ମହାମନିଷୀଗଣ

ଉଛବ ମଳିକ (ନିମାପଡ଼ା ଗୁଳିକାଣ୍ଡ)

ଲେଖା: ନିରଞ୍ଜନ ସାହୁ

ଏହା ଥିଲା ୧୯୪୨ ମସିହା ସେପ୍ଟେମ୍ବର ମାସ ୧୬ ତାରିଖ ଦିନ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଏକ ବିୟୋଗାନ୍ତକ ନାଟକରେ ଅଭିନୀତ ଗୋଟିଏ ହୃଦୟବିଦାରକ ଦୃଶ୍ୟ ।

ଏହି ଦୃଶ୍ୟରେ ଉଛବ ମଳିକ (Uchhaba Malika) ନାମରେ ନିମାପଡ଼ା ଅଞ୍ଚଳର ଜଣେ ନିଃସ୍ଵ ହରିଜନ ଯୁବକ ପୋଲିସ ଗୁଳିରେ ସହିଦ ହୋଇଥିଲେ । ଏହା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏକ ରୋମାଞ୍ଚଳର ଘଟଣା । ଘଟଣାଟିର ପୃଷ୍ଠଭୂମି ଥିଲା ନିମ୍ନୋକ୍ତ ପ୍ରକାରର:

ନିମାପଡ଼ା ଥିଲା ନାନାପ୍ରକାର ସବୁଜିମାରେ ପରିପୂର୍ଣ୍ଣ ଏକ ଉର୍ବର ଓ ଶସ୍ୟଶ୍ୟାମଳା ଅଞ୍ଚଳ । ମାତ୍ର ଏହା ଭାଗ୍ୟର ବିଡ଼ମ୍ବନା ଯେ ସେଠାକାର ଅଧିବାସୀମାନେ ବହୁ ପରିମାଣରେ ଶୋଷିତ ହୋଇ ଦୁଃଖଦୁର୍ଦ୍ଦଶାରେ ଜୀବନଯାପନ କରୁଥିଲେ । ସେମାନଙ୍କୁ ଶୋଷଣ କରୁଥିଲେ ସେଠାକାର ଜମିଦାରଙ୍କର ଗୁମାସ୍ତା, ବରକନ୍ଦାକ ଓ ଅନ୍ୟାନ୍ୟ ଅଧସ୍ତନ କର୍ମଚାରୀ । ଜମିଦାରଙ୍କୁ ସନ୍ତୁଷ୍ଟ କରି ତାଙ୍କର ଧନଧାନ୍ୟ ବୃଦ୍ଧି କରିବା ନିମନ୍ତେ ଗୁମାସ୍ତାମାନେ ବେଠି, ଭେଟି ଓ ନାନାବିଧ କର ରୟତମାନଙ୍କ ଠାରୁ ଆଦାୟ କରୁଥିଲେ । ତେଣୁ ରୟତମାନେ ଅତିଷ୍ଠ ହୋଇ ପଡ଼ିଥିଲେ । ଏଥିରୁ କିପରି ମୁକ୍ତି ମିଳିବ ସେହି କଥା ସେମାନେ ଚିନ୍ତା କରୁଥାଆନ୍ତି ।

ସବୁଦିନ ସମାନ ଯାଏ ନାହିଁ । ପ୍ରତ୍ୟେକ କୃଷ୍ଣ ରାତିର ମଧ୍ୟ ପ୍ରଭାତ ଅଛି । ରୟତମାନଙ୍କର ଦୁର୍ଦ୍ଦିନରେ ସେହି ଅଞ୍ଚଳରେ ୧୯୩୪ ମସିହାରେ ମହାମାଗାନ୍ଧୀଙ୍କର ପଦଯାତ୍ରା ସେମାନଙ୍କ ହୃଦୟରେ ମୁକ୍ତି ମଶାଲର କ୍ଷୀଣରେଖା ସୃଷ୍ଟି କରିଥିଲା । ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ଵ ଓ ବାର୍ତ୍ତା ବହୁସଂଖ୍ୟକ କର୍ମୀ ଓ ଜନତାଙ୍କୁ ଅନୁପ୍ରାଣିତ କରିଥିଲା ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ ନିଜକୁ ଶୋଷଣମୁକ୍ତ କରିବା ପାଇଁ । ଉକ୍ତ ଅଞ୍ଚଳରେ ମଧ୍ୟ କେତେଜଣ ନେତା ଓ ଛାତ୍ର ଗାଁ ଗାଁ ବୁଲି ଲୋକମାନଙ୍କୁ ସଂଗଠିତ କରାଇଥିଲେ । ବହୁ ଯୁବକ ମଧ୍ୟ ବିଦ୍ୟାଳୟ, ମହାବିଦ୍ୟାଳୟ ଛାଡ଼ି ଆନ୍ଦୋଳନକୁ ବେଗଗାମୀ କରାଇଥିଲେ ।

ଭାରତଛାଡ଼ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ହୋଇଥିଲେ ମଣିଜଙ୍ଗ ଗ୍ରାମର ବୋହୂ ସୁଲକ୍ଷଣୀମାଳି ଜେମା ଓ ତାଙ୍କ ପୁଅ ପଦ୍ମଚରଣ ସାମନ୍ତସିଂହାର । ସଭାସମିତି କରିବାପାଇଁ ନିମାପଡ଼ା ଅଞ୍ଚଳରେ ନିମାପଡ଼ା ହାଟ ନିକଟସ୍ଥ ବାରବାଟୀ ପଡ଼ିଆ ଥିଲା ଏକ ପ୍ରକୃଷ୍ଟ ସ୍ଥାନ । ସଭାସମିତି କରିବାପାଇଁ ସେହିପରି ଅନ୍ୟ ଏକ ବିସ୍ତୀର୍ଣ୍ଣ ପଡ଼ିଆ ଥିଲା କେଉଟତୋଟା ମେଳଣ ପଡ଼ିଆ । ହଂସପଡ଼ା, କିହବାଡ଼ି, ମଣିଜଙ୍ଗଚଅଁରପଦା ନାମକ ୪ଟି ଜନବହୁଳ ଗ୍ରାମର ମଧ୍ୟଭାଗରେ ଏହା ଅବସ୍ଥିତ। ଆହ୍ବାନ ଦେବାମାତ୍ରେ ବହୁସଂଖ୍ୟକ ଲୋକ ଏହି ପଡ଼ିଆରେ ସମବେତ ହୋଇ ଯାଉଥିଲେ । ହଂସପଡ଼ାଠାରେ ପ୍ରତିଷ୍ଠିତ କଂଗ୍ରେସ ଆଶ୍ରମ ଥିଲା ଏହିସବୁ କାର୍ଯ୍ୟକ୍ରମର ମୁଖ୍ୟ କେନ୍ଦ୍ର ।

ଏହା ଥିଲା ୧୯୪୨ ସେପ୍ଟେମ୍ବର ୨ ତାରିଖର ଘଟଣା । ସେଦିନ କେଉଟକୋଟା ପଡ଼ିଆ ମୁଖରିତ ହୋଇଥିଲା ସେ ଅଞ୍ଚଳର କଂଗ୍ରେସ କର୍ମୀଙ୍କ ଉପସ୍ଥିତି ପାଇଁ । ସେଦିନ ନିଷ୍ପତ୍ତି  ନିଆଯାଇଥିଲା ସେପ୍ଟେମ୍ବର ୧୨ ତାରିଖ ଦିନ ନିମାପଡ଼ା ଥାନା ଦଖଲ କରାଯିବ ଓ ସେଥିପାଇଁ ଆନା ନିକଟବର୍ତ୍ତୀ ବାରବାଟୀ ପଡ଼ିଆରେ ସେହିଦିନ ସମସ୍ତେ ଉପସ୍ଥିତ ରହିବେ । ସେହିଠାରୁ ସତ୍ୟାଗ୍ରହୀମାନେ ଶୋଭାଯାତ୍ରାରେ ଯାଇ ଥାନା  ଦଖଲ କରିବେ ।

ସେହି ନିଷ୍ପତ୍ତି ଅନୁଯାୟୀ ସେହିଦିନ ବାରବାଟୀ ପଡ଼ିଆରେ ସତ୍ୟାଗ୍ରହୀମାନେ ରୁଣ୍ଡ ହେବାକୁ ଲାଗିଲେ ସେଦିନ ଥିଲା ବୁଧବାର ହାଟପାଳି । ପ୍ରାୟ ପାଞ୍ଚଶହରୁ ଅଧିକ ସତ୍ୟାଗ୍ରହୀ ଏକତ୍ରିତ ହୋଇ ସଂଧ୍ୟା ୫ଟା ସମୟରେ ନିମାପଡ଼ା ଥାନା ଅଭିମୁଖେ ଯାତ୍ରା କରିଲେ । ଶୋଭାଯାତ୍ରାକାରୀମାନେ ‘ମହାତ୍ମାଗାନ୍ଧୀ କି ଜୟ’, ‘ସ୍ଵାଧୀନ ଭାରତ କି ଜୟ’ ଆଦି ଧ୍ବନି ଦେଇ ବୀରବିକ୍ରମ ସହ ଆଗକୁ ମାଡ଼ି ଚାଲିଥିଲେ ।
                             
ଥାନା ଆଗରେ ପହଞ୍ଚି ସତ୍ୟାଗ୍ରହୀମାନେ ପ୍ରଥମେ ପୋଲିସ ଫଉଜଙ୍କୁ ଅନୁରୋଧ କରି କହିଥିଲେ ଯେ ପରାଧୀନତାରୁ ମୁକ୍ତ ହେବା ପାଇଁ ସେମାନେ ନିଜ ନିଜର ପୋଷାକ ବାହାରକରି ସେମାନଙ୍କ ସହିତ ଯୋଗଦିଅନ୍ତୁ ।

ସତ୍ୟାଗ୍ରହୀଙ୍କ ସମ୍ମୁଖରେ ଥିଲେ ଉଛବ ମଳିକ (ଉତ୍ସବ ମଳିକ), ହାତରେ ଥିଲା କଂଗ୍ରେସ ପତାକା । ଉତେଜିତ ହୋଇ ସେ ପୋଲିସ ଘର ଭାଙ୍ଗିବାପୂର୍ବକ ଥାନା ଉପରେ ଚଢ଼ିବାକୁ ଉଦ୍ୟମ କରିଥିଲେ । ଏହା ଦେଖି ପୋଲିସ ଇନ୍ସପେକ୍ଟର ତାଙ୍କ ଉପରକୁ ଗୁଳିଚାଳନା କରିଥିଲେ । ତାଙ୍କ ଛାତିରେ ଗୁଳି ବାଜିବାରୁ ସେହିଠାରେ ସେ ଟଳି ପଡ଼ିଥିଲେ । ତାଙ୍କ ନିକଟରେ ଉପସ୍ଥିତ ତାଙ୍କ ପୁଅ ଗଜେନ୍ଦ୍ର ମଳିକ ତାଙ୍କୁ ଉଠାଇବା ବେଳକୁ ସେ ରକ୍ତରେ ଜୁଡୁବୁଡୁ ହୋଇଯାଇଥିଲେ ।

ନିମାପଡ଼ା ଗୁଳିକାଣ୍ଡର ଅମର ସହିଦ ଉତ୍ସବ ମଳିକ ଜନ୍ମଗ୍ରହଣ କରିଥିଲେ ୧୮୯୦ ମସିହାରେ ଡିହବାଡ଼ି ଗ୍ରାମରେ । ତାଙ୍କ ପିତାଙ୍କ ନାମ କପିଳ ମଳିକ ଓ ମାତାଙ୍କ ନାମ ମାଣିକଦେଈ । ସେ ଥିଲେ ଜଣେ ନିଃସ୍ବ ହରିଜନ । ଜାତିରେ କେଉଟ । ମାଛମାରି ପେଟ ପୋଷିବା ଥିଲା ତାଙ୍କର ଜୀବିକା । ଦରିଦ୍ର ହୋଇଥିବାରୁ ବହୁ ସମୟରେ ସେ ଜମିଦାରଙ୍କର ପିଆଦାଦ୍ୱାରା ଉତ୍ପୀଡ଼ିତ ହେଉଥିଲେ । ତାଙ୍କର ଗୋଟିଏ ମାତ୍ର ପୁଅ । ତା’ର ନାମ ଗଜେନ୍ଦ୍ର ମଳିକ

ସେପ୍ଟେମ୍ବର ୧୬ ତାରିଖ ଦିନ ସେ ବାପାଙ୍କ ସହ ଯାଇଥିଲା ନିମାପଡ଼ା ଥାନା ଦଖଲ କରିବାପାଇଁ । ତାଙ୍କରି ଆଗରେ ନିଜ ବାପାଙ୍କ ଦେହରେ ଗୁଳି ବାଜିବାରୁ ସେ ଟଳି  ପଡ଼ିଥିଲେ । ଗଜେନ୍ଦ୍ର ତାଙ୍କୁ ଉଠାଉଥୁବାର ଦେଖି ନିର୍ମମ, ନିଷ୍ଣୁର ଓ ହୃଦୟବିହୀନ ପୋଲିସ ପୌଜ ତାଙ୍କୁ ନେଇ ହାଜତରେ ରଖିଥିଲେ ଓ ନିର୍ମମ ଅତ୍ୟାଚାର ମଧ୍ୟ କରିଥିଲେ ।

ଜଣେ ଖଟିଖିଆ କୃଷକ ହେଲେ ମଧ୍ୟ ଉଛବ ମଳିକ ଥିଲେ ସ୍ଵାଧୀନଚେତା । ଅସହଯୋଗ ଆନ୍ଦୋଳନ ସହ ଦେଶକୁ ସ୍ବାଧୀନ କରିବାର ଯେଉଁ ଆକାଙକ୍ଷା, ଆଶା ତାଙ୍କ ମନରେ ଉଜ୍ଜିବୀତ ହୋଇଥିଲା, ତାହା ସେ ସମୟର ବିଶିଷ୍ଟ ନେତୃବୃନ୍ଦଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ସ୍ଵାଧୀନତା ସଂଗ୍ରାମୀ ଭାବେ ସେ କେଉଁଠି ସ୍ଵୀକୃତି ପାଆନ୍ତୁ ବା ନ ପାଆନ୍ତୁ, କିନ୍ତୁ ସମସ୍ତଙ୍କ ପାଇଁ ସଂଗ୍ରାମୀ ଭାବେ ପରିଚିତ ହୋଇଛନ୍ତି ଉତ୍ସବ ମଳିକ ।

ତଥ୍ୟ ଓ ଆଧାର: ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଅମର ସହିଦ୍, ଡଃ ଜଗନ୍ନାଥ ପଟ୍ଟନାୟକ

admin

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

1 week ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

1 week ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

1 week ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago