ଲେଖା: ତେଜସ୍ୱ ତ୍ରିପାଠୀ
~ ବାହୁନୁଛି ଦୁର୍ଗ ବାରବାଟୀ ~
ବାରବାଟୀ ଷ୍ଟାଡିୟମର ଆଗରେ ଥିବା ଖୋଲା ପଡ଼ିଆରେ ଥରେ ବୁଲୁଥିଲା ମନ୍ଦମଳୟର ସ୍ପର୍ଶରେ ମନ ଆନ୍ଦୋଳିତ ହେଉଥାଏ l ହଠାତ ଶୁଣାଗଲା ପବନରେ ଏକ ଅସ୍ପଷ୍ଟ କାନ୍ଦଣାର ସ୍ୱର l ସତେ ଅବା ଗୁମୁରି ଗୁମୁରି କିଏ କାନ୍ଦୁଚି l ମାତ୍ର କିଏ ସେ ? କାହାର ଏହି କାନ୍ଦଣାର ସ୍ୱର ? ସ୍ୱରକୁ ଅନୁସରଣ କରୁ କରୁ କେତେବେଳେ ବାରବାଟୀ ଗଡ଼ ଭିତରେ ପ୍ରବେଶ କରିଗଲି ଏକଥା ମୁଁ ନିଜେ ଵି ଜାଣିନି ଅସ୍ପଷ୍ଟ କାନ୍ଦଣା ସ୍ପଷ୍ଟ ଶୁଭୁଥିଲା ମାତ୍ର ଏବେ ଵି କ୍ରନ୍ଦନରତା ଅଦୃଶ୍ୟ ଅବସ୍ଥାରେ . . l
ମୁଁ ପ୍ରଶ୍ନ କଲି କିଏ ? କିଏ ମା ତୁମେ କାନ୍ଦୁଛ ? ? ଉତ୍ତର ମିଳିଲା ମୁଁ ବାରବାଟୀ l ବାରବାଟୀ ! ! ହଁ ତୃତୀୟ ଅନଙ୍ଗଭୀମ ଦେବଙ୍କ ଅଲିଅଳି ବାରବାଟୀ l ଦୁର୍ଗ ବାରବାଟୀ l ମୁଁ ପ୍ରଶ୍ନ କଲି କାହିଁକି କାନ୍ଦୁଛ??
ସେ ଓଲଟି ପ୍ରଶ୍ନ କଲା ମୋ ଏ ଅବସ୍ଥା ଦେଖି ତମକୁ କାନ୍ଦ ଲାଗୁନି? ତମେ ଉତ୍କଳର ଉତ୍ତର ଦାୟାଦ ନୁହଁ ??
ଶୁଣ ଯଦି ପଚାରୁଛ ମୋ କାନ୍ଦିବାର କାରଣ l ଭାରି କଷ୍ଟ ହେଉଛି ଅତୀତର ସେହି ହଜିଯାଇଥିବା ଦିନକୁ ମନେ ପକେଇ… I ଆଉ ମୋ ଗଡ଼ଖାଇରେ ଶତ୍ରୁଶୋଣିତ ପିପାସୀ କୁମ୍ଭୀରମାନେ ସନ୍ତରଣ କରୁନାହାନ୍ତି l ଗଜପତିଙ୍କ ଗଜମଣ୍ଡଣିର ଗର୍ଜନର ଗୁଞ୍ଜରଣରେ ମୋ ଗଗନ ଆଉ ଗୁଞ୍ଜରିତ ହେଉନାହିଁ l ରଣୋଦ୍ୟତ ପାଇକର ଅସିର ଝଙ୍କାର ଆଉ ମୋ ପ୍ରସ୍ତର କାନ୍ଥରେ ପ୍ରତିଧ୍ୱନିତ ହେଉନାହିଁ l ଆଉ ପାଇକ ପୁଅର ଯୁଦ୍ଧଂ ଦେହି ଡାକରା ମୋ ପାଷାଣବକ୍ଷରେ ପ୍ରକମ୍ପିତ ହେଉନାହିଁ l ଆଉ ରଣଦୁନ୍ଦୁଭି ଶୁଭୁନାହଁ କି ପାତ୍ର, ଗୁପ୍ତଚର, ମନ୍ତ୍ରୀ, ସେନାପତିଙ୍କ ସହିତ ରାଜାଙ୍କର ଘନ ଘନ ଗୁପ୍ତ ବୈଠକ ବସୁନାହିଁ l
ମତେ ସିନା ତୃତୀୟ ଅନଙ୍ଗଭୀମ ଦେବ ତିଆରି କରିଥିଲେ ହେଲେ ଉତ୍କଳ ପ୍ରତ୍ୟେକ ରାଜା ନିଜ ରାଜତ୍ୱ କାଳରେ ମୋର କଳେବର ବଢ଼ାଇ ଥିଲେ ଓ ସୌନ୍ଦର୍ଯ୍ୟକରଣ କରାଇଥିଲେ l ରାଜା ମୁକୁନ୍ଦ ଦେବ ନଭଚୁମ୍ବି ନବତଳ ପ୍ରସାଦ ତିଆରି କରିଥିଲେ l ଆଉ ସେଇ ପ୍ରସାଦର ଶିଖର ମଣ୍ଡନ କରି ଉଡୁଥିଲା ଉତ୍କଳର ବିଜୟ ବୈଜୟନ୍ତୀ l ବହନ କରୁଥିଲା ଉତ୍କଳ ଅସ୍ମିତାର ବାର୍ତ୍ତା l ଆଉ ପବନରେ ଦୋଳି ଖେଳି କହୁଥିଲା “ଉତ୍କଳସ୍ୟ ସମ ଦେଶ, ଦେଶୋ ନାସ୍ତି ମହୀତଳେ” l
ଆଉ ଶୁଭୁନାହଁ ଉତ୍କଳ ରାଜାର ଜୟ ଜୟକାର l ମୋର ଅତୀତ ଆତ୍ମସ୍ୱାଭିମାନର ଆଲୋକରେ ଆଲୋକିତ ମାତ୍ର ଭବିଷ୍ୟତ ଆତ୍ମପ୍ରତ୍ୟହ ହୀନ ଅନ୍ଧକାର ଅପେକ୍ଷାରେ . . I ଆକୁମାରୀ ହିମାଳୟ ପ୍ରଳମ୍ବିତ କଳିଙ୍ଗର ମୁଁ ଥିଲି କୃଷ୍ଣସାର ମାତ୍ର, ଏବେ ଇତିହାସର ଏକ ଅଖ୍ୟାତ ଅଧ୍ୟାୟ !
ଶୁଣିଥିଲି ଗୋଦାବରୀଶ ମହାପାତ୍ରେ କୁଆଡେ ମଝିରେ ଆହ୍ୱାନ କରିଥିଲେ “ସୃଷ୍ଟି ବିଦାରୀ ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ . . ” ! ସେ ଆହ୍ୱାନ କୁଆଡେ ଉଭେଇ ଗଲା l କେବଳ ପଦ୍ୟର ପଦ ମଣ୍ଡନରେ ସୀମିତ ରହିଗଲା l ମତେ ଆଉ କିଏ ଚିହ୍ନିବ ? କିଏ ମୋ କଷ୍ଟ ବୁଝିବ? ଯିଏ ତ ବୁଝିଥାନ୍ତା ସେ ତ ସତୀଚଉରାରେ ଚିରନିଦ୍ରାରେ ଶୋଇପଡିଛି ଆଉ କିଏ ବୁଝିବ??
ସ୍ୱଳ୍ପ ହସି କହିଲି ରାଜତନ୍ତ୍ରର ଲୋପ ହେଇ ପ୍ରଜାତନ୍ତ୍ର ପ୍ରତିଷ୍ଠା ହେଇଛି l ଉତ୍କଳ ହେଇଚି ସ୍ୱତନ୍ତ୍ର ପ୍ରଦେଶ ଆଉ ରାଜତନ୍ତ୍ର ନାହିଁ କି ରାଜ୍ୟ ରାଜ୍ୟ ମଧ୍ୟରେ ଯୁଦ୍ଧର ଆବଶ୍ୟକତା ନାହିଁ l ସର୍ବତ୍ର ଶାନ୍ତି ବିରାଜିତ ଆଉ ତୁମର କି ପ୍ରୟୋଜନ??
ତାତ୍ସଲ୍ୟ ଭାବରେ ଉତ୍ତର ଦେଲା ଧନ୍ୟରେ ଉତ୍କଳର ଉନ୍ନତ ଯୁବସମାଜ l ଧନ୍ୟ ତମର ଚିନ୍ତାଧାରା l ସେଇଥିପାଇଁ କୁଳବୃଦ୍ଧ ତମକୁ ପ୍ରଶ୍ନ କରିଥିଲେ,
“ତୋ ପୂର୍ବ ପୁରୁଷ ଜୟ କରିଥିଲେ ଗଙ୍ଗା ଠାରୁ ଗୋଦାବରୀ
ତାଙ୍କର ଔରସୁ ଜନମ ହୋଇଣ କହ କେଉଁ ଗୁଣେ ତାଙ୍କୁ ସରି !”
ମୁଁ ମାନୁଛି ରାଜତତନ୍ତ୍ରର ବିଲୋପ ଘଟିଛି l ଏକଥା ଵି ମାନୁଛି ଆଉ ଆନ୍ତଃ ରାଜ୍ୟ ଯୁଦ୍ଧଭୟ ଆଉ ନାହିଁ l କିନ୍ତୁ ଗୋଟିଏ କଥା ମତେ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେଇ ପାରିବ ଯେ ମାନବ ଜାତି ଉପରୁ ସବୁଦିନ ପାଇଁ ଯୁଦ୍ଧର କଳବାଦଲ ହଟି ଯାଇଛି l ସେନାପାଇଁ ଏବେ ଦୁର୍ଗ ଅନାବଶ୍ୟକ ! ଦେଇ ପାରିବ ଏ ପ୍ରତିଶୃତି ? ?
ଗୋଟାଏ କଥା ମନେରଖ ଯଦି ମୁଁ ଭଗ୍ନ ନ ହେଇ ବୀର ବାରବାଟୀ ହେଇ ରହିଥାନ୍ତି ତାହାଲେ କଣ ସଢ଼େଇକଳା, ଖରସୁଆଁ ଓଡିଶାରୁ ଅଲଗା ହୋଇଯାଇଥାନ୍ତା ?? ମହାନଦୀ ସୁଖିଲା ପଡିଥାନ୍ତା ? ? ନା କୋଟିଆ ଉପରେ କିଏ ଲୋଲୁପ ଦୃଷ୍ଟି ପକାଉଥାନ୍ତା ? ଯଦି ବଞ୍ଚିଥାନ୍ତା ଜୟୀ ରାଜଗୁରୁ ଆଉ ବକ୍ସି ଜଗବନ୍ଧୁ ତାହାଲେ କୋଟିଆ ଉପରେ ଆଖି ପକାଉଥିବା ସେଇ ଅନୁପ୍ରବେଶ କାରୀର ଆଖି ତାଡି ହାତରେ ଧରେଇ ଦେବାକୁ ବେଶୀ ସମୟ ଲାଗି ନଥାନ୍ତା l ଦିନେ ମୁଁ ଉତ୍କଳର ଭାଗ୍ୟଶ୍ରୀ ଥିଲି ଆଜି ଭଗ୍ନ l ଥରେ କାଞ୍ଚିନରେଶ ପୁରୁଷୋତ୍ତମ ଦେବଙ୍କୁ ଅପମାନ କଳା ମୋରି ଠାରୁ ସନ୍ୟ ପ୍ରେରଣ ହେଲା କାଞ୍ଚିକୁ ! କ’ଣ ହେଲା କାଞ୍ଚି ଅବସ୍ଥା ? ? ତାରିଣୀ ସହ କାଞ୍ଚିଗଣେଶଙ୍କୁ ନେଇ ପାଇକ ମୋର ଲେଉଟିଲେ, ଆରେ ଆଉ କାହା କଥା କହିବି ଖୋଦ ଯବନ ସମ୍ରାଟ ଆକବର ଵି ମତେ ଦେଖି ବିମୁଗ୍ଧ ହୋଇଥିଲେ ଆଉ ଦଖଲ କରିଥିଲେ l
ଦୁଃଖ ଲାଗିଲା ସେଦିନ ଯେଉଁଦିନ ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବଙ୍କୁ ବନ୍ଦୀ କରି ମୋ ନବତଳ ପ୍ରସାଦରେ ରଖା ଗଲା l କୁହ ମତେ କେମିତି ଲାଗିଥିବ ସେତେବେଳେ ଯେତେବେଳେ ମତେ ଭଲ ପାଉଥିବା ଲୋକଙ୍କୁ ବନ୍ଦୀ କରି ମୋରି ଗଡ଼ରେ ରଖାଯାଇଥିବ ? ?
ସବୁଠୁ କଷ୍ଟ ସେତେବେଳେ ଲାଗିଲା ଯେତେବେଳେ ଇଂଗ୍ରେଜ ସରକାରଙ୍କ ଉପର ହାକିମ ହୁକୁମରେ ମତେ ଭାଙ୍ଗିବା ଆରମ୍ଭ କରାଗଲା ମତେ ଲାଗିଲା ସତେ ଯେମିତି ଏ ଗୋରା ସରକାର ମୋ ଉପରେ ଅତ୍ୟାଚାର କରୁଛି l ଆଜି ଯେଉଁ କ୍ୟାଣ୍ଟମେଣ୍ଟ ରୋଡ଼ ଦେଖୁଛ ଯାଅ ତାହାର ମୂଳଦୁଆ ଖୋଲିବ କେବଳ ମୋରି ପଥର ପାଇବ l ଯେତେବେଳେ ମୋ ପଥରକୁ ସ୍ଥାନୀୟ ଧନୀ ଲୋକଙ୍କୁ ବିକ୍ରି କରାଗଲା ମତେ ଲାଗିଲା ଯେମିତି ପଥର ନୁହେଁ ମୋ ଇଯତକୁ ଗୋରା ସାହେବ ଆଜି ରାଜଦାଣ୍ଡରେ ବିକ୍ରି କରିଦେଲା l
ଆଉ ଗୋଟେ ଦୁଃଖ କଣ ଜାଣ? ଯେଉଁ ଉତ୍କଳ ମାଟିରୁ ସ୍ୱଧିନତାର ଆଦ୍ୟ ଶଙ୍ଖଧ୍ୱନି ପାଇକ ବିଦ୍ରୋହ ଜନ୍ମ ନେଇଥିଲା l ଆଜି ସ୍ୱାଧୀନ ଭାରତର ସେନା ଗୋଟିଏ ହେଲେ ବିଭାଗ ଓଡ଼ିଶା ନାରେ ନାହିଁ l କୁହ ଯେଉଁ ପାଇକର ପରାକ୍ରମ କାହାଣୀ ଗାଇବାରେ ବିଶ୍ଵ ଇତିହାସ ଶତମୁଖ ସେ ପାଇକ ଜାତିକୁ ମିଳିଛି କଣ??
ବେଳେ ବେଳେ ଅତି କଷ୍ଟ ଲାଗିଲେ ଯାଇ ଗଡ଼ଚଣ୍ଡୀ ପାଖରେ ମୁଣ୍ଡ ବଡେଇ ମିନତୀ କରେ ମା’ ଆପଣ ପରା “ଶ୍ରଦ୍ଧାସତାଂ କୂଳଜନ ପ୍ରଭବଶ୍ୟ ଲଜ୍ୟା” ! କଣ ଏ ଉତ୍କଳଖଣ୍ଡର କୌଣସି ଉତ୍ତର ଦାୟାଦକୁ ମୋର ଅବସ୍ଥା ଦେଖି ଲଜ୍ଜାବୋଧ ହେଉନାହିଁ ? ? ମୁଁ କ’ଣ ଓଡ଼ିଆର ଅସ୍ମିତାର ପରିଚୟ ନୁହେଁ ? ?
ପଚାରିଲି “କହ ଦୁର୍ଗ ବାରବାଟୀ ! ତୋର ଇଚ୍ଛା କଣ” ? ? ଉତ୍କଣ୍ଠାଭରା ସ୍ୱରରେ ଉତ୍ତର ଦେଲା ମତେ, “ପୁଣି ବୀରବେଶରେ ସଜାଇ ଦିଅ l ସେତେବେଳେ ପାଇକମାନେ ରହୁଥିଲେ ଏବେ ସୈନିକ ରହିବେ, ସେତେବେଳେ ଖଣ୍ଡା, ତେଣ୍ଟା, ଢାଲ ରହୁଥିଲା ଏବେ ବନ୍ଧୁକ, ସ୍ୱୟଂଚାଳିତ ବନ୍ଧୁକ ରହିବ, ସେତେବେଳେ ହାତୀଘୋଡା ରହୁଥିଲା ଏବେ ସେନାର ଟ୍ରକ ଓ ଅନ୍ୟାନ୍ୟ ପରିବହନ ଯାନ ରହିବ, ସେତେବେଳେ ସେନାପତି, ଗୁପ୍ତଚରମାନେ ବୈଠକ କରୁଥିଲେ ଏବେ ସେନାଧ୍ୟକ୍ଷ ଓ ଗୁଇନ୍ଦା ଅଧିକାରୀମାନେ ବୈଠକ କରିବେ l ସେତେବେଳେ ଯୁଦ୍ଧଦୁନ୍ଦୁଭି ବାଜୁଥିଲା ଏବେ ବିଗୁଲ ବାଜିବ l ସେତେବେଳେ ସମର ସଙ୍ଗୀତ ଗାନ ହେଉଥିଲା ଏବେ ଜାତୀୟ ସଂଗୀତ ବୋଲା ହେବ l ସବୁଠୁ ବଡ଼ କଥା ସେତେବେଳେ ମୋ ନବତଳ ପ୍ରସାଦ ଉପରେ ତ୍ରିକୋଣୀୟ ପତାକା ଉଡୁଥିଲା ଏବେ ତ୍ରିରଙ୍ଗାକୁ ଉଡାଅ l ଜୟ ଜଗନ୍ନାଥ, ଗଜପତିଙ୍କ ଜୟ ଜୟ କାର ଧ୍ୱନି ମୋ କର୍ଣ୍ଣ କମ୍ପି ଯାଉଥିଲା ଏବେ ଜୟ ଯବାନ ଓ ଭାରତ ମାତାକି ଜୟ ଧ୍ୱନିରେ ମୋ କାନ କମ୍ପିବ . . ମୋ କାନ କମ୍ପିବ . . ମୁଁ ଦୁର୍ଗ ବାରବାଟୀ ମୋର ଜନ୍ମ ଯୁଦ୍ଧ ପାଇଁ ମାତୃଭୂମିର ମାନରକ୍ଷା କରିବାପାଇଁ l ମୁଁ କେମିତି ସେନା ଆଉ ସମରଠୁ କଣ ଅଲଗା ରହିପାରିବି” ??
ଧିରେ ଧିରେ ସ୍ୱର ଅସ୍ପଷ୍ଟ ହେବାକୁ ଲାଗିଲା l ମୁଁ ଯେତେ ଚିତ୍କାର କଲି ଡାକିଲି ବାରବାଟୀ . . ବାରବାଟୀ . . ସବୁ ଡାକ ପବନ ଉଭେଇ ଯାଉଥିଲା . .  କେବଳ ପ୍ରତିଦାନରେ ପ୍ରତିଧ୍ୱନି ଶୁଭୁଥିଲା . . ମୁଁ ଫେରିଲି . . !
© ତେଜସ୍ୱ ତ୍ରିପାଠୀ
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago