ଲେଖା: ଶିଶିର ସାହୁ ମନୋଜ
ପୁତ୍ର ଶବ୍ଦ ସହ ଓଡ଼ିଆ ପୁଅ ଓ ପୋ ଶବ୍ଦ ସମଦ୍ଧୃତ । ସାଧାରଣତଃ ଓଡ଼ିଶାର ପଶ୍ଚିମାଞ୍ଚଳରେ ପୋ ଶବ୍ଦଟି ପୁଅ ଅର୍ଥରେ ଵ୍ଯଵହୃତ ହୋଇଥାଏ, କିନ୍ତୁ ଆଜିକାଲି ବେଟା ଶବ୍ଦ ସ୍ଥାନୀୟ ଲୋକ ବହୁତ ଵ୍ଯଵହାର କଲେଣି । ପୋ ଶବ୍ଦକୁ ନେଇ ଅନେକ ସମ୍ଵଲପୁରୀ ପ୍ରଵଚନ ରହିଛି ! ଉଦାହରଣ ସ୍ଵରୂପ:
“ବାପ ଦୋହରି ପୋ ପୁଝାରି
ଗଣ୍ଡି ମୁଣ୍ଡି ସବୁ ତୁମରି”
ଏହାର ଅନ୍ୟ ଅର୍ଥଟି ବଂଶଧର ଅଟେ ।
ପ୍ରାଚୀନ କାଳରେ ଏହି ଶବ୍ଦଟି ଓଡ଼ିଶାର ପୂର୍ଵାଞ୍ଚଳରେ ପୋଅ ହୋଇ ଚଳୁଥିଵାର ଏଠାକାର ପୁରାତନ ସାହିତ୍ୟରୁ ଜଣାଯାଏ ।
ଉଦାହରଣ ସ୍ଵରୂପ: ଗୁରୁଭକ୍ତି ଗୀତାରେ କଵି ଲେଖିଛନ୍ତି, “କଳଙ୍କୀ ଵିହାର କର ତୁମ୍ଭେ ବାରପୋଅ” ।
ଏଠାରେ ବାରପୋଅ ଶବ୍ଦରେ ଥିଵା ପୋଅ ଶବ୍ଦର ଅର୍ଥ ପୁଅ ଅଟଇ । ସେଇଭଳି ଆଉ କେତେକ ଅଞ୍ଚଳରେ ପୋଇ ଶବ୍ଦଟି ମଧ୍ୟ ପୁତ୍ର ଅର୍ଥରେ ଵ୍ଯଵହୃତ ହେଉଥିଵାର ପୁରୁଣା ସାହିତ୍ଯରେ ଵ୍ଯଵହାରରୁ ଜଣାଯାଏ ! ଯେମିତିକି,
“କାଳେ ଅରଣ୍ଯକୁ କରେ ପଳାୟନ
ଅଵା ରୋଷେ ପୋଇ ଆରମ୍ଭଇ ଋଣ।
(ଅଜୟଚନ୍ଦ୍ର ଶେଷବନ୍ଦୀ)
କେଉଁଠି କେଉଁଠି ପୋଇ ଶବ୍ଦ ଝିଅ ଵା କନ୍ୟା ଅର୍ଥରେ ମଧ୍ୟ ପ୍ରୟୋଗ ହେଉଥିଲା । ସମ୍ଭଵତଃ ଏହାର ସର୍ଵୋତ୍ତମ ପ୍ରମାଣ ଭାଵେ “ତଅପୋଇ” ନାମକୁ ଉଲ୍ଲେଖ କରାଯାଇପାରେ । ତଅପୋଇ ଶବ୍ଦରେ ତଅ ଶବ୍ଦଟି ସପ୍ତ ଶବ୍ଦର ଓଡ଼ିଆ ସମଦ୍ଧୃତ ରୂପ ହୋଇଥିଵା ସମ୍ଭଵ ସେଇଭଳି ପୋଇର ଅର୍ଥ କନ୍ୟା ଅଟେ । ସାତ ପୁଅ ପରେ ଜନ୍ମିଥିଵାରୁ ଏହି କନ୍ଯାଟିର ନାମ ତଅପୋଇ ରଖା ଯାଇଥାଇପାରେ ।
ସେହିପରି ପ୍ରାଚୀନ ଓଡ଼ିଆ ସାହିତ୍ୟରେ ପୁତ୍ର ଶବ୍ଦ ସହିତ ସମଦ୍ଧୃତ ପୁତା ଶବ୍ଦର ପୁଅ ଅର୍ଥରେ ବହୁଳ ଵ୍ଯଵହାର ହୋଇଥିଵା ଦୃଷ୍ଟିଗୋଚର ହୋଇଥାଏ । ଉଦାହରଣ ସ୍ଵରୂପ:
● ପୁତ୍ର ଵଚନ ଶୁଣି ପିତା,
ବୋଇଲେ ଶୁଣ ଆରେ ପୁତା।
(ନିର୍ଗୁଣାନାହାତ୍ମ୍ଯ)
● ହସି ପଶେ ଉଇଁ ନ ଦିଶେ
ଦକ୍ଷିଣ ମେଘ ଉତ୍ତରେ ଆସେ
ସଜ ଗୋଵରରେ ଅଂଶାଇ ବସେ
ତେବେରେ ପୁତା ନିଶ୍ଚେଁ ଵରଷେ
(ଡାକଵଚନ)
● ପୂର୍ଵେ ଅଦ୍ରାଵଳୀ ପଶ୍ଚିମେ ରୋଇ
ନାଥ ବୋଲେ ପୁତାରେ ନିଶ୍ଚେ ଯିଵ ଧୋଇ।
(ଡାକଵଚନ)
● ବାଡ଼ି ଠୁକୁ ଠୁକୁ କାନ ନୁଡୁକା ବାଟେ
ଦ୍ବିଜଵର ଦେଖିଵ ଏକା ।
ପାଆକେ କୁମ୍ଭାର କୋଶକେ ତେଲି
ଡାକ ବୋଲେ ପୁତା ନ ଯିବୁ ପେଲି ।
(ଡାକଵଚନ)
● ଦିନକୁ ମଳାମଳା ରାତିକି ନିର୍ମଳା
ଡାକ ବୋଲେ ପୁତାରେ ରାଜ୍ଯ ଛାଡ଼ି ପଳା ।
● ତନ୍ତୀ ପୁତା !
ଖାଏ ମାଲ ଚୋରାଏ ସୂତା !
(ଢଗ)
● ଶୁଣ ଶୁଣ ପୁତା ଲୋଇରେ
ପିମ୍ପୁଡ଼ି ହାଦେ ବାଟ କଢ଼ାଇ,
ଅଦୃଷ୍ଟ ଅଶ୍ରୁତ ପୁତା ନ ପାଇ ଥାନ୍ତିଂ ହୋଇଂ ।
ଯେବେ ସେ ତ୍ରିଗୁଣେ ଯତନ ହୋଇବାକ ଦେହି
ନାସିକା ଦ୍ୱାରେ ଯେବେ ଛଞ୍ଚତ ପାରିବାଇଂ ।
ବେତ ବସେ ବନ୍ଦୀ ହୋଇବ ହାଥୀ ବାଡ଼ି
ବିଝଂଗିରି ଚରଇ ପୁତା ଶୂନ୍ୟଗିରି ସ୍ଥିତି
ଯାହାକଇ ଚିହ୍ନିଲେ ପିଣ୍ତ ହୋଇବ ମୁକ୍ଷ ମୁକତି ।
(ଚର୍ଯ୍ୟାଗୀତି)
● “ଲାଲ ଟହଟହ ପାତଲଘଟାଁ,
ଧାନ ମିରଚା ନୁନେ,
ଚିଟକି ଚିଟକି ଖାଏମା ପୁତା,
ବାସି ପଖାଳର ସାଙ୍ଗେ ।
ଓଡ଼ିଶାର ଆଉ କେତେକ ଅଞ୍ଚଳରେ ପୁଅ ଵା ପୁତ୍ର ଶବ୍ଦର ଭିନ୍ନ ଭିନ୍ନ ରୂପ ଚଳୁଅଛି । ମୟୂରଭଞ୍ଜରେ ପୁଅମାନଙ୍କୁ “ପଅ” ତଥା ସମ୍ଵଲପୁର ଓ ସୁଵର୍ଣ୍ଣପୁରର କେତେକ ଅଞ୍ଚଳରେ “ପୁଓ” କୁହାଯାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷର ଉଲ୍ଲେଖରୁ ଜଣାଯାଏ । ସେଇଭଳି ବୌଦ୍ଧ ଜିଲ୍ଲାରେ “ପୁଝି” ଶବ୍ଦର ଅର୍ଥ ପୁଅ ଝିଅ ବୋଲି ଏହି ଶବ୍ଦକୋଷରେ ଉଲ୍ଲେଖ ରହିଛି ।
ସେଇଭଳି ଓଡ଼ିଶାରେ ପୁଅମାନଙ୍କୁ ବାପାମାଆ ସ୍ନେହରେ ବାପ, ଧନ, ଵା ଓ ବାବୁ ଇତ୍ୟାଦି ସମ୍ବୋଧନ କଲାଵେଳେ ଝିଅମାନଙ୍କୁ ମାଆ ଡାକୁଥିଵାର ମଧ୍ୟ ଦୃଶ୍ଯ ହୋଇଥାଏ ।
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…