ଜଣା ଅଜଣା

ପ୍ୟାରୀମୋହନ ଏକାଡେମୀ

ଲେଖା: ଦେଵ ତ୍ରିପାଠୀ
“ଉଠ, ଉଠ, ଉଠ !
ପରିହରି ମୋହ ନିଦ୍ରା ଆସ କରି ରଣ
ଉତ୍କଳ ତିମିର ସଙ୍ଗେ ହୋଇ ସ୍ଥିର ମନ ।”
ଏ ଥିଲା ଏକ ବଜ୍ରନିର୍ଘୋଷ ଜଣେ ୧୯- ବର୍ଷୀୟ ତରୁଣର !
ଅନ୍ୟାୟ ବିରୁଦ୍ଧରେ!
ଅସତ୍ୟ ବିରୁଦ୍ଧରେ !
ଅତ୍ୟାଚାରୀ ବ୍ରିଟିଶ ସରକାର ବିରୁଦ୍ଧରେ !
ଭ୍ରଷ୍ଟାଚାରୀ ସରକାରୀ କଳ ବିରୁଦ୍ଧରେ !
ଓଡ଼ିଆ ଭାଷାମାରଣ ନୀତି ବିରୁଦ୍ଧରେ!
ଓଡ଼ିଆ ଭାଷା ବିଲୋପ ପାଇଁ ସଦାଚେଷ୍ଟିତ ଧୂର୍ତ୍ତ, ହୀନମନା ବଙ୍ଗାଳୀଙ୍କ ବିରୁଦ୍ଧରେ !
୧୮୭୦ ମସିହାରେ ସ୍ବପ୍ରତିଷ୍ଠିତ ହାତଲେଖା ପାକ୍ଷିକ ପତ୍ରିକା #ଉତ୍କଳପୁତ୍ର ପୃଷ୍ଠାରେ ତରୁଣର ଏଇ ଜାଗରଣର ବାର୍ତ୍ତା ବିହ୍ଵଳିତ, ସ୍ତମ୍ଭୀଭୂତ କରିଦେଇଥିଲା #ଉତ୍କଳପ୍ରାଣ #ଗୌରୀଶଙ୍କର_ରାୟଙ୍କ ସମେତ କଟକର ସହସ୍ରାଧିକ ବୁଦ୍ଧିଜୀବୀଙ୍କୁ !
ଅସାଧାରଣ ବ୍ୟକ୍ତିତ୍ଵର ଅଧିକାରୀ ତରୁଣ ଜଣକର ଭାଷା ଥିଲା ଶାଣିତ, ତୀବ୍ର, ସତ୍ୟ ଉପରେ ଆଧାରିତ । ସମାଜର ହିତାର୍ଥେ ଉତ୍କଳପୁତ୍ର ଥିଲା #ଜାତୀୟ_ଜାଗରଣର_ବାର୍ତ୍ତାବହ, ଜାତିସ୍ଵାର୍ଥର ଜାଗ୍ରତ ପ୍ରହରୀ, କେବଳ କଟକ ପାଇଁ ପ୍ରତିବାଦ ନୁହେଁ, ବରଂ ଓଡ଼ିଆ ଜାତି ପାଇଁ #ନବଜାଗରଣର_ପ୍ରଥମ_ଓଁକାର
ଜାତି ପାଇଁ ସ୍ଵାର୍ଥତ୍ୟାଗ, ସମାଜର ଉନ୍ନତି ପାଇଁ ଆଶା, ଦୁସ୍ଥ ପାଇଁ ସମବେଦନା, ଅସତ୍ୟ ବିରୁଦ୍ଧରେ ସଂଗ୍ରାମର ସଂକଳ୍ପ ନେଇ ଆଗେଇ ଚାଲିଥିଲା ତରୁଣ ! ବ୍ରିଟିଶ ସରକାର ଅଧୀନରେ ଚାକିରୀ କରିବ ନାହିଁ ବୋଲି ଦିନେ ପାଦରେ ଆଡ଼େଇ ଦେଲା ଡେପୁଟି ମାଜିଷ୍ଟ୍ରେଟ ପଦବୀ !
ଜୀବନର ଲକ୍ଷ୍ୟ ଥିଲା ଅଲଗା !
#ବକ୍ସିବଜାରର କୃପାନିଧି ସାହୁଙ୍କର ଏକ ପାଠଶାଳା । ଅସୀମ ଧୈର୍ଯ୍ୟ ଓ ମନୋବଳ ନେଇ ପହଞ୍ଚିଲା ସେଠାରେ ସେଇ ଯୁବକ । ଏହି ପାଠଶାଳାକୁ ସୁନ୍ଦର ଓ ବଡ଼ କରିବାକୁ ହେବ । ଯୋଜନା ପ୍ରସ୍ତୁତ ହୋଇସାରିଥିଲା, ଏବେ କାର୍ଯ୍ୟ ଆରମ୍ଭ ହେଲା। ଶିକ୍ଷାଦାନ ହେଲା ସମ୍ପୂର୍ଣ୍ଣ ରୂପେ ଭିନ୍ନ । ଆକର୍ଷିତ ହେଲେ ବହୁ ଅଭିଭାବକ । ସେ ଯୁବକ ହେଲେ ପ୍ରଧାନଶିକ୍ଷକ, #ପଣ୍ଡିତ_ଗୋବିନ୍ଦ_ରଥ (ଓଡ଼ିଶାର ସ୍ଵନାମଧନ୍ୟ କବି, ଲେଖକ, ପ୍ରକାଶକ, ସଂଗ୍ରାମୀ ଓ ଦେଶପ୍ରେମୀ) ହେଲେ ସହକାରୀ ଶିକ୍ଷକ ।
୧୮୭୫ରେ ସେଇ ପାଠଶାଳା ଉନ୍ନୀତ ହେଲା ମଧ୍ୟ ଇଂରାଜୀ ବିଦ୍ୟାଳୟକୁ, ୧୮୭୯ରେ ହାଇସ୍କୁଲ, ନାମିତ ହେଲା #କଟକ #ଏକାଡେମୀ ଭାବେ । ଭାରତବର୍ଷର ବିଶିଷ୍ଟ ବିପ୍ଳବୀ, ଶିକ୍ଷାବିତ୍, ସଂଗ୍ରାମୀ #ବିପିନଚନ୍ଦ୍ର_ପାଲ୍ ( ଲାଲ୍-ବାଲ୍-ପାଲ୍ ) ଯୋଗ ଦେଲେ ସ୍ଵେଛାରେ ପ୍ରଧାନଶିକ୍ଷକ ଭାବେ ।
ଏହି ୨୮ ବର୍ଷୀୟ ଯୁବକର ଖ୍ୟାତି ସେତେବେଳେ କ’ଣ ଭାରତବର୍ଷରେ ! ବିପିନଚନ୍ଦ୍ର ପାଲ୍’ଙ୍କ ପରି ଜନନାୟକ ଏହି ଯୁବକର ପ୍ରତିଷ୍ଠିତ ସ୍କୁଲରେ ଶିକ୍ଷକ !
ପାଠଶାଳାଟିକୁ ଚଳାଇବା ପାଇଁ କେତେ କଷ୍ଟ ନ ସହିଛି ସେଇ ୨୮ ବର୍ଷର ଯୁବକଟି !
ଛାତ୍ରଦତ୍ତ ପଇସାରେ ବିଦ୍ୟାଳୟ ଚଳେଇବା କଷ୍ଟକର ହେଲା । ଏପଟେ ଷଡ଼ଯନ୍ତ୍ର ଓ ଅର୍ଥାଭାବରୁ ଉତ୍କଳପୁତ୍ର ବନ୍ଦ ହେବା ପାଇଁ ବସୁଥିଲା । ତେଣୁ ବିଦ୍ୟାଳୟ ଚଳେଇବାକୁ ସେଇ ଯୁବକ ଚାକିରୀ ଆରମ୍ଭ କଲା #ଡମପଡ଼ା ରାଜାଙ୍କ ପାଖରେ ମାସିକ ପଚାଶ ଟଙ୍କା ବେତନରେ । ସେହି ଉପାର୍ଜିତ ଦରମା ବିଦ୍ୟାଳୟ ପାଇଁ ପ୍ରତି ମାସରେ ଖର୍ଚ୍ଚ ହେଉଥିଲା ।
ଡମପଡ଼ା ରାଜା #ରଘୁନାଥ_ମାନସିଂହ ଥିଲେ ଗୁଣଗ୍ରାହୀ । ପ୍ରଥମ ପୃଷ୍ଠପୋଷକ ହୋଇଗଲେ ସେ, କଟକ ଏକାଡେମୀର । ବିଦ୍ୟାଳୟର ସୁନାମ ବ୍ୟାପିଲା । ଅଧିକରୁ ଅଧିକ ଜନସମର୍ଥନ ମିଳିଲା ସହ ଛାତ୍ରସଂଖ୍ୟା ବୃଦ୍ଧି ପାଇଲା । ଏଠାକାର ଶିକ୍ଷାଦାନ ଆକୃଷ୍ଟ କଲା ବହୁ ସଂଖ୍ୟାରେ ଛାତ୍ରଙ୍କୁ ।
କେତେ ତ୍ୟାଗ ଓ ବଳିଦାନରେ ପୁଷ୍ଟ କଟକ ଏକାଡେମୀ ସେଇ ପ୍ରଜ୍ଞାପୁରୁଷ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ନାମରେ ନାମିତ ହେଲା ! ପ୍ୟାରୀମୋହନ ଏକାଡେମୀ ଭାବେ !
ଜନସାଧାରଣଙ୍କ ସେବା, ଜାତିର ଉନ୍ନତି, ସ୍ଵାର୍ଥରକ୍ଷା, #ଭାଷାସୁରକ୍ଷା, ଭାଷା ଭିତ୍ତିକ ସ୍ବତନ୍ତ୍ର ଓଡ଼ିଶା ଗଠନ, ଓଡ଼ିଶାର ଶିକ୍ଷାନୁଷ୍ଠାନ ଗୁଡିକରେ ଓଡ଼ିଆ ପ୍ରଚଳନ, ଅସତ୍ୟ ବିରୁଦ୍ଧରେ ସଂଗ୍ରାମ, ଶିଥିଳ ଓଡ଼ିଆ ପ୍ରାଣରେ ସଞ୍ଜିବନୀ ସିଞ୍ଚନ, ଅନ୍ୟାୟ ପୁରୋଭାଗରେ ସ୍ଫୁଲିଙ୍ଗ, ଉତ୍କଳ ତାମସ ଗଗନେ ଉଲକାସମ ପ୍ରତୀୟମାନ, ଶାଶ୍ଵତ ମଙ୍ଗଳ ପ୍ରଶାନ୍ତ ବ୍ୟକ୍ତିତ୍ଵ #ପ୍ୟାରୀମୋହନ_ଆଚାର୍ଯ୍ୟ ଥିଲେ ଏ ଜାତିର ଦୁର୍ଗପ୍ରାଚୀର । ସେଇଥିପାଇଁ ତ
“ତେଣୁ ଆଜି ଶତବର୍ଷ ପରେ
ସତ୍ୟର ସନ୍ଧାନୀ ଦେଶଭକ୍ତ ସେହି,
ଅଗ୍ରଦୂତ ବିପ୍ଳବୀର ପଦେ
ପ୍ରଣତି ମୋ ଢାଳେ ଭକ୍ତି ଭରେ ।”
ସମଗ୍ର ଓଡ଼ିଶାରେ ବାସ ଚହଟାଇବା ସହ ଜାତିର ଇତିହାସ ଲେଖିବା ପାଇଁ ଯେମିତି ସେ ଥିଲେ ଇଶ୍ଵରପ୍ରେରିତ । ମାତ୍ର ୩୦ ବର୍ଷର ଅଭିନୟ ସାରି ପୁଣି ଫେରିଗଲେ ସବୁ ମଣିଷର ଶେଷ ଗନ୍ତବ୍ୟକୁ ୧୮୮୧ ମସିହା ଡିସେମ୍ବର ମାସ ୨୮ ତାରିଖ ଗୁରୁବାର ଦିନ! ରହିଗଲେ କିନ୍ତୁ ଅମର ପ୍ରତି ଓଡ଼ିଆର ହୃଦୟରେ ଆଲୋକର ଶିଖା ହୋଇ !
ଆଜି ପ୍ୟାରୀମୋହନ ନାହାଁନ୍ତି ସତ, କିନ୍ତୁ ତାଙ୍କ ହାତଗଢ଼ା ପ୍ୟାରୀମୋହନ ଏକାଡେମୀ ବିଦ୍ୟାଳୟ କଟକର ଛାତି ଉପରେ ସଗର୍ବେ ଦଣ୍ଡାୟମାନ, ଦୀର୍ଘ ୧୫୦ ବର୍ଷ ଧରି ! ପ୍ରଜ୍ଞା ଓ ଜ୍ଞାନର ଆଲୋକ ବିଚ୍ଛୁରିତ କରିଚାଲିଛି ନିରବଚ୍ଛିନ୍ନ ଭାବେ !
ଉଭୟ ଯୁଗପୁରୁଷ ପ୍ୟାରୀମୋହନ ତଥା ସ୍ମାରକୀ ପ୍ୟାରୀମୋହନ ଏକାଡେମୀ ବିଦ୍ୟାଳୟ ପ୍ରତି ଅନ୍ତରଙ୍ଗ କଳିଙ୍ଗର କୋଟି କୋଟି ନମନ ।
ତଥ୍ୟ: ୧. ଓଡ଼ିଶାର ଇତିହାସ ମୁଖବନ୍ଧ
୨. କବିବର ରାଧାନାଥ ଗ୍ରନ୍ଥାବଳୀ,
୩. ଫକୀରମୋହନ ଆତ୍ମଚରିତ,
୪. ଉତ୍କଳ ଦୀପିକା
୫. ଅନ୍ୟାନ୍ୟ ପତ୍ରପତ୍ରିକା
Spread the love
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

3 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

4 weeks ago