ଲେଖା: ଦେଵ ତ୍ରିପାଠୀ

ଯେଉଁ ପବିତ୍ର ମାଟିରେ ଜନମି ଲୀଳାଖେଳା କରିବା ପାଇଁ ଭଗବାନ ମଧ୍ୟ ସୈାଭାଗ୍ୟ ମଣନ୍ତି ସେଇ ପବିତ୍ର ମାଟିକୁ ପୂଜା ଆରାଧନା କରି ଓଡ଼ିଆ ଚଷାପୁଅ ପ୍ରସ୍ତୁତ ହୁଏ ଚାଷକାମ ପାଇଁ । ସେଇ ସ୍ବର୍ଗାଦପି ଗରୀୟସୀ ମାଟି ମା’ ଆମକୁ ଯୋଗାଇଥାଏ ଖାଦ୍ୟ, ବାସ ଓ ବସ୍ତ୍ର । ଜନନୀସ୍ବରୂପା ମା’ର ପୂଜାର୍ଚ୍ଚନାକୁ ପରମ କର୍ତ୍ତବ୍ୟ ବୋଲି ଭାବେ ଓଡ଼ିଆପୁଅ । ସେଇ ମହାଚିନ୍ତନର ଅଂଶ ଅକ୍ଷୟ ତୃତୀୟା ।

ଆମର ଏ କୃଷିପ୍ରଧାନ ରାଜ୍ୟର ଏକ ବିଶିଷ୍ଟ ପର୍ବ ଏଇ ଅକ୍ଷୟ ତୃତୀୟା । ବୈଶାଖର ଶୁକ୍ଳପକ୍ଷ ତୃତୀୟା ତିଥିରେ ପାଳନ ହୋଇ ଆସୁଛି ଏଇ ମହାନ ପର୍ବ, କାଇଁ କେତେ ଦିନରୁ । ଏଇ ପବିତ୍ର ଦିନରେ ଚଷାପୁଅ ମହାନନ୍ଦରେ ଏକ ନୂତନ ଟୋକେଇରେ ପିଠାପଣା ସହ ବିହନ ଧାନକୁ ଧରି ଲଙ୍ଗଳ ସହ କ୍ଷେତକୁ ଯାଏ । କିଆରିରେ ଭକ୍ତିଭରେ ପୂଜା କରେ ମା’ ଅନ୍ନପୂର୍ଣ୍ଣାଙ୍କୁ, ଆଉ ବିହନବୁଣା ଆରମ୍ଭ କରେ । ସେଇ ବିହନରୁ ସୁନାର ଫସଲର ଆଶାରଖି ଆଶୀର୍ବାଦ ଲୋଡ଼େ ମା’ ଲକ୍ଷ୍ମୀଙ୍କର । ତା’ର ସୁନାର ଫସଲ ଯେ ଅକ୍ଷୟ ରହୁ, ଏତିକି ହିଁ ତା’ ଅନ୍ତରର ଆକୁଳ ନିବେଦନ ।


ଏଇ ପବିତ୍ର ଦିନରେ ଅକ୍ଷିମୁଠି ବୁଣି ଭୂମିକର୍ଷଣର ଶୁଭାରମ୍ଭ କରେ ଚଷାପୁଅ । ବୈଶାଖ ମାସରେ ଜମି ହଳ କରିବା କାରଣରୁ ମାଟି ହାଲୁକା ହୁଏ ଓ ଭଲ ଫସଲ ଦିଏ । ବର୍ଷା ଆରମ୍ଭ ପୂର୍ବରୁ ଖରୁଡି ବୁଣାରେ ଜମି ଶେଷ ନ ହେଲେ ବତୁରୀ ବୁଣାଯାଏ । କିନ୍ତୁ ବତୁରୀ ବୁଣାରେ ବଳଦକୁ କଷ୍ଟ ହୁଏ, ଧାନବିହନ ପୋତି ହୋଇଯାଏ, ପରେ ମାଟି ଟାଣ ହୋଇଯିବାରୁ ଗଜାଧରି ଉପରକୁ ବାହାରି ଆସିବାରେ ଅସୁବିଧା ଦେଖାଦିଏ । ସେଥିପାଇଁ ପରା କଥାରେ ଅଛି:

“ଜ୍ୟେଷ୍ଠାଳି ବୁଣା ବୁଣନ୍ତି ଖରୁଡି,
ସେଥିରୁ ବଳିଲେ ଚଷାଯାଏ ହୁଡ଼ି ।”

ଆଉରି ମଧ୍ୟ କଥା ଅଛି:
“ଜ୍ୟେଷ୍ଠ ଶେଷେ ବର୍ଷିଲେ ବାରି,
ସେ ବର୍ଷ ଧରା ଶସ୍ୟରେ ପୂରି ।”

ଏହିସବୁ କାରଣରୁ ବୈଶାଖ ଶୁକ୍ଳ ତୃତୀୟାରେ ପ୍ରଥମ ବୀଜବପନ କରି ଜ୍ୟେଷ୍ଠ ମାସ ଅମାବାସ୍ୟା ମଧ୍ୟରେ ବୁଣାକାମ ଶେଷ କରିଦେବା ପାଇଁ ଆର୍ଯ୍ୟମାନେ ଯେଉଁ ବିଧିବ୍ୟବସ୍ଥା କରିଯାଇଛନ୍ତି, ତାହା ଏବେ ମଧ୍ୟ ଉପଯୁକ୍ତ ଓ ଉପାଦେୟ ହୋଇ ରହିଛି ଆମ ଚାଷ ଓ ଚଷାକୂଳ ପାଇଁ ।

ଏଇ ପବିତ୍ର ଦିନଟିର ମାହାତ୍ମ୍ୟ ପ୍ରଣିଧାନଯୋଗ୍ୟ । ଏଇଦିନ ଜଗତର ନାଥ ଜଗନ୍ନାଥଙ୍କର ରଥଗଢା କାର୍ଯ୍ୟର ଶୁଭାରମ୍ଭ ହୁଏ । ମନ୍ଦିର ନିର୍ମାଣ, ଗୃହନିର୍ମାଣ, କୂପଖନନ ପାଇଁ ଶୁଭ ଦିଆଯାଏ, ଗୃହ ପ୍ରବେଶ ମଧ୍ୟ କରାଯାଏ । ବିବାହ ନିର୍ବନ୍ଧ, ବ୍ୟବସାୟ ଆରମ୍ଭ, ଦୂରଦେଶଯାତ୍ରା, ବିଦ୍ୟାରମ୍ଭ ଇତ୍ୟାଦି ଅନେକ କାର୍ଯ୍ୟ ଏଇ ଦିନରେ କରାଯାଏ । ଏ ତିଥିରେ ଧରାବତରଣ କରିଥିଲେ ଭଗବାନ ମହାବୀର ପର୍ଶୁରାମ । ଏଇ ଅକ୍ଷୟ ତୃତୀୟା ତିଥିରେ ଜନ୍ମିଥିଲେ ସୁଧାଭକ୍ତିର ଅନନ୍ୟ ଉଦ୍ଗାତା ତଥା ଗୀତଗୋବିନ୍ଦର କବି ଜୟଦେବ ।

ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଏଇ ପର୍ବଟିର ଭୂମିକା ସ୍ବୀକାର୍ଯ୍ୟ । ବୈଶାଖ ମାସର ପ୍ରଚଣ୍ଡ ଖରାରେ ବୃକ୍ଷଲତା ପ୍ରାଣୀଜଗତ ଡହଳବିକଳ ହେଉଥିବା ବେଳେ ଅକ୍ଷୟ ତୃତୀୟା ଜଳଦାନ ପରି ମହତକର୍ମ କରି ଧର୍ମ ଅର୍ଜିବାକୁ ପ୍ରେରଣା ଦିଏ ।

ସମୟ ବଦଳିଛି । ଏବେ କିନ୍ତୁ ବିବର୍ତ୍ତିତ ବସ୍ତୁବାଦୀ ଦୁନିଆରେ ମଣିଷ ମନରୁ ଉଭେଇ ଯାଇଛି ଧର୍ମଭାବ । ଆଜିର ମଣିଷ ପାଇଁ ପୁଣ୍ୟଧର୍ମ ଅପ୍ରାସଙ୍ଗିକ ହୋଇପଡିଥିବା ବେଳେ ଅକ୍ଷୟ ତୃତୀୟା ପରି ମହାନ ପର୍ବ ତା’ର ମହତ୍ତ୍ଵ ହରାଇବସିଛି । ବେଦବେଦାନ୍ତ, ଶାସ୍ତ୍ରପୁରାଣରେ ବର୍ଣ୍ଣିତ ତଥା ପ୍ରଚଳିତ ପର୍ବପର୍ବାଣୀଗୁଡ଼ିକ ଯେ ଆମ ସାମାଜିକ ଜୀବନକୁ ଯେ ସୁନିୟନ୍ତ୍ରିତ କରି ରଖିଥିଲା, ସେକଥା ବର୍ତ୍ତମାନର ସମାଜ ହୃଦୟଙ୍ଗମ କରିପାରୁନି । ଏମିତି ବି ଗତ କେଇ ଦଶନ୍ଧି ଭିତରେ ଓଡ଼ିଆ ଚଷାପୁଅ ଯେ ଭିଟାମାଟି ଛାଡ଼ି ଚେନ୍ନାଇ କି ସୁରତରେ ଜୀବନକୁ ବନ୍ଧାପକାଇ ଚାଲିଛି, ସେବେଳରେ ମାଟି ମା’କୁ ପୂଜା କରିବାର ଏଇ ମହାର୍ଘ ପରମ୍ପରା ତା’ ପାଇଁ ମୂଲ୍ୟହୀନ ହୋଇପଡ଼ିଛି ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago