ଆମ କଥା

ଦେଶୋ ନାସ୍ତି ମହୀତଳେ

ଲେଖା: ତେଜସ୍ୱ ତ୍ରିପାଠୀ
~ ଦେଶୋ ନାସ୍ତି ମହୀତଳେ ~
ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧିର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧିର ପବିତ୍ରଜଳ ସ୍ପର୍ଶରେ ପ୍ରତି ଧୂଳି କଣା ଏହାର ପତିତପାବନୀ l ଏ ସେହି ଭୂମି ଯେଉଁଠାରେ ପାଦ ପକେଇ ଶିବଙ୍କ ବ୍ରହ୍ମହତ୍ୟା ପାପମୋଚନ ହୋଇଛି ଆଉ ଚଣ୍ଡା ଶୋକ ଧର୍ମାଶୋକ ହେଇଯାଇଛି l ମନ୍ଦିରମାଳିନୀରୁ ମରାଳମାଳିନୀ ପର୍ଯ୍ୟନ୍ତ ପ୍ରଳମ୍ବିତ ପ୍ରକୃତିର ସୌନ୍ଦର୍ଯ୍ୟ l ବାରବାଟୀରୁ ବରୁଣେଇ ବୀରତ୍ୱର ବୈତରଣୀ ପ୍ରବହମାନ l ଅନ୍ନକଣିକା ଏଠି ବ୍ରହ୍ମଅନ୍ନ ନିର୍ମାଲ୍ୟ l କାଠ ଖଣ୍ଡିଏ ଏଠି ଦାରୁବ୍ରହ୍ମ l
ଏ ଜାତିର ଅତୀତକୁ ଖୋଜିବାକୁ ଯାଇ ଅସମର୍ଥ ଇତିହାସ l କୋଉଠୁ ଆରମ୍ଭ କରିବ ଏ ଜାତିର ଇତିହାସ ଲେଖା? ଇଦ୍ରଦ୍ୟୁମ୍ନ ଗୁଣ୍ଡିଚାଙ୍କ ଠାରୁ ??? ନା ବିଶ୍ୱାବସୁ ଲଳିତା ଠାରୁ ?? ନିର୍ଣ୍ଣୟ କରିପାରିବ ପରମଂବ୍ରହ୍ମର ଆବିର୍ଭାବର ସମୟ? ଯାହାର କଳନା କରିବାକୁ ଦେବତା ମାନେ ବି ଅସମର୍ଥ l ଗୋଟିଏ କଥା ମନେ ରଖିବାକୁ ହେବ ଓଡ଼ିଆ ଜାତି ଜାତକର ଲଗ୍ନରେ ଜଗନ୍ନାଥ ଭାଗ୍ୟ ବି ଜଗନ୍ନାଥ l
ଏମିତି ଭୂମି କୋଉଠି ଅଛି ଯାହାର ସୁରକ୍ଷା ପାଇଁ ସୈନିକ ନୁହେଁ ସ୍ୱୟଂ ଆଦ୍ୟାଶକ୍ତି ହିଁ ଯୁଦ୍ଧକୁ ଯାଏ l ଏମିତି କୌଣସି ଯୁଦ୍ଧ ନାହିଁ ଯେଉଁ ଯୁଦ୍ଧରେ ପାଇକ ପୁଅ ସହ ମା’ବରୁଣେଇ ଯୁଦ୍ଧକୁ ଯାଇ ନଥିବ l ଅକାତକାତ ପାଣିରେ କାଳିଜାଇ ନାମରେ ଡ଼ଙ୍ଗା ଚାଲେ l ଯେବେ ଏ ଜାତିର ସାହିତ୍ୟ ବିସ୍ମୁତିର ଅତଳ ଗର୍ଭକୁ ଚାଲିଯାଇଥିଲା, ସେତେବେଳେ ସିଦ୍ଧେଶ୍ୱର ପରିଡାକୁ ସ୍ୱପ୍ନରେ କାବ୍ୟପଙ୍କ୍ତି କହି ଓଡ଼ିଆ ସାହିତ୍ୟର ଜୟଯାତ୍ରାର ଶୁଭାରମ୍ଭ କରିଥିଲେ ମା’ ଶାରଳା l ଆଜିବି କାନରେ ପଡୁଛି ସେଦିନର କାହାଣୀ ଦୁର୍ଦ୍ଦର୍ଷ ଯବନ ସେନାପତି କଳାପାହାଡ଼ ସବୁଆଡେ ହାହାକାର ରଚିଥିଲା ମାତ୍ର କୋଣାର୍କ ମୁହାଣରେ ମାଠିଆ ଧରି ବୁଢ଼ୀ ତାକୁ ବୋକା ବନେଇ ଦେଲା l
ଉତ୍କଳର ରାଜୁଡାଶାସନ ଆଉ ରାଜାଙ୍କ ଶୌର୍ଯ୍ୟ, ବୀର୍ଯ୍ୟ, ଔଦାର୍ଯ୍ୟ, ବୀରତ୍ୱ, ଗାରିମାର ଗାଥା ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ l ମହାମେଘ ବାହନ ଐର ଖାରବେଳ, ଲାଙ୍ଗୁଳା ନରସିଂହ ଦେବ, ଚୋଡଗଙ୍ଗ, କପିଳେନ୍ଦ୍ର, ପୁରୁଷୋତ୍ତମ, ଯଜାତିଙ୍କ ପ୍ରଶାସ୍ତିଗାନରେ ଶତମୁଖ ଇତିହାସ ଓ ଐତିହାସିକ l
ଏହାର ସ୍ୱର୍ଣ୍ଣିର୍ମ ଇତିହାସ ଘଟଣାବହୁଳ l ରାଜା ଏଠି ରାଜା ନୁହେଁ ରାଉତ l ଏଠି ସ୍ତ୍ରୀ ପାଇଁ ନୁହେଁ ଭଉଣୀ ପାଇଁ ସ୍ୱତନ୍ତ୍ର ରଥ ତିଆରି ହୁଏ l ଖାଲି ଇତିହାସ ନୁହେଁ ଭୂଗୋଳ ବି ଆମର ମହାନ ଏଇ ଉତ୍କଳର ଭୂଗୋଳ ଆକୁମାରୀହିମାଳୟ ପର୍ଯ୍ୟନ୍ତ ପ୍ରଳମ୍ବିତ ଥିଲା l ଯେତେବେଳେ ସମଗ୍ର ଭାରତ ମୌର୍ଯ୍ୟ ଶାସନର ବଶତା ସ୍ୱୀକାର କରିଥିଲା ସେତେବେଳେ ଉତ୍କଳ ଏକମାତ୍ର ରାଜ୍ୟ ଯିଏ ମୋର୍ଯ୍ୟ ଶାସନର ବଶତା ସ୍ୱୀକାର କରିନଥିଲା l ସ୍ୱାଧୀନ ଉତ୍କଳର ନେତୃତ୍ୱ ନେଉଥିଲେ ମହାମେଘ ବାହନ ଐର ଖାରବେଳ l
ଅନେକ ଆମ ରାଜ୍ୟକୁ ଗରିବ ରାଜ୍ୟ ବୋଲି କୁହନ୍ତି କିନ୍ତୁ ଆମ ରାଜ୍ୟ ଅର୍ଥନୀତି ବେଶ ସମୃଦ୍ଧ ଥିଲା l ଏ ସେହି କଳିଙ୍ଗ ଯେଉଁଠାରୁ ହୀରା ସୁଦୂର ରୋମକୁ ରପ୍ତାନି ହେଉଥିଲା ଯାହାର ସ୍ମୃତିରେ ଆଜି ବି ଓଡ଼ିଶାରେ ଗୋଟିଏ ଜାଗା ହୀରାକୁଦ l ଆଉ ଆଜିର ସମ୍ବଲପୁର ପ୍ରାଚୀନ ନା ହୀରାଖଣ୍ଡ l ଖାଲି ସେତିକି ନୁହେଁ ସମସ୍ତେ ଜାଣନ୍ତି କୋହିନୁର ହୀରା ସବୁଠୁ ମୂଲ୍ୟବାନ କିନ୍ତୁ କୋହିନୁର ଠାରୁ 200 ଗୁଣା ମୂଲ୍ୟବାନ ହୀରା ନା କଳିଙ୍ଗ ହୀରା l ଇଂରେଜ ଶାସନ ସମୟ ଯେତେବେଳେ ନୂଆ ନୂଆ ରେଳ ଧାରଣା ବିଛା ଯାଉଥିଲା ସେତେବେଳେ ଅଧିକା ଭାର ସଂଭାଳି ପାରୁଥିବା କାଠ ଆବଶ୍ୟକ ପଡିଲା ସେତେବେଳେ ବ୍ରିଟିଶ ସରକାର ସମଗ୍ର ଭାରତ ବୁଲି ଓଡ଼ିଶାର ଜଙ୍ଗଲ କାଠ ସର୍ବତ କୃଷ୍ଠ ବୋଲି ମତ୍ତ ଦେଲେ ଓ ରେଳ ଧାରଣା କାମରେ ଲଗାଇଲେ l ଯେଉଁମାନେ ଓଡ଼ିଶାକୁ ଦରିଦ୍ର ବୋଲି କୁହନ୍ତି ସେମାନେ ଜାଣିରଖିବା ଦରକାର ଯେଉଁ ଦେଶର ଝିଅ ସୁନା ଚାନ୍ଦ ନ ହେଲେ ଖେଳିବନି ବୋଲି ବାପା ପାଖରେ ଦାବି କରେ ସେ ଜାତି ଗରିବ ହେଲା କେମିତି?? ଯେଉଁ ରାଜ୍ୟର ମାଟି ଆଡେଇ ଦେଲେ ଅମୁଲ୍ୟ ଧାତୁ ର ଅସରନ୍ତି ଭଣ୍ଡାର ସେ ରାଜ୍ୟ ଗରିବ ହେଲା କେମିତି?? ଓଡ଼ିଶାର ନୌବାଣିଜ୍ୟ ଆଉ ସାଧବପୁଅ ଗାଥା ବିଶ୍ୱ ବିଦିତ l ସୁଦୀର୍ଘ ସାଗର ପଥରେ ଜଭା ସୁମାତ୍ରାରେ ବାଣିଜ୍ୟ କରିବାର କଥା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ l ଯାହାର ସ୍ମୁତି ଚାରଣ କରିବାରେ ଆଜିବି ବୋଇତବନ୍ଦାଣ ଉତ୍ସବ ପାଳିତ ହୁଏ l
ଚାରୁହମ୍ୟ ଶାଳିନୀ ଉପବନ ଶୋଭିତା ଏହି ଉତ୍କଳ ଜନନୀ l ଯାହାର ପ୍ରକୃତିକ ସୌନ୍ଦର୍ଯ୍ୟରେ ବିମୁଗ୍ଧ ଵେଦେଶୀ ବିହଙ୍ଗ l ସପ୍ତଶଯ୍ୟାରୁ ଶିମିଳିପାଳ, ଚିଲିକାରୁ ଚନ୍ଦ୍ରଭାଗା, ଦେଓମାଳିରୁ ଦାରିଙ୍ଗବାଡ଼ି, ଡେବିରିଘାଟରୁ ଭିତରକନିକା ସବୁଠି ଲାସ୍ୟମୟୀ ପ୍ରକୃତି ରାଣୀର ଲାବଣ୍ୟମୟୀ ରୂପ l
କୀର୍ତି, କୃତି, କଳା, କାରିଗରୀ, ସମସ୍ତ ଗୁଣରେ ନା ଉତ୍କଳର ସମସାମୟିକ ଦେଶ ନା କିଏ ଅଛି? ନା ଉର୍ଦ୍ଧ୍ବରେ କେଉଁ ଦେଶ ଅଛି? ଚକ୍ରକ୍ଷେତ୍ରରୁ ଅର୍କକ୍ଷେତ୍ର ପର୍ଯ୍ୟନ୍ତ ସବୁଠି ଉତ୍କଳ ନିହାଣ ସ୍ପର୍ଶ ପାଷାଣ ହୋଇଛି ପ୍ରଣବନ୍ତ l ଏ ମାଟିରେ ସୃଜନଶୀଳତାର ଶିଳାନ୍ୟାସ ସମ୍ଭବତଃ ସେହି ବୁଢା ବଢ଼େଇ କରିଥିଲେ, ଯିଏ ରାଣୀ ଗୁଣ୍ଡିଚାକୁ ଏକୋଶି ଦିନ ଯାଏ କବାଟ ନ ଖୋଲିବାକୁ ସର୍ତ୍ତ ରଖିଥିଲେ l ଆଜିବି ବାରବର୍ଷର ବାଳକ ଧର୍ମପଦର ଶିଳ୍ପଚତୁରୀର ସ୍ଵାକ୍ଷର ବହନ କରି ସ୍ୱର୍ଣ୍ଣିମ ବାଲୁକାଶଯ୍ୟାରେ ଶିଳାପଦ୍ମ ଦଣ୍ଡାୟମାନ l ଓଡ଼ିଆ ଖଣ୍ଡେ ବାଉଁଶ ନଳୀରେ ବିଦେଶୀଙ୍କ କୋଟି କୋଟି ଟଙ୍କାର ଯନ୍ତ୍ରପାତିକୁ ମୂଲ୍ୟହୀନ କରିପାରେ ପୁଣି ଗୀତଗୋବିନ୍ଦର ଝଙ୍କାରରେ ସାରା ବିଶ୍ୱକୁ ବିମୋହିତ କରିପାରେ l ଓଡ଼ିଆର ଅଭଡ଼ା ଗୋଟିଏ କଣିକା କୋଟିଏ ପାପରୁ ମୁକ୍ତି ଦିଏ l ପବନର ପ୍ରତିକୂଳରେ ପତାକା ଉଡ଼ାଇବାର ଦୁଃଶାହସ କେବଳ ଓଡ଼ିଆ ହିଁ କରିପାରେ l ଚିରଷୋଡ଼ଶୀ ଆମ ଓଡ଼ିଶୀ, ମର୍ଦଳ କଥାରେ ପାଗେଳୀ ହୁଏ ଘୁଙ୍ଗୁର l
ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଏଇ ଉତ୍କଳ l ସମୃଦ୍ଧ ଏହାର ଭାଷା ସୁଦୃଢ ଏହାର ସାହିତ୍ୟ l କବିସମ୍ରାଟଙ୍କ ଠାରୁ କବିସୂର୍ଯ୍ୟ ପର୍ଯ୍ୟନ୍ତ ପଲ୍ଲୀକବିଙ୍କ ଠାରୁ ପ୍ରକୃତିକବି ପ୍ରଯ୍ୟନ୍ତ ସମସ୍ତଙ୍କ ଲେଖନୀ ଚାଳନାରେ ଆଜି ଓଡ଼ିଶା ସାହିତ୍ୟ ଆଜି ଶିଖରମଣ୍ଡିତ l ଉତ୍କଳମଣି, ଉତ୍କଳଗୌରବ, ଉତ୍କଳଘଣ୍ଟ, ଉତ୍କଳ ବାଚସ୍ପତି, ଉତ୍କଳ ସାହିତ୍ୟ ଜଗତର ଅନିର୍ବାପିତ ଦୀପଶିଖା l “ବୈଦେହୀଶ ବିଳାସ”, “ରସକଲ୍ଲୋଳ”, “ପ୍ରଣୟବଲ୍ଲରୀ”, “ବିଦଗ୍ଧ ଚିନ୍ତାମଣି” ଇତ୍ୟାଦି ଓଡ଼ିଆ ସାହିତ୍ୟ ଆକାଶର ଅମଳିନ ଜ୍ୟତିସ୍କ l
ଏଠି ଶ୍ରେଷ୍ଠକୁ ନିର୍ବାଚିତ କରିବା କଷ୍ଟ l କାହାକୁ ଶ୍ରେଷ୍ଠ କହିବ? ପାଲାକୁ ଦାସକାଠିଆକୁ ଘୋଡାନାଚକୁ ନା ଗୋଟିପୁଅକୁ ? ସଂଚାର କୁ ନା ସଙ୍କିର୍ତନ କୁ??କାହାକୁ ଶ୍ରେଷ୍ଠ କହିବ ମୟୁରଭଞ୍ଜର ଛଉକୁ ସମ୍ବଲପୁରର ଡାଲଖାଇକୁ ଗଞ୍ଜାମର ରଣପାକୁ?? କାହାକୁ ସୁନ୍ଦର ବୋଲି କହିବ ସୋନପୁରୀ ପାଟକୁ ନା ସମ୍ବଲପୁରୀ ଶାଢ଼ୀକୁ?? କାହାକୁ ସୁନ୍ଦର ବୋଲି କହିବ ପିପିଲି ଚାନ୍ଦୁଆକୁ ନା ରଘୁରାଜପୁର ପଟ୍ଟଚିତ୍ରକୁ? କାହାକୁ ଶ୍ରେଷ୍ଠ କହିବ? କଟକର ତାରକାଶୀକୁ? ନୀଳଗିରିର ପଥର ବାସନକୁ ନା କଣ୍ଟିଲୋ, ବାଳକାଟୀର ପିତଳ ବାସନକୁ?? କାହାକୁ ସ୍ୱାଦିଷ୍ଟ ବୋଲି କହିବ ବାରିପଦା ମୁଢି କୁ ନାଁ କେନ୍ଦୁଝର ବଡିକୁ? କଟକ ଦହିବରାକୁ ନାଁ କେନ୍ଦ୍ରାପଡ଼ା ରସାବଳୀକୁ? ଢେଙ୍କାନାଳ ବରାକୁ ନା ଭୁବନେଶ୍ୱର କୋରାଖଇକୁ? ପୁରୀ ରାବିଡିକୁ ନା ଚିଲିକା ଚୁଙ୍ଗୁଡ଼ିକୁ? ନିମାପଡା ଛେନାଝିଲ୍ଲୀକୁ ନୟାଗଡ଼ ଛେନାପୋଡ଼କୁ?? କାହାକୁ ଶ୍ରେଷ୍ଠ କହିବ ପୁରୀ ରଥଯାତ୍ରାକୁ ବରଗଡ଼ ଧନୁଯାତ୍ରାକୁ?? କାହାର ଦେଶପ୍ରୀତିକୁ ଶ୍ରେଷ୍ଠ ବୋଲି କହିବ? ବକ୍ସିର ? ବିର୍ସାର ? ନା ବାଜିର ? ସବୁ ଶ୍ରେଷ୍ଠକୁ ସାଉଁଟି ସଗର୍ବେ ଦଣ୍ଡାୟମାନ ଆଉ ଉତ୍କଳ l ଅବର୍ଣ୍ଣନୀୟ ଏ ରାଜ୍ୟ ର ଗାରିମା l ଅଲୌକିକ ଏ ମାଟିର ଗାରିମା !
ଅବ୍ୟକ୍ତ ଏହାର କଥା l ଅସରନ୍ତି ଏହାର ଗାଥା l ଯାହାକୁ ବର୍ଣ୍ଣନା କରିବାକୁ ଯାଇ ପୁରାଣ ପରାସ୍ତ ଆଉ ସାହିତ୍ୟ ଶବ୍ଦହୀନ l ଅନନ୍ତ କୋଟି ପ୍ରଣାମ ସେହି ମହାମନୀଷୀଙ୍କୁ ଯିଏ ଉଦ୍ଦାତ କଣ୍ଠରେ ଗାଇ ଥିଲେ “ଉତ୍କଳସ୍ୟ ସମଦେଶ ଦେଶୋ ନାସ୍ତି ମହୀତଳେ . . . “
ଦେଶୋ ନାସ୍ତି ମହୀତଳେ
© ତେଜସ୍ୱ ତ୍ରିପାଠୀ
Spread the love
admin

View Comments

  • ବନ୍ଦେ ଉତ୍କଳ ଜନନୀ ?
    ସମ୍ବଲପୁରୀ ଶାଢୀ ସହ ଆଉ ଜିନିଷ ବହ୍ମପୁରୀ ପାଟ ମଧ୍ୟ ବେଶ୍ ନିଆରା ।

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

4 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

4 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

5 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

4 weeks ago