ଲେଖା: ଦେବୀ ପ୍ରସାଦ ଦାସ
ଆସ ବୁଲିଯିବା ଦାସିଆ ବାଉରୀ ପୀଠ ।
ଦାସିଆ ବାଉରୀ ଶ୍ରୀ ଜଗନ୍ନାଥଙ୍କ ଜଣେ ପରମ ଭକ୍ତ । କେତେକ ଐତିହାସିକ ଓ ପୌରାଣିକ ତଥ୍ୟରୁ ଯାହା ଜଣାଯାଏ, ୧୫୦୦ ଶତାବ୍ଦୀ ବେଳକୁ ପୁରୀ ଜିଲ୍ଲାର ପିପିଲି ଅଞ୍ଚଳସ୍ଥ ବାଲିଗାଁରେ ଗୋଟିଏ ଗରୀବ ତନ୍ତୀ ପରିବାରରେ ଦାସିଆ ବାଉରୀ ଜନ୍ମ ଗ୍ରହଣ କରିଥିଲେ । ବାଲିଗ୍ରାମର ଖଦାଳ ସାହିରେ ସେ ନିଜ ପରିବାର ସହ ବସବାସ କରୁଥିଲେ । ବାଲ୍ୟ କାଳରୁ ହିଁ ସେ ଜଣେ ଜଗନ୍ନାଥ ପ୍ରେମୀ ଥିଲେ । ନିଜ ପରିବାରର ପାରମ୍ପରିକ ବୁଣାକାର ବୃତ୍ତି ବ୍ୟତୀତ, ଜଗନ୍ନାଥ ଭଜନ ଓ ଜଣାଣ ଲେଖିବାରେ ମଧ୍ୟ ତାଙ୍କର ରୁଚିଥିଲା । ଏହା ବ୍ୟତୀତ ସେ ଭାଗବତ, ଚଉତିସାଭକ୍ତି ମାଳିକା ଭଳି ଗ୍ରନ୍ଥ ମଧ୍ୟ ରଚନା କରିଥିଲେ ।
~ ଭକ୍ତ ଦାସିଆ ବାଉରୀ ~
ଜନ୍ମ ଓ ଜନ୍ମସ୍ଥାନ : ୧୫୦୦ ଖ୍ରୀଷ୍ଟାବ୍ଦ ବାଲିଗାଁ, ପିପିଲି
ମୃତ୍ୟୁ : ବାଲିଗାଁ, ପିପିଲି, ପୁରୀ, ଓଡ଼ିଶା
ଘର : ବାଲିଗାଁ, ପିପିଲି, ପୁରୀ
ଶିକ୍ଷା : ଶିକ୍ଷାଲାଭରୁ ବଞ୍ଚିତ
ଜୀବିକା : ତନ୍ତି/ ବୁଣାକାର
ପ୍ରସିଦ୍ଧି : ଜଗନ୍ନାଥ ଭକ୍ତ
ଜୀବନସାଥୀ : ମାଳତୀ
ସେହି ସମୟରେ ଗାଁ ଗହଳିରେ ସନ୍ଧ୍ୟା ସମୟରେ ଭାଗବତ ବାଣୀ ପ୍ରବଚନ ଦିଆଯାଉଥିଲା । ତେଣୁ ଗାଁ ଲୋକେ ସମ୍ମିଳିତ ଭାବେ ଏକାଠି ବସି ଭାଗବତ ପ୍ରବଚନ ଶୁଣୁଥିଲେ । କିନ୍ତୁ ନୀଚ ଓ ଅଛୁଆଁ ଜାତିରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ସେଠାରେ ପ୍ରବେଶ ନିଷେଧ ଥିଲା । ଫଳ ସ୍ୱରୂପ ଦାସିଆ ବାଉରୀକୁ ମଧ୍ୟ ସେହି ସାମାଜିକ କୁପ୍ରଥାର ଶିକାର ହେବାକୁ ପଡ଼ିଥିଲା । କିନ୍ତୁ ଆଧ୍ୟାତ୍ମିକ ଚେତନାବାଦୀ ଦାସିଆ ବାଉରୀଙ୍କୁ ଏହାର କିଛି ପ୍ରଭାବ ପଡ଼ିନଥିଲା । ପ୍ରବଚନ ସ୍ଥଳୀର ଅନତି ଦୂରରୁ ଜଣେ ଉତ୍ସାହୀ ଶ୍ରୋତା ଭାବରେ ସେ ପ୍ରବଚନ ଶୁଣୁଥିଲେ । ଅନେକ ପୂରାଣ ଓ କିମ୍ବଦନ୍ତୀରେ ଭକ୍ତ ଦାସିଆ ବାଉରୀ ଓ ଭଗବାନଙ୍କ ଭାବ ସମ୍ପର୍କରେ ଅନେକ କିଛି ବର୍ଣ୍ଣିତ ହୋଇଅଛି ।
~ କିମ୍ବଦନ୍ତୀ ~
ଦାସିଆ ବାଉରୀଙ୍କ ଭାବ- “ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁସାରେ, ଥରେ ବାଲି ଗ୍ରାମ ଶାସନର ଲୋକେ ପ୍ରଭୁଙ୍କ ରଥ ଯାତ୍ରା ଦେଖିବା ନିମନ୍ତେ ପୁରୀ ଯାଇଥିଲେ । ଆର୍ଥିକ ଆଭାବ ଯୋଗୁଁ ଭକ୍ତ ଦାସିଆ ସେଦିନ ପୁରୀ ଯାଇପାରିନଥିଲେ । ତେଣୁ ସେ ନିଜ ଗ୍ରାମର ଲୋକଙ୍କ ହାତରେ ପ୍ରଭୁଙ୍କ ନିକଟକୁ ନଡ଼ିଆଟିଏ ପଠାଇଥିଲେ । ଏବଂ ଅରୂଣ ସ୍ତମ୍ଭ ଆଗରେ ଠିଆହୋଇ, ଦାସିଆ ବାଉରୀର ନାଁ ନେଇ ପ୍ରଭୁଙ୍କୁ ନଡ଼ିଆ ଦେବାପାଇଁ ସେ ନିଜ ଗାଁ ଲୋକଙ୍କୁ ଅନୁରୋଧ କରିଥିଲେ । ଗାଁ ଲୋକେ ଅରୂଣସ୍ତମ୍ଭ ଆଗରେ ଠିଆ ହୋଇ, ଦାସିଆ ବାଉରୀର ନାଁ ଉଚ୍ଚାରଣ କରି ଯେମିତି ପ୍ରଭୁଙ୍କୁ ନିବେଦନ କରିଥିଲେ, ଶୁନ୍ୟରେ ନଡ଼ିଆଟି ସେମାନଙ୍କ ହାତରୁ ଚାଲିଯାଇଥିଲା । ଏହା ଦେଖି ଗାଁ ଲୋକେ ଆଚମ୍ବିତ ହୋଇଯାଇଥିଲେ ।” ଏହା ଥିଲା ଭକ୍ତ ଦାସିଆଙ୍କର ପ୍ରଭୁଙ୍କ ପ୍ରତିଥିବା ନିଷ୍ଠାପର ଭକ୍ତିଭାବ । ସାମାନ୍ୟ ଭକ୍ତିଭାବ ବଳରେ ଦାସିଆ ବାଉରୀ ପ୍ରଭୁ ହରିଙ୍କ ଯେମିତି କରୁଣାର ପାତ୍ର ହୋଇ ପାରିଥିଲା, ତାହା ଅନେକ ସାଧୁ, ସନ୍ଥ ଓ ତପସ୍ୱୀମାନଙ୍କ ପାଇଁ ଏକ ସ୍ୱପ୍ନ ସଦୃଶ୍ୟ । ଦାସିଆ ବାଉରୀଙ୍କୁ ଜଗନ୍ନାଥଙ୍କ ଡାକରା- “ପୁରାଣରେ ବର୍ଣିତ ତଥ୍ୟ ଅନୁସାରେ, ଦିନେ ଦ୍ୱିପ୍ରହରରେ ଭକ୍ତ ଦାସିଆ ଜଗନ୍ନାଥଙ୍କ ଜଣାଣ ଲେଖିବାରେ ମଗ୍ନ ହୋଇଯାଇଥିଲେ । ହଠାତ୍ ସେହି ସମୟରେ ଦାସିଆଙ୍କ ପତ୍ନୀ ମାଳତୀ ଆସି, ରାଗରେ ଘରର ଅସୁବିଧା ବିଷୟରେ ଦାସିଆଙ୍କୁ କହିଥିଲେ । ଏପରିକି କିଛିଦିନ ଧରି ନିଜେ ନଖାଇ, ପତିଙ୍କୁ କେମିତି ଖାଇବାକୁ ପରସୁଥିଲେ ସେ କଥା ମଧ୍ୟ ସେ ବ୍ୟଖ୍ୟା କରିଥିଲେ । ନିଜ ସ୍ତ୍ରୀଙ୍କ ଏହି ତ୍ୟାଗ ଶୁଣିବା ପରେ ଦାସିଆ ନିଜ ଆପାରଗ ସ୍ୱାମୀ ପଣିଆକୁ ଅନୁଭବ କରି ପତ୍ନୀଙ୍କୁ ବାପଘର ଯାଇ ଖୁସିରେ ରହିବା ପାଇଁ କହିଦେଇଥିଲେ । ଘର ଭିତରେ ସ୍ୱାମୀ ସ୍ତ୍ରୀଙ୍କ ଏହି ଝଗଡ଼ା ସମୟରେ, କେହିଜଣେ ହଠାତ୍ ବାହାରୁ “ଦାସିଆ ! ଦାସିଆ ! ବୋଲି ଡାକ ଦେବାର ସେମନେ ଶୁଣିବାକୁ ପାଇଲେ । ଘରୁ ବାହାରକୁ ଯାଇ ଦେଖିବା ବେଳେ, ସେହି ଗାଁର ମୁଖିଆ ଜଣକ ଦାସିଆଙ୍କୁ ଡାକୁଥିଲେ । ମୁଖିଆଙ୍କୁ ଆସିବାର କାରଣ ପଚାରିବା କ୍ଷଣି, ମୁଖିଆ ଜଣକ ନିଜ ସହ ଆଣିଥିବା କିଛି ଚାଉଳ ଏବଂ କଉଡ଼ି ଦାସିଆ ହାତରେ ଧରାଇ ଦେଇଥିଲେ ଏବଂ ରଥଯାତ୍ରା ଦେଖିଯିବା ନିମନ୍ତେ ତାଙ୍କ ପାଇଁ ଖଣ୍ଡିଏ ନୂଆ କପଡ଼ା ତିଆରି କରିବା ପାଇଁ ଦାସିଆଙ୍କୁ ଅନୁରୋଧ କରିଥିଲେ । ଏ କଥା ଶୁଣି ଦାସିଆ ନିଜକୁ ଅଟକାଇ ପାରି ନଥିଲେ, ଏବଂ ନିଜ ଗାଁ ମୁଖିଆଙ୍କ ସହ ରଥଯାତ ଦେଖିବା ପାଇଁ ଯିବା ନିମନ୍ତେ ତାଙ୍କୁ ଅନୁରୋଧ କରିଥିଲା ।
ଦାସିଆଙ୍କ ଅନୁରୋଧ ରକ୍ଷା କରି, ମୁଖିଆ ଜଣକ ଦୁହେଁ ମିଶି ରଥଯାତ୍ରା ଦେଖିବା ପାଇଁ ଯିବା ନିମନ୍ତେ ଖୁସିରେ ରାଜି ହୋଇଯାଇଥିଲେ । ଏହା ପରେ ଭକ୍ତ ଦାସିଆ ଖୁସିରେ ବିଭୋର ହୋଇ, ପତ୍ନୀଙ୍କ ପାଖକୁ ଯାଇ ସବୁ କିଛି ଘଟଣା ସମ୍ପର୍କରେ ବ୍ୟାଖ୍ୟା କରିଥିଲେ । ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ଠାକୁର ଆସି ସେମାନଙ୍କ ଦୁଖ ଓ ସମସ୍ୟାକୁ କ୍ଷଣମାତ୍ରେ କେମିତି ସମାଧାନ କରିଦେଲେ ଏବଂ ତାହା କିପରି କଳ୍ପନା ବାହାରେ ଥିଲା ତାହା ସେ ଜଣାଇଥିଲେ ।
ପୁରୀ ମହାରାଜାଙ୍କୁ ପ୍ରଭୁ ଜଗନ୍ନାଥଙ୍କ ସ୍ୱପ୍ନାଦେଶ- ଗରୀବ ଓ ଦାରିଦ୍ର୍ୟତା ଯୋଗୁଁ ଦିନେ ରାତିରେ ଦାସିଆଙ୍କ ଘରେ ଭୋଜନ ନିମନ୍ତେ କିଛି ନଥିଲା । ଫଳରେ ଭୋକରେ ରହି ରାତି କାଟି ଦେବାପାଇଁ ସେମନେ ବସି ବିଚାର କରୁଥିଲେ । ଠିକ ଏହି ସମୟରେ ଛଦ୍ମବେଶୀ ପ୍ରଭୁ ଜଗନ୍ନାଥ, ଅତିଥି ରୂପରେ ଦାସିଆଙ୍କ ଘରେ ବିଜେ ହୋଇଥିଲେ ଏବଂ ନିଜ ପେଟର ଭୋକ ମେଣ୍ଟାଇବା ପାଇଁ କିଛି ଭୋଜନ ନିମନ୍ତେ ପ୍ରାର୍ଥନା କରିଥିଲେ । ଭୋକିଲା ଆତିଥିଙ୍କୁ ଭୋଜନ ପରସିବା ପାଇଁ, ସେଦିନ ଦାସିଆ ଘରେ ଶାଗ କୂଟାଟିଏ ମଧ୍ୟ ନଥିଲା । ଶେଷରେ, ଦାସିଆଙ୍କ ପତ୍ନୀ ବହୁ କଷ୍ଟରେ ଘରେ ପଡ଼ିରହିଥିବା କିଛି ବଳକା ଚାଉଳରେ ଭାତ ତିଆରି କରି, ଅତିଥି ଜଣଙ୍କୁ ପରସିଥିଲେ । ଅତି ସନ୍ତୋଷରେ ରାତ୍ରୀଭୋଜନ କରି, ଅତିଥି ଜଣକ ଖୁସିରେ ଚାଲିଯାଇଥିଲେ । ଠିକ୍ ସେହିଦିନ ରାତ୍ରୀରେ, ପୁରୀ ମହାରାଜାଙ୍କୁ ଦାସିଆ ବାଉରୀ ଘରକୁ ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରିବା ନିମନ୍ତେ ସ୍ୱପ୍ନାଦେଶ ହୋଇଥିଲା । ସେହିଦିନ ଠାରୁ, ପ୍ରତିଦିନ ମହାରଜାଙ୍କଦ୍ୱାରା ଦାସିଆ ଘରକୁ ଖାଦ୍ୟ ପଠାଇବାର ବ୍ୟବସ୍ଥା କରାଗଲା । ସେହି ପରମ୍ପରା ଅନୁଯାୟୀ, ଆଜି ମଧ୍ୟ ଶ୍ରୀ ମନ୍ଦିରରେ ଶ୍ରୀ ଜିଉଙ୍କ ଭୋଗ ଲାଗି ହେବାପରେ, ପ୍ରଥମ ଭୋଗ ଭକ୍ତ ଦାସିଆ ବାଉରୀଙ୍କୁ ଅର୍ପଣ କରାଯାଇଥାଏ ।
ଦାସିଆ ବାଉରୀଙ୍କ ସ୍ତ୍ରୀଙ୍କୁ ପୋଖରୀରେ ରଥଯାତ୍ରା ଦର୍ଶନ କରାଇବା- ଆର୍ଥିକ ଦୂରାବସ୍ଥା ଯୋଗୁଁ, ବଡ଼ ଠାକୁରଙ୍କ ରଥଯାତ୍ରା ଦେଖିବାର ସୁଯୋଗରୁ ବଞ୍ଚିତ ହୋଇ ଆସୁଥିବା ଯୋଗୁଁ, ଦାସିଆଙ୍କ ପତ୍ନୀ ଦିନେ ଦୁଃଖରେ ଘର ଭିତରେ ମନ ମାରି ବସିଥିଲେ । ସ୍ତ୍ରୀଙ୍କୁ ଦୁଖଃର କାରଣ ପଚରିବା ମତ୍ରେ, ପତ୍ନୀ ମାଳତୀ ଦାସିଆଙ୍କୁ ରଥାରୂଢ଼ ତିନି ଠାକୁରାଙ୍କ ଦର୍ଶନ କରାଇବା ପାଇଁ ଗୁହାରୀ କରିଥିଲେ । ଫଳରେ ଦାସିଆ ନିଜ ପତ୍ନୀଙ୍କୁ ଗାଁ ମୁଣ୍ଡରେ ଥିବା ଗୋଠଗାଡ଼ିଆ ପୋଖରୀ କୂଳକୁ ନେଇ, ପୋଖରୀ ଜଳରାଶିରେ ସ୍ତ୍ରୀଙ୍କୁ ରଥଯାତ୍ରାର ଦୃଶ୍ୟ ଦର୍ଶନ କରାଇଥିଲେ ।
ଦାସିଆଙ୍କ ସାକ୍ଷାତ ନିମନ୍ତେ ପଞ୍ଚସଖାଙ୍କ ବାଲିଗ୍ରାମ ଗସ୍ତ- ପତ୍ନୀ ମାଳତୀଙ୍କୁ ପୋଖରୀ ଜଳରେ ରଥଯାତ୍ରା ଦର୍ଶନ କରାଇବା ଘଟଣା ଚାରିଆଡ଼େ ପ୍ରଚାର ହୋଇଗଲା । ଏ କଥା ଶୁଣି, ଦିନେ ସେ ସମୟର ପଞ୍ଚସଖା ଯଥା, ଜଗନ୍ନାଥ ଦାସ, ବଳରାମ ଦାସ, ଅନନ୍ତ ଦାସ, ଅଚ୍ୟୁତ ଦାସ ଯଶୋବନ୍ତ ଦାସ କାହାରିକୁ ନଜଣାଇ ଦାସିଆ ବାଉରୀକୁ ପରଖିବା ପାଇଁ ବାଲି ଗ୍ରାମକୁ ଆସିଥିଲେ । ସେହି ସମୟରେ ଦାସିଆ ବାଉରୀ ଗାଁ ମୁଣ୍ଡ ଗୋଠଗାଡ଼ିଆ ପୋଖରୀ କୁଳରେ ଜଗନ୍ନାଥଙ୍କୁ ଧ୍ୟାନ କରି ବସିଥିଲେ । ପ୍ରକୃତରେ ଦାସିଆ ହରିଙ୍କୁ ଚିହ୍ନି ପାରିଛି କି ନାହିଁ ଜାଣିବା ପାଇଁ ସେଦିନ ପଞ୍ଚସଖା ଦାସିଆଙ୍କୁ ପରୀକ୍ଷା କରିଥିଲେ ଓ ଭଗବାନଙ୍କ ଦଶାବତାର ଦର୍ଶନ କରାଇବା ପାଇଁ ଆଦେଶ କରିଥିଲେ । ପଞ୍ଚସଖାଙ୍କ ଆଦେଶ କ୍ରମେ, ଦାସିଆ ବାଉରୀ ସେମାନଙ୍କୁ ସେହି ପୋଖରୀ ଜଳରାଶିରେ ଭଗବାନଙ୍କ ଦଶାବତାର ଦର୍ଶନ କରାଇଥିଲେ । ଏଥିରେ ମୁଗ୍ଧ ହୋଇ ପଞ୍ଚସଖା, ଦାସିଆଙ୍କୁ ବିନା ଦ୍ୱିଧାରେ ସେମାନଙ୍କର ଶିଷ୍ୟ ରୂପରେ ଗ୍ରହଣ କରିନେଇଥିଲେ । ସେହିଦିନ ଠାରୁ ଦାସିଆ ବାଉରୀ, ବାଳିକା ଦାସ ନାମରେ ମଧ୍ୟ ପରିଚିତ ହେଲେ ।
~ ଦାସିଆ ବାଉରୀ ପୀଠ ~
ବାଲିଗ୍ରାମ, ପୁରୀ ଜିଲ୍ଲା ପିପିଲି ବ୍ଲକର ତେଇସିପୁର ଗ୍ରାମପଞ୍ଚାୟତ ଅଧିନରେ ଆସେ । ଭକ୍ତ ଦାସିଆ ବାଉରୀ ଏହି ପବିତ୍ର ମାଟିରେ ଜନ୍ମ ଗ୍ରହଣ କରିଥିଲେ । ବାଲିଗାଁ ମାଟି ଦାସିଆ ବାଉରୀଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ସହ ଅଙ୍ଗାଙ୍ଗି ଭାବେ ଜଡିତ । ଇଏ ସେହି ମାଟି, ଯଉ ମାଟିରେ ପଞ୍ଚସଖାଙ୍କ ପାଦପଡିଥିଲା ଭକ୍ତ ଦାସିଆଙ୍କୁ ପରଖିବା ନିମନ୍ତେ । ଏପରି ଅନେକ ଘଟଣା ଘଟିଛି ଏହି ଗ୍ରାମରେ ଭକ୍ତ ଦାସିଆଙ୍କୁ ନେଇ । ଏବଂ ଶେଷରେ ମାଘ ଶୁକ୍ଳ ଏକାଦାଶି ଦିନ ଭକ୍ତ ଦାସିଆ ବାଉରୀ ଏହି ମାଟିରେ ହିଁ ପ୍ରାଣତ୍ୟାଗ କରିଥିଲେ । ଏହି ଗାଁ ମାଟି ପବିତ୍ର ଓ ଧନ୍ୟ ହୋଇସାରିଛି ଭକ୍ତ ଦାସିଆଙ୍କୁ ଜନ୍ମ ଦେଇ ।
ଭକ୍ତ ଦାସିଆଙ୍କ ସ୍ମୃତିରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗଦ୍ୱାରା ଏକ ଜଗନ୍ନାଥ ମନ୍ଦିର ଓ ମନ୍ଦିର ସମ୍ମୁଖରେ ଦାସିଆ ବାଉରୀଙ୍କ ଜଗନ୍ନାଥଙ୍କୁ ନଡିଆ ପ୍ରଦାନ କରୁଥିବା ଆକୃତିର, ୪ ଫୁଟ ଉଚ୍ଚତ୍ତା ବିଶିଷ୍ଟ ବ୍ରୋଞ୍ଜ ଧାତୁରେ ନିର୍ମିତ ପ୍ରତିମୁର୍ତ୍ତି ମଧ୍ୟ ଏହି ଗ୍ରାମରେ ତିଆରି ହୋଇସାରିଛି ।
ଭକ୍ତ ଦାସିଆ ବାଉରୀଙ୍କ ଜୀବନ କାହାଣୀ ଓ ଭକ୍ତି ଭାବକୁ ଅଧିକା ଲୋକାଭିମୁଖୀ କରିବା ପାଇଁ, ଓଡ଼ିଶାରେ ବିଭିନ୍ନ ଭଜନ, ଜଣାଣ ଓ ଗୀତିନାଟ୍ୟ ସବୁ ରଚନା କରାଯାଇଛି । ଓଡ଼ିଶା ଚଳଚ୍ଚିତ୍ର ଓ ଆଲବମ୍ ଜଗତର ପ୍ରଯୋଜକମାନେ ଦାସିଆ ବାଉରୀଙ୍କ ଜୀବନକୁ ନେଇଁ ଅନେକ ଭଜନ ଓ ଚିତ୍ରପଟ୍ଟ ପ୍ରଯୋଜନା କରିଛନ୍ତି । ଶ୍ରୀ ବ୍ରଜମୋହନ ମହାନ୍ତିଙ୍କ ସଂରଚିତ ଦାସିଆ ବାଉରୀଙ୍କ ଜୀବନ ଉପରେ ଆଧରିତ କାହାଣୀକୁ, ଭରତକୃଷ୍ଣଙ୍କ ବଳିଷ୍ଠ ନିର୍ଦେଶନାରେ ପ୍ରଯୋଜକ ସୀତାରାମ ଅଗ୍ରବାଲ୍ ଦାସିଆ ବାଉରୀ – ଓଡ଼ିଆ ଗୀତିନାଟ୍ୟ ନାମକ ଚଳଚ୍ଚିତ୍ର ମଧ୍ୟ ପ୍ରଯୋଜନା କରିଛନ୍ତି । ଯାହାର ସଙ୍ଗୀତ ନିର୍ଦ୍ଦେଶନା ଓଡ଼ିଆ ସଙ୍ଗୀତ ନିର୍ଦେଶକ ବସନ୍ତ ମହାନ୍ତି ଦେଇଛନ୍ତି । ଏହା ବ୍ୟତୀତ ଭଜନସମ୍ରାଟ ଭିକାରି ବଳ ଏବଂ ଓଡ଼ିଶାର ଅନ୍ୟ କଣ୍ଠଶିଳ୍ପୀମାନେ ମଧ୍ୟ ଦାସିଆ ବାଉରୀଙ୍କ ଭଜନରେ କଣ୍ଠଦାନ କରିଛନ୍ତି ।
ଜୟ ଜୟ ଜଗନ୍ନାଥ ।
ସୌଜନ୍ୟ: ଶ୍ରୀକ୍ଷେତ୍ର ଇତିହାସ Srikhetra Itihasa
Spread the love
admin

Recent Posts

ଆମ ଚଳଣି

~ ଆମ ଚଳଣି ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆ ଘରର କଥା ନିଆରା। ଆମ ଚଳଣି ଅନନ୍ୟ।…

3 weeks ago

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 months ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

5 months ago