ଲେଖା: ଦେଵ ତ୍ରିପାଠୀ

ଚଷାପୁଅର ଚାଷବାସ ସହ ଯୋଡି ହୋଇ ରହିଛି ଶଗଡ଼ । ଓଡ଼ିଆଙ୍କ ଗ୍ରାମ୍ୟ ଜୀବନରେ ପରିବହନକୁ ସୁଗମ କରାଇଥାଏ ଶଗଡ଼ । ଶଗଡଗାଡିର କଥା କହିଲେ ମନକୁ ଆସିଯାଏ ‘ମାଗୁଣିର ଶଗଡ’ ଗଳ୍ପର ମାର୍ମିକ ସ୍ବାଦ କିମ୍ବା ‘ରୂପା ଶଗଡ଼ିରେ ସୁନା କନିଆଁ’ର ଭାବ । ପିଲାବେଳେ ଆମ ଭିତରୁ ଅନେକ ରଚନା ଲେଖିଥିବେ ‘ଶଗଡର ଆତ୍ମକାହାଣୀ’ । ଆଜିର 5G ଇଣ୍ଟରନେଟ ଯୁଗରେ ଯେଉଁଠି ସଭିଏଁ ‘ସ୍ପିଡ’ ପାଇଁ ପାଗଳ, ସେକ୍ଷଣରେ ଶଗଡ ଅପାଙ୍କ୍ତେୟ ଓ ଲୁପ୍ତ, ଲୁପ୍ତ ମଧ୍ୟ ଶଗଡ଼ଚକ ଗଢଣର ଗୁମର ଆଉ କାରିଗରୀ । ତଥାପି ଅନ୍ତରଙ୍ଗ କଳିଙ୍ଗର ଏ ପ୍ରଚେଷ୍ଟା ସେଇ ଶଗଡଚକର ଗାଥା ଗାଇବା ପାଇଁ ।

ଦିନ ଥିଲା, ଚୁଡ଼ା ଗ୍ରାମର ପଚାଶରୁ ଅଧିକ ପରିବାର ଦୁଇଶହ ବର୍ଷରୁ ଅଧିକ କାଳ ଧରି ବଂଶାନୁକ୍ରମେ ଶଗଡ଼ଚକ ଗଢିଆସୁଥିଲେ । ଖୁରଧାରୁ ନୟାଗଡ଼ ଯିବା ରାସ୍ତାରେ ବୋଲଗଡ଼ ଓ ସୁନାଖଳା ମଝିରେ ଥିବା ଏଇ ଗାଁର ଖଣ୍ଡାୟତ, ତନ୍ତୀ ଓ ମୁସଲମାନ ପରିବାର ଏଇ ଶଗଡ଼ଚକ ଗଢିବାର ନିଆରା ପରମ୍ପରାକୁ ବଜାୟ ରଖିଆସିଥିଲେ । ଏକଦା ଏଇ ଗାଁର ଶଗଡ଼ଚକ ଶିଳ୍ପୀକୂଳ କଟକ, ଗଞ୍ଜାମ, ପିପିଲି, ପୁରୀ, ନିମାପଡା, ଖୋର୍ଦ୍ଧା, ବ୍ରହ୍ମଗିରି ଇତ୍ୟାଦି କେତେ ସ୍ଥାନର ଶଗଡଚକର ଚାହିଦା ପୂରଣ କରିପାରୁଥିଲେ ।

ଉତ୍ତମ ଶଗଡ଼ଚକ ଗଢଣ ପାଇଁ ପ୍ରାଧାନ୍ୟ ଦିଆଯାଉଥିବା ଶାଳୁଆ ଓ ବାନ୍ଧତା କାଠକୁ ଭଲ ଭାବରେ ଖରାରେ ଶୁଖାଇ କାଠଗଡକୁ କାଟି ଦିଆଯାଏ ଏବଂ କଟାକାଠକୁ ରନ୍ଦା ମାରି ଚିକ୍କଣ କରାଯାଇଥାଏ । ଶଗଡ଼ଚକର ମଝିରେ ଥିବା ଗୋଲାକାର ଅଂଶ ‘ତୁମ୍ବା’, ତୁମ୍ବାକୁ ସଂଯୋଗ କରୁଥିବା ୧୨ଗୋଟି କାଠ ‘ଅର’ ଏବଂ ଛ’ଟି ପହି ଇତ୍ୟାଦି ପ୍ରସ୍ତୁତ କରାଯାଏ । ଏସମସ୍ତ ଅଂଶକୁ ନାଲ ଦ୍ଵାରା ମଜଭୁତ କରାଯାଏ । ପ୍ରାୟତଃ ନଭେମ୍ବର ମାସରେ ଗଢାଯାଉଥିବା ଏଇ ଶଗଡ଼ଚକ ତିଆରି କରିବା ପରେ ଏହାକୁ ଶଗଡର ଶରୀରରେ ଯୋଡିବା ପାଇଁ ନିର୍ଦ୍ଦିଷ୍ଟ ଗରାଖଙ୍କ ପାଖକୁ ପଠଇଦିଆଯାଏ ।

ତେବେ ଉତ୍ତମମାନର କାଠର ଅଭାବ, ନୂତନ ପିଢୀର ଏଇ କୌଳିକ ବୃତ୍ତି ପ୍ରତି ଆଦର ଓ ସମ୍ମାନର ଅଭାବ ସର୍ବୋପରି ଯନ୍ତ୍ରଯୁଗରେ ସମ୍ପୂର୍ଣ୍ଣ ରୂପେ ଚାହିଦା ହରାଇଦେବା କାରଣରୁ ଏହି କୁଟୀରଶିଳ୍ପ ଆଜି ମୃତ । ଶିଳ୍ପୀ କୂଳରେ ଶଗଡ଼ଚକ ଗଢଣର ପ୍ରେରଣା ଆଜି ଲୁପ୍ତ । ଆଜି ନା ମାଗୁଣି ତା’ ଶଗଡ ନେଇ ବେପାର କରିବାକୁ ଯାଉଛି ନା ଶଗଡ଼ଗାଡ଼ିରେ ବୋହୂଟିଏ ଶାଶୁଘରକୁ ଯାଉଛି । ଶଗଡ଼ଗାଡ଼ି ସହିତ ଶଗଡ଼ଚକର ଏଇ ଶିଳ୍ପ ଆଜି ପୋକଖିଆ କାଠ ପରି ଅଲୋଡା ହୋଇଯାଇଛି ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

7 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago