ଲେଖା: ତ୍ରିଲୋଚନ ସ୍ୱାଇଁ
~ ଦକ୍ଷିଣକାଳୀ ମନ୍ଦିର ଓ ଦୁର୍ଗାମାଧବ ମନ୍ଦିର ~
ଗ୍ରାମ ବୀରଗୋବିନ୍ଦପୁର ଶାସନ, ସତ୍ୟବାଦୀ, ଜିଲ୍ଲା ପୁରୀ
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
ଚଳିତ ବର୍ଷ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ବା ପବିତ୍ର ଅଶୋକାଷ୍ଟମୀ ତିଥିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନର ଅଭିଳାଷ ନେଇ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରି ପଡିଥିଲୁ l ଚୈତ୍ର ମାସର ଉଷ୍ମ ଶୀତଳ ପରିବେଶରେ ଶ୍ରୀକ୍ଷେତ୍ର ଯାତ୍ରା ତନୁ ମନକୁ ଆମୋଦିତ କରିବା ସହିତ ଯାତ୍ରାଟି ମଧ୍ୟ ଖୁବ୍ ସ୍ମରଣୀୟ ଥିଲା l ସେଦିନ ପୁରୀ ଯିବା ରାସ୍ତାରେ ଆଉ ତିନିଗୋଟି ପାବନକ୍ଷେତ୍ର ଭ୍ରମଣର ସୁଯୋଗ ମଧ୍ୟ ପ୍ରାପ୍ତ ହୋଇଥିଲା l
ସତ୍ୟବାଦୀର ବୀରଗୋବିନ୍ଦପୁର ଶାସନରେ ଥିବା ପ୍ରାଚୀନ ଦୁର୍ଗାମାଧବ ମନ୍ଦିର, ମାଆ ଦକ୍ଷିଣକାଳୀ ମନ୍ଦିର ଆଉ ଚନ୍ଦନପୁର ନିକଟ ଆରଳ ଗ୍ରାମରେ ଥିବା ସ୍ୱଳ୍ପ ପରିଚିତ ଜଗନ୍ନାଥ ମନ୍ଦିର l ଉତ୍କଳରେ “ଦୁର୍ଗାମାଧବ” ଉପାସନାର ଧାରା କେଉଁ ପ୍ରାଚୀନ ଯୁଗରୁ ଚାଲି ଆସୁଛି ତାର କୌଣସି ହିସାବ ନାହିଁ l ଶ୍ରୀକ୍ଷେତ୍ରେ ଶ୍ରୀଜଗନ୍ନାଥଙ୍କୁ ମାଧବ ରୂପେ ଓ ମାଆ ବିମଳାଙ୍କୁ ଦୁର୍ଗା ସ୍ୱରୂପରେ ଏକତ୍ର ପୂଜା କରିବାର ପରମ୍ପରା ବହୁ ପ୍ରାଚୀନ l ଏଣୁ ପୁରୀ ଶ୍ରୀମନ୍ଦିର ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶ୍ରୀ ଦୁର୍ଗାମାଧବଙ୍କ ପୂଜାର୍ଚ୍ଚନା ସହିତ ଦୁର୍ଗାମାଧବଙ୍କ ସ୍ୱତନ୍ତ୍ର ମନ୍ଦିରମାନ ଦେଖିବାକୁ ମିଳେ l
ସତ୍ୟବାଦୀର ବୀରଗୋବିନ୍ଦପୁର ଗ୍ରାମରେ ଥିବା ମାଆ କାଳୀଙ୍କ ମନ୍ଦିରଟି ସାରା ଓଡ଼ିଶା ଓ ବିଶେଷକରି ଅବିଭକ୍ତ କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଖୁବ୍ ପ୍ରସିଦ୍ଧ l ମାତ୍ର ସେହି ଗ୍ରାମରେ ଥିବା ଦୁର୍ଗାମାଧବ ମନ୍ଦିର ବା ଲୋକ ମୁଖରେ କନକଦୁର୍ଗା ମନ୍ଦିରଟି ଏକ ସ୍ୱଳ୍ପ ପରିଚିତ ପ୍ରାଚୀନ ମନ୍ଦିର l ଚୈତ୍ର ଦୁର୍ଗାଷ୍ଟମୀ ହୋଇଥିବାରୁ ସେଦିନ ଉଭୟ ଦକ୍ଷିଣକାଳୀ ଓ ଦୁର୍ଗାମାଧବଙ୍କ ନିକଟରେ ବିଶେଷ ପୂଜା ଅନୁଷ୍ଠିତ ହେଉଥିଲା l ଦୁର୍ଗାମାଧବଙ୍କ ମହା ଆଳତୀ ଦର୍ଶନର ସୌଭାଗ୍ୟ ପ୍ରାପ୍ତ ହୋଇଥିଲା l
ଦୁର୍ଗାମାଧବଙ୍କ ଏହି ମନ୍ଦିରଟି ଯେତିକି ପ୍ରାଚୀନ ତା ଠାରୁ କାହିଁ କେତେ ଅଧିକ ପ୍ରାଚୀନ ଜଣାପଡ଼ନ୍ତି ଦୁର୍ଗାମାଧବଙ୍କ ପ୍ରତିମା l ମନ୍ଦିର ନିର୍ମାଣ ସମ୍ପର୍କରେ ବିଶେଷ କିଛି ତଥ୍ୟ ହସ୍ତଗତ ହୋଇ ପାରିଲା ନାହିଁ l ମାଧବଙ୍କ ଏହି ପ୍ରତିମାଟି ଖୁବ୍ ସୁନ୍ଦର ଓ କମନୀୟ l ଦକ୍ଷିଣକାଳୀଙ୍କ ପୀଠକୁ ଯିବା ବାଟରେ ହିଁ ଗାଁର ମଧ୍ୟ ଭାଗରେ ଏହି ଦୁର୍ଗାମାଧବ ମନ୍ଦିରଟି ଦଣ୍ଡାୟମାନ l
© Trilochan Swain.
Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

12 hours ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

5 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

6 days ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago