ଲେଖା: ନିରଞ୍ଜନ ସାହୁ

~ ସଂଗ୍ରାମୀ ସାରସ୍ଵତସାଧକ ପୁସ୍ତକ ପ୍ରକାଶକ ଖାଣ୍ଟି ଓଡିଆ ପଣ୍ଡିତ ଗୋବିନ୍ଦ ରଥ ~

ଉନବିଂଶ ଶତାବ୍ଦୀର ଶେଷ ଦଶନ୍ଧି ସମୟରେ ଓଡ଼ିଶାରେ ବ୍ରିଟିଶ ଶାସନର ଏକ ଘଟଣା। ଅଖଣ୍ଡ କ୍ଷମତାର ଅଧିକାରୀ କମିଶନର ମାନେ। ଥରେ କଟକର କମିଶନର କାର୍ଯ୍ୟକ୍ରମ ରଖିଥିଲେ ବାଙ୍କୀ ବାଟେ ଖୋର୍ଦ୍ଧା ଯିବା ପାଇଁ। କଟକରୁ ବାଙ୍କୀ ଯିବାକୁ ହେଲେ କାଠଯୋଡ଼ି ବନ୍ଧ ଦକ୍ଷିଣପଟ ଘାଟ ମୁଣ୍ଡ ମୁହାଣ ଦେଇ ଯିବାକୁ ହେବ କଚା ସଡକରେ। କମିଶନରଙ୍କ ଗସ୍ତକ୍ରମ ପାଇଁ ରାସ୍ତାକଡ଼ର ଗାଁଗୁଡିକ ଚଳଚଞ୍ଚଳ । ଲୋକମାନେ ହାତରେ ପୋଛି ପୋଛି ରାସ୍ତା ସଫା କରୁଥାଆନ୍ତି, ସାହେବଙ୍କ ଜିପ୍ ଗାଡ଼ି ଯିବା ପାଇଁ। ଲୋକମାନଙ୍କର ଏ ଦୁର୍ଦ୍ଦଶା ଦେଖି ରାଗିଗଲେ ଜଣେ ଯୁବକ। ନିଜର ଉପସ୍ଥିତ ବୁଦ୍ଧିରେ ଗୋଟିଏ ଶଗଡ଼ରେ ଦି’ଟା ଅମଣିଆ ବଳଦ ଯୋଚି ବାଙ୍କୀ ରାସ୍ତାରେ ଧୂଳି ଉଡ଼େଇ ଶଗଡ଼ ଚଳେଇଲେ, ସାହେବଙ୍କ ଗାଡ଼ି ଆଗେ ଆଗେ। ଏପଟ ସେପଟ ହୋଇଗଲା ସାହେବଙ୍କ ଗସ୍ତ। ଜିପ୍ ଆଗେ ଆଗେ ଶଗଡ଼ ଚଳାଇ ଶଗଡ଼ ଚାଳକ ଚିତ୍କାର କରୁଥାନ୍ତି “ୟେ ମେରା ବାପ୍ କା ରାସ୍ତା, ଇସ୍ କା ଉପର୍ ସାହେବ ସେ ଜ୍ୟାଦା ମେରା ଅଧିକାର୍ । ମୁଁ ୟା ଉପରେ ମୋ ଶଗଡ଼ ଚଳେଇବି। ୟେ ଆଉ କାହାର ନୁହେଁ। ଏ ମୋ ବାପାର ରାସ୍ତା। ୟେ ବାପ୍ କା ରାସ୍ତା।”

ସେ ଯୁବକ ଥିଲେ ୧୮୪୮ ମସିହାର ଅକ୍ଟୋବର ମାସ ୨୯ ତାରିଖରେ ବାଙ୍କୀ ନିକଟସ୍ଥ ପାଟପୁର ମୌଜାର ପଦ୍ମନାଭପୁର ଶାସନରେ ଜନ୍ମିତ ଜଣେ ଓଡ଼ିଆ, ପଣ୍ଡିତ ଗୋବିନ୍ଦ ରଥ । ସ୍ଵାଭିମାନୀ, ସ୍ଵାଧୀନଚେତା, ସଂଗ୍ରାମୀ, ସାହିତ୍ୟିକ, ସାରସ୍ବତ ସାଧକ, ପୁସ୍ତକ ପ୍ରକାଶକ, ନିର୍ଭୀକ, ଓଡିଶାପ୍ରେମୀ, ଇଂରେଜ ବିରୋଧୀ ପଣ୍ଡିତ ଗୋବିନ୍ଦ ରଥ। ପ୍ରଚଣ୍ଡ ଓଡ଼ିଆପ୍ରେମୀ ଓ ଦେଶପ୍ରେମୀ, ଏହି ମଣିଷର ଦେହରେ ନିଆଁ ଲାଗିଯାଉଥିଲା ଯେତେବେଳେ ସେ କୌଣସି ଇଂରେଜ ସାହେବ, ବ୍ରିଟିଶ ଗୋଲାମମାନଙ୍କୁ ସାମ୍ନାରେ ଦେଖୁଥିଲେ। ଇଂରେଜ ବିରୋଧୀ ସ୍ଵଭାବ ହେତୁ ବ୍ରିଟିଶ ଶାସନ ବିରୁଦ୍ଧରେ ଲେଖି ସେ ଜନମାନସରେ ବିଦ୍ରୋହର ନିଆଁ ଜଳେଇ ଦେଉଥିଲେ।

ଇଂରେଜମାନଙ୍କର ଓଡ଼ିଆମାନଙ୍କ ପ୍ରତି ଅସ୍ପୃଶ୍ୟ ଭାବ ତାଙ୍କୁ ସର୍ବଦା ବ୍ୟଥିତ କରୁଥିଲା। ସେ ପ୍ରକାରାନ୍ତରେ ଥିଲେ ଇଂରେଜ ସରକାରଙ୍କ ପ୍ରତି ଅତ୍ୟନ୍ତ ପ୍ରତିଶୋଧ ପରାୟଣ। ତାଙ୍କର ଶାଣିତ ଲେଖନୀ ମାଧ୍ୟମରେ ସେ ଥିଲେ ଜଣେ ବ୍ୟଙ୍ଗକାର । ଯେଉଁ ଇଂରେଜମାନେ ଓଡିଆଙ୍କୁ ଦେଖି ନାକ ଟେକୁଥିଲେ, ସେମାନଙ୍କ ପ୍ରତି କଟୁକ୍ତି ପ୍ରୟୋଗ କରିବାକୁ ସେ ପଛାଉ ନଥିଲେ । ଇଂଲଣ୍ଡରେ ଜନ୍ମଗ୍ରହଣ କରି ଭାରତରେ ସିଭିଲିୟାନ୍ ଭାବେ ଅବସ୍ଥାପିତ ହେଲେ ସେମାନେ ଇନ୍ଦ୍ରପଦ ପାଇବା ପରି ମନେ କରୁଥିଲେ, ଓଡ଼ିଆ ଲୋକଙ୍କୁ ଦେଖିଲେ ଭ୍ରୁକୁଞ୍ଚନ କରି ତାଙ୍କର ପାଳିତ କୁକୁରଙ୍କୁ ଚୁମ୍ବନ କରୁଥିଲେ। ଭାରି ବାଧୁଥିଲା ପଣ୍ଡିତ ଗୋବିନ୍ଦ ରଥ ମହାଶୟଙ୍କୁ । ଫିଉଚର ସାହେବ ଥା’ନ୍ତି ସେ ସମୟରେ ଜଣେ ପ୍ରଶାସନିକ ଅଧିକାରୀ। ତାଙ୍କର ଏତାଦୃଶ ଚାଲିଚଳନ ଦେଖି ପଣ୍ଡିତ ଗୋବିନ୍ଦ ରଥ ଲେଖିଲେ —

**ଫିଉଚର ସାହେବ**
ଏଥର ମଲେ ସାହେବ ହେବି,
ଲାଲ୍ ମୁଣ୍ଡରେ କ୍ୟାପ ଦେବି,
କ୍ରିକେଟ ଫ୍ଲାନେଲ ପ୍ୟାଣ୍ଟ୍ ଲୁନ୍ କରି,
ନାଇଟ୍ ଡେ ପିନ୍ଧୁଥିବି ।
ଗିନି ଫାଉଲଙ୍କ ବଂଶ ମାରିବି,
ଟେବୁଲ୍ ଉପରେ ଖାନା ଖାଇବି,
ନେଟିଭ୍ ଦେଖିଲେ, ନିକଟେ ଆସିଲେ,
ଡାର୍ଟି ବୋଲି ଦୂର୍ ଦୂର୍ କରିବି ।
(ଫ୍ଲାନେଲ୍ – ପତଳା ବସ୍ତ୍ରର ପୋଷାକ, ଗିନି ଫାଉଲ – ବଣ କୁକୁଡ଼ା)

ଇଉରୋପିଆନ୍ ଯେବେ ଦେଖିବି,
ତ୍ରିଖଣ୍ଡି ମଜୁରା ତହିଁ ମାରିବି ,
ଗୁଡ୍ ବାଇ ଫ୍ରେଣ୍ଡ୍ ବୋଲିଣ ସେକେଣ୍ଡ୍
କରିଣ ଲେଟ୍ ମି ଗୋ’ ବୋଲି ଚଳିବି,
ମୁରଲୀ ମୁଖରେ ସ୍ମୋକ୍ ଛାଡ଼ିବି,
ପିଚ୍ ବାଡ଼ି ଖଣ୍ଡି କାଖେ ଯାକିବି,
ରାଇଟ୍ ହ୍ୟାଣ୍ଡକୁ ପକେଟେ ପୂରାଇ,
ହୁଇଟନ୍ ସୁଧା ସପ୍ କୁ ଯିବି ।
(ସେକେଣ୍ଡ – ହ୍ୟାଣ୍ଡ ସେକ୍, ମୁରଲୀ – ସିଗାରେଟ୍ ପାଇପ୍, ହୁଇଟନ୍ ସୁଧା ସପ୍ – ମଦ ଦୋକାନ )

ତାଙ୍କ କଲମର ଶକ୍ତିଶାଳିତା ହେତୁ କେତେକ ଇଂରେଜ ରାଜକର୍ମଚାରୀଙ୍କୁ ଚାକିରୀ ହରେଇବାକୁ ପଡ଼ିଛି। ‘ଫିଉଚର୍ ସାହେବ’ ବହି ହେଉଛି ଓଡ଼ିଆ ବ୍ୟଙ୍ଗାତ୍ମକ ସାହିତ୍ୟର ପ୍ରଥମ ପୁସ୍ତକ। ଦୁର୍ନୀତି ଓ ଅତ୍ୟାଚାରକୁ ସାମନା କରି ସେ ଯେଉଁ ସମାଜ ବ୍ୟବସ୍ଥା ପାଇଁ ଉଦବିଗ୍ନ ଥିଲେ ତାହା ସେ ସମୟରେ ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା । ଦୁର୍ନୀତିର ପର୍ଦ୍ଦାଫାଶ କରି ରାଜକର୍ମଚାରୀମାନଙ୍କ ବିରୁଦ୍ଧରେ ମୋକଦ୍ଦମା କରିବାକୁ ପଛେଇ ନଥିଲେ କେବେହେଲେ। ଏଇଥିପାଇଁ ଜଣେ ଡେପୁଟି କଲେକ୍ଟର ଆତ୍ମହତ୍ୟା କରିବା, ଜଣେ ଲୁଚି ଲୁଚି ବାଙ୍କୀରୁ ପଳାଇଯାଇ ଆତ୍ମଗୋପନ କରିବା, ଅନେକ କର୍ମଚାରୀ ଚାକିରି ହରେଇଥିବା ଖବରରେ ଓଡ଼ିଶା ସ୍ତମ୍ଭୀତ ହୋଇଯାଇଥିଲା।

ବାଙ୍କୀର ତିନିଜଣ ଦୁର୍ନୀତି ଗ୍ରସ୍ତ ଅଫିସରଙ୍କ କାରନାମାରେ ଅତିଷ୍ଠ ହୋଇ ତାଙ୍କ ବିରୁଦ୍ଧରେ ସଂଗ୍ରାମ କରି ମୋକଦ୍ଦମା ଦାୟର କରିବା ପରେ ଜନୈକ ଅଭିଯୁକ୍ତ ବାଳମୁକୁନ୍ଦ କାନୁନଗୋ ଜାତୀୟଗୌରବ ମଧୁସୂଦନ ଦାସଙ୍କୁ ଗୋବିନ୍ଦ ରଥଙ୍କ ବିରୋଧରେ ଲଢ଼ିବାକୁ ଅନୁରୋଧ କରିଥିଲେ। ମଧୁସୂଦନଙ୍କ ଉକ୍ତି ଥିଲା – “ପଣ୍ଡିତ ଗୋବିନ୍ଦ ରଥ ଏକ ଉତ୍ତୁଙ୍ଗ ହିମାଚଳ, ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲଢିବା ହେଉଛି ତାଙ୍କର ଧର୍ମ । ତାଙ୍କ ବିରୁଦ୍ଧରେ ଦେବତା ଲଢିଲେ ମଧ୍ୟ ହାରିଯିବେ”

ପଣ୍ଡିତ ଗୋବିନ୍ଦ ରଥ ଥିଲେ ଛାତ୍ର ଅବସ୍ଥାରେ ଜଣେ ମେଧାବୀ ଓ ବୃତ୍ତିଧାରୀ ଛାତ୍ର। ତେଣୁ ପାଠ ପଢ଼ା ପରେ ପୁରୀ ଠାରେ ଶିକ୍ଷକତା ଆରମ୍ଭ କଲେ । ମନ ଲାଗିଲା ନାହିଁ, କାରଣ ସେ ଥିଲେ ସ୍ଵାଧିନଚେତା । ଚାକିରୀ ଛାଡ଼ିଲେ । ବନ୍ଧୁ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଅନୁରୋଧକ୍ରମେ କଟକ ଠାରେ ଆରମ୍ଭ ହେଲା ପ୍ୟାରୀମୋହନ ଏକାଡେମୀ । ଖ୍ୟାତି ସମ୍ପନ୍ନ ସ୍ଵାଧୀନତା ସଂଗ୍ରାମୀ ଲାଲ୍ – ବାଲ୍ – ପାଲ୍ ଙ୍କ ସହ ଯୋଗସୂତ୍ର ଥିଲା ପଣ୍ଡିତ ରଥଙ୍କର। ତାଙ୍କ ଅନୁରୋଧରେ ବିପିନ୍ ଚନ୍ଦ୍ର ପାଲ୍ ୧୮୮୯ ସାଲରେ ଯୋଗଦେଲେ ଏହି ହାଇସ୍କୁଲରେ।

ଓଡ଼ିଶାର ସ୍ଵତନ୍ତ୍ରତା ପାଇଁ ଓ ଦେଶ ସ୍ବାଧୀନ ହେବା ପାଇଁ ସେ ଥିଲେ ଆଗଧାଡିର ସଂଗ୍ରାମୀ। ବମ୍ବେ ଓ କଟକ ଠାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ଓ ପାରଳାଖେମୁଣ୍ଡି, ସମ୍ବଲପୁର ଓ କଟକରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ ସେ ଥିଲେ ଜଣେ ସକ୍ରିୟ ସଦସ୍ୟ ।

ପଣ୍ଡିତ ଗୋବିନ୍ଦ ରଥଙ୍କ ସାରସ୍ଵତ ସାଧନା ଅତ୍ୟନ୍ତ ସ୍ମରଣୀୟ। ସେ ଥିଲେ ଏକାଧାରରେ ଜଣେ କବି, ପଣ୍ଡିତ, ସଂପାଦକ, ସଙ୍କଳକ ଓ ପ୍ରକାଶକ । ଓଡ଼ିଆ ମାନଙ୍କ ମଧ୍ୟରେ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ପରି ସେ ଥିଲେ ଅନେକ କ୍ଷେତ୍ରରେ ପ୍ରଥମ —

*ବ୍ୟକ୍ତିଗତ ଭାବେ ଓଡ଼ିଶାର ପ୍ରଥମ ପୁସ୍ତକ ପ୍ରକାଶକ
*ଉନବିଂଶ ଶତାବ୍ଦୀରେ ସର୍ବାଧିକ ଓଡ଼ିଆ ପୁସ୍ତକର ସଂଗ୍ରାହକ ତଥା ପ୍ରକାଶକ
*ପ୍ରଥମ ଓଡ଼ିଆ ବର୍ଣ୍ଣ ପରିଚୟ ବହି ବର୍ଣ୍ଣବୋଧ(କ)ର ରଚୟିତା
*ପ୍ରଥମ ଭ୍ରମଣ ବୃତ୍ତାନ୍ତ ରଚୟିତା
*ପ୍ରଥମ ହାସ୍ୟରସାତ୍ମକ ବ୍ୟଙ୍ଗକାର ସାହିତ୍ୟିକ
*ପ୍ରଥମ ନିର୍ଭୀକ ସତ୍ୟଦ୍ରଷ୍ଟା ଲେଖକ
               ଏବଂ
*ସର୍ବୋପରି ସର୍ବାଧିକ ଓଡ଼ିଆ ପୁସ୍ତକ ରଚୟିତା (୨୫୦ ଖଣ୍ଡରୁ ଉର୍ଦ୍ଧ୍ବ)

ପଣ୍ଡିତ ରଥଙ୍କ ଉପରେ ଟିପ୍ପଣୀ ଦେବାକୁ ଯାଇ ସେଇଥିପାଇଁ ବ୍ୟାସକବି ଲେଖିଲେ —
“ଧନ୍ୟ ଧନ୍ୟ ରଥେ ତୁମ୍ଭ କବିତ୍ଵ ପଣିଆ,
ଛାପିଗଲ କେତେ ବହି ଅଣେ ଦି’ଅଣିଆ।”

ପାଠକଙ୍କ ପାଇଁ ଅଳ୍ପ ମୂଲ୍ୟରେ ବହି ଲେଖି କଟକରେ ପ୍ରତିଷ୍ଠା କଲେ ନିଜର ପ୍ରକାଶନ ସଂସ୍ଥା, ଯାହା ଥିଲା ଓଡ଼ିଶାର ପ୍ରଥମ ବ୍ୟକ୍ତିଗତ ଭାବେ ପୁସ୍ତକ ପ୍ରକାଶ

ସାରସ୍ବତ ସାଧକ ପଣ୍ଡିତ ଗୋବିନ୍ଦ ରଥ ଓଡ଼ିଆ ସାହିତ୍ୟରେ ସର୍ବଦା ସ୍ମରଣୀୟ । ୨୫୦ରୁ ଉର୍ଦ୍ଧ୍ବ ପୁସ୍ତକ ରଚନାର ରେକର୍ଡ ଏ ପର୍ଯ୍ୟନ୍ତ ଆମ ସାହିତ୍ୟରେ ଆଉ କୌଣସି ଲେଖକଙ୍କର ହୋଇନାହିଁ । ତାଙ୍କର ସ୍ଵରଚନାବଳୀ ମଧ୍ୟରେ ସତେଶ୍ଵର, ମନୋରଞ୍ଜନ, ପଞ୍ଚରତ୍ନ, ଭାରତ ଉତ୍ସବ, ଘୋଡ଼ା ଡିମ୍ବ, ନୀତିମଞ୍ଜରୀ, ବର୍ଣ୍ଣବୋଧକ, ବିଧବା ବିବାହ, କୁସୁମ କଳିକା, ଜଣାଣ ସଂଗ୍ରହ, ସଂଗୀତ ସୁଧାନିଧି, ଫିଉଚର ସାହେବ, ଅମୃତଭଣ୍ଡା, ମରକତ ମଣି, ହରିଆ ତନ୍ତୀ, କାକପୋଇ, ଚାଟଶାଳୀ ବୋଲି, ବାକିରେ ନବ, ଆଚାର ଶିକ୍ଷା, ବିଦଗ୍ଧ ମୁଖ ମଣ୍ଡନଂ, ସକାମ ଶିବ ପୂଜା, ଗୀତା ସାର ଇତ୍ୟାଦି ପୁସ୍ତକ ସେ ସମୟରେ ଅନେକ ଆଶା ସଞ୍ଚାର କରିଥିଲା ନୂଆ ନୂଆ ସାହିତ୍ୟ ରଚନା କରୁଥବା ଲେଖକମାନଙ୍କ ମନରେ ।

ପଣ୍ଡିତ ଗୋବିନ୍ଦ ରଥ ନିଃସନ୍ଦେହରେ ଓଡ଼ିଶାର ନମସ୍ୟ । ଦୁଃଖର କଥା ଏ ପ୍ରବୀଣ ଜନନେତା, ସାହିତ୍ୟିକ, ସଂଗ୍ରାମୀ, ଓଡ଼ିଆ ମଣିଷଙ୍କୁ ଅନେକ ଜାଣନ୍ତି ନାହିଁ । ଆଜିକାଲି ସାହିତ୍ୟ ରଚନାରେ ମନ ଦେଉଥିବା ତଥାକଥିତ ଯୁବ କବି, ଲେଖକଙ୍କ ନିକଟରେ ତାଙ୍କ ସମ୍ପର୍କରେ ତଥ୍ୟ ନାହିଁ, ଜାଣନ୍ତି ନାହିଁ ମଧ୍ୟ । ରାଜନୀତିରେ ବାହାବା ନେଉଥିବା ରାଜନୈତିକ ନେତା ମାନେ ଏ ମହାନ ସଂଗ୍ରାମୀଙ୍କ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ! ଓଡ଼ିଆ ବୋଲି ମନେ ମନେ ଡିଣ୍ଡିମ ପିଟୁଥିବା ବ୍ୟକ୍ତି ବିଶେଷଙ୍କ ତାଲିକାରେ ‘ଖାଣ୍ଟି ଓଡ଼ିଆ’ ପୁଅ ଗୋବିନ୍ଦ ରଥଙ୍କ ନାଁ ନାହିଁ ! ସ୍ଵାଧୀନତା ସଂଗ୍ରାମୀମାନେ ଭଲରେ ଭୋଜନ ଓ ବୈଠକ କରିବା ପାଇଁ ନିଜ କଟକ ସ୍ଥିତ ବାସଗୃହକୁ ‘ଗୋବିନ୍ଦ ରଥ ଲଜ୍’ ନାମରେ ନାମିତ କରି ସେ ଯେଉଁ କାର୍ଯ୍ୟ କରିଛନ୍ତି, ତାହା ମଧ୍ୟ ଆମ ଇତିହାସରେ ଲିଖିତ ହୋଇନାହିଁ !

ମନ, ପ୍ରାଣ, ଆଚାର, ଚାଲିଚଳନ, ସୃଷ୍ଟି, ସବୁ କଥାରେ ପଣ୍ଡିତ ଗୋବିନ୍ଦ ରଥ ଓଡ଼ିଶା ପାଇଁ ସମର୍ପିତ ଜଣେ ‘ଖାଣ୍ଟି ଓଡ଼ିଆ’ ! ବୋଧହୁଏ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ପରେ ! ଗୋବିନ୍ଦ ରଥଙ୍କ ଉପସ୍ଥିତି ଆଜି ବି ଆବଶ୍ୟକ ହୁଏ ଓଡ଼ିଶାରେ

ତଥ୍ୟ: ନୃସିଂହ ଚରଣ ସାହୁଙ୍କ ସଙ୍କଳିତ ‘ଆମେ ଓଡ଼ିଆ‘; ବାଙ୍କୀ ମହାବିଦ୍ୟାଳୟ ବାର୍ଷିକ ମୁଖପତ୍ର (୧୯୫୫) ବନଜ୍ୟୋସ୍ନା 

admin

View Comments

  • ଗୋବିନ୍ଦ ରଥଙ୍କ ଭଳି ସାହିତ୍ୟିକ , ନିର୍ଭୀକ ନିରପେକ୍ଷ ମଣିଷ ଗୋଟିଏ ଏବେ ମିଳିବା କଷ୍ଟକର । ସେ ଥିଲେ ଜଣେ ନୀତିନିଷ୍ଠ ଓ ଜାତି ପାଇଁ ସମର୍ପିତ ମଣିଷ ।

Recent Posts

ବୃନ୍ଦାବତୀ

~ ବୃନ୍ଦାବତୀ ~ ଲେଖା: ଡ. ଜୟଶ୍ରୀ ନନ୍ଦ ହିନ୍ଦୁ ପୁରାଣରେ ବୃନ୍ଦାବତୀ ବା ତୁଳସୀଙ୍କୁ ଦେବୀ ମାନ୍ୟତା ଦିଆଯାଇଛି।…

2 months ago

ପଖାଳ

~ ପଖାଳ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆଙ୍କ ଆରାଧ୍ୟ ବଡ଼ଠାକୁର ବି ଭାରି ଭଲ ପାଆନ୍ତି ପଖାଳକୁ।…

2 months ago

ହଳଦୀ

~ ହଳଦୀ ~ ଲେଖା: ଡ. ଜୟଶ୍ରୀ ନନ୍ଦ କାମଚୋର ହୋଇ ଆମେ ଭୁଲିଗଲେଣି ଏହାର ସୁଗନ୍ଧ। ହଳଦୀ ଗୁରୁଗୁରୁ…

2 months ago

ମାତୃଭାଷା

~ ମାତୃଭାଷା ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେ ମାଆକୁ ଚିହ୍ନି ନାହିଁ ଯେ ଗାଁ କୁ ଚିହ୍ନି…

2 months ago

ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର

~ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର ~ ଲେଖା: ତ୍ରିଲୋଚନ ସ୍ୱାଇଁ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ…

2 months ago

ରଘୁନାଥ ମଠ

~ ରଘୁନାଥ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ମହା ଐତିହ୍ୟକ୍ଷେତ୍ର କଟକ ସହରରେ ଯେଉଁ କେତୋଟି ପ୍ରାଚୀନ ମଠ…

2 months ago