ଲେଖା: ବନ୍ଧନ ଦଳାଇ

ମହାପ୍ରଭୁ ଶ୍ରୀଜଗନ୍ନାଥ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣ ରୂପରେ ସମ୍ବୋଧିତ। ଶ୍ରୀଚୈତନ୍ୟଙ୍କ ଦୃଷ୍ଟିରେ ମହାପ୍ରଭୁ ହେଉଛନ୍ତି ଶ୍ରୀରାଧା ଶ୍ରୀକୃଷ୍ଣଙ୍କର ମିଳିତ ବିଗ୍ରହ ପ୍ରେମ ପୁରୁଷ ଶ୍ରୀକୃଷ୍ଣ ଏବଂ ପ୍ରକୃତି ସ୍ୱରୁପା ଶ୍ରୀରାଧାଙ୍କର ନିତ୍ୟରାସକାଳୀନ ଯୁଗନଦ୍ଧ ରୂପ ହିଁ ରତ୍ନ ସିଂହାସନାରୂଢ ଶ୍ରୀଜଗନ୍ନାଥ।
‘ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ଘେନି ସିଂହାସନ ପରେ,
ବିଜୟ କରିଅଛନ୍ତି ଚତୁର୍ଦ୍ଧା ରୂପରେ’।
(ଶୂନ୍ୟ ସଂହିତା)

କୃଷ୍ଣାବତାର ଲୀଳାର ସର୍ବୋତ୍ତମ ପରିପ୍ରକାଶ ରାସରେ ଘଟିଅଛି । ଦ୍ୱାପର ଯୁଗରେ ଗୋପ ରହଣି ସମୟରେ ଗୋପୀମାନଙ୍କ ସହିତ ଲୀଳାଖେଳା ଥିଲା ଶ୍ରୀକୃଷ୍ଣଙ୍କର ମାଧୁର୍ଯ୍ୟଲୀଳା । ଯେଁ ଲୀଳା ହିଁ ଭଗବତ୍ ପ୍ରାପ୍ତିର ସର୍ବୋତ୍ତମ ମାଧ୍ୟମ । ମାଧୁର୍ଯ୍ୟ ଲୀଳାର ସର୍ବୋତ୍ତମ ପରିପ୍ରକାଶ ହେଉଛି ରାସ। ଗୋପୀମାନଙ୍କ ସହିତ କିଶୋର କୃଷ୍ଣଙ୍କର ମିଳନକୁ ରାସ କୁହାଯାଇଥାଏ।


ଶ୍ରୀମନ୍ଦିରରେ ଅନୁଷ୍ଠିତ ପୂଜା ପାର୍ବଣ ମଧ୍ୟରେ ରାସୋତ୍ସବର ପ୍ରାଧାନ୍ୟ ଶ୍ରଦ୍ଧାଳୁ ଭକ୍ତ ଅନୁଭବ କରିଥାଏ। ଦ୍ୱାପର ଯୁଗୀୟ ମାଧୁର୍ଯ୍ୟ ଲୀଳା, ରାସରସିକ ଶ୍ରୀକୃଷ୍ଣରୂପୀ ମହାପ୍ରଭୁ ଶ୍ରୀଜଗନ୍ନାଥ ସମ୍ପାଦନ କରିଥାନ୍ତି।

ବର୍ଷକ ମଧ୍ୟରେ ଶ୍ରୀମନ୍ଦିର ମଧ୍ୟରେ ତିନିଗୋଟି ପ୍ରମୁଖ ରାସଲୀଳା ସମ୍ପାଦିତ ହୋଇଥାଏ, ବସନ୍ତରେ ବସନ୍ତରାସ, ବର୍ଷାରେ ପ୍ରାବୃଟରାସ ଏବଂ ଶରତରେ ଶରତରାସ ଅନୁଷ୍ଠିତ ହୁଏ। ଏହି ରାସୋତ୍ସବରେ ଶ୍ରୀମନ୍ଦିର ଉତ୍ସବ ମୁଖରିତ ହେବା ସହିତ ଶ୍ରଦ୍ଧାଳୁ ଭକ୍ତ ଏହାକୁ ଉପଭୋଗ କରି  ଦ୍ୱାପର ଯୁଗୀୟ ଶ୍ରୀରାଧା କୃଷ୍ଣଙ୍କର ବୃନ୍ଦାବନରେ ସଂଘଟିତ ରାସଲୀଳାକୁ ସ୍ମରଣ କରିଥାନ୍ତି।

ଶ୍ରାବଣ ମାସରେ ଅନୁଷ୍ଠିତ ହୁଏ ପ୍ରାବୃଟ ରାସ। ଏହି ରାସ ଶ୍ରୀମନ୍ଦିରରେ ସାତ ଦିନ ବ୍ୟାପୀ ଅନୁଷ୍ଠିତ ଝୁଲଣଯାତ୍ରା ନାମରେ ପରିଚିତ। ଶ୍ରାବଣ ଶୁକ୍ଲପକ୍ଷ ଦଶମୀଠାରୁ ଭାଦ୍ରବ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ଆଡମ୍ବର ସହକାରେ ପାଳନ କରାଯାଇଥାଏ।


ଏହିଯାତ୍ରାର ବିଧି ମହାପ୍ରଭୁଙ୍କର ମଧ୍ୟାହ୍ନଧୂପ ପରେ ଅନୁଷ୍ଠିତ ହୁଏ। ରତ୍ନସିଂହାସନରୁ ଭୂଦେବୀ ଓ ଶ୍ରୀଦେବୀ ମହାଜନମାନଙ୍କ ଦ୍ୱାରା ଦକ୍ଷିଣ ଘର ଖଟ ଉପରେ ବିଜେ କରନ୍ତି। ଏହା ପରେ ଦକ୍ଷିଣଘରୁ ମଦନମୋହନଙ୍କୁ ଆଣି ଖଟ ଉପରେ ବିଜେ କରାଯାଏ। ପୂଜାପଣ୍ଡାଙ୍କ ଦ୍ୱାରା ମାଣ୍ଡୁଅଭୋଗ ଅନୁଷ୍ଠିତ ହୁଏ। ପରେ ଛାମୁ ଦିହୁଡି ସହିତ ମହାଜନମାନେ ଭୂଦେବୀ ଶ୍ରୀଦେବୀ ଓ ମଦନମୋହନଙ୍କୁ ରତ୍ନସିଂହାସନକୁ ବିଜେ କରାନ୍ତି। କର୍ପୂର ଆଳତୀ ଓ ସଂଧ୍ୟା ଆଳତୀ ପରେ ପୂଜାପଣ୍ଡା ମହାପ୍ରଭୁଙ୍କ ଦକ୍ଷିଣଭୂଜରୁ ଗୋଟିଏ ଆଜ୍ଞାମାଳ ଆଣି ମଦନମୋହନଙ୍କୁ ଏବଂ ବାମଭୁଜରୁ ଆଜ୍ଞାମାଳ ଆଣି ଶ୍ରୀଦେବୀ ଓ ଭୂଦେବୀଙ୍କୁ ଦିଅନ୍ତି। ଛାମୁ ଦିହୁଡି ସହ ମହାଜନମାନେ ତିନି ପ୍ରତିମାଙ୍କୁ ହାତରେ ବିଜେ କରାଇ ଜଗମୋହନ ଦେଇ ବଟବୃକ୍ଷ ବାଟେ ଝୁଲଣ ମଣ୍ଡପ ବା ଝୁଲଣ କୁଞ୍ଜକୁ ବିଜେ କରାନ୍ତି। ଝୁଲଣ କୁଞ୍ଜ ଦୋଳିରେ ବିରାଜମାନ କରି ପ୍ରାବୃଟ ରାସରେ ନିମଜ୍ଜିତ ହୁଅନ୍ତି। ଏହି ସମୟରେ ବିଡିଆଲାଗି ହୋଇଥାଏ ।

ମୁକ୍ତିମଣ୍ଡପ ତଳେ ରାସଗୀତ,ଓଡିଶୀ, ଚମ୍ପୂ, ଇତ୍ୟାଦି ଶୃଙ୍ଗାର ରସାଶ୍ରିତ ସଂଗୀତ ଗାନ କରାଯାଏ।
ଝୁଲିବେ ତ ଆଜ କୁଞ୍ଜେ ବରଜ ରାଜ
ଦେଉଥିବେ ଦୋହଲାଇ ଗୋ . .


ଝୁଲଣ କୁଞ୍ଜ ସାଜସଜ୍ଜାର ଚମତ୍କାରିତା ଦର୍ଶକ ମନରେ ବୃନ୍ଦାବନର ସେବାକୁଞ୍ଜ ଓ ମଧୁବନର ଭ୍ରମ ସୃଷ୍ଟି କରିଥାଏ।
କି ଶୋଭା ଗୋ କୁଞ୍ଜେ ମଦନମୋହନ
ଚାହାଁରେ ପ୍ରାଣମିତଣି…..
ବାମେ ନବକିଶୋରୀ କିବା ରୂପ ମାଧୁରୀ।
ଘେନି ସର୍ବମନ୍ଜରୀ ମଧ୍ୟେ ଶ୍ରୀବେଣୁପାଣି
ତ୍ରିଭଙ୍ଗି ଭଙ୍ଗେ ଛିଡା ଶିରେମୟୁର ଚୂଡା
ହୋଏ ସେବତୀ ବେଢା ସତୀଙ୍କ ଦମ୍ଭ ଛଡା
ତ୍ରିଭଙ୍ଗିରେ ଚାହାଁଣି ନିଏ ହୃଦୟ କିଣି
କେଡେ ସୁନ୍ଦର ସେ ନାଟୁଆ ନୀଳମଣି।।
Featured Image: Amarnath Patra
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago