ଲେଖା: ତ୍ରିଲୋଚନ ସ୍ୱାଇଁ

~ ଶ୍ରୀ ଦୁର୍ଗାମାଧବ ମନ୍ଦିର ~
देवि प्रपन्नार्तिहरे प्रसीद प्रसीद मातर्जगतोखिलस्य।
प्रसीद विश्वेश्वरि पाहि विश्वं त्वमीश्वरी देवि चराचरस्य॥
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳା ରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
ସେଦିନର ଐତିହ୍ୟ ଯାତ୍ରାରେ ଆମର ପ୍ରଥମ ସୋପାନ ଥିଲା, ଗଡ଼ତଳମୂଳ ଗ୍ରାମରେ ଥିବା ଦଶମ ଶତାବ୍ଦୀର ଶ୍ରୀ ଦୁର୍ଗାମାଧବ ମନ୍ଦିର l ସୋମବଂଶୀ ଶାସକଙ୍କ ଦ୍ୱାରା ନିର୍ମିତ ଦେବୀ ଦୁର୍ଗାଙ୍କ ଏହି ମନ୍ଦିରଟି ବହୁ ପ୍ରାଚୀନ ମନ୍ଦିର l ଉତ୍କଳରେ “ଦୁର୍ଗାମାଧବ” ଉପାସନାର ଧାରା ପ୍ରାଚୀନ କାଳରୁ ଚାଲି ଆସୁଛି l ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କୁ ମାଧବ ରୂପେ ଓ ମାଆ ବିମଳାଙ୍କୁ ଦୁର୍ଗା ସ୍ୱରୂପରେ ଏକତ୍ର ପୂଜା କରିବାର ପରମ୍ପରା ବହୁ ପ୍ରାଚୀନ l ଏଣୁ ପୁରୀ ଶ୍ରୀମନ୍ଦିର ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶ୍ରୀଦୁର୍ଗାମାଧବଙ୍କ ପୂଜାର୍ଚ୍ଚନା ସହିତ ଦୁର୍ଗାମାଧବଙ୍କ ମନ୍ଦିର ରହିଥିବା ଦେଖିବାକୁ ମିଳେ l
ଇତିହାସରୁ ଯାହା ଜଣାଯାଏ, ଅଷ୍ଟମ ଶତାବ୍ଦୀ ବେଳକୁ ଏହି ଅଞ୍ଚଳରେ ନନ୍ଦୋଦ୍ଭଵ ଶାସକମାନେ ଶାସନ କରୁଥିଲେ l ନନ୍ଦୋଭବମାନେ ଭୌମକର ଶାସକଙ୍କ ଅଧୀନରେ ଥାଇ ଶାସନ କରୁଥିଲେ, ମାତ୍ର ପରବର୍ତ୍ତୀ ସମୟରେ ସେମାନେ ସୋମବଂଶୀ ଶାସକଙ୍କ ଅଧୀନରେ ରହି ଶାସନ କଲେ l ଏହି ଦୁର୍ଗାମାଧବ ମନ୍ଦିର ନାନ୍ଦୋଭବଙ୍କ ଦ୍ୱାରା ସୋମବଂଶୀ ଶାସନ ସମୟରେ ନିର୍ମାଣ ହୋଇଥିଲା l
ସେଦିନ, ବଡମ୍ବାରୁ ଅଭିମାନପୁର ଓ ସେଠାରୁ ଜଙ୍ଗଲ ରାସ୍ତା ହୋଇ ଭାପୁର ପୁଣି ଭାପୁର ଠାରୁ ବାମ ଦିଗରେ ଗଲେ ପଡ଼ିବ ମହୀଧରପୁର l ମହୀଧରପୁର ଛକରୁ ବଅଁରପାଳ ଯାଇଥିବା ମୁଖ୍ୟ ରାସ୍ତାରେ ଗଲେ ପଡ଼ିବ ଗଡ଼ତଳମୂଳ ଗାଁ, ଆଉ ଏହି ଗାଁ ରହିଛି ପ୍ରାଚୀନଦୁର୍ଗାମାଧବ ମନ୍ଦିର l ସ୍ୱଳ୍ପଉଚ୍ଚର ଏହି ମନ୍ଦିର ଗର୍ଭଗୃହରେ ଦେବୀ ଦୁର୍ଗାଙ୍କର ବହୁ ପ୍ରାଚୀନ ପ୍ରତିମା ସହିତ ମାଧବଙ୍କ ଏକ କମନୀୟ ପ୍ରତିମା ପୂଜା ପାଉଛନ୍ତି l ମହିଷାମର୍ଦ୍ଦିନୀ ଦୁର୍ଗାଙ୍କ ଦକ୍ଷିଣ ପାର୍ଶ୍ୱରେ ମାଧବଙ୍କ ମୂର୍ତ୍ତିଟି ରହିଛନ୍ତି l
ଦୁର୍ଗାମାଧବ ମନ୍ଦିର ପ୍ରବେଶ ପଥରେ ନବଗ୍ରହ ପ୍ରତିମା ରହିଥିବାବେଳେ ପାର୍ଶ୍ୱ ଦେବଦେବୀ ରୂପେ ଗଣେଶ କାର୍ତ୍ତିକେୟ ଓ ଦେବୀ ପ୍ରତିମା ରହିଛନ୍ତି l ଗର୍ଭଗୃହର ସମ୍ମୁଖରେ ଛାତିଏ ଉଚ୍ଚର ଦଶ ଗୋଟି ଖୁମ୍ବ ରହିଛି l ପୂଜକଙ୍କ କହିବାନୁଯାୟୀ ଯେହେତୁ ଏହା ଏକ ଶକ୍ତିପୀଠ, ଏହି ଦଶ ଗୋଟି ଖୁମ୍ବକୁ କେହି କେହି ଦଶମହାବିଦ୍ୟାଙ୍କ ସ୍ୱରୂପ ଓ ଆଉ କେହି କେହି ଏହାକୁ ଦଶଦିଗପାଳ ରୂପେ ବିବେଚନା କରନ୍ତି l
ଏହି ଦଶଗୋଟି ଖୁମ୍ବ ବା ଦଶଦିଗପାଳଙ୍କୁ ସାକ୍ଷୀ ରଖି ସ୍ଥାନୀୟ ଅଞ୍ଚଳର ଲୋକେ ନ୍ୟାୟ ନିଶାପ ଆଦି କାର୍ଯ୍ୟରେ ଶପଥପାଠ କରିଥାଆନ୍ତି l ହୁଏତ ଏହି ଦଶଗୋଟି ଖୁମ୍ବ ପ୍ରାଚୀନ ମନ୍ଦିରର ଜଗମୋହନ ବା ନାଟ ମଣ୍ଡପର ଖୁମ୍ବ ମଧ୍ୟ ହୋଇ ଥାଇପାରେ, ହେଲେ ଏହା କେବଳ ଏକ ଅନୁମାନ ମାତ୍ର l ଏଣୁ, ଏହା ଉପରେ ଅଧିକ ଅନୁସନ୍ଧାନ ନିହାତି ଆବଶ୍ୟକ l
ଢେଙ୍କାନାଳ ସହରରେ ଥିବା ଶ୍ରୀ ସିଦ୍ଧବଳରାମଜୀଉଙ୍କ ପ୍ରତିମା ଏକ ସମୟରେ ଏହି ଦଶଖୁମ୍ବ ମନ୍ଦିରରେ ପୂଜା ପାଉଥିଲେ l ଇତିହାସରୁ ଯାହା ଜଣାଯାଏ, ଗଙ୍ଗବଂଶୀ ସମ୍ରାଟ ଅନଙ୍ଗଭୀମ ଦେବ ତୃତୀୟ, ବଳରାମଙ୍କ ଏହି ମଣି ବିଗ୍ରହକୁ ପ୍ରାଚୀନ ଢେଙ୍କାନାଳର ନାଧରା ନିକଟ ତଳମୂଳଗଡ଼ ଅଞ୍ଚଳରୁ ଭୀମନଗରୀଗଡ଼କୁ ଆଣିଥିଲେ l ଦ୍ୱାଦଶ ଶତାବ୍ଦୀ ବେଳକୁ ଭୀମନଗରୀଗଡ଼ର ସେ ଶାସକ ଥିଲେ l
ସପ୍ତଫେଣୀ ଅନନ୍ତ ଅବତାର ଶ୍ରୀବିଷ୍ଣୁଙ୍କ ବଳଭଦ୍ର ରୂପୀ ଏହି ପ୍ରତିମାକୁ ଅନଙ୍ଗଭୀମ ଦେବ ପୁରୀ ନେବା ବାଟରେ ହିନ୍ଦୋଳ ନିକଟରେ ଦଶଖମ୍ବ ମଣ୍ଡପରେ ସ୍ଥାପନ କରିଥିଲେ l ମାତ୍ର ପରବର୍ତ୍ତୀ ସମୟରେ ବିଧର୍ମୀଙ୍କ ଆକ୍ରମଣକୁ ଦୃଷ୍ଟିରେ ରଖି ସେହି ବିଗ୍ରହଙ୍କୁ କରଡ଼ବିନ୍ଧା ଗ୍ରାମକୁ ସ୍ଥାନାନ୍ତର କରାଯାଇ ପାତାଳି କରାଯାଇଥିଲା l ପରବର୍ତ୍ତୀ ସମୟରେ ଏହି ବିଗ୍ରହ ଉଦ୍ଧାର ହୋଇ ଢେଙ୍କାନାଳ ସହରରେ ଥିବା ସିଦ୍ଧ ବଳରାମ ମନ୍ଦିରରେ ପୂଜା ପାଉଛନ୍ତି l
ଭଗବତୀ ମହିଷାମର୍ଦ୍ଦିନୀ ଦୁର୍ଗାଙ୍କ ଏହି ଦୁର୍ଗାମାଧବ ମନ୍ଦିର ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ରୂପେ ପରିଚିତ l ସହସ୍ର ବର୍ଷ ପ୍ରାଚୀନ ଏହି ମନ୍ଦିରକୁ ଜଣେ ଚାହିଁଲେ ବର୍ଷର ଯେ କୌଣସି ସମୟରେ ଆସି ଦୁର୍ଗାମାଧବଙ୍କ ଦର୍ଶନ କରିପାରିବ l ଶାରଦୀୟ ଓ ବାସନ୍ତୀକ ଦୁର୍ଗାପୂଜା ଅବସରରେ ଏଠାରେ ପ୍ରବଳ ଜନ ସମାଗମ ହୋଇଥାଏ l
© Trilochan Swain
ଦୁର୍ଗାମାଧବ ମନ୍ଦିର (Durgamadhab Mandir), ଗ୍ରାମ ଗଡ଼ତଳମୂଳ (Gadatalamula), ବଅଁରପାଳ ତହସିଲ, ଜିଲ୍ଲା ଅନୁଗୁଳ
Spread the love
admin

Recent Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

3 days ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

1 week ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

1 week ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

2 weeks ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 weeks ago