ଲେଖା: ଦେଵ ତ୍ରିପାଠୀ
ପୌଷର ଆକାଶ ଥାଏ ମେଘଶୂନ୍ୟ । ହସଖୁସିରେ ପୁଲକିତ ଚଷାଭାଇର ଧାନ ଅମଳ ଚାଲିଥାଏ । ମେରୀପୂଜା ସମ୍ପାଦିତ ହୁଏ । ଏହି ମହାର୍ଘ ବେଳାରେ ଆସେ ଧନୁସଙ୍କ୍ରାନ୍ତି, ଆଉ ଏହି ପର୍ବର ପୂର୍ବରୁ ଦକ୍ଷିଣ ଓଡ଼ିଶାରେ ମେଲିଯାଏ ଧନୁମୁଆଁର ପସରା । ଅନ୍ୟ ସବୁ ମିଷ୍ଟାନ୍ନ ବିକ୍ରି ଫିକା ପଡିଯାଏ ଧନୁମୁଆଁର ବଜାରରେ ।
ପ୍ରକୃତରେ ଦେଖିବାକୁ ଗଲେ ସଂସ୍କୃତି ସମ୍ପନ୍ନ ସଦା-ଭାଇବ୍ରାଣ୍ଟ ବ୍ରହ୍ମପୁର ମହାନଗର ହିଁ ସର୍ବାଧିକ ଧନୁମୁଆଁ ପ୍ରସ୍ତୁତି ଓ ବିକ୍ରୟର କେନ୍ଦ୍ର । ପୌଷରୁ ଆରମ୍ଭ ହୋଇ ମାଘ ଫଗୁଣ ଏବଂ ଆବଶ୍ୟକ ସ୍ଥଳେ ବୈଶାଖର ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଏଇ ମୁଆଁ ବିକ୍ରି ଚାଲେ । ଦକ୍ଷିଣ ଓଡ଼ିଶାରେ ମୁଆଁ ବାହାଘର ବେଭାରରେ ଲାଗିବା ଏକ ପ୍ରଥା । ନବବିବାହିତା କନ୍ୟାକୁ ମୁଆଁ ସହ ଶାଶୁଘରକୁ ପଠାଯାଏ । ଠାକୁରାଣୀଙ୍କୁ ଲାଗିହେଉଥିବାରୁ ଏହାର ମହକ ଅନନ୍ୟ ।
ତେବେ ଏହି ମହକିତ ଧନୁମୁଆଁର ଜନ୍ମକୁ ନେଇ ରହିଛି ଏକ ରୋଚକ କିମ୍ବଦନ୍ତୀ ।
ଆମ ରାଇଜରେ ଥିଲେ ଜଣେ ମିଠାପ୍ରେମୀ ରାଜା । ପ୍ରତିଦିନ ମଣୋହିରେ ତାଙ୍କର ଲୋଡା ହୁଏ ହରେକ କିସମର ସ୍ବାଦିଷ୍ଟ ମିଷ୍ଟାନ୍ନ, ଆରିସା, କାକରା, ଛେନାଗଜା, ରାବିଡି, ରସଗୋଲା ଏମିତି କେତେ କ’ଣ । କିନ୍ତୁ ରାଜାଙ୍କୁ ସନ୍ତୋଷ ଦେବାର କ୍ଷମତା ବୋଧହୁଏ କୋଉ ମିଠାର ନ ଥିଲା । ରାଜାଙ୍କର ଦରକାର ଥିଲା ଏପରି ମିଠା ଯାହା ପାଟିରେ ପକାଇଲେ ଦୀର୍ଘସ୍ଥାୟୀ ସ୍ବାଦ ଦେବ, ଏସବୁ ମିଠା ତ ପାଟିରେ ପକାଉ ପକାଉ ମିଳାଇ ଯାଉଛି । ରାଜାଙ୍କର କଡା ହୁକୁମ ଏମିତି ମିଠା ତିଆରି କର ଯାହାକୁ ଯେତେ ଖାଇଲେ ସରୁ ନଥିବ, ମଧୁମୟ ଥିବ ତାର ମହଣ, ଅପୂର୍ବ ହୋଇଥିବ ତାର ସ୍ବାଦ। ଯଥାଶୀଘ୍ର ଯୋଗାଇ ନ ପାରିଲେ ରାଜ୍ୟର ସମଗ୍ର ଗୁଡିଆ ଜାତିର ହେବ ମୁଣ୍ଡକାଟ ।
ଚିନ୍ତିତ ଥିଲେ ରାଜ୍ୟର ସମଗ୍ର ଗୁଡିଆ ଜାତି, ଜଣେ କିନ୍ତୁ ଥିଲେ ସ୍ଥିତପ୍ରଜ୍ଞ । ତାଙ୍କ ଆଶ୍ଵାସନାରେ ସମସ୍ତେ ପାଇଲେ ନୂଆଜୀବନ, ଆଉ ଏହିଠାରୁ ହିଁ ଆରମ୍ଭ ହୋଇଗଲା ମିଠାପ୍ରିୟ ଓଡ଼ିଆଙ୍କ ଜୀବନରେ ଆଉ ଏକ ମିଠାମୟ ପରମ୍ପରାର ଶୁଭାରମ୍ଭ — ଧନୁମୁଆଁ ।
ଅତ୍ୟନ୍ତ ସହଜ ଉପାୟରେ ପ୍ରସ୍ତୁତ ହୁଏ ଏଇ ଧନୁମୁଆଁ । ବଡ ବଡ ଚୁଲିରେ ବଡ କଡେଇକୁ ୧୦୦ ଡିଗ୍ରୀ ଉତ୍ତପ୍ତ ଅବସ୍ଥାରେ ଘିଅ ଓ ଚିନି ପକାଇ ତରଳାଯାଏ । ତଳଳା ଚିନିରେ ଭଜା ଲିଆ ପକାଇ ଘାଣ୍ଟିବାକୁ ହୁଏ । ନରମ ଅବସ୍ଥାରେ ଲିଆକୁ କଡାଇରୁ ବାହାର କରି ଆବଶ୍ୟକୀୟ ଆକାରର ଛାଞ୍ଚରେ ପକାଯାଇଥାଏ । ମୁଆଁ କଠିନ ହେବା ପୂର୍ବରୁ ଛାଞ୍ଚ ଉପରେ ପୂର୍ବରୁ ଘିଅରେ ଭଜା ହୋଇଥିବା ନଡିଆଖଣ୍ଡ ପକାଇ ଦିଆଯାଇଥାଏ (ଏବେ ଅବଶ୍ୟ ଛଣା ଯାଇଥିବା କାଜୁ, କିସମିସ, ଚେରି ଇତ୍ୟାଦି ଦିଆଯାଉଛି) । ମୁଆଁ କଠିନ ହେବା ପରେ ଛାଞ୍ଚରୁ ବାହାର କରି ସୁରକ୍ଷିତ ଭାବେ ପ୍ୟାକ କରାଯାଇଥାଏ । ଉପଯୁକ୍ତ ମାନର ମୁଆଁ ଛ’ମାସ ଯାଏଁ କଠିନ ଅବସ୍ଥାରେ ଖାଇବାଯୋଗ୍ୟ ରହିପାରେ । ଏଇ ଧନୁମୁଆଁ ବ୍ରହ୍ମପୁରର ଅଧିଷ୍ଠାତ୍ରୀ କରୁଣାମୟୀ ଶକ୍ତିସ୍ବରୁପିଣୀ ମା’ ତାରାତାରିଣୀଙ୍କର ଅତିପ୍ରିୟ ଭୋଗ ।
ବ୍ରହ୍ମପୁରର ପ୍ରାୟ ଦେଢଶହରୁ ଅଧିକ ପରିବାର ଏକ ଶତାବ୍ଦୀରୁ ଅଧିକ କାଳ ଧରି ଏଇ ସ୍ବାଦିଷ୍ଟ ପରମ୍ପରାକୁ ବଜାୟ ରଖିଆସିଛନ୍ତି । ବ୍ରହ୍ମପୁରର ଏଇ ମୁଆଁର ପ୍ରସାର ପଡୋଶୀ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଆଦି ରାଜ୍ୟରେ “ବ୍ରହ୍ମପୁର ମୁଆଁ” ନାମରେ ପରିବ୍ୟାପ୍ତ ଓ ପ୍ରସିଦ୍ଧ ହୋଇ ଓଡିଆ ଭୋଜନ ପରମ୍ପରାର ବାନା ଉଡାଇ ଚାଲିଛି । ଓଡିଶା ଭିତରେ ମଧ୍ୟ ଛେନାର ଆକାଶଛୁଆଁ ମୂଲ୍ୟବୃଦ୍ଧି କାରଣରୁ ଏଇ ପାରମ୍ପରିକ ମିଠା ମଧ୍ୟବିତ୍ତ ଶ୍ରେଣୀ ମଧ୍ୟରେ ହୋଇପାରିଛି ଅତ୍ୟନ୍ତ ଲୋକପ୍ରିୟ ।
ତେବେ ଆଧୁନିକତାର ନାମରେ, ଭାଲ୍ୟୁ ଆଡିସନର ନାମରେ, ପ୍ରତିଯୋଗିତାର ଦ୍ଵାହି ଦେଇ ଏବେ ଏବେ ସୃଷ୍ଟି ହୋଇଛନ୍ତି କିଛି ଧୂର୍ତ୍ତ ବ୍ୟବସାୟୀ । ସେଥିପାଇଁ ଧନୁମୁଆଁର ମହକ ଆଜି ଅନେକାଂଶରେ ମ୍ଳାନ । ଅବଶ୍ୟ ପ୍ରକୃତ ଗରାଖଟିଏ ପହଞ୍ଚିଯାଏ ଗେଟବଜାର କିମ୍ବା ଶାନ୍ତିନଗରର ଦାମୋଦର ଦଳେଇ, ପ୍ରତାପ ଗୁଡିଆ, ଭାସ୍କର ପାତ୍ର, ଅରକ୍ଷିତ ସାହୁ, ସହଦେବ ସାହୁ ଇତ୍ୟାଦି ନିଷ୍ଠାପର ବ୍ୟବସାୟୀଙ୍କ ପାଖରେ । ତଥାପି ‘ନକଲି’ର ପ୍ରହାରରୁ ମୁକୁଳିବା ଏତେ ସହଜ ହୁଏନା ଏଇ ଦୃଢଚିତ୍ତ ବ୍ୟବସାୟୀମାନଙ୍କର, ଧନୁମୁଆଁ ପରି ହୃଦୟକୁ ଟାଣ କରି ବଞ୍ଚିଛନ୍ତି ଯାହା ।
ସୂଚନା ଯୋଗ୍ୟ ଯେ, ଗଞ୍ଜାମ ବ୍ୟତୀତ କଟକ ନଗରୀରେ ମଧ୍ୟ ଏଇ ଧନୁମୁଆଁ ବ୍ୟାପକ ଭାବେ ପ୍ରସ୍ତୁତ ଓ ବିକ୍ରୟ ହୁଏ ।
Image Courtesy: Sarada Das
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…