । ତେଣୁ ଏହି ଯୁଗକୁ ତାଙ୍କରି ନାମାନୁସାରେ ନାମିତ କରିବା ଅଧିକ ଯଥାର୍ଥ ହେବ ।’’(ଡ. ରତ୍ନାକର ଚଇନି, ‘ମୋ ଆଖିର ମୂଲ’)
ଏହି ଯୁଗକୁ ‘ରାଧାନାଥ ଯୁଗ’ ପରିବର୍ତ୍ତେ ‘ଫକୀରମୋହନ ଯୁଗ’ ଭାବରେ ଗ୍ରହଣ କରିବା ସପକ୍ଷରେ ଦୃଢ଼ ତଥା ଅକାଟ୍ୟ ଯୁକ୍ତି ଉପସ୍ଥାପନ କରନ୍ତି ବର୍ଷୀୟାନ ଅଧ୍ୟାପକ ୰ ସର୍ବେଶ୍ଵର ଦାଶ ସ୍ୱରଚିତ ‘ଯୁଗସ୍ରଷ୍ଟା ଫକୀରମୋହନ’ ଗ୍ରନ୍ଥରେ । ତାଙ୍କ ଭାଷାରେ– “ଅତୀତର ସାହିତ୍ୟର ପ୍ରଧାନ ଉପଜୀବ୍ୟ ଥିଲା ବ୍ୟକ୍ତିଗତ ଜୀବନର ସୁଖଦୁଃଖ, ପ୍ରେମପରିଣୟ, ମିଳନବିଚ୍ଛେଦ । କିନ୍ତୁ ବ୍ୟକ୍ତି ଯେ ସମାଜର ଅଙ୍ଗ, ସମାଜର ବିଧିନିଷେଧ, ଦୋଷଦୁର୍ବଳତା, ବିରହମିଳନ, ହାସ୍ୟଲୋତକକୁ ନିୟନ୍ତ୍ରଣ କରିଛି, ସେ କଥା କେହି ବୃଦୟଙ୍ଗମ କରି ନଥିଲେ । କିନ୍ତୁ ଏହା ହିଁ ଆଧୁନିକ ସାହିତ୍ୟର ନିର୍ଯ୍ୟାସ । ଆଧୁନିକ ସାହିତ୍ୟ ବ୍ୟକ୍ତିର ଏକକ ଜୀବନର ପ୍ରତିବିମ୍ବ । ନୁହେଁ, ବ୍ୟକ୍ତି ସଙ୍ଗେ ଆର୍ଥନୀତିକ ଓ ସାମାଜିକ ପରିପାର୍ଶ୍ବର ସଂଘର୍ଷର ପ୍ରତିଧ୍ଵନି । ଫକୀରମୋହନ ଏ ସତ୍ୟ ଉପଲବ୍ଧି କରିଥିଲେ । ରାଧାନାଥ ସାହିତ୍ୟରେ ଏହାର ଆଭାସ ନାହିଁ । ତେଣୁ ଓଡ଼ିଆ ସାହିତ୍ୟରେ ନବୀନ ଯୁଗର ଭଦ୍‌ଗାତା କବି ରାଧାନାଥ ନୁହନ୍ତି, ଔପନ୍ୟାସିକ ଫଳୀରମୋହନ। ରାଧାନାଥଙ୍କ #ଚନ୍ଦ୍ରଭାଗା, #ଯଯାତିକେଶରୀ, #ଉଷା, #ନନ୍ଦିକେଶ୍ବରୀ, #ପାର୍ବତୀର ବାହ୍ୟ ପରିଚ୍ଛଦଟି ଆଧୁନିକ ଯୁଗର, କିନ୍ତୁ ଅଭ୍ୟନ୍ତରଟି ସେହି #ଲାବଣ୍ୟବତୀ, #କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ଯୁଗର କହିଲେ ଅତ୍ୟୁକ୍ତି ହେବ ନାହିଁ ।”
“ପୁଣି ଆଧୁନିକ ଯୁଗ ବାସ୍ତବରେ ଗଦ୍ୟ ସାହିତ୍ୟର ଯୁଗ । କେବଳ ସାହିତ୍ୟ ନୁହେଁ ମନୁଷ୍ୟର ଜୀବନ ଆଜି ଗଦ୍ୟମୟ । କବିତାର ଅର୍ଜନା ପାଇଁ ଯେଉଁ ଶିଳ୍ପସମ୍ଭାର, ଯେଉଁ ପରିବେଶ, ଅନ୍ତରର ଯେଉଁ ସୌକୁମାର୍ଯ୍ୟ, ଲାଳିତ୍ୟ ଓ କମନୀୟତା ଏବଂ ଅବସରର ଯେଉଁ ପ୍ରାଚୁର୍ଯ୍ୟ ଆବଶ୍ୟକ, ତାହା ଆଜିକାର ଜୀବନସଂଗ୍ରାମର କଠୋରତା ଏବଂ ହା ହୁତାଶ ମଧ୍ୟରେ ଆଉ ସମ୍ଭବପର ନୁହେଁ । ଏହାର ଅବଶ୍ୟମ୍ଭାବୀ ପରିଣତି ସ୍ବରୂପ ମନୁଷ୍ୟ ଆଜି ତା’ର ଭାବର ଆଦାନ ପ୍ରଦାନ ପାଇଁ କଳାବତୀ କବିତା ପରିବର୍ତ୍ତେ ନିରାଭରଣା ବ୍ୟବହାରସର୍ବସ୍ୱ, ଏକାନ୍ତ କାବ୍ୟକୁ ବାଛିନେଇଛି । ଧର୍ମ, ଦର୍ଶନ, ସମାଜଚିତ୍ର ଆଦି ମନୁଷ୍ୟ ଚିନ୍ତାର ଯାହା ସର୍ବଶ୍ରେଷ୍ଠ ସମ୍ପଦ, ତାହା ଆଜି ଗଦ୍ୟର ମାଧ୍ୟମରେ ପ୍ରକାଶ ପାଇଛି । କବି ନାମଧେୟ ମୁଷ୍ଟିମେୟ ପଦ୍ମଭୁକ୍ କଳ୍ପଳାବିଳାସୀଙ୍କୁ ଛାଡ଼ିଦେଲେ ସର୍ବତ୍ର ଗଦ୍ୟର ଅଖଣ୍ଡ ପ୍ରତିପତ୍ତି । ଗଦ୍ୟର ଅପ୍ରତିହତ ପ୍ରଭାବରେ କବିତା ରଚନାର ଧାରା ବି ଆଜି ବଦଳିଯାଇଛି । କବିତା ଆପଣାର ଅସ୍ତିତ୍ବ ବଞ୍ଚାଇବା ପାଇଁ ଗଦ୍ୟର ବସ୍ତ୍ରାଞ୍ଚଳକୁ ଆଶ୍ରା କରୁଛି ।
ଫକୀରମୋହନଙ୍କ ପୂର୍ବରୁ ଓଡ଼ିଆରେ ଗଦ୍ୟ ସାହିତ୍ୟ ନଥିଲା କହିଲେ ଚଳେ । ଯାହା ବା ଥିଲା, ତାହା ଏକାନ୍ତ ନଗଣ୍ୟ ଏବଂ ଅକିଞ୍ଚିତକର, ସେଥିରେ ଶ୍ରୀ ବା ସୁଷମା ନଥୁଲା, ଛନ୍ଦ ଓ ଗତି ନ ଥିଲା, ଓଡ଼ିଆ ଭାଷାର ପ୍ରାଣବତ୍ତା ସେଥୁରେ ପ୍ରତିଫଳିତ ହେଉ ନଥିଲା । ସଂସ୍କୃତ ଶବ୍ଦ ଓ ଇଂରାଜୀ ରୀତିର ସମିଶ୍ରଣରେ ଏକ କିମ୍ଭୂତକିମାକାର ଗଦ୍ୟ ଥିଲା ସେକାଳର ସର୍ବସ୍ବ ।
ଫକୀରମୋହନ ଯଥାର୍ଥରେ ଆଧୁନିକ ଗଦ୍ୟ ସାହିତ୍ୟର ପ୍ରତିଷ୍ଠାତା । ତେଣୁ ଉଭୟ ଦୃଷ୍ଟିରୁ ବିଚାର କଲେ ଓଡ଼ିଆ ସାହିତ୍ୟରେ ନବଯୁଗ ଯଥାର୍ଥରେ ରାଧାନାଥ ଯୁଗ ନୁହେଁ, ଫକୀରମୋହନ ଯୁଗ ।
ଆଧାର: ‘ଫକୀରମୋହନ ପରିକ୍ରମା’, ପଣ୍ଡିତ ନୀଳକଣ୍ଠ ଦାସ; ‘ଓଡ଼ିଆ ସାହିତ୍ୟର କ୍ରମବିକାଶ’, ସୁରେନ୍ଦ୍ର ମହାନ୍ତି; ଡ. ରତ୍ନାକର ଚଇନି
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago