ଉପସ୍ଥାପନା: ଦେଵ ତ୍ରିପାଠୀ
~ ଆମ ଲୋକସାହିତ୍ୟ:  ~
ଇଏ କୋଉ ଅସିଆ କାଳର ମସିଆ କଥା ! ଆମ ଓଡ଼ିଆ ଘରର ଝିଅ ବାହାଘର ! ଝିଅ ବିଦା ହବ !
ଏ ଯାଏଁ ବଢ଼ିଆସିଥିବା ଗୋଟେ ଆପଣାର ପରିବେଶ, ଅନ୍ତରଙ୍ଗ ଆସରକୁ ପରକରି ଚାଲିଯିବ ଝିଅ ! ସବୁ ଅଳିଅର୍ଦ୍ଦଳି, ଅଭିଯୋଗ ଶୁଣୁଥିବା, ଅବ୍ୟକ୍ତ ମନକଥା ବୁଝିପାରୁଥିବା, ଗେଲବସର କରି ତାକୁ ବଢ଼ାଇଥିବା, ସବୁ ପାଇଟି #ସଣ୍ଠଣା ଶିଖାଇଥିବା, ଦିହ ମଉଳିଯିବ ବୋଲି ଖରାକୁ ଛାଡ଼ୁ ନ ଥିବା, ସଞ୍ଜବେଳେ #ଚଉରା ରେ ସଞ୍ଜବତୀ ଦେଇ ଝିଅ ପାଇଁ ଭଲଘର ଭଲବର ମନାସୁଥିବା ବୋଉ; ଯାହାର କାନ୍ଧ ଉପରେ ବସିପଡି଼ଲେ ଲାଗେ ଜହ୍ନ ବି ହାତପାହାନ୍ତରେ, ସେଇ ବାପା; ଯାହାର ସାହା ପାଇଲେ ସାତ ସମୁଦ୍ରକୁ ଡେଇଁପଡ଼େ, ଲୁହାର ଶିକୁଳିକୁ ଭାଙ୍ଗିଦିଏ ଝିଅ, ସେଇ ଅତିପ୍ରିୟ ନୂଆବୋଉ; ଗେହ୍ଲା ଭଉଣୀର ଭୁଲକୁ ଲୁଚାଇ ବାପାଙ୍କ ଠାରୁ ମାଡ଼ ଖାଉଥିବା ଭାଇ, ବନ୍ଧୁ ପରିଜନ, ସାଙ୍ଗସାଥୀ, ସହିସଙ୍ଗାତ, #ବଉଳମକର, ଜନମମାଟି, ଗାଁର ନିଟୋଳ ପରିବେଶ, ଗାଁ ଆମ୍ବତୋଟାରେ ରଜଦୋଳି, ଗାଁ ପୋଖରୀରୁ କଇଁତୋଳା ଏମିତି କେତେ ନିବିଡ଼ ସ୍ମୃତିରୁ ସବୁଦିନ ପାଇଁ ସମ୍ପର୍କ ତୁଟାଇ ଚାଲିଯିବ !
ଅତୀତର ଅଲିଅଳପଣ, ସ୍ନେହସରାଗ, ଅଜ୍ଞାତ ଭବିଷ୍ୟତର ଆଶଙ୍କା, ବିଦାୟକାଳୀନ ଘନୀଭୂତ ବେଦନାରାଶି, ଝିଅର ମନ ଓ ହୃଦୟରେ ! ଅକୁହା ବେଦନା ଭାରରେ ଛାତି ଭାରାକ୍ରାନ୍ତ, କଣ୍ଠ ଆଷାଢ଼ !
ଏ ବେଳରେ ଝିଅ ବିଦା ହେବାର ମୁହୂର୍ତ୍ତ ! ମଙ୍ଗଳଶଙ୍ଖ ବାଜିଉଠିବ ! କାନ୍ଦି ଉଠିବେ ସାରା ପରିବାର ! #କାନ୍ଦଣା ର ସ୍ବରଟିଏ ଖେଳିଯିବ ସମୁଦ୍ରଲହରୀ ପରି ! ବିଦାୟ ବେଳରେ ମନେ ପଡ଼ି ଯାଉଥିବ ବାଳୁତବେଳର ସ୍ମୃତି:
‘‘ମାଳି ଫୁଲ ଗୁନ୍ଥେ ଚାଲୁଣି ଭରା, ହେ ବୋଉ
ବୋଉ ଭାତ ବାଢ଼େ ମୋ ପେଟ ପୂରା ।
ସଞ୍ଜୁଆଳି ତାରା ଯୋଡ଼ିକି ଯୋଡ଼ି,
ମୋର ବୋଉ ଡାକ ଘଡ଼ିକି ଘଡ଼ି !
ଆଳୁପତରିଆ ମହଣ ପାନ ଲୋ
ବୁଲିବା ସରିଲା ଗୋପ ଭୁବନ ହେ ବୋଉ . . ।’’
ଝିଅଟିକୁ #ସବାରୀ ରେ ବସାଇଦେଇ କିଛିବାଟ ବଳେଇ ଦେବାକୁ ଯାଆନ୍ତି ସଭିଏଁ ! ଝିଅ ଚାଲିଯାଏ, ଗାଁରୁ ଦୂରକୁ ଲମ୍ବିଥିବା ଧୂଳିଆ ରାସ୍ତାରେ, ତା’ ସ୍ମୃତିର ଲୁହ ଢ଼ାଳି ଢ଼ାଳି ! ବେଳେବେଳେ ଝିଅଟିର କ୍ଷୀଣ କଣ୍ଠର ସ୍ବର ଭାସି ଆସୁଥାଏ କିଛି ଦୂର ଯାଏଁ ! ପଛରେ ଚାଲୁଥିବା ଘଣ୍ଟିବନ୍ଧା ଶଗଡ଼ଗାଡ଼ିରେ ଝିଅର ଦରକାରୀ ଜିନିଷପତ୍ର, ସହିତ ଯାଏ ଝିଅର ସାନଭାଇ। ଝିଅର କାନ୍ଦରେ କୋହ ଚାପି ବିଳପି ଉଠେ ଭାଇ ! ପାଞ୍ଚଣ ଧରି ଟାକଳା ଫୁଟାଇ ବଳଦ ଅଡ଼ାଉଥିବା #ଶଗଡ଼ିଆ ଆଖିରୁ ବି ଦି’ ଧାର ଲୁହ ବହିଯାଏ !
କେବଳ ବିଦା ବେଳେ ନୁହେଁ ବରଂ ନିର୍ବନ୍ଧ, #ମଙ୍ଗଳପାକ, ବରଧରା, ରୋଷଣୀ, #କନକାଞ୍ଜଳୀ ପ୍ରଭୃତି ମୁହୂର୍ତ୍ତରେ ଏବଂ #ଲବଣଚଉଁରୀ ରୁ ଫେରିବାବେଳେ, ବେଦୀକୁ ଯିବା ଓ ଫେରିବା ସମୟରେ ଝିଅ ତା’ର ଆତ୍ମୀୟ ପ୍ରିୟ ପରିଜନଙ୍କୁ ବିକଳରେ ଧରି ଅତୀତର ସ୍ମୃତିକୁ ହେଜି ବାହୁନି ଉଠୁଥିଲା । ବିଳପିତ ହୃଦୟର ଭାବନା ସବୁ ଚିତ୍ରିତ ହେଉଥିଲା ତା’ର ଛନ୍ଦ ଓ ଲହରଭରା #କାନ୍ଦଣାଗୀତ ରେ !
ତେବେ ଆମ ଓଡ଼ିଆଘରର ଝିଅମାନେ ଏ କାନ୍ଦଣା ଶିଖନ୍ତି କେମିତି ?
କେଉଁଠୁ ପାଇଥାନ୍ତି ସେମାନେ ?
ନା ସେମାନେ ନିଜେ ରଚିଥାଆନ୍ତି ଏସବୁ ଗୀତ ?
କାନ୍ଦିବା ଏକ କଳା ! ଏଥିପାଇଁ ବହୁ ପୂର୍ବରୁ ପ୍ରସ୍ତୁତ ହୋଇଥାନ୍ତି ଆମ ଝିଅମାନେ ! ଅଭିଜ୍ଞତାସମ୍ପନ୍ନା, ବୟସ୍କା ବୃଦ୍ଧାମାନେ ଝିଅମାନଙ୍କୁ ସେମାନଙ୍କର ବିବାହର ବହୁପୂର୍ବରୁ ଏଥିପାଇଁ ତାଲିମ ଦେଇଥାନ୍ତି । ଝିଅ ଯଦି #କଳାତ୍ମକ ରୀତିରେ କାନ୍ଦଣା ପରିବେଷଣ ପାଇଁ ସମର୍ଥ ନ ହୁଏ ତେବେ ଗ୍ରାମର ଅପଯଶ ହେବ। ଝିଅମାନେ କାନ୍ଦଣା ଅଭ୍ୟାସ କରି ଏପରି କରୁଣ ସ୍ଵରରେ ଗାଇଥାନ୍ତି ଯେ; ଅବିଳମ୍ବେ ସାଇ ପଡ଼ିଶାର ଶୁଭେଚ୍ଛୁମାନେ ଧାଇଁ ଆସନ୍ତି ତାକୁ ସାନ୍ତନା ଦେବାକୁ, ତା ଆଖିରୁ ଲୁହ ପୋଛି ଦେଇ ନିଜେ ମଧ୍ୟ କାନ୍ଦି ଉଠନ୍ତି । ଆଉ ସେଇ କରୁଣ ଦୃଶ୍ୟରେ ଥାଏ ନିତିଦିନିଆ ଜୀବନର ସଜଳ ଗାଥା ।
ଓଡ଼ିଶାରେ ଆମ ଲୋକସାହିତ୍ୟ ଏହି କାନ୍ଦଣା ଗୀତର ପ୍ରଚଳନ ସମ୍ଭବତଃ ଷୋଡ଼ଶ ଶତାବ୍ଦୀ । ମୋଗଲ ଗୋଳ ଆରମ୍ଭ ହେବା ପରେ ପରେ ଷୋଡ଼ଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରୁ ଓଡ଼ିଶାରେ #ବାଲ୍ୟବିବାହ ପ୍ରଥା ପ୍ରଚଳିତ ହୋଇଥିଲା । ସେତିକିବେଳେ କନ୍ୟାଦାୟରୁ ମୁକ୍ତି ପାଇବା ଉଦ୍ଦେଶ୍ୟରେ କନ୍ୟାପିତାମାନେ ଯେ କୌଣସି ଠାରେ କନ୍ୟାଦାନ କରୁଥିଲେ ! ଘର ଓ ବରର ଯୋଗ୍ୟତା ପ୍ରତି ବାଛ ବିଚାର ନ କରି ! ଝିଅ ଯୁବତୀ ହୋଇ ଶାଶୁଘରକୁ ଯିବା ପୂର୍ବରୁ ଶାଶୁଘର ତଥା ନିଜ ସ୍ଵାମୀଙ୍କ ସମ୍ବନ୍ଧରେ ଅନେକ ଦୁଃସମ୍ବାଦ ଶୁଣିଥିଲେ ହେଁ, ନିରୀହା #ପଲ୍ଲୀବାଳା ପିତା, ଭ୍ରାତାଙ୍କ ବିଚାର ବିରୁଦ୍ଧରେ ପ୍ରତ୍ୟକ୍ଷ ବିଦ୍ରୋହ ନ କରି ପାରି ଜ୍ଞାତି, ଭାଇ, କୁଟୁମ୍ବ ତଥା ଅନ୍ୟାନ୍ୟ ପରିବାରବର୍ଗଙ୍କ ଠାରେ କାନ୍ଦଣା ମାଧ୍ୟମରେ ନିଜର ମନୋଭାବ ବ୍ୟକ୍ତକରେ ।
କାନ୍ଦଣାଗୀତର ସଠିକ ରଚନାକାଳ ଐତିହାସିକ ଦୃଷ୍ଟିରୁ ମୂଲ୍ୟାୟନ କରିବା ଅସମ୍ଭବ । ତେବେ ଆଫଗାନ, ମୋଗଲ, ମରହଟ୍ଟା ଅତ୍ୟାଚାରରେ ମାଟି ଯେତେବେଳେ ଭୀତତ୍ରସ୍ତ, ବିପନ୍ନ, ଉତ୍କଳୀୟ ନାରୀର ମର୍ଯ୍ୟାଦା ରକ୍ଷା କରିବା ଲାଗି ଦୁର୍ଦ୍ଦଶ ପାଇକବାହିନୀ ନାହିଁ, ଦିଗ୍‌ବିଜୟୀ ରାଜାମାନେ ନାହାଁନ୍ତି, ନିଜର ମାନମହତ ରକ୍ଷା କରିବା ଲାଗି ନାରୀ ଆତ୍ମଗୋପନ କଲା, ସେହି ଯୁଗର ରୁଦ୍ଧକଣ୍ଠର କରୁଣଧ୍ବନି ପ୍ରତିଧ୍ବନିତ ହେଲା ଏଇ କାନ୍ଦଣାରେ ! ଡ. କୃଷ୍ଣଚରଣ ସାହୁ କହନ୍ତି, ‘ଲୋକଚଳଣୀ ପରି #ଲୋକଗୀତ ର ରଚନାକାଳ ନଥାଏ । ଯୁଗରୁଚିର ପରିବର୍ତ୍ତନ ଅନୁଯାୟୀ ଲୋକଗୀତର ସୃଷ୍ଟି ଓ ବିଲୟ ହୁଏ ଏବଂ ଏହାର ପ୍ରକୃତିରେ ପରିବର୍ତ୍ତନ ଆସେ । ସାହିତ୍ୟ ସହ କାନ୍ଦଣାର ଅବିଚ୍ଛେଦ୍ୟ ସମ୍ପର୍କ ଷୋଡ଼ଶ ଶତାବ୍ଦୀରୁ ହିଁ ପ୍ରମାଣିତ ହୋଇଥାଏ । ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ରଚିତ #ନରସିଂହ_ସେଣ ଙ୍କ ‘ପରିମଳା’ କାବ୍ୟରେ କାନ୍ଦଣାର ସୂଚନା ମିଳିଥାଏ ।’
ପ୍ରଥମତଃ ଆମ ଲୋକସାହିତ୍ୟ ଏଇ କାନ୍ଦଣାଗୀତ ମୌଖିକ ହୋଇଥିଲେ ହେଁ ପରବର୍ତ୍ତୀ କାଳରେ ସୃଜନଶୀଳ ଲେଖକ/ଲେଖିକା ଏ ଦିଗରେ ପ୍ରୟାସ କରିଛନ୍ତି ତାହାର ଫଳଶ୍ରୁତି ସ୍ଵରୂପ କଟକରେ ପ୍ରକାଶିତ ହୋଇଥିଲା ଶ୍ରୀମତୀ ସରଗଶଶୀ ଦେଈ ଓ ଶ୍ରୀମତୀ ସାବିତ୍ରୀ ଦେଈଙ୍କ ରଚିତ #କାନ୍ଦଣାଲହରୀ (୧୯୪୩) ଏବଂ ଏସ୍. ଏ. ହମିଦଙ୍କ #ଟିକିବୋହୂ_କାନ୍ଦ ପୁସ୍ତକ ! ପରେ ପରେ ଦୟାନନ୍ଦ ସାହୁଙ୍କ ‘ନଳିନୀଦେଈ କାନ୍ଦ’, ରୂପେନ୍ଦ୍ରଙ୍କ ‘ହେମଲତା ଶୋକ’ ଓ କବି ଦୁଃଖୀ ସାହାଙ୍କ ‘କୁନ୍ତଳାଦେଈ କାନ୍ଦ’ ଇତ୍ୟାଦି ! #ବିଦଗ୍ଧକବି #ଅଭିମନ୍ୟୁ_ସାମନ୍ତସିଂହାର ମଧ୍ୟ କାନ୍ଦଣାଗୀତ ରଚନା କରିଛନ୍ତି ।
ତାତ୍ତ୍ୱିକ ଦୃଷ୍ଟିକୋଣରୁ ବିଚାର କଲେ, ଓଡ଼ିଆ ପଲ୍ଲୀବଧୂର କାନ୍ଦଣାଗୀତ ଉଚ୍ଚକୋଟୀର ସାହିତ୍ୟିକ ଛଟାରେ ବିମଣ୍ଡିତ ! ବାସ୍ତବ ମନ୍ମୟ ସାହିତ୍ୟ । ଏଥିରେ #ଉପମା, #ଅଳଙ୍କାର, ବିଶେଷୋକ୍ତି #ଲୋକଛନ୍ଦ ର ଅଭାବ ନାହିଁ । ଏଥିରେ ଉତ୍କଳୀୟ ସଂସ୍କୃତି, ପରମ୍ପରା, #ଉତ୍କଳୀୟ_ନୌବାଣିଜ୍ୟ, ପିଠାପଣା, ପୁନିଅଁପରବ, ଓଡ଼ିଆଣୀର #ପାଟ, ଲୁଗା, କେଶପ୍ରସାଧନ ପ୍ରଭୃତିର ଦୃଷ୍ଟାନ୍ତ ପରିଦୃଷ୍ଟ । ଏ ଦିଗରେ ନିରକ୍ଷରା ନାରୀର ଦକ୍ଷତା ଦେଖିଲେ ବିସ୍ମିତ ହେବାକୁ ହୁଏ । ଉପମା ଦେବାରେ ଓଡ଼ିଆଣୀ ନାରୀର ସ୍ଵାଭାବିକତା, ବାସ୍ତବ ଜ୍ଞାନ ସୁପ୍ରକଟ ।
ଆମ ଓଡ଼ିଆ ଝିଅବୋହୂମାନେ ଯେ ଆଶୁକବିତ୍ବର ଅଧିକାରଣୀ ଓ ଦୁଃଖ ସମୟରେ ମଧ୍ୟ ସେମାନେ #ସଙ୍ଗୀତର_ଧାରା ଛୁଟାଇ ପାରନ୍ତି, ତାହା ଓଡ଼ିଆ କାନ୍ଦଣାଗୁଡ଼ିକରୁ ଜାଣିହୁଏ ! ସେଇ ନାରୀକବିମାନଙ୍କର କୋମଳ ଅନ୍ତରରୁ ଅଶ୍ରୁବିନ୍ଦୁ ସଙ୍ଗେ ଯେଉଁ #ପଟାନ୍ତରବିହୀନ_ମାନବିକ_ଆବେଦନର #କର୍ଣ୍ଣପ୍ରୀତିପଦ_ସୁରଲହରୀ ଝରିପଡ଼ିଥାଏ, ସେସବୁକୁ ଲୋକରତ୍ନ ଡ. କୁଞ୍ଜବିହାରୀ ଦାଶ ମୁକ୍ତା ପରି ଜ୍ଞାନ କରନ୍ତି (ଓଡ଼ିଆ ଲୋକଗୀତ ଓ କାହାଣୀ, ପୃ:୭୭) ! ପରିସ୍ଥିତି ସହିତ ସମ୍ପୃକ୍ତ ହୋଇଥିବାରୁ ଓ ଏହାର ଭାବ ହୃଦୟର ଗଭୀରତମ ପ୍ରଦେଶରୁ ଉତ୍ସାରିତ ହୋଇଥିବାରୁ #ଭାରତମଣି_ଗୋପବନ୍ଧୁ ଏଇ କାନ୍ଦଣାଗୀତକୁ ସାଧାରଣ ଓଡ଼ିଆଣୀର ହୃଦୟ ଓ ଆତ୍ମାର ଗାଥା ବୋଲି ଅଭିହିତ କରିଅଛନ୍ତି !
ଏଇ କାନ୍ଦଣାଗୀତ ପରି ସଜଳ ଆମ ଲୋକସାହିତ୍ୟ କରୁଣ ଭାବାବେଗରୁ ସୃଷ୍ଟି, ଆମ ପଲ୍ଲୀ ଜୀବନଧାରା ଓ #ଲୋକସଂସ୍କୃତି ର ଏକ ବାଙ୍ମୟ ଓ ବେଦନାକ୍ତ ପରିପ୍ରକାଶ କେବଳ !
ତଥାପି, ଏହି ଧରଣର ଗୀତଗୁଡ଼ିକୁ ସାହିତ୍ୟିକ ମୂଲ୍ୟସମ୍ପନ୍ନ ଗୀତଭାବେ ଗ୍ରହଣ କରିବାକୁ ପଶ୍ଚାତ୍‌ପଦ ହୁଅନ୍ତି କେହି କେହି, ସେମାନଙ୍କ ପାଇଁ କେତେକ କାନ୍ଦଣା ଗୀତାଂଶ ଏଠାରେ ଉପସ୍ଥାପିତ, ଯେଉଁଗୁଡ଼ିକ ନିବିଡ଼ ଭାବାବେଗ ସହିତ ଉପମା, ଅଳଙ୍କାର ଓ ପାଣ୍ଡିତ୍ୟରେ ସମନ୍ବିତ ।
‘‘ମୀନ ଖେଳୁଥାଏ ଜଳ ଭିତରେ, ଲୋ ବୋଉ,
ମୁହିଁ ଖେଳୁଥାଏ ତୋର କୋଳରେ ।
ଧୀବର ଜାଲରେ ମୀନ ପଡ଼ିଲା,
ଜଳକ୍ରୀଡ଼ା ତାର ସରିଣ ଗଲା ।
ପବନ ବଢ଼ଇ ଶିଶିର ପାଇ,
ବଢୁଥାଇ ମୁହିଁ ତୋ ସ୍ନେହ ପାଇ ।
ଫୁଲ ଶୁଖିଗଲେ ମାଳୀକି ଚିନ୍ତା,
ମୋ ମୁହଁ ଶୁଖୁଲେ ତୋହର ଚିନ୍ତା ।
ଲାଉ ଡଙ୍କ ପିଢ଼ା ଉପରେ ମାଡ଼ି, ହେ ବାପା,
କେତେ ନିର୍ଭୟରେ ଯାଉଛି ମାଡ଼ି !
ଲାଉଡ଼ଙ୍କ ଠାରୁ ହୋଇଲି ହୀନ,
ପର ପିଢ଼ାରେ ମୋ ଯିବ ଜୀବନ !
ଭଇଁଚ କଣ୍ଟାରେ ମାଣିକ ଫୁଲ,
ଶଅର କରିବ ମାଣିକ ମୂଲ !
ଗୋବର ଗାଡ଼ରେ ପଦ୍ମ ଫୁଟିବ
ଘୁଷୁରୀ ପାଚିଲା ରମ୍ଭା ଖାଇବ !
ଅନ୍ଧହସ୍ତେ ରତ୍ନ ମୁଦିର ଶୋଭା,
କୁଜୀ କାଣୀ ମୁଣ୍ଡେ ମାଳତୀଗଭା, ହେ ବାପା ।”
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago