ଲେଖା: ସିଂହାରୀ ଆଲୋକ ଖୁଣ୍ଟିଆ
~ ସ୍ମୃତିରେ ପଣ୍ଡିତ ଗୋପବନ୍ଧୁ ଦାସ ~
“ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶବାସୀ ଚାଲି ଯାନ୍ତୁ ପିଠିରେ,
ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଢ଼
ପୁରୁ ତହିଁ ପଡି ମୋ ମାଂସ ହାଡ଼ !”
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ଏକା ଧାରାରେ ଜଣେ ସ୍ୱାଧିନତା ସଂଗ୍ରାମୀ, କବି, ଲେଖକ ଭାବରେ ପରିଚିତ। ଦୈନିକ ଖବର କାଗଜ ସମାଜ ଏବଂ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ।
ଭୁବନେଶ୍ଵର-ପୁରୀ ଜାତୀୟ ରାଜପଥର ପତାନାଇକିଆ ଛକଠାରୁ ବାମ ପଟକୁ ୬.୫ କିଲୋମିଟର ଗଲେ ପଡ଼େ ଗୋପବନ୍ଧୁଙ୍କ ଜନ୍ମ ପୀଠ ସୁଆଣ୍ଡୋ ।
ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପିତା ଦୈତାରି ଦାସ ଓ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।
(ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋକୁ ରାସ୍ତା)
(ଜନ୍ମସ୍ଥାନ – ଷଠିଘର)
ମାତାଙ୍କ ମୃତ୍ୟୁ ପରେ, ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ। ସେଠାରେ ତାଙ୍କର ଗୁରୁ ମୁକ୍ତିଆର ରାମଚନ୍ଦ୍ର ଦାସଙ୍କ ସହିତ ପରିଚୟ ହେଲା, ଯାହଙ୍କ ଠାରୁ ପରେ ସେ ଦେଶ ସେବାର ଶିକ୍ଷା ପାଇଥିଲେ। ଗୋପବନ୍ଧୁଙ୍କ ଦ୍ୱାରା ସେତେବେଳେ, ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରାଯାଇଥିଲା। ପୁରୀ ସେବା ସମିତି ଗଠନ କରି, ସେ ଆପଣା ଜୀବନକୁ ବିପନ୍ନ କରି ସାଥୀମାନଙ୍କ ସହ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମରେ ଲାଗିପଡ଼ିଥିଲେ। ଗୋପବନ୍ଧୁ ମାତ୍ର ୧୨ ବର୍ଷ ବୟସରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ। ବିବାହ ପରେ ମଧ୍ୟ ସେ ପାଠ ପଢ଼ା ଜାରି ରଖିଥିଲେ। ପୁରୀରୁ ମାଟ୍ରିକ ପାସ କରି କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ। ଏହି ସମୟରେ ତାଙ୍କର ପିତୃ ବିୟୋଗ ଘଟିଥିଲା। କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ପଣ୍ଡିତ ଗୋପବନ୍ଧୁ ଦାସ “କର୍ତ୍ତବ୍ୟ ବୋଧିନୀ ସମିତି” ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କଲେ।ତାଙ୍କ ଆହ୍ୱାନ ଥିଲା, ‘ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା। ଭାଷା ହିଁ ଜାତିର ପ୍ରାଣ ସ୍ପନ୍ଦନ। ରମ୍ଭାଠାରେ ରାମଚନ୍ଦ୍ର ଦାଶ ଓ ଗୋପବନ୍ଧୁଙ୍କ ଉଦ୍ୟମରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା।
(ଭାର୍ଗବୀ ନଦୀ କୂଳରେ ଥିବା ତାରିଣୀ ମନ୍ଦିର,
ଏହି ସ୍ଥାନରେ ପଞ୍ଚସଖା ନଦୀ ବାଲି ଧରି ଶପଥ କରିଥିଲେ ଓଡ଼ିଶାକୁ ଶିକ୍ଷିତ କରିବା ପାଇଁ)
୧୯୦୩ ମସିହାରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ଗୋପବନ୍ଧୁ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ସମୟରେ, ତାଙ୍କର ପ୍ରଥମ ପୁତ୍ର ସନ୍ତାନର ମୃତ୍ୟୁ ଘଟିଥିଲା। ଏହିପରି ନାନାଦି ବାଧାବିଘ୍ନ ସତ୍ତ୍ୱେ ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ କଲେ ଓ କଲିକତାରେ ବିଏଲ ପଢ଼ିଲେ। ସେଠାରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖ ଦୁର୍ଦ୍ଦଶାରେ ବ୍ୟଥିତ ହୋଇ, ସେ ‘ଓଡ଼ିଆ ଶ୍ରମିକ ସଂଘ’ ଏବଂ ‘ସାନ୍ଧ୍ୟ ବିଦ୍ୟାଳୟ’ ପ୍ରତିଷ୍ଠା କରିଥିଲେ। ଇତି ମଧ୍ୟରେ ତାଙ୍କର ଦ୍ୱିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା। ଏପରିକି, ଯେଉଁଦିନ ସେ ବିଏଲ ପାସ କରିଛନ୍ତି ବୋଲି ଖବର ପାଇଥିଲେ, ସେହିଦିନ ତାଙ୍କୁ ନିଜ ପତ୍ନୀଙ୍କର ମୃତ୍ୟୁ ସମ୍ବାଦ ମଧ୍ୟ ମିଳିଥିଲା। ଏତେ ସବୁ ଦୁଃଖ, କିନ୍ତୁ ତାଙ୍କୁ ନିଜ କର୍ମରୁ ବିଚ୍ୟୁତ କରି ପାରିନଥିଲା।ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଥିଲା ।
(ବକୁଳବନ ବିଦ୍ୟାଳୟର ଶିକ୍ଷକମାନଙ୍କ ବସିବା ସ୍ଥାନ)
ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଣ୍ଡିତ ନୀଳକଣ୍ଠ ଦାସ ପ୍ରମୁଖ ପଞ୍ଚସଖା ମିଶି ସତ୍ୟବାଦୀକୁ ଏବଂ ଓଡ଼ିଶାକୁ ଶିକ୍ଷିତ କରିବା ପାଇଁ ପୁଣ୍ୟତୋୟା ନଦୀ ଭାର୍ଗବୀ କୂଳରେ ମା ତାରିଣୀଙ୍କ ମନ୍ଦିରରେ ନଦୀ ବାଲି ଧରି ଶପଥ କରିଥିଲେ ଏବଂ ଖାଲିପାଦରେ ଚାଲି ଚାଲି ଆସି ସତ୍ୟବାଦୀର ବକୁଳବନରେ ଏକାଠି ହୋଇ ଗଢିଥିଲେ ମଣିଷ ତିଆରି କାରଖାନା ସତ୍ୟବାଦୀ ବନବିଦ୍ୟାଳୟ
(ପଞ୍ଚସଖାଙ୍କ ଦ୍ଵାରା ସ୍ଥାପିତ ସତ୍ୟବାଦୀ ବିଦ୍ୟାଳୟର ପ୍ରଥମ ଘର)
ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା। ୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ଘଟିଥିବା ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା। ସେ ଚୁଡ଼ା, ଚାଉଳ ଧରି ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିବା ସହ ମାନବ ସେବାରେ ଲାଗି ପଡ଼ିଥିଲେ। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରରୋଚନାରେ ଗୋପବନ୍ଧୁ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନ ସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ। ୧୯୨୧ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପରବର୍ତ୍ତୀ ସମୟରେ ସେହି ପଞ୍ଚସଖାଙ୍କ ଉଦ୍ୟମରେ ସେଠାରେ ନିର୍ମାଣ ହୋଇଥିଲେ ସତ୍ୟବାଦୀ ବନବିଦ୍ୟାଳୟ। ପୁରୁଣା ସ୍ମୃତିକୁ ସାଇତି ରଖିବାକୁ ଯାଇ ଆଜିବି ସତ୍ୟବାଦୀ ବନବିଦ୍ୟାଳୟ ପରିସରରେ ରହିଛି ପ୍ରଥମେ ଚାଳ ଘରେ ପ୍ରତିଷ୍ଠିତ ବିଦ୍ୟାଳୟର ସ୍ମୃତି।
(କାଦୁଆ ଦରିଦ୍ର ନାରାୟଣ ସେବାଶ୍ରମର ଏହି ଘରେ ଗାନ୍ଧିଜୀ ରାତ୍ରିଯାପନ କରିଥିଲେ)
ମହାତ୍ମା ଗାନ୍ଧୀଙ୍କର ପୁରୀ ଆଗମନ କାଳରେ ଗୋପବନ୍ଧୁ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ସତ୍ୟବାଦୀର କାଦୁଆ ଛକ ନିକଟରେ 1929 ନଭେମ୍ବର 24 ତାରିଖରେ ‘ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ’ ପ୍ରତିଷ୍ଠା କରିଥିଲେ, ଏଠାରେ ଚରଖାରେ ସୂତା କଟାଯାଇ ଖଦିବସ୍ତ୍ର ବୁଣା ଯିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ଦା ମୂଳକ ଶିକ୍ଷା ଦିଆଯାଉ ଥିଲା।
(କାଦୁଆ ଦରିଦ୍ର ନାରାୟଣ ସେବାଶ୍ରମ)
ଦେଶବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ଓଡ଼ିଶାର ମଣି ଗୋପବନ୍ଧୁ ଦାସଙ୍କର 1928 ଜୁନ 17 ତାରିଖରେ ତାଙ୍କ କର୍ମ ଭୂମିସତ୍ୟବାଦୀ ବନବିଦ୍ୟାଳୟ ପରିସରରେ ପରଲୋକ ଘଟିଥିଲା।
ବକୁଳବନ ଠାରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା ଏବଂ ପଞ୍ଚସଖାଙ୍କ ନିଷ୍ପତି କ୍ରମେ ପରବର୍ତ୍ତୀ ମୁହୂର୍ତ୍ତରେ ଗୋପବନ୍ଧୁ ଦାସଙ୍କ ସମାଧି ନିକଟରେ ତାଙ୍କ ଆଉ ଚାରିସଖାଙ୍କର ଅନ୍ତିମ ସତ୍କାର କରାଯାଇ ସେମାନଙ୍କ ସମସ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ପଞ୍ଚସଖା ସ୍ମୃତି ପିଠ ନିର୍ମାଣ କରାଯାଇଥିଲା। ଏହି ଧାରାଧାମରୁ ପଣ୍ଡିତ ଗୋପବନ୍ଧୁ ଦାସ ଚାଲିଯାଇଛନ୍ତି ସତ ହେଲେ ଆଜିବି ତାଙ୍କ ସେବା ଆଦର୍ଶ ପ୍ରତିଟି ଦେଶ ବାସୀଙ୍କ ପାଇଁ ଆଦର୍ଶ ହୋଇ ରହିଯାଇଛି।
(ଗୋପବନ୍ଧୁ ଦାସଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସ୍ଥାନ)
(ପଞ୍ଚସଖା ସ୍ମୃତିପୀଠ – ପ୍ରଥମେ ଗୋପବନ୍ଧୁ ଦାସ ଏବଂ
ପରେ ତାଙ୍କ ସଖାମାନଙ୍କ ଅନ୍ତିମ ସତ୍କାର କରାଯାଇଥିବା ସମାଧିପୀଠ)
ଗୋପବନ୍ଧୁ ଦାସଙ୍କ ଚାରିସଖା ତାଙ୍କୁ ଶ୍ରଦ୍ଧାରେ “ଦାସେ ଆପଣେ” ବୋଲି ସମ୍ବୋଧନ କରି ଡାକୁଥିଲେ ତେଣୁ ଜନମାନସରେ ସେ ଆଜିବି ସଭିଙ୍କ ଅତିପ୍ରିୟ “ଦାସେ ଆପଣେ” ଭାବରେ ଚିରନମସ୍ୟ ହୋଇ ରହିଯାଇଛନ୍ତି।
Cover Image: ‘The SAMAJA’
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago